Unknown

 

 

 

 

 

 

 

 

 

 

ଗଙ୍ଗା ଓ ଗାଙ୍ଗୀ

ଶ୍ରୀ ବସନ୍ତ କୁମାର ଶତପଥୀ

 

ଉତ୍ସର୍ଗ

 

ରାତି ସାହିତ୍ୟ ପଢ଼ି, ପାଲାସୁଆଙ୍ଗ ନାଚଗୀତ ଦେଖି ମୋତେ

ସେସବୁ ପଢ଼ାଇ ଦେଖାଇ ସାହିତ୍ୟ ତଥା ହାସ୍ୟରସର ବୀଜ

ବୁଣି ଅଭାବନୀୟ ଦାରିଦ୍ର୍ୟ ମଧ୍ୟରେ ସ୍ନେହପ୍ରାଚୁର୍ଯ୍ୟ

ଦେଇ ଯେ ମୋତେ ବଢ଼ାଇଥିଲେ ଏବଂ

ଯାହାଙ୍କ ଋଣ ଶେଷଜୀବନରେ ମୁଁ ଶୁଝିପାରିଲିନି

ସେଇ ପିତୃଦେବ

ପଣ୍ଡିତ ଭୋଳାନାଥ ଦେବ ଶର୍ମାଙ୍କ

ଆତ୍ମା ଉଦ୍ଦେଶ୍ୟରେ ।

 

–ଲେଖକ

Image

 

ସୂଚୀପତ୍ର

 

୧.

ଗରିବୀ ହଟାଅ

୨.

ଓଇ ଛେଲେଟା

୩.

ଗଙ୍ଗା ଓ ଗାଙ୍ଗୀ

୪.

ଅନ୍‌ପଢ଼୍‍

୫.

ଚାଉଳ

୬.

ମନି ଅର୍ଡ଼ର

୭.

ମାଛ

୮.

ନାସ୍ତିକ

୯.

ଚା

୧୦.

ଉଡ଼ା

୧୧.

ସଙ୍କୋଚ

୧୨.

ବରା ଗୁଲୁଗୁଲା

୧୩.

ଏକ ସାକ୍ଷାତ୍‌କାର

Image

 

ଗରିବୀ ହଟାଅ

 

“ଏୟ୍‌, ତୁ ସେଇ ଲୋକ ନା ସେଦିନ ସଞ୍ଜବେଳେ ଏଇଠି ବସି ମୋତେ ଡରାଇଥିଲୁ-?” ବାଡ଼ି ପଛପଟ ଗଡ଼ିଆ ଘାଟର ସିମେଣ୍ଟ ବେଞ୍ଚରେ ବସୁଁ ବସୁଁ ତାକୁ ପଚାରିଲି ।

 

କିଛି ଉତ୍ତର ଦେଲାନାହିଁ ସେ । ଟର୍ଚ୍ଚ ଆଲୁଅ ସେଦିନ ସଞ୍ଜରେ ତା’ ମୁହଁରେ ଯେଉଁ ମାୟା ରଚିଥିଲା ଆଜି ସକାଳ ନଅଟା ବେଳର ତୀବ୍ର ସୂର୍ଯ୍ୟାଲୋକରେ ତାହା ଅପସରି ଯାଇଥିଲା । ତେଣୁ ଦେହମୁହଁର ସର୍ବମୟ କୁତ୍ସିତତା ଅତ୍ୟନ୍ତ ସ୍ପଷ୍ଟ ହେଉଥିଲା । ଦଣ୍ଡେ ପରେ ଭଲକରି ନିରିଖି ଜାଣିଲି ଏ ନିଶ୍ଚୟ ସେଇ ଲୋକ ।

 

ଆଖି ଦୁଇଟାରେ ପ୍ରଜ୍ୱଳିତ ବୁଭୁକ୍ଷା ଓ ପିପାସା ସାଙ୍ଗକୁ ଥିଲା ନିର୍ନିମେଷ ଭୟ ଓ ଆତୁରତା । ଜେଲ ଭେନ୍‌ର କଏଦୀଗୁଡ଼ାକ ଯିମିତି ଚିଡ଼ିଆଖାନାର ଅସହାୟ ହିଂସ୍ର ଜାନୁଆରଙ୍କ ପରି ଜୁଳୁଜୁଳୁ ବାହାର ଦୁନିଆଟାକୁ (ଯେଉଁ ଦୁନିଆଟା ତାଙ୍କୁ ଅପରାଧୀ ବା କ୍ରୀଡ଼ନକ ବୋଲି ବିବେଚନା କରିଛି) ଚାହିଁଥାନ୍ତି ଠିକ୍‌ ସେମିତି ଆଖିରେ ଏ ମୋ ଆଡ଼କୁ ଚାହିଁଲା, ଚାପା କ୍ରୋଧରେ ମୋ ପ୍ରଶ୍ନର ଜବାବ୍‌ ନ ଦେଇ । ଓଠର ଦି ଚାରି ଗଣ୍ଡା ଦାଢ଼ି ଥର ଥର ହେଲା, ମୁଣ୍ଡର ଚୂଳଗୁଡ଼ାକ ଠିଆ ଠିଆ ବେବାଗିଆ ହେଲା । ଚେହେରା ସହିତ ମେଳ ଥିବା ଅପରଛନିଆଁ ଜାଗାଟା ତାକୁ ଅଳିଆଗଦାର ଏକ ଅଂଶ ବା ଏକ ଅପାର୍ଥିବ ପାପଜୀବରେ ପରିଣତ କରିଥିଲା ।

 

ଦଣ୍ଡେ ପରେ ସାମାନ୍ୟ ମୁଣ୍ଡ ଟେକି ମୋ ଆଡ଼କୁ କଣେଇ ଚାହିଁଲା ଓ ପୁଣି ମୁଣ୍ଡ ତଳକୁ କରି ତା’ କାମରେ ଲାଗିଗଲା । ଦାଆଟାଏ ଧରି ଠୁକୁରୁ ଠୁକୁରୁ ପାଉଁଶ-ଅଳିଆଗଦାକୁ ଚିରିଭିଣି ପକାଉଥାଏ, ଯିମିତି ଘୁଷୁରି ବା କୁକୁଡ଼ା ଖାଦ୍ୟପାଇଁ ନିର୍ମମଭାବରେ ଭୂଇଁକୁ ବିଦାରି ଦିଅନ୍ତି । ଟୁକୁରା କାଚଖଣ୍ଡେ ପାଇଗଲେ ତା’ ଆଖିରେ ନୂତନ ମୂଲ୍ୟବାନ୍‌ ପଦାର୍ଥ ପ୍ରାପ୍ତିରେ ଆବିଷ୍କାରଙ୍କ ଆଖିର ଆଭା ଓ ଜ୍ୟୋତି ଉକୁଟି ଉଠେ । ନବାବିଷ୍କୃତ ସମ୍ପଦକୁ ଆଦରରେ ଗୋଟାଇ ନେଇ ଛିଣ୍ଡା ଅଖାଟାରେ ସେ ପୂରାଇ ଦିଏ । କି ନିଷ୍ଠା, କି ଅଭିନିବେଶ ! କି ଅମୂଲ୍ୟ ଦ୍ରବ୍ୟ !

 

ଦିନେ ମୁହଁସଞ୍ଜରେ ଘରେ ମୁଁ ଏକ ଥାଏ । ପିଲାଝିଲାଏ ମୋତେ ବାରମ୍ବାର କହିଥାନ୍ତି ଘରେ କେହି ନଥିଲେ କିଏ ଗୋଟାଏ ଛାୟାମୂର୍ତ୍ତି ପରି ଘରଭିତରେ ଘୂରାଫେରା କରେ, ଏ କୋଠରିରୁ ସେ କୋଠରିକି ଯାଏଁ । ପରଦାତଳକୁ ତା’ ନଳୀ ଗୋଡ଼ଟା ସ୍ପଷ୍ଟ ଦିଶେ । ଭୂତ, ପ୍ରେତ, ଅଶରୀରୀଙ୍କି, ଭୟ କ’ଣ, ବିଶ୍ଵାସ ନଥିଲେବି, ଏକୁଟିଆ ଥିଲାବେଳେ ବାଡ଼ି ଦୁଆର ପରଦାଟା ଧୀରେ ପବନରେ ଦୋହଲିଲେ ମୋତେବି ଜଣାପଡ଼ୁଥିଲା ଯିମିତି କିଏ ପ୍ରକୃତରେ ଯାଆସ କରୁଛି-। ବେଳେବେଳେ ଛନକାବି ପଶୁଥିଲା । ଜଲି ବୋଲି କୁତୀଟା ଗୋଡ଼ ପାଖରେ ଶୋଇଥିବାରୁ ମୋତେ ସେତେ ଏକୁଟିଆ ଲାଗୁ ନ ଥାଏ । ଟିକିଏ ଅହେତୁକୀ ଭୟ ପଶିଲେ ତା’ ସହିତ କଥାବାର୍ତ୍ତା ଆରମ୍ଭ କରି ପଚାରେ “କିରେ ଜଲି । ମଶା କାମୁଡ଼ୁଛନ୍ତି ?”

 

ଗୋଟାଏ ଗଳ୍ପ ଉତ୍ତାରୁଥାଏଁ । ହଠାତ୍‌ ଭୋ ଭୋ କରି ଜଲି ଭୁକି ଉଠିଲା । ଦଡ଼ାମ୍‌ ଚମକି ପଡ଼ିଲି । ଦେଖିଲି ସେ ସିଧା ଅଗଣା ଦୁଆରକୁ ଗଲା ଏବଂ ତୁହାକୁ ତୁହା ଭୁକିଲା । ପ୍ରଥମେ ଭାବିଲି ବିରାଡ଼ି ବା କଟାସର ଗନ୍ଧ ବାରିଥିବ । ଉଠିଲି ନାହିଁ । ମୁଁ ନ ଗଲାରୁ ସେ ଫେରି ଆସିଲା ଏବଂ ପୁଣି ଦୁଆରକୁ ଯାଇ ପୁଣି ଭୁକିଲା । ମୁଁ ଭାବିଲି ବୋଧହୁଏ ସେ ମୋତେ ଠାରୁଛି ବାଡ଼ି କବାଟ ଫିଟେଇବାପାଇଁ ବା ବାହାରକୁ ଯାଇ ଦେଖିବାପାଇଁ । (କୁତୀଟା ବୋଲି ଘରର ସମସ୍ତେ ଛିଛାକର କଲାରୁ ତାକୁ ବିଦାୟ ଦେଇ ତା’ ପୁଅ ଜୀମ୍‌କୁ ରଖିଛି । ଏବେ କିନ୍ତୁ ଦେଖୁଛି ତା’ ମାଆ ଯଦି ବାହାର ଲୋକଙ୍କୁ ଦେଖି ଭୁକୁଥିଲା ପୁଅ ମୋତେ ଓ ଘରଲୋକଙ୍କୁ ଭୁକୁଛି ।

 

ଅଗଣାର ଆଲୁଅ ଜାଳି ଟର୍ଚ୍ଚ ଧରି ଜଲି ସାଙ୍ଗରେ ଦୁଆର ପର୍ଯ୍ୟନ୍ତ ଯାଇ ଧୀରେ କବାଟ ଫିଟାଇଲି । ଜଲି ଭିଡ଼ିଗଲା ନଡ଼ିଆଗଛ ଆଡ଼କୁ । ଛାତି ଧପ୍‌ ଧପ୍‌ କରୁଥିଲେବି ଜଲି ଉପରେ ନିର୍ଭର କରି ଟର୍ଚ୍ଚଟା ଫୁଟାଇଲି । ଦେଖିଲି ପାଚିରି କାନ୍ଥକୁ ଲାଗି କଳା ଜୀବଟାଏ । ହାଉଳି ଖାଇବା ଗଳାରେ ଭୟ ଓ ମିଥ୍ୟା ସାହସ ସୂଚାଇ ଚିତ୍କାର କରି ଉଠିଲି “କିଏ ସେ ?” ଭାବିଲି ଚୋରଟିଏ ଧରିଛି, କିନ୍ତୁ ଟର୍ଚ୍ଚ ଆଲୁଅରେ ପର ମୁହୂର୍ତ୍ତରେ ଦେଖିପାରିଲି ଲୋକଟା ଭଙ୍ଗାକାଚ ହାତରେ ଅନୁଭବ କରି କରି ଗୋଟାଇବାରେ ଲାଗିଛି । ସୁନା ଖଣିରେ ଠିକାରେ ଓଭରଟାଇମ୍‌ ଅଧିକ ମଜୁରି ନେଇବି ଏତେ ଆଗ୍ରହ ଓ କର୍ତ୍ତବ୍ୟନିଷ୍ଠା ଦେଖାଇ ଏତେ ସମୟ ଯାଏଁ କେହି କାମ କରିବ ନାହିଁ । ଫେର୍‌ ଖୋଜିବା ଚିଜ କ’ଣ ନା ଭଙ୍ଗା କାଚ ! ଯେଉଁଗୁଡ଼ାକ ଅତି ସତର୍କ ଓ ସାବଧାନ ହୋଇ ଆମେ ଚଲା ରାସ୍ତାରୁ ଦୂରକୁ ଅନ୍ତର କରି ଦେଉଁ, କାଳେ ମାଡ଼ି ଦେଲେ ଦୁରାରୋଗ୍ୟ ଧନୁଷ୍ଟଙ୍କାର ବ୍ୟାଧି ଜୀବନକୁ ବିପନ୍ନ କରିଦେବ ।

 

ବହେ ଗାଳି ଦେଲି ଲୋକଟାକୁ । କହିଲି, “ଖବରଦାର କେବେ ଆଉ ଏମିତି ଅନ୍ଧାରରେ, ଏଠି କ’ଣ କାହା ବାରିପଟେ ବସି ଏ ବେପାର କରିବୁ ନାହିଁ । ଲୋକେ ଭୂତ ପ୍ରେତ ବୋଲି ଚମକି ମରିବେ ନ ହେଲେ ଚୋର ଭାବି ଥାନାରେ ପୂରାଇବେ । ବୁଝିଲୁ ? ଯାଆ, ପଳା !”

 

ଆଜି ଫେର୍ ସେଇ ଲୋକ ସେଇଠି । କିନ୍ତୁ ସକାଳେ ଆସିଛି ନଡ଼ିଆଗଛ ମୂଳ ଅଳିଆ ପାଉଁଶଗଦା ଉପରେ ବସି ଏକ ଧ୍ୟାନ ଏକ ମନରେ ଖୋଳାବଛା କାମ କରି ଚାଲିଛି । ମନେମନେ ଭାବିଛି ଅଳିଆଗଦାଟା ଭଙ୍ଗାକାଚର ଅସରନ୍ତି ଖଣି । ଲୋକଟା ଖାଣ୍ଟି ବେକାର ନ ହେଲେ ବୃଦ୍ଧ ଅଳସୁଆ କାମଧନ୍ଦା ନ ଥିବାକୁ ଏଇ ଅପରଛନିଆ ଜାଗାଟାରେ ସକାଳ ସନ୍ଧ୍ୟା ବସି ଠୁକୁଠାକ୍‌ କରି ଚାଲିଛି । ତା’ର ସମୟର ମୂଲ୍ୟ ନାହିଁ କି କାମରବି ମୂଲ୍ୟ ନାହିଁ । କୌତୂହଳ ହେଲା ତା’ ବିଷୟରେ କିଛି ଜାଣିବାପାଇଁ ।

 

ବହୁଦିନ କ୍ରମାଗତ ବର୍ଷା ପରେ ଆଜି ରବିବାର ସକାଳଟାରେ ଗଡ଼ିଆକୂଳର କାଶତଣ୍ଡୀ ଫୁଲର ମେଳାରୁ ଶରତ୍‌କାଳର ଆଗମ ଜଣାପଡ଼ୁଥାଏ । କାଳୀମନ୍ଦିର ସାମ୍ନା ତାଳଗଛରେ ବସା ବାନ୍ଧିଥିବା ବାଇଚଢ଼େଇଗୁଡ଼ାକ ଥରକୁ ଥର ଉଡ଼ି ଆସି କାଶ ଫୁଲର ଅଗଗୁଡ଼ାକ ଟଙ୍କି ଥଣ୍ଟରେ ଧରି ବ୍ୟସ୍ତରେ ଉଡ଼ିଯାଉଛନ୍ତି, ଛୁଆଙ୍କପାଇଁ ନରମ କୁଶନ୍ ଶେଯ କରିବେ ଏବଂ ଛୁଆଙ୍କୁ ଝୁଲାଇ ଝୁଲାଇ ଶୁଆଇବେ; “ବାୟାର କି ଯାଏଁ ବାଆ କଲେ ବସା ଦୋହୋଲୁଥାଏ” ଗୀତ ଗାଇ ।

 

ଅପର ପାର୍ଶ୍ଵ ଘାଟରେ ଲୁଗାପଟା ସଫା କରି ଆରାମରେ ନିର୍ମଳ ଜଳରେ ସ୍ନାନ ପରେ ଲୋକେ ମନ୍ଦିରମୁହାଁ ହେଲେଣି । ସର୍ବତ୍ର ସଫେଦ ପ୍ରତି ଶ୍ରଦ୍ଧା ଥିଲେବି ମୋ ଆଖି ସାମନାର ଲୋକଟାର ସେଥିପ୍ରତି ଆଗ୍ରହ ଭ୍ରୂକ୍ଷେପ ନାହିଁ । ଏକେ ତ କଳା ଦୁଜେ ଧୂଳିମଳି ପାଉଁଶ-ପ୍ରଲେପ-ବୋଳା । ଦାଆ ଖଣ୍ଡିକରେ ଅଇଁଠାପତ୍ର, ପୋଡ଼ା କୋଇଲା, ପାଉଁଶ, ଭଙ୍ଗା ହାଣ୍ଡିଖପରା, ପିଲାପିଲିଙ୍କ ଗୁହଲେଣ୍ଡଆ ଏପାଖ ସେପାଖ ଖେଳାଇ ଚାଲିଛି । କେତେବେଳେ କିମିତି ଭଙ୍ଗା ଆଇନାଟିଏ, ଗିଲାସ ଟୁକୁରାଟିଏ, କେଉଁ ସଦ୍ୟବିଧବାର ଭଙ୍ଗାଚୁଡ଼ି ଖଣ୍ଡେ ମିଳିଯାଉଛି ତ ଅଖା ଭିତରକୁ ସେ ପୂରାଇ ଦେଉଛି । କଳ ପରି ତା’ ହାତ । କେତେବେଳେ ଚୋର ପରି, କେତେବେଳେ ବୋକା ପରି ଆଉ କେତେବେଳେ ପାଗଳ ପରି ଦିଶୁଛି ।

 

ପଚାରିଲି, “ସେ ଦିନ ତ ଅଣ୍ଡାଳି ଦରାଣ୍ଡି ସବୁତକ ନେଇ ଯାଇଛୁ । ପାଞ୍ଚ ସାତ ଦିନରେ ଏତେ କାଚ କାହା ଘରେ ଭାଙ୍ଗିବ ଯେ ତୁ ପୁଣି ଖୋଳାଖୋଳି ଆରମ୍ଭ କରି ଦେଇଛୁ ? ଏଇଟା କ’ଣ କାଚଭଙ୍ଗା ବୋତଲର ଖଣି ? ଆହୁରି ଅଛି ଭାବିଛୁ ?”

 

ଖୁବ୍‌ କ୍ଷୀଣ ସ୍ଵରରେ କିନ୍ତୁ ଆତ୍ମପ୍ରତ୍ୟୟ ସହିତ କହିଲା–“ଅଛି” । ପ୍ରମାଣ ଦେବାପାଇଁ ବୋତଲର ମୁହଁ ଖଣ୍ଡିଏ ଉଠାଇ ଠଣ୍‌ ଠଣ୍‌ କରି ବୋରା ଭିତରକୁ ଫୋପାଡ଼ି ଦେଲା ।

 

“ଏସବୁ ନେଇ କ’ଣ କରୁ ?”

 

“ବଜାରରେ ବିକେ ।”

 

“କିଏ କିଣେ ?”

 

“ମହାଜନ ଅଛି ।”

 

“କିମିତି ଦାମ୍‌, ଦର ।”

 

“କିଲ ଦର । କଉଁ ଦିନ କିମିତି । ପାଞ୍ଚ ପଇସା, ଛଅ ପଇସା, ଜିନିଷ ଦେଖି ଦାମ୍ ।”

 

“ଦିନକରେ କେତେ ପାଉ ?”

 

“ଟଙ୍କାଏ ଦେଢ଼ ଟଙ୍କା ।”

 

କାମ ବନ୍ଦ କରେ ନାହିଁ । ଠୁକ୍‌ ଠୁକ୍‌ ଶବ୍ଦର ଅନ୍ତବର୍ତ୍ତୀ କାଳରେ ସେ ପ୍ରଶ୍ନଟା ଶୁଣେ, ପର ଅନ୍ତବର୍ତ୍ତୀ ମୁହୂର୍ତ୍ତଗୁଡ଼ାକରେ ତା’ର ଉତ୍ତର ଦିଏ । ଜଣାପଡ଼ୁଥାଏ ଯିମିତି ମୋ ପ୍ରଶ୍ନଗୁଡ଼ାକ ତା’ ପକ୍ଷରେ ଅବାନ୍ତର, ଅଯଥା ତା’ କାର୍ଯ୍ୟରେ ବାଧା ବ୍ୟାଘାତ ସୃଷ୍ଟି କରୁଛି । ତା’ ଛଡ଼ା ତା’ ବ୍ୟକ୍ତିଗତ ଜୀବନ ଜୀବିକା ଓ ସ୍ଵାଧୀନତା ଭିତରେ ଅପରର ଅନୁପ୍ରବେଶ ବୋଧହୁଏ ସେ ଆଦୌ ପସନ୍ଦ କରୁ ନ ଥାଏ । ଗରିବଙ୍କ ଜୀବନକାହାଣୀ ପ୍ରତି ଧନୀଲୋକଗୁଡ଼ାଙ୍କର କୌତୂହଳ ସେମାନଙ୍କ ଆତ୍ମଶ୍ଳାଘା ଓ ଆତ୍ମତୁଷ୍ଟିର ପରିବୃଦ୍ଧି ନିମନ୍ତେ । ତଥାପି, ଯେଣୁ ସେ ମୋ ଅଳିଆଗଦାରୁ ଧନ ବା ଦାନାପାଣି ସଂଗ୍ରହ କରୁଛି, ମୋ ପ୍ରତି କୃତଜ୍ଞତା ଜଣାଇବାରେ ସେ ତ୍ରୁଟି କରିବା ଅପରାଧ ବୋଲି ମୁଁ ବିବେଚନା କରୁଥାଏ ।

 

ଦେଖିଲି, କାଚଖଣ୍ଡଗୁଡ଼ାକୁ ଗଣ୍ଠି ଓ ତାଳିଦିଆ ଅଖା ଭିତରକୁ ଫୋପାଡ଼ିବା ସଙ୍ଗେ ସଙ୍ଗେ ଖଣ୍ଡେଖଣ୍ଡେ ଦରପୋଡ଼ା କୋଇଲା ମଧ୍ୟ ପାଉଁଶ ଅଳିଆ ଭିତରୁ ମିଳିଲେ ଉଠାଇ ନେଉଛି, ମାତ୍ର ନିଜେ ସେଗୁଡ଼ାକ ନ ରଖି ଝାଡ଼ିଝୁଡ଼ି ଦେଇ ନଡ଼ିଆଗଛ ଆଡ଼କୁ ଫୋପାଡ଼ି ଦେଉଛି । ପ୍ରଶ୍ନୋତ୍ତର ଜରିଆରେ କର୍ମଚାରୀମାନେ ଯିମିତି ପରିବାରର ଇତିହାସ ସଂଗ୍ରହ କରନ୍ତି ସେଇ ରୀତି ଅନୁସରଣ କରି ପରବର୍ତ୍ତୀ ପ୍ରଶ୍ନ ପଚାରିଲି “ଘରେ କେତେ ପ୍ରାଣୀ, କୁଟୁମ୍ବ ?”

 

ବୋକାଙ୍କ ପରି ଚାହିଁଲା ମୋ ଆଡ଼କୁ । ପ୍ରଶ୍ନଟା କଷ୍ଟ ହେଲା ବୋଧହୁଏ । ସହଜ କରି ଦେଇ ପଚାରିଲି, “ଘରେ ଖାଇବାକୁ କେତେ ଜଣ ?”

 

ଉତ୍ତର ଦେଲା, “ଇୟେ, ମାଆ ଆଉ ଭଉଣୀ ।”

 

ଏତେବେଳଯାଏ ଜାଣି ନଥିଲି ତା’ ସାଙ୍ଗରେ ଆଉ ଜଣେ କେହି ଅଛି ବୋଲି । ବେଞ୍ଚରେ ପଛପଟକୁ ଆଉଜି ବେକ ଲମ୍ବାଇ ନଡ଼ିଆଗଛ ଆରପାଖକୁ ଚାହିଁଲି । ପାଉଁଶ ଗଦା ଓ ନଡ଼ିଆଗଛ ଗଣ୍ଡିର ସମାନ ରଙ୍ଗର ଲୁଗା ପିନ୍ଧି ସେ ଇମିତି ନିସ୍ତବ୍ଧ ନିଶ୍ଚଳ ହୋଇ ବସିଥିଲା ଯେ ଜଣାଯାଉଥିଲା ଯିମିତି ସେ ବି ଧରିତ୍ରୀର ଏକ ପ୍ରାକୃତିକ ଅଙ୍ଗ । ‘ଇୟେ’ ଶବ୍ଦଟା ଶୁଣି ସେ ସାମାନ୍ୟ ଚଳପ୍ରଚଳ ହେଲାରୁ ମୁଁ ଜାଣିଲି ସେ ବି ଗୋଟାଏ ଜୀବ ।

 

ଦରପୋଡ଼ା କୋଇଲାଖଣ୍ଡ ସବୁ ଗଛର ଅନ୍ୟ ପାଖ ପାଉଁଶଗଦାରୁ ସଂଗ୍ରହ କରୁଥିଲା ‘ଇୟେ’ ଏବଂ ‘ସିଏ’ କାଚ ସାଙ୍ଗକୁ ମିଳୁଥିବା ଦରପୋଡ଼ା କୋଇଲାଗୁଡ଼ାକୁ ‘ଇୟେ’ ଆଡ଼କୁ ଫୋପାଡ଼ି ଦେଉଥିଲା । ଦରଭଙ୍ଗା ଆମ୍ବଝୁଡ଼ି ଗୋଟାକରେ ସେସବୁ ସଂଗ୍ରହ କରୁଥିଲା ‘ଇୟେ’ ।

 

ଅନାବନା ଡାହାଣୀ ଲଟିକୁ ଲାଗି ସେ ବସିଥିଲା । କୋଇଲା ପାଉଁଶ ବୋଲି ହୋଇଥିବାରୁ ତା’ ଦେହରେ ସ୍ଵାଭାବିକ ରଙ୍ଗ ବାରି ହେଉ ନଥିଲା । ‘ଇୟେ’ ପିନ୍ଧିଥିଲା ମୋଟା ମସିଆ ଧୋତିଟାଏ ଯାହାର ଧଡ଼ିର ନାଲି ଗାରଟା ଅନବରତ ବ୍ୟବହାରରେ ଫିକ୍‌କା ପଡ଼ି ଯାଇଥିଲା । ଜଣାପଡ଼ୁଥିଲା ‘ସିଏ’ ଯିମିତି ଅଳିଆ ଗଦାରୁ ଟୁକୁରାଏ କନା ଅକସ୍ମାତ୍‌ ପାଇ ନିଜେ ପିନ୍ଧି ଦେଇଛି ଏବଂ ନିଜେ ପିନ୍ଧିଥିବା ଛ’ଗଜୀ ଧୋତିଟାକୁ ପାଲଟି ‘ଇୟେ’କୁ ପିନ୍ଧିବାକୁ ଦେଇଛି ।

 

ମୁଁ ତାକୁ ଦେଖିବାକୁ ଯେତେ ଆଗ୍ରହୀ ଓ କୌତୁହଳୀ ନଥିଲି ‘ଇୟେ’ ମୋତେ ଦେଖିବାକୁ ତା’ଠାରୁ ବହୁତ ବେଶି ଉତ୍ସୁକ ଥିଲା । ମୋତେ ଭଲକରି ଦେଖିବାପାଇଁ ସେ ଛିଡ଼ା ହେଲା । ମୋ ପେଟର ତ୍ରିବଳି, ସ୍ତନଦ୍ଵୟରୁ ଅସ୍ଵାଭାବିକ ଅଭିବୃଦ୍ଧି ଓ ଦେହର ପାଚିଲା ଆମ୍ବ ପରି ରଙ୍ଗ ସାଙ୍ଗକୁ ବ୍ରିଲକ୍ରୀମ୍‌ ଦିଆ ଚହଟଚିକ୍କଣ ଚୂଳ ତା’ ଆଖିରେ ବିସ୍ମୟ ସୃଷ୍ଟି କଲାପରି ସ୍ପଷ୍ଟ ଜଣାପଡ଼ୁଥିଲା । ଚିଡ଼ିଆଖାନାର ମଖମଲଦେହୀ ବାଘଗୁଡ଼ାକୁ କେହି ଦର୍ଶକ ଏତେ ନିର୍ନିମେଷ ନୟନରେ ଅନାଇ ନ ଥିବେ ।

 

କ’ଣ ଭାବିଲା କେଜାଣି ଧୀରେ ଧୀରେ ବୁଲି ଆସି ଗାଧୁଆ ଘାଟର ପାହାଚ ଡେଇଁ ଗାଡ଼ିଆ ପାଣିରେ ଗୋଡ଼ ହାତ ଭଲ କରି ଧୋଇଲା ଏବଂ ମୋ ସାମନା ବେଞ୍ଚରେ ମୁହାଁମୁହିଁ ନିର୍ବିକାର ବସିଗଲା । ମୋ ପାଦ ଦୁଇଟା ଆରାମରେ ବାଟା ଚପଲରେ ରହିଥିଲାବେଳେ ତା’ ଛୋଟ ଗୋଡ଼ଦୁଇଟା ବେଞ୍ଚର ଅଧା-ଅଧିରେ ଝୁଲୁଥାଏ, ଭୂଇଁ ପହୁଞ୍ଚିବାକୁ ପ୍ରାୟ ଛଅଇଞ୍ଚ ଥାଏ । ବେଞ୍ଚକୁ ଉଠିବା କଷ୍ଟସାଧ୍ୟ ହେବାରୁ ସେ ହାତରେ ଭରା ଦେଇ ଛୁଆଙ୍କ ପରି ହାମୁଡ଼େଇ ଉଠିଥିଲା-। ଦେଖିଲି ତା’ ହାତରେ ଦାଆ କଟୁରି କିଛି ନାହିଁ, ଅଙ୍ଗୁଳିରେ ବା କାଠ ଖଣ୍ଡିକରେ ସେ କୋଇଲାଖଣ୍ଡ ବାଛୁଥିଲା ।

 

ତା’ର ଚୂଳ ଓ ଆଖିରୁ ଅନୁମାନ କଲି ‘ଇୟେ’ ଝିଅ, ପୁଅ ନୁହେଁ । ବୟସ ଦଶ କି ଏଗାର ହୋଇପାରେ ଆକାର ପ୍ରକାର ଅନୁସାରେ । ଗାଲ ଦୁଇଟା ଫୁଲ୍‌କା ଫୁଲ୍‌କା, ରକ୍ତକଣିକା ବା ଚର୍ବିର ପ୍ରାଚୁର୍ଯ୍ୟରୁ ନୁହେଁ ପୁଷ୍ଟିହୀନତା ଓ ଶୋଥଯୋଗୁଁ, ଦେହରେ ଜଳକଣିକାର ଆଧିକ୍ୟ ଯୋଗୁଁ । ହୁଏତ ଚିପିଦେଲେ ଆଙ୍ଗୁଳି ପଶିଯିବ । ଦେହଯାକରେ ସୁନ୍ଦର ବୋଲି ଥିଲା ଆଖିଯୋଡ଼ିକ । ଗୋଲଗୋଲ, ଛୋଟ, ଜୁଳୁଜୁଳୁ । ଇରାନୀ ଝିଅର ଆଖି ପରି ନୀଳ । ମୁହଁ ହସିଲା ପରି ନୁହେଁ କି କାନ୍ଦିଲା ପରି ନୁହେଁ । ଛୋଟ ଛୁଆଟି ପରି ବସି ନିପଲକ ଆଖିରେ ଚାହିଁଥାଏ ମୋ’ରିଆଡ଼େ । ଜଣାପଡ଼ୁଥାଏ ଯିମିତି ସେ ଚାହେଁ କେହି ତାକୁ ଟିକିଏ ଶରଧା କରୁ, ପଦେ ମଧୁର କଥା କହୁ । ତେଣେ କାଚ ଗୋଟାଉଥିବା ଲୋକଟା ତା’ର ଏ ଆଚରଣକୁ କେଉଁ ଆଖିରେ ଦେଖିବ ସେ କଥା ଆଦୌ ଭାବୁ ନଥିଲା ପରି ଜଣାପଡ଼ୁଥିଲା ।

 

ବହୁତ ଗବେଷଣା ପରେ ଏତକ ଜାଣିଲି ଯେ ‘ଇୟେ’ ପୁଅ ନୁହେଁ ଝିଅ । ତେବେ ଲୋକଟା ସହିତ ତା’ର ସମ୍ପର୍କ କ’ଣ ? ସାନ ଭଉଣୀ ? କିନ୍ତୁ ଚେହେରା ରଙ୍ଗ କାହିଁରେ କୌଣସି ସୌସାଦୃଶ୍ୟ ନ ରହିବ କିମିତି ? ଭାବିଲି କିଏ ଦୂରସମ୍ପର୍କିତା ଭଉଣୀ, କି ଶାଳୀ, କି ଭାଣିଜୀ ହୋଇପାରେ । ତା’ ବିଷୟରେ ମୋର କୌତୂହଳର ତୁରନ୍ତ ଅବସାନ ପାଇଁ ମୁଁ ଅନୁଚ୍ଚ ଗଳାରେ ପଚାରିଲି, “ସିଏ ତୋର କ’ଣ ହୁଏ ?” ଆଦୌ ସମୟ ନ ନେଇ ଲାଜ ଲାଜ ଭାବ ନ ଦେଖାଇ କହିଲା “ସିଏ ମୋତେ ବାହା ହେଇଛି ।” ମୋର ପରବର୍ତ୍ତୀ ପ୍ରଶ୍ନ ହେଲା “ତୁମ ଜାତିରେ କ’ଣ ଏତେ ସାନବେଳୁ ବାହାଘର ହୁଏ ?” ସେ ଏ ପ୍ରଶ୍ନର କିଛି ଉତ୍ତର ଦେଲାନାହିଁ । ପାଖରେ ପଡ଼ିଥିବା ଚାରିପାଞ୍ଚୁଟା ମଲା ଗେଣ୍ଡା ଖୋଳପାକୁ ଏକାଠି କରି ଛୋଟ ଛୋଟ ଝିଅମାନେ ଯିମିତି ପାପୁଲି ଏପଟ ସେପଟ କରି ଗୋଡ଼ି ଖେଳନ୍ତି ସିମିତି ତା’ ଟିକି ଟିକି ହାତରେ ଫୋପଡ଼ାଫୋପଡ଼ି କରି ଖେଳ ଆରମ୍ଭ କରିଦେଲା–ଯିମିତିକି ଦୁନିଆରେ ତା’ର ଦାୟିତ୍ଵ ବୋଲି କିଛି ନଥିଲା ।

 

ପଚାରିଲି, “ଦରପୋଡ଼ା କୋଇଲା ସବୁ କ’ଣ କର ?” ପ୍ରଶ୍ନର ଉତ୍ତର ଜଣାଥିଲେବି ପଚାରିଲି ।

 

“ସିଏ ବଜାରରେ ନେଇ ବିକିଦିଏ, ବେଶି ହେଲେ ।” ଗେଣ୍ଡାଖୋଳପା ଖେଳ ଚାଲିଥାଏ, ସେ ମୋ ପ୍ରଶ୍ନର ଉତ୍ତର ଦେଉଥାଏ । ଦୈବାତ ବଡ଼ ଖୋଳପାଟିଏ ଛୋଟ ହାତପାପୁଲି ପିଠିରେ ନ ରହି ତଳକୁ ଗଡ଼ିଗଲା । ବେଞ୍ଚରୁ କଷ୍ଟେମଷ୍ଟେ ଓହ୍ଲାଇ ନଇଁପଡ଼ି ଗୋଟାଇବାକୁ ଯିମିତି ସେ ହାତ ବଢ଼ାଇଛି ସିମିତି ମୋଟ ବହଳ ଧୋତିଟା ତା’ ଉପର ଦେହରୁ ତଳକୁ ଗୋଟିକଯାକ ଖସିଗଲା ।

 

କି ଆଶ୍ଚର୍ଯ୍ୟ ! ସୁସ୍ଥା ବିବାହିତା ଯୁବତୀର ପଦ୍ମକୋଷରେ ଅଭିଲୀନ ଭ୍ରମରର ଭ୍ରମ ସଞ୍ଚାର କରୁଥିବା ପଦ୍ମଯୋଡ଼ିକ ଗଲା କୁଆଡ଼େ ? କେବଳ ବଡ଼ ବଡ଼ ଭ୍ରମର ପରି ଯୋଡ଼ିଏ ଚୁଚୁକାଗ୍ରା । କାଳିଦାସଙ୍କ ପୁରାଣପ୍ରସିଦ୍ଧା ରୋମାଣ୍ଟିକ୍‌ ନାୟିକାର ପଙ୍କଜ ବନରେ ବଡ଼ଜେନାଙ୍କ ମାର୍ଜାରମୁଖୀର ଦିଓଟି ଗୁବାକ ବା ‘ଇୟେ’ ଖେଳୁଥିବା ଯୋଡ଼ାଏ ଗେଣ୍ଡା ଆସିଲା କେମିତି ? ତରୁଣୀ ନାରୀ ପ୍ରତି ଭଗବାନଙ୍କର ଏ କି ବିଦ୍ରୂପ ! ଯେତିକି ବିଭତ୍ସ ସେତିକି କରୁଣ । ଏତେ କମ୍‌ ବୟସ ଅଥଚ–ବିଚିତ୍ର ଦେଶ ଆମର ! ‘ସୋନା’ ସାରରେ କେଉଁଠି ଛୋଟ ଛୋଟ କଲମୀ ଗଛରେ ବଡ଼ ବଡ଼ ଆମ୍ବ, ଆଉ କେଉଁଠି ନଡ଼ିଆ ସ୍ଥାନରେ ଗୁବାକ, କି ବିଡ଼ମ୍ବନା !

 

“କେତେ ବର୍ଷ ହେଲା ତୁମେ ବାହା ହେଇଛ ?” ପଚାରିଲି ।

 

“ଚାରି”

 

ଆଉ ଗବେଷଣା ଅନୁସନ୍ଧାନ କରିବାକୁ ଇଚ୍ଛା ହେଲା ନାହିଁ । ଏତିକି ହୃଦ୍‌ବୋଧ ହେଲା ନାନା ବିପ୍ଳବ ବିକ୍ଷୋଭ ପରେ ମାନବଜାତି ଯେତେ ଯେତେ ‘ବାଦ’ ପ୍ରତିଷ୍ଠା କରିଛି ବା ପ୍ରଭୂତ ଅଧ୍ୟବସାୟ ଓ ତ୍ୟାଗ କରି ଯେତେ ଯେତେ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ କରିଛି ତା’ର ସୁଫଳ ମାନବଜାତିର ଅନେକ ଭାଗ ଲୋକେ ପାଇନାହାନ୍ତି । ଗାନ୍ଧୀ, କାର୍ଲମାର୍କସ, ମାଓ, ସବୁଜ ବିପ୍ଳବ ବା ‘ହରମୋନ’ ଆମର ଅସହାୟ ଅବସ୍ଥାକୁ ଦୂର କରିନାହାନ୍ତି ।

 

ଭାବିଲି ଏ ଦୁଇଟାଙ୍କୁ କୌଣସିମତେ କିଛି ସାହାଯ୍ୟ ଦେଇ ପଠାଇ ଦେଲେ ଦୁଶ୍ଚିନ୍ତା ଯାଆନ୍ତା, କରୁଣ ଦୃଶ୍ୟ ମର୍ମଭେଦୀ ହୁଅନ୍ତା ନାହିଁ । କିଛି ଖାଦ୍ୟ ପଦାର୍ଥ ବା କିଛି ପଇସା ଦେଇ ବିଦା କରିଦେଲେ ତ ହୁଅନ୍ତା । ନା, ନା, ଦେଶରେ ଆଳସ୍ୟ ବଢ଼ିବ, ଭିକ୍ଷାବୃତ୍ତି ଉତ୍ସାହିତ ହେବ, ପରମୁହୂର୍ତ୍ତରେ ଭାବିଲି ।

 

ହଠାତ୍‌ ମନେପଡ଼ିଲା ମୁଁ ତ ଜଣେ ପୁଞ୍ଜିପତି, ଅନ୍ତତଃ ବୋତଲରେ; ଫମ୍ପା ବୋତଲର ମୁଁ ଜଣେ ବେଙ୍କର । ଧାର ଉଧାର ଦାନଦକ୍ଷିଣା ଯେତେ ଦେଲେବି ମୋ ପୁଞ୍ଜି ଅସରନ୍ତି । ଖୋଜି ବସିଲେ ଶହ ଶହ ଅଦରକାରୀ ବିଭିନ୍ନ କିସମର ଶିଶି ବୋତଲ ବାହାରି ପଡ଼ିବ । ଭଙ୍ଗା ଟୁକୁରା କାଚ ଅପେକ୍ଷା ଗୋଟା କାଚ ବୋତଲ ଦାମ୍‌ ହୁଏତ ବେଶି ହୋଇପାରେ ।

 

ଚୈତନକୁ ଡାକିଲି । ବଡ଼ ବଡ଼ ଲୋକଙ୍କ ଜୀବନ ଚରିତରେ ଯିମିତି କୁହାଯାଇଥାଏ “ସେ ଏକାଧାରରେ କବି, ଚିତ୍ରକାର, ସଙ୍ଗୀତଜ୍ଞ ଓ ଯୋଦ୍ଧା ଥିଲେ” ସିମିତି ଚୈତନ ସମ୍ପର୍କରେ କହିଲେ କୁହାଯିବ “ସେ ଏକାଧାରରେ ପୂଜାରୀ ଚାକର, ଗାଈଦୁହାଁଳି, ସାଥୀ ଓ ପୁତ୍ର ଆଦି ।” ସେ ବଜାରରୁ ଫେରି ରବିବାରିଆ ମାଂସ କଷିବାକୁ ଆରମ୍ଭ କରିଦେଇଥିବାର ଜାଣିପାରିଲି, ମହକରୁ ।

 

‘ଇୟେ’କୁ ପଚାରିଲି “ଗୋଟା ଶିଶି ବୋତଲ ନବ ।”

 

‘ଇୟେ’ ‘ସିଏ’କୁ ପଚାରିଲା ମୋ ପ୍ରଶ୍ନଟାକୁ ତା’ଠାର ବା ଭାଷାରେ ରୂପାନ୍ତରିତ କରି ଏବଂ ସଙ୍ଗେ ସଙ୍ଗେ ଉତ୍ତରଟା ‘ରିଲେ’ କରିଦେଲା । “ହଁ ନବା । ପଇସା ଆଣିନି । ବଜାରରେ ବିକି ପଇସା ଦେଇଦେବା ।”

 

ପଚାରିଲି, “ବୋତଲ ଗୋଟା ଦରରେ ନବ ନା ଓଜନ ଦରରେ ।”

 

ପୁଣି ‘ଇୟେ’ ‘ସିଏ’କୁ ପଚାରିଲା । ଉତ୍ତର ମିଳିଲା “ଓଜନରେ କିଲ ପାଞ୍ଚପଇସା ।”

 

ଟିଣ ଡବା ଆଉ ଶିଶି ବୋତଲଗୁଡ଼ାକ କାଳକ୍ରମେ ଗୃହସ୍ଥକୁ ବୋଝ ହୋଇପଡ଼ନ୍ତି । ଏ ସବୁ ରଖିବାପାଇଁ ଜାଗା ଦରକାର । ଫୋପାଡ଼ି ଦେବା ସମ୍ଭବ ହୁଏ ନାହିଁ । କାରଣ ଫମ୍ପା ହେଲେବି ଦେଖିବାକୁ ସୁନ୍ଦର । ଠିକ୍‌ ସମୟରେ ଗରାଖ ମିଳନ୍ତି ନାହିଁ । ମିଳିଲେ ବା ଯାଚିକରି ବିକ୍ରି କଲେ ଏତେ କମ୍ ଦାମ୍‌ ମିଳେ ଯେ ବିକିବାକୁ ଇଚ୍ଛା ହୁଏ ନାହିଁ । ଟଙ୍କାଏ ଟିଣକୁ ପଚିଶି ପଇସାରେ, ଆଠଣା ଶିଶିକୁ ଦଶପଇସାରେ କିଏ ବିକିବ ? ବରଂ ଘରେ ପଡ଼ିଥାଉ ।

 

ମାଂସରେ ପାଣି ଢାଳି ଡେକ୍‌ଚିରେ ଢାଙ୍କୁଣି ଦେବାର ଶବ୍ଦ ଶୁଭିଲା । ଧୂଆଁରେ ଆଖି ଲାଲ ଲାଲ ଛଳ ଛଳ କରି ଚୈତନ ଆସି ଠିଆହେଲା ଆଦେଶ ଅପେକ୍ଷାରେ । ସତର ଅଠର ବର୍ଷର ଟୋକା । ନିଶ ଗାରେ ସ୍ପଷ୍ଟ । ଯାତ୍ରା ଥିଏଟର୍‌ ସିନେମା ଦେଖେ । ସିସିରି ଫୁଙ୍କି ସିନେମା ଗୀତର ସୁର ଦିଏ । ମୋର ଅଠରଇଞ୍ଚିଆ ଢିଲା ପେଣ୍ଟକୁ କଟାକଟି କରି ନଅଇଞ୍ଚିଆ ନଳି କରି ପିନ୍ଧେ । ସ୍ତ୍ରୀଲିଙ୍ଗ ଦେଖିଲେ ତା’ ଛାତି ଧଡ଼ପଡ଼ ହେବା ସ୍ଵାଭାବିକ, ମାତ୍ର ଦେଖିଲେ ‘ଇୟେ’କୁ ଦେଖି ତା’ର କୌଣସି ସ୍ନାୟବିକ ପ୍ରତିକ୍ରିୟା ହେଲା ନାହିଁ । ଥରେ ଚାହିଁ ଅଦରକାରୀ ଚିଜ ବୋଲି ମୁହଁ ଫେରାଇ ମୋ ଆଡ଼କୁ ଚାହିଁଲା । ସେ ଭାବିଥିଲା ମୁଁ କଫି ବା ହରଲିକ୍‌ସ ବରାଦ କରିବି ଏବଂ ପ୍ରତିଦିନ ପରି ଗଡ଼ିଆ ଘାଟରେ ପାନୀୟ ଉପଭୋଗ କରିବି ।

 

ପଚାରିଲି, “ଚୈତନ ! କାଚ ବୋତଲ ସବୁ ବଜାରକୁ ନେଇ ବିକିବାକୁ କହିଥିଲି । ବିକି ଦେଇଛୁ ନା ଅଛି ?”

 

ଦୋଷୀ ଅପରାଧୀର ଗଳାରେ ସେ କହିଲା “ଅଛି ?”

 

ମୁଁ ବୁଝିଗଲି । ସେ ବିକିବାକୁ ନେବ ନାହିଁ । କାରଣ ଚପଲ ଲଗାଇ, ନଳୀପେଣ୍ଟ ପିନ୍ଧି, ମଫସଲ ହାଟରେ କିଣା ଗୋ-ଗୋ ଗଗ୍ଳସ ଆଖିରେ ଦେଇ ଶିଶି ବୋତଲଭରା ଅଖାଟିଏ କାନ୍ଧରେ ପକାଇ ବଜାରକୁ ଗଲେ ତା’ର ମାନସମ୍ମାନ ଉପରେ ଆଞ୍ଚ ଆସିବ । ବଜାରରେ ତା’ର କେତେ ସାଙ୍ଗସାଥୀ ଚିହ୍ନା ପରିଚୟ ଚପରାସୀ ଅଛନ୍ତି । କିଏ ସଙ୍ଗାତ ତ କିଏ ମଇତ୍ର । କାହା ବାବୁ କାହା ସାଇବ କେତେ ବଡ଼ ସେ ବିଷୟରେ ସେମାନଙ୍କର ପ୍ରତିଯୋଗିତା ଚାଲେ । ବାବୁ ବଡ଼ ତ ଚପରାସୀ ଚାକର ବଡ଼ । ପୁଣି, ଚତୁର୍ଥ ପାହିୟା କର୍ମଚାରୀ ଘରକାମ କରୁଛି ଦେଖିଲେ ସଂଘର ସଭାପତି ବିଗିଡ଼ିଯିବେ । ବୋତଲବିକା ପଇସାରେ ମୋର ଲୋଭ ନଥିଲା । ସେଇ ପଇସାରେ ହୁଏତ ପୂଜାକୁ ତା’ପାଇଁ ହାଫ୍‌ପେଣ୍ଟଟାଏ କରି ଦେଇଥାନ୍ତି ।

 

କହିଲି, “ତୁ ଛେଲା ବୋହି ବଜାରକୁ ଯିବୁ ନାହିଁ, ଏଇ ତ ? ବେଶ୍‌ । କେଉଁଠି ଅଛି ସବୁ ଆଣି ଜମା କର ।”

 

ଚୈତନ କହିଲା, “ଏଇଠି ସବୁ ଅଛି, ମୁଁ ଜମାକରି ରଖିଛି । ପାଚିରି କଣର କାଠବାକ୍ସଟାରେ ଆଉ ପୁରୁଣା ଫଟା ବଡ଼ ପାଣିଟବ୍‌ ଭିତରେ ।”

 

ମୁଁ ‘ଇୟେ’କୁ କହିଲି, “ଆ ବୋତଲ ନବୁ ପରା । ଡାକ୍‌ ତାକୁ ।”

 

“ଇୟେ’ ‘ସିଏ’କୁ ଡାକିଲା । ଅଗଣାକୁ ଯାଇ କଣରେ ଥିବା ଆବର୍ଜନାକୁ ହାତ ବଢ଼ାଇ କହିଲି “ନିଅ, କେତେ ନେଉଛ ନିଅ । ଚୈତନ । ବଡ଼ ବୋରାଟାଏ ଦେ ତ ।”

 

ଚୈତନ ବଡ଼ ବୋରାଟାଏ ତାଙ୍କ ଆଡ଼କୁ ଫୋପାଡ଼ି ଦେଲା । ‘ସିଏ ଗୋଟାକୁ ଗୋଟା ଶିଶି ବୋତଲ ବାହାର କରି ‘ଇୟେ’ ହାତକୁ ବଢ଼ାଇ ଦେଉଥାଏ । ପ୍ରତିଟି ଅଖାଭିତରେ ପୂରାଇବା ପୂର୍ବରୁ ‘ଇୟେ’ ଠିପି ଖୋଲି କେଉଁଟାରେ କ’ଣ ଥିଲା ତାହା ଶୁଙ୍ଘି ପୁଣି ଠିପି ବନ୍ଦକରି ଅଖାରେ ପୂରାଉଥାଏ । ଜିନ୍‌, ବିଅର ବୋତଲଗୁଡ଼ାକ ସଙ୍ଗେ ସଙ୍ଗେ ଅଖାକୁ ଫୋପାଡ଼ି ଦିଏ; କିନ୍ତୁ ବ୍ରିଲ୍‌କ୍ରୀମ୍‌ ବା କୋଲଗେଟ୍‌ ବୋତଲରୁ ଟୋପାଏ ଦୁଇଟୋପା ତେଲ ମିଳିଗଲେ ଜୀବନରେ କେବେ ତେଲ ଲାଗି ନ ଥିବା ଚୂଳରେ ବୋଳିଦିଏ । ସଶ୍‌ ବା ଜେଲି ବା ଜାମ୍‌ ବା ସିରାପ୍‌ ବୋତଲରୁ ଯାହା ମିଳେ ତାକୁ ଅଙ୍ଗୁଳିରେ ପୋଛିନେଇ ଜିଭରେ ଚାଟି ଦିଏ । “ସିଏ” ମନେ ମନେ ବୋତଲ ସଂଖ୍ୟା ଗଣୁଥିଲା; ମୋ’ରି ତରଫରୁ ହୁଏତ ମୁଁ କହିଲି “ଗଣିବା ଦରକାର ନାହିଁ ।”

 

ଦଣ୍ଡେ ଛିଡ଼ା ହୋଇ ଚୈତନ ଦେଖିଲା କିମିତି ମାନସମ୍ମାନ ଜଗିବାକୁ ଯାଇ ଯାହା ସେ ହରାଇଲା ତାହା ଅନ୍ୟ ଜଣକ (ଦୁଇତିନି ଜଣଙ୍କ)ର ପେଟ ପୋଷିବାକୁ ଯାଉଛି । ତା’ପରେ ନିଜକୁ ଧିକ୍‌କାର ଓ ସେ ଦିହିଁଙ୍କି ଈର୍ଷା କରି ରାଗରେ ଗର୍‌ ଗର୍‌ ହୋଇ ମାଂସରେ ନୈନିତାଳ ଆଳୁ ପକାଇବାକୁ ବାହାରିଗଲା ।

 

‘ସିଏ’ ଅଖା ଉଠାଇ କାନ୍ଧରେ ପକାଇ ଆଗେ ଆଗେ ଚାଲିଲା ବାଡ଼ିଦୁଆରଦେଇ ବଜାରମୁହଁ । ‘ଇୟେ’ ଯିମିତି ତା’ ପଛେ ପଛେ ଯିବାକୁ ଉପକ୍ରମ କଲା ମୁଁ ଭାବିଲି ଦୁହେଁଯାକ ଯଦି ଆଗପଛ ହୋଇ ଚାଲିଯିବେ ତେବେ ମୁଁ ସବୁ ହରାଇ ବସିବି ସିନା । ମୁଁ ପଚାରିବାକୁ ଯାଉଥିଲି “କଅଣ । ତୁ ବି ଯିବୁ ତା’ ସାଙ୍ଗରେ ? ନା, ନା, ସେ ଚାଲାକି ପଟିବ ନାହିଁ ।” ‘ଇୟେ’ ବୁଲିପଡ଼ି ପୁଣି ସେଇ ସିମେଣ୍ଟ ବେଞ୍ଚ ଉପରକୁ ଉଠିଗଲା ଏବଂ ଗେଣ୍ଡା ଖୋଳପା ଖେଳ ଆରମ୍ଭ କରିଦେଲା । ମୋ ଆଡ଼କୁ ଏମିତି ଚାହାଣି ଦେଲା ଯହିଁରୁ ମୁଁ ବୁଝିଲି, “ଡରିବୁ ନାଇଁ ବାବୁ । ମୁଁ ଏଇଠି ବସିଛି ‘ସିଏ’ ଫେରିବା ଯାଏଁ; ବନ୍ଧା ପଡ଼ିଛି ତୋ ପାଖରେ ।” ଛୋଟଲୋକିରୁ ରକ୍ଷା ପାଇଗଲି ଭାବି ମନେ ମନେ ତାକୁ ଧନ୍ୟବାଦ ଦେଲି ।

 

ଦଣ୍ଡେଯାଏ ଦୁହେଁ ମୁହାଁମୁହିଁ ଚୁପ୍‌ଚାପ ବସିବା ପରେ ଆରମ୍ଭ କଲି “ରହ କେଉଁଠି ?”

 

ଗୋଟାଏ ଦିଗକୁ ହାତ ବଢ଼ାଇ ‘ଇୟେ’ କହିଲା, “ସେଇ ଯେ ସରକାର ବାବୁର ବସା ଦେଖୁଛୁ ତା’ରି ବାଡ଼ି କୁଣରେ ଆମର ଘର କରିଛି ।”

 

“ନିଜ ଘର ନା ସରକାର ବାବୁର ?”

 

ପ୍ରଶ୍ନଟା ବୁଝିଲା ନାହିଁ । କହିଲା ଆମର ତିଆରି କରିଛି ଝାଟିମାଟିରେ । ତା’ର ବାଗାନ୍‌ ଜଗିବା ବୁଲି ଜାଗାଟା ଦେଇଛି ସରକାର ବୁଢ଼ା ।”

 

“ଘରେ ଆଉ କିଏ ଅଛି ?”

 

“ଏ ବାବୁ ! ତୁ କେଡ଼େ ଚଟ୍‌ ଭୁଲି ଯାଉଛୁ ।” ସିଏ କହିଲା “ତତେ ଟିକେ ଆଗରୁ ଆଉ ଭଉଣୀ ଅଛି ବୁଲି କହିଥିଲି ଯେ ।”

 

ଟିକିଏ ଘନିଷ୍ଠତା ଦେଖାଇ ପଚାରିଲି, “ତୋତେ ସିଏ ଭଲପାଏ ?”

 

“ନାଇଁ, ତା’ର ମାଆ ଭଉଣୀ କଥାରେ ଚାଲେ ।”

 

ଗେଣ୍ଡାଖୋଳ ଦେଖୁଦେଖୁ ମନେପଡ଼ିଲା ଆଉ ଗୋଟାଏ ପ୍ରଶ୍ନ । ଟିକିଏ ଅଭଦ୍ରାମି ଓ ଅସଭ୍ୟତାର ପରିଚୟ ଦେଲେବି ପ୍ରଶ୍ନଟାର ଉତ୍ତର ‘ଇୟେ’ ଦେବାକୁ କୁଣ୍ଠାବୋଧ କରିବନି ବା ଗାଳି ଗୁଲଜ କରିବନି ଭାବି ପଚାରିଦେଲି “ତୋର ଛୁଆପିଲା ହେଇନି ?”

 

“ହେଇଥିଲା ଗୁଟେ, ଗଲା ଖରା ଦିନରେ ମରିଗଲା; ପୁଅଟା, ଦୁଧ ଦେଲେ ସିନା ବଞ୍ଚିବ-। ଖାଇତେ ପେଜବି ମିଳିଲାନି । ଦୁଧ ଶୁଖିଗଲା । ପାଣିରେ କେତେ ଦିନ ବଞ୍ଚିବ ? ରଥଯାତରା ଦିନ ମରିଗଲା ।”

 

କଥାଗୁଡ଼ାକ କହିଲାବେଳେ ତା’ ଆଖିରେ ଆର୍ଦ୍ରତା ନଥିଲା ବା କୌଣସି ଶୋକର ଚିହ୍ନ ପ୍ରକାଶ ନଥିଲା । ମାତୃତ୍ଵ ତା’ ହୃଦୟରୁ ଶୁଖି ଯାଇଥିଲା । ସ୍ତନ୍ୟପାନ କରୁଥିବା ଶିଶୁର ଟହଟହ ମୁଖ ତା’ର ମନେପଡ଼ୁ ନଥିଲା । ସଭ୍ୟ ଅଭିଜାତ ଦୁନିଆରେ ଭାବପ୍ରବଣତାର ଲେଶ ନଥିଲା ସେତେବେଳେ ତା’ ପାଖରେ ।

 

ପ୍ରଶ୍ନଟା ନ ପଚାରିବା ଉଚିତ ଥିଲା ଭାବିଲି । ଅପରର ଜୀବନ ସମ୍ବନ୍ଧରେ ଅତି ବେଶି ଅନୁସନ୍ଧିତ୍ସାର କୁଫଳ ମିଳିଗଲା ମୋତେ । ବନ୍ଧା ପଡ଼ିଥିବା ‘ଇୟେ’କୁ ଜଗିବାଦ୍ଵାରା ମୁଁ ଯେ ସେମାନଙ୍କ ପାଖରେ ବନ୍ଧା ପଡ଼ିଛି ଏ ଭାବ ମନରେ ଉଦିତ ହେଲାମାତ୍ରେ ମୁଁ ଉଠି ଆସିଲି ଘର ଭିତରକୁ । ବରଂ ‘ଇୟେ’ ଆଉ ‘ସିଏ’ ବୋତଲ ଦାମ୍ ନେଇ ଖସି ଯାଆନ୍ତୁ ।

 

ଖବରକାଗଜର ରବିବାସରୀୟ ମେଗାଜିନ୍‌ ବିଭାଗରୁ ବ୍ରିଜ୍‌ ଟିପ୍‌ପଣୀ ପଢ଼ିସାରି ଗାଧୁଆପାଧୁଆ କରିବାକୁ ଯାଉଛି ବାରିପଟୁ ଠକ୍‌ ଠୁକ୍‌ ଶବ୍ଦ ଶୁଭିଲା । ମନେପଡ଼ିଲା ‘ଇୟେ’ ଆଉ ‘ସିଏ’ ସହିତ, ଶିଶିବୋତଲ ବିକା-କିଣା କରିବାର କାରବାର । ବାହାରକୁ ଯାଇ ଦେଖିଲି ‘ଇୟେ’ ସିମେଣ୍ଟ ବେଞ୍ଚରେ ଯେଉଁଠି ବସିଥିଲା ସେଇଠି କାଠପୁତୁଳି ପରି ବସିଛି । ନଡ଼ିଆଗଛ ମୂଳ ଅଳିଆଗଦାରେ ‘ସିଏ’ ବସି ଯିମିତି କାଚ ବାଛୁଥିଲା ସିମିତି ଖୋଳାତଡ଼ାରେ କଳପରି ଲାଗିଯାଇଛି-। ଏତେ କାଚ ଦେଲି, ସନ୍ତୋଷ ନାହିଁ । ଭରତଙ୍କ ଅଭିଶାପ !

 

ପାଖକୁ ଯାଇ ଦେଖିଲି ବାଆଁ ପାପୁଲିଟି ବେଞ୍ଚରେ ପାତି ‘ଇଏ’ ବସିଛି । ପାପୁଲିର ଛୋଟ ଛୋଟ ରେଖାକୁ କିୟଦଂଶ ଢଙ୍କାର ପଡ଼ିଛି ଗୋଟିଏ ନେହେରୁ ମାର୍କା ପଚାଶ ପଇସି, ପାଖକୁ ଲାଗି, କଳ୍ପତ ରାମରାଜ୍ୟର ଧାନଶିଷାଥିବା ପଚିଶି ପଇସିଟିଏ । ଠିକ୍‌ ଯେମିତି ‘ସିଏ’ ଆଉ ‘ଇୟେ’ ଲଗାଲଗି ହୋଇ ବସିଥିଲେ ଦିଶିଥାନ୍ତେ । ପାଉଁଶ ଅଙ୍ଗାରରେ କାଳିଞ୍ଚିଆ ପାପୁଲିଟା ଉପରେ ଅଶୋକଚକ୍ର ଧାନକେଣ୍ଡା ଚିହ୍ନିତ ମୁଦ୍ରା ସୁନ୍ଦର ଦିଶୁଥାନ୍ତି । ମୋର ଅନୁମାନ ହେଲା ‘ଇୟେ’ ସେଇଠି ସେଇ ଭଙ୍ଗୀରେ ଘଣ୍ଟା ଘଣ୍ଟା ବସିଲାଣି; ସିମିତି ଅନନ୍ତକାଳ ପର୍ଯ୍ୟନ୍ତ ବସିଥିବ ହୁଏତ ।

 

ମୁଁ ପାପୁଲି ଆଡ଼କୁ ଚାହିଁ ତା’ ମୁହଁକୁ ଅନାଇଲି । ସେଠି ଚିନ୍ତା ଭାବନା ବା ଅନୁଭୂତିର କିଛି ପ୍ରକାଶ ଦେଖିଲି ନାହିଁ । ନିଶ୍ଚଳ ଡୋଳାଦୁଇଟାକୁ ଥରେ ମାତ୍ର ମୋ ଆଡ଼କୁ ବୁଲାଇ ପୁଣି ପାପୁଲି ଆଡ଼କୁ ଫେରାଇନେଲା । ଯହିଁରୁ ମୁଁ ବୁଝିଲି “ତୁ ଯେଉଁ ଶିଶିବୋତଲ ଆମକୁ ବିକିବାକୁ ଦେଇଥିଲୁ, ସେଥିରୁ ଏତିକି ମିଳିଛି, କେତେ ନବୁ ନେ, କେତେ ଦବୁ ଦେ ।”

 

ଏତେ କମ୍‌ ଦାମରେ ପ୍ରାୟ କୋଡ଼ିଏ କିଲୋ ନିଶୂନ ଅଉଙ୍ଗା କାଚ ବିକ୍ରି ହେବ ଏ ଧାରଣା ମୋର ନଥିଲା । ଯିମିତି ଭାବରେ ପାପୁଲିରେ ଆଠଣି ଚାରଣିକୁ ‘ଇୟେ’ ସଜାଇ ରଖିଥିଲା ସେଥିରୁ ମୋତେ ସ୍ପଷ୍ଟ ଇଙ୍ଗିତ ମିଳୁଥିଲା ଯିମିତି ମୁଁ ଆଠଣିଟା ନେଇ ତାଙ୍କୁ ପରିଶ୍ରମ ବାବଦ୍‌ ଚାରଣିଟା ଦେବି । ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଲି ।

 

ପାଞ୍ଚଦଶ କିଲୋ ଓଜନର ସାମାନ୍ୟ ବୋଝଟାଏ ପ୍ଲାଟଫର୍ମରୁ ରିକ୍ସା ଷ୍ଟେଣ୍ଡ ପାଖକୁ ଏମିତିକି ୱେଟିଂ ରୁମ୍‌ର ବାହାରକୁ ନେଲେ ଦୁଇତିନିମିନିଟରେ କଟକର ରେଳବାଇ କୁଲି ଚାଳିଶ ପଇସା ପାଏ । ୟାଙ୍କୁ ଚାରିଅଣା ଦେବି କିମିତି ?

 

ମୁଁ ଯେତେବେଳେ କ’ଣ ଦେବି କ’ଣ ନେବି ଦ୍ଵନ୍ଦ୍ଵ ଦେଇ ଗତି କରୁଛି, ‘ଇଏ’ ସ୍ଥାଣୁ ନିର୍ବିକାର ହୋଇ ପାପୁଲି ପାତି ଏକ ଧ୍ୟାନରେ ମୋ ଆଡ଼କୁ ଚାହିଁ ନିଷ୍ପତ୍ତିର ଅପେକ୍ଷା କରୁଥାଏ । ଭାବିଲି ତା’ ମୁଦ୍ରା ତା’ ହାତରେ ଥାଉ । ଆଠଣି ଚାରଣିଟାଏ କେତେ ଥର ହୁଏତ ପକେଟରୁ ରୁମାଲ କାଢ଼ିଲାବେଳେ ଗଳି ପଡ଼ିଥିବ ବାଟଘାଟରେ । ମୁଦ୍ରା ଦୁଇଟା ପୁଣି ଏତେ କମ୍‌ ଦାମର ଯେ ଫାଣ୍ଟା ବୋତଲେ ପିଇଲେ କୋକାକୋଲାକୁ ନିଅଣ୍ଟ ହବ । ଘରଭିତରକୁ ପଶି ଆସିଲି ।

 

ଅଗଣାରେ ଦଣ୍ଡେ ବୁଲାବୁଲି କଲି । କୁକୁଡ଼ାପଲଙ୍କ ଆଡ଼େ ଚାହିଁଲି, କାଳେ କିଛି ନିଷ୍ପତ୍ତି ଚିର ବୁଭୁକ୍ଷୁଗୁଡ଼ାକ ଦେଇପାରିବେ କି ନା, କାହିଁ କିଛି ସୂଚନା ପାଇଲି ନାହିଁ । ଏକତରଫା ନିଷ୍ପତ୍ତି ନେଲି–ସେମାନଙ୍କୁ ଚାରଣିଟା ଦେବି କାରଣ ‘ସିଏ’ ନିଶ୍ଚୟ ବୋତଲ ବିକା ପଇସାରୁ ବେଶ୍‌ କିଛି ଭାଗ ମାରି ନେଇଥିବ । ଏତେଗୁଡ଼ାଏ ଶିଶି ବୋତଲର ଦାମ୍‌ କ’ଣ ମାତ୍ର ପଞ୍ଚସ୍ତରି ପଇସା ! ଲୋକଟାର ଚେହେରା ସୁବିଧା ନୁହେଁ, ସାଧୁତା ସଚ୍ଚରିତ୍ରତା ବା କୃତଜ୍ଞତାର କାହିଁ କିଛି ଲକ୍ଷଣ ନାହିଁ-। ତା’ଛଡ଼ା ‘ଇୟେ’କୁ ସେ ଭଲପାଏ ନାହିଁ, ଯନ୍ତ୍ରଣା ଦେଉଥିବ ବୋଧହୁଏ ।

 

ବାହାରକୁ ଗଲି । ‘ଇୟେ’ ସିମିତି ବସିଛି । ସେଇ ଏକା ଭଙ୍ଗୀ । ଆଠଣି ବା ଚାରଣିରୁ ଗୋଟାଏ କିଛି ନ ନେଲାଯାଏ ସେ ହାତ ପାପୁଲି ବନ୍ଦ କରିବ ନାହିଁ ଦେଖୁଛି । ହାତବଢ଼ାଇ ଆଠଣିଟା ଉଠାଇବାକୁ ଯାଉଥିଲି ଆଙ୍ଗୁଳି ଦୁଇଟା ଆପେ ଆପେ ପଚିଶି ପଇସିଟାକୁ ଉଠାଇ ନେଲେ । ‘ଇୟେ’ର ପାପୁଲି ବନ୍ଦ ହୋଇଗଲା, ଛୁଇଁଲାମାତ୍ରେ ଲାଜକୁଳିର ମେଲା ପତର ବନ୍ଦ ହେଲାପରି ବା ଫଳ ମିଳିଲେ ଗର୍ଭାଶୟର ମୁହଁ ଆପେ ଆପେ ବନ୍ଦ ହେଲାପରି ମୋ ଆଡ଼କୁ ଚାହିଁ ତୃପ୍ତି ଓ କୃତଜ୍ଞତାର ଚାହାଣି ‘ଇୟେ’ ଦେବ ଭାବି ତା’ ଆଖି ଆଡ଼କୁ ଚାହିଁଲି । କିଛି ସୂଚନା ପାଇଲି ନାହିଁ । ବରଂ ଭୟ ଓ ଆଶଙ୍କାର ଅସ୍ପଷ୍ଟ ରେଖା ମୁହଁରେ ଖେଳୁଥିବାର ଲକ୍ଷ୍ୟ କଲି ।

 

ଟିକିଏ ଆଶ୍ଵସ୍ତି ଲଭି ଭିତରକୁ ଆସିଲି । ଲେଖା ଟେବୁଲର ସବୁଜ କଭର ଉପରେ ପଚିସି ପଇସିକୁ ଥୋଇ ଦେଲି । ବାକ୍ସ ଭିତରର ପାଣ୍ଠି ସହିତ ମିଶାଇବାକୁ ମନ ବଳିଲା ନାହିଁ, ହାତ ଗଲା ନାହିଁ । ଗାଧୋଇବା ପୂର୍ବରୁ ଓ ପରେ ଖାଇବା ପୂର୍ବରୁ ଯେତେବେଳେ କୋଠରି ଭିତରକୁ ପଶିଲି ଦେଖିଲି ‘ଇୟେ’ର ଛୋଟ ଆଖିଭଳି ଚାରଣିଟି ମୋ ଆଡ଼େ ଚାହିଁ ଯେମିତି କହୁଛି କ’ଣ କରିବୁ କର, ଏଠି ସର୍ବସାଧାରଣ ଜାଗାରେ ମୋତେ ଲଙ୍ଗଳା ଫୁଙ୍ଗୁଳା କରି ଶୁଆଇ ରଖିଛୁ କାହିଁକି-? ଚୈତନ ହାତକୁ ବଢ଼ାଇ ଦେଲେ ସବୁକଥା ଶେଷ ହୁଅନ୍ତା, ମାତ୍ର ବାରମ୍ବାର କହିବା ସତ୍ତ୍ଵେ ସେ ଶିଶିବୋତଲ ସବୁ ବଜାରକୁ ବିକିବାକୁ ନେଇ ନାହିଁ । ଅନ୍ୟର ପରିଶ୍ରମଲବ୍‌ଧ ଧନ ତାକୁ ସମର୍ପିବି କାହିଁକି ? ଦୋଦୋମନା ହୋଇ ଇତସ୍ତତଃ ହେଉଥାଏ । ଚୈତନକୁ ଦେଖିଦେଲି ସାଇକେଲ ବାହାର କରୁଛି । ତା’ ଆଡ଼କୁ ଲକ୍ଷ୍ୟ କରି ଚାରଣିଟାକୁ ଜୋର୍‍ରେ ଫୋପାଡ଼ି ଦେଲି । ସେ ଦାନ୍ତ ନିକୁଟି ଆନନ୍ଦରେ ଉଠାଇନେଲା । ଯଥାଲାଭ ।

 

ପରଦିନ ସକାଳେ ବାଡ଼ି ଦୁଆରକୁ ଯାଇ ଦେଖେଁ ‘ସିଏ’ ତା’ କାମ ଆରମ୍ଭ କରିଦେଇଛି; ‘ଇୟେ’ ନଡ଼ିଆମୂଳ ଅଳିଆଗଦା ଅସ୍ଥାନକୁ ନ ଯାଇ ସିମେଣ୍ଟ ବେଞ୍ଚରେ କାଲି ଯେଉଁଠି ବସିଥିଲା ସେଇଠି ବସିଛି । ପାଖକୁ ଯାଇ ଦେଖିଲି ଗୋଟାଏ ରାତି ଭିତରେ ତା’ର ଚେହେରାର ଅଭାବନୀୟ ଦୁର୍ଗତି ଘଟିଛି । ନୁଖୁରା ଚୂଳଗୁଡ଼ାକ ଅତି ମାତ୍ରାରେ ଅବିନ୍ୟସ୍ତ ବିପର୍ଯ୍ୟସ୍ତ, ବିମଳିନ ଗାଲ ଦୁଇଟାରେ ଗୁଡ଼ାଏ ନଖ ବା ଦାନ୍ତ ବା ଅଙ୍ଗୁଳିର ଦାଗ । ଆଖି ଦୁଇଟା ପେଜୁଆ ।

 

ଶୁଭିବା ନ ଶୁଭିବା ସ୍ଵରରେ ପଚାରିଲା “ବାବୁ, ଆଉ ବୁତଲ ଅଛି ?” ମୁଁ କହିଲି ‘ଥିବ’ । ପଚାରିଲି, “ଚେହେରା ଏମିତି ହେଲା କାହିଁକି ? ରାତିରେ ଖାଇ ନାହୁଁ କିଛି ? ପଇସା ନେଇଥିଲ ଯେ !” ଖୁବ୍‌ ବିକଳ କଣ୍ଠରେ ଉତ୍ତର ଦେଲା “ନାଇଁ ବାବୁ ! ଢେର ପଇସା ତତେ ଠକେଇ କରିଥିଲା-। ରାତିରେ ମଦ ଖାଇ ସବୁ ଉଡ଼ାଇ ଦେଲା, ମତେ ବହୁତ ମାରିଛି । ଏଇ ଦେଖ ।” କହି ଗାଲ ଦୁଇଟାକୁ ଆଙ୍ଗୁଳିରେ ଦେଖାଇ ଛାତିର ସେଇ ମୋଟା ମସିଆ ଦାଗ ଦାଗ ଲୁଗାଟାକୁ ଖୋଲି ଦେଇ କହିଲା, “ଏଇ ଦେଖ, ଏଇ ଦେଖ ବାବୁ !”

 

“ଥାଉ ଥାଉ, ଆଉ ଦେଖିବା ଦରକାର ନାହିଁ” କହି କହି ପଛକୁ ଘୁଞ୍ଚି ଯାଉ ଯାଉ ଦେଖିଲି ‘ଇୟେ’ର ଖେଳିବା ଗେଣ୍ଡା ଖୋଳପା ଦୁଇଟା ମାଡ଼ି ମକଚି ହୋଇ ଯାଇଛି । ରକ୍ତର ଦାଗ-

 

ଅଫିସ ବେଳ ହୋଇ ଯାଇଛି ଭାବି ତରବର ହୋଇ ଘରକୁ ଯାଉଁ ଯାଉଁ ‘ଇୟେ’କୁ ପଚାରିଦେଲି, “କାଲି ଏତେ ମାଡ଼ ଖାଇଲୁ ଆଜି ଫେର୍‌ ଆସିଲୁ ଯେ !”

 

ଚୁପେ ଚୁପେ ବିଶ୍ଵାସରେ ସେ କହିଲା, “ବାବୁ ! ମତେ ସାଙ୍ଗରେ ଆଣିଛି ଆହୁରି କାଚବୋତଲ ତୋ ପାଖରୁ ମାଗେଇ ଦେବି ବୋଲି ।” ତଦ୍ଦଣ୍ଡେ ଯୋଡ଼ିଲା, “ଏ ବାବୁ ! ତତେ ଜୁହାର ଆଉ ତାକୁ ଶିଶିବୋତଲ ଦବୁ ନାହିଁ । ଫେର୍ ପିଇବ, ମାରିବ, ମରିଯିବି ।”

 

ଯନ୍ତ୍ରଣାରେ ଛଟପଟ ହେଉଥାଏଁ । ସେତିକିବେଳେ ଚୈତନକୁ ସାମନାରେ ଦେଖିଲି । ଦୁଃଖ ଅନୁଶୋଚନା ଏଡ଼ାଇବାକୁ ଯାଇ ଖାମଖିଆଲ ପ୍ରଶ୍ନଟାଏ ତାକୁ ପଚାରି ଦେଲି “କିରେ ! କାଲି ରାତି ସିନେମା ଯାଇଥିଲୁ ପରା ? କି ଛବି ଦେଖିଲୁ ? କେମିତି ଲାଗିଲା ?” ଲମ୍ବା ଚଉଡ଼ା ହସ ମୁହଁରେ ଖେଳାଇ ଚୈତନ୍ୟ କହିଲା “ବଢ଼ିଆ ହେଲା ବାପା ! ମେରେ ନାମ ଜୋକର । ଖୁବ୍‌ ଭିଡ଼ । ସେହି ବୋତଲବିକା ଚାରିଅଣିଟା ଅଧିକ ଦେଇ ବ୍ଲାକରେ ଟିକଟଟା ପାଇଗଲି । ବଢ଼ିଆ ଫିଲିମ । ହସି ହସି ପେଟ ବଥା କରିଗଲା ।”

 

‘ଇୟେ’ର ଖେଳନା ସେଇ ଗେଣ୍ଡାଖୋଳପା ଦୁଇଟା ଅଜାଣତରେ ଭାଙ୍ଗି ଦେଇଥିବାରୁ ଆଉ ରାତାରାତି ଚୈତନର ଚାରିଛଅଟା ଡ୍ରେଗନ ଦାନ୍ତ ଗଜୁରାଇବାରେ ସାହାଯ୍ୟ କରିଥିବାରୁ ଦିନଯାକ ମନଟା କିମିତି କିମିତି ଲାଗିଲା । ସେଇଦିନ ରାତି ବୋତଲ–ବେଙ୍କରେ ଲାଲବତୀ ଜଳୁଥିଲା ।

Image

 

ଓଇ ଛେଲେଟା

 

“କି ଗୋ ! ଓଇ ଛେଲେଟା ଆସ୍‌ବେ ତ ? ଏତ ବଡ଼ ବିୟେର ବାଡ଼ି ।” ଶ୍ରୀମତୀ ସରକାର ପଚାରିଲେ ।

 

ଓଡ଼ିଆ ସେ ବେଶ୍‌, ସ୍ପଷ୍ଟ, ଭଲ କହନ୍ତି । ବଙ୍ଗାଳୀ ସାହିର ଆଉ ଆଉ ମାଇକିନିଆଁଙ୍କ ପରି ସେ ‘ଣ’ କୁ ‘ନ’, ‘ଳ’ କୁ ‘ଲ’ ବା ‘ଋ’ କୁ ‘ରି’ ଉଚ୍ଚାରଣ କରନ୍ତି ନାହିଁ । ତାଙ୍କ ପାଟିରୁ ଓଡ଼ିଆ ଶୁଣିବାକୁ ଖୁବ୍‌ ଭଲ ଲାଗେ, ଲତା ମଙ୍ଗେସକର ଗଳାରେ ବଙ୍ଗଳା-ସଙ୍ଗୀତ ଭଳି । ଗଳାଟା ତାଙ୍କର ଖୁବ୍‌ ମିଠା, ଦରଦଭରା ତାଙ୍କ କଥାଗୁଡ଼ାକ । କେତେବେଳେ କିମିତି ସ୍ଵାଭାବିକ ଆବେଗରେ ପଦେ ଅଧେ ବଙ୍ଗଳା ସେ କହିଲେବି ଆମକୁ ଖରାପ ଲାଗେ ନାହିଁ । ଆପତ୍ତିବି ନ ଥାଏ; କିନ୍ତୁ ତାଙ୍କ ସ୍ଵାମୀ ଏ ଦେଶର ପାଣି ପବନ, ପିମ୍ପୁଡ଼ିବାସ ଚାଉଳ, ଆଉ ଇଲିସି ମାଛରେ ତିନି ପୁରୁଷ ଧରି ରହିଲେବି ଓଡ଼ିଆ କହନ୍ତି ନାହିଁ । କହି ଯେ ନ ପାରିବେ ତାହା ନୁହେଁ, କରନ୍ତି ନାହିଁ; କେବେ ଚେଷ୍ଟାବି କରନ୍ତି ନାହିଁ । ପ୍ରତ୍ୟେକ ବଙ୍ଗଳା ଛବି ଦେଖନ୍ତି । ଗୋଟିଏ ହେଲେ ଓଡ଼ିଆ ଛବି ଦେଖିନାହାନ୍ତି । କଟକ ଷ୍ଟେସନ କେତେ ମିଟରରେ ଧରେ ଜାଣନ୍ତି ନାହିଁ । କଲିକତା ତାଙ୍କର ମେକ୍‌କା । ହୁଏତ ସେ ଆଡ଼କୁ ମୁହଁ କରି ପ୍ରାର୍ଥନା କରୁଥିବେ, “ଏମନ ଦେଶଟି କୋଥାୟ ଖୋଜେ ପାବେ ନା ଗୋ ତୁମି ।”

 

“କି ଗୋ । ଶୁନ୍‌ଛ ? ଓଇ ଛେଲେଟା ଆସ୍‌ବେ ତ ?” ପୁଣି ସେଇ ପ୍ରଶ୍ନ । ବିବାହ ପ୍ରସଙ୍ଗ, ପ୍ରସ୍ତାବ, ନିର୍ବନ୍ଧ ଆଦି ପ୍ରତ୍ୟେକ ସ୍ତର ଓ ଅବସରରେ ତିନିବର୍ଷ ଧରି ତାଙ୍କର ସେଇ ପ୍ରଶ୍ନ, “ଓଇ ଛେଲେଟା ଆସବେ ତ ?”

 

“ଆସ୍‌ବେ, ଆସ୍‌ବେ, ଜରୁର ଆସ୍‌ବେ ।” ମୁଁ ଜୋର୍ ଦେଇ ପାଟିକରି (ସେ ଟିକିଏ ବଡ଼ଶୁଣା) ଉତ୍ତର ଦେଲି ତାଙ୍କୁ ଶୁଣାଇବା ପାଇଁ, ତାଙ୍କ ମନରେ ପ୍ରତ୍ୟୟ ଆଣିବାପାଇଁ । ତା’ଛଡ଼ା ମୋର ଅନ୍ୟ ଉପାୟ ବା ଉତ୍ତର ନଥିଲା ।

 

ଶ୍ରୀମତୀ ସରକାରଙ୍କ ସହିତ କଥାବାର୍ତ୍ତା କଲାବେଳେ ମୁଁ ମଝିରେ ପଦେଅଧେ ବଙ୍ଗଳା କହିଦିଏ । ହୀନମନ୍ୟତାର ଲକ୍ଷଣ ହେଲେବି, ମୁଁ ଯେ ତାଙ୍କ ଭାଷା ଜାଣେ, ଭଲ କହିପାରେ ତା’ର ପ୍ରମାଣସ୍ଵରୂପ । ସେ ଆମ ଭାଷା କହୁଥିବାରୁ ତାରି ପ୍ରତିଦାନସ୍ୱରୂପ । ସଂହତି ତଥା ଭାବବିନିମୟର ଏହା ଗୋଟାଏ ମୌଳିକ ସୂତ୍ର । ଜଣେଅଧେ କଲିକତୀ ଓଡ଼ିଆ ଭାଇ ଖଡ଼ଗପୁର ପର୍ଯ୍ୟନ୍ତ ବଙ୍ଗଳାରେ କଥାଭାଷା ହୋଇ ଦାନ୍ତୁଣି ପହୁଞ୍ଚିଲେ, ଯିମିତି ଘରୋଇ ଭାଷା ଆରମ୍ଭ କରି ବା ସ୍ୱରୂପ ପ୍ରକାଶ କରି କହନ୍ତି ‘ହଇରେ ରାମା ଭାଇ ! ଦାନ୍ତୁଣି ପହୁଞ୍ଚିଲା ବା ! ଏଥର ବାହାର କର ଦାନ୍ତକାଠି, ଆକବରୀ, ସିମିତି ମୁଁ ବି ସମ୍ପ୍ରୀତିସୂଚକ ପଦେ ଅଧେ ଖଣ୍ଡିଆ ଦଣ୍ଡିଆ ବଙ୍ଗଳା କହି ଓଡ଼ିଆ ଚଲାଏଁ ।

 

ଶ୍ରୀମତୀ ସରକାର ନଛୋଡ଼ବନ୍ଧା । ପୁଣି ପ୍ରଶ୍ନର ଖିଅଧରି ମନ୍ତବ୍ୟ ଦେଲେ “ଆଉ କେବେ ଆସିବ ? ଆଜି ବାହାଘର । ବର ପହୁଞ୍ଚିବା ଉପରେ, ବନ୍ଧୁବାସ ତ ସମସ୍ତେ ଆସି ଗଲେଣି-। ସେ କାହିଁ ?”

 

“ଆସିବ ।” ବହୁ କଷ୍ଟରେ ଏ ସାମାନ୍ୟ ପଦଟି ମୋ ମୁହଁରୁ ଆପେ ଆପେ ଫୁଟିଲା ।

 

ସିମିତି ‘ଆସିବ ଆସିବ’ ବୋଲି ସମସ୍ତେ ତିନିବରଷ ହେଲା କହୁଛ । କାହିଁ ତା’ର ଦେଖା ନାହିଁ । ଝିଆରୀ ବାହାଘରକୁ ଆସିବ, ଆସିବ କହିଲ–ଆସିଲା ନାହିଁ । ବଡ଼ ଭାଇମାନଙ୍କର ପଇତା ପଡ଼ିଲା, ଆସିଲା ନାହିଁ । ଆଉ କେବେ ଆସିବ ? ମୁଁ ତାକୁ ଦେଖିବି ଦେଖିବି ହୋଇ ମରି ଯାଉଛି । ତୁମର ତା’ କଥା ବିଲକୁଲ ମନେ ପଡ଼ୁ ନାହିଁ ଦେଖୁଛି ।”

 

“ପଡ଼େ । ପଡ଼ୁଛି । ବହୁତ ପଡ଼ୁଛି ।” ରହି ରହି ଅଧମିନିଟରେ ଏଇ ତିନିପଦ କଥା କହିଲି । ହୃଦୟ ଖୁବ୍‌ ଭାରାକ୍ରାନ୍ତ ଜଣାଯାଉଥିଲା ।

 

“ଆଜକୁ କେତେ ବଡ଼ ହୋଇ ଯାଇଥିବ ! ନୁହେଁ ? ତିନିବର୍ଷ ହେଲାଣି ଯେ, ଆଜି ଆସିଲେ ଚିହ୍ନି ହବନି ସହଜେ ତାକୁ ।”

 

“ହଁ ।”

 

“ଆଚ୍ଛା ! ସେ ଅଛି କେଉଁଠି ? ରାଉରକେଲାରେ ତ ନାହିଁ । ତା’ ନାନୀ ତ ଆସିଗଲାଣି-। ଭାଇଜାଗ୍‌ରେ ତ ନାହିଁ ତା’ ଭାଇଭାଉଜ ଆସିଗଲେଣି । ତିରିଂରେବି ତ ନାହିଁ । ତା’ କକାଖୁଡ଼ୀଙ୍କି ପଚାରିଲି; ସେମାନେ କହିଲେ ସେ ସେଠି ତାଙ୍କ ପାଖରେ ସେ ନ ଥାଏ । ଯେଉଁଠି ଥାଉ, କୁହ ସେ ଆସ୍‌ବେ ତ ?”

 

ଗମ୍ଭୀର ହୋଇ ପୁଣି କହିବାକୁ ବାଧ୍ୟ ହେଲି “ଆସିବ ।”

 

ସ୍ଵଳ୍ପ ବିରକ୍ତି ଭାବ ଦେଖାଇ ଶ୍ରୀମତୀ ସରକାର କହିଲେ “ମୁଁ ଦେଖୁଛି ତୁମେ ସବୁ ମେଣ୍ଟବାନ୍ଧି ମୋତେ ଠକାଉଛ । କାଳେ ମୁଁ ଦୁଃଖ କରିବି ସେଥିପାଇଁ ସତ କଥା ଲୁଚାଉଛ । ତାକୁ ନିଶ୍ଚୟ ଆମେରିକା ପଠାଇଦେଇଛ, ତା’ର ମଝିଆ ଭଉଣୀ ସାଙ୍ଗରେ ।”

 

ମୁଁ ଉଁ, ଚୁଁ କିଛି ନ କହିଲାରୁ ସେ ଧରିନେଲେ ଯେ ତାଙ୍କ ଅନୁମାନ ସତ, ତେଣୁ ସେ ତାଙ୍କ ଭାବନା କଳ୍ପନାକୁ ଆଉ ଟିକିଏ ଆଗେଇ ନେଲେ । ପଚାରିଲେ ଆଚ୍ଛା ! ସେଠି ପଢ଼ାଶୁଣା କରୁଥିବ ତ ? ଓଡ଼ିଆ ଭୁଲିଯାଇ ଖାଲି ଇଂରାଜୀ କହୁଥିବ । ନୁହେଁ ? ତୁମର ଯେତେ ଯେତେ ଝିଅପୁଅ ସମସ୍ତଙ୍କ ଅପେକ୍ଷା ସେ ପିଲାଟି ଅଧିକ ସୁନ୍ଦର । ସେବର୍ଷ ଯେତେବେଳେ ଏଇ ପୋଖରୀଟାରେ ପହଁରା ଶିଖାଉଥିଲ ପାଣି ଭିତରେ ତା’ର ସେ ଲଙ୍ଗଳା ଫୁଙ୍ଗୁଳା ଦିହଟା ଦେବତା ଛୁଆପରି ଦିଶୁଥିଲା । କି ସୁନ୍ଦର ତା’ର ଚୋଖ ଦୁଟୋ । କି ସୁନ୍ଦର ତା’ର ଚୂଲ୍‌ । ଛବିର ମତ ପୁତୁଲେର ମତ, ଚେହେରା ଖାନି ।”

 

ଉତ୍ତର ଦେଲିନାହିଁ । ମନେ ମନେ ଭାବୁଥାଏଁ “ପୂରା ପହଁରା ବା ଶିଖାଇ ପାରିଲି କାହିଁ-?” ସେ ମଧ୍ୟ ଉତ୍ତର ଚାହୁଁ ନଥିଲେ । ତାଙ୍କ କଥାରେ କିନ୍ତୁ ଅତିରଞ୍ଜନ ନଥିଲା ।

 

ପିଲାଟାର ଯେମିତି ରୂପରେଖ ସେ ଆଙ୍କିଲେ ସେଥିରେ ଲିଭିଲିଭି ଯାଇଥିବା ଛବିଟା ପୁଣି ସ୍ପଷ୍ଟ ଓ ଜୀବନ୍ତ ହୋଇ ଉଠିଲା । ମୁଁ ନିଜକୁ ଧିକ୍‌କାର କଲି; ସେ ପିଲାଟାକୁ ବାଦ୍‌ଦେଇ ଏ ଉତ୍ସବଟାକୁ ଏତେ ଆଡ଼ମ୍ବରମୟ କଲି କାହିଁକି ?

 

ମୋ ଉପରେ ବାସୁକିର ଭାରା । ଏକୁଟିଆ ଲୋକ; ସାହାସାହସ ବଡ଼ କମ୍‌ । ପିଲାଙ୍କ ପକ୍ଷରେ, ବାପା କହିଲେ ମୁଁ, ମାଆ କହିଲେ ମୁଁ । ପୁଣି ନିଜର ନା ତାତ ନା ମାତା । ବାହାଘର କଥା । କାହାରି କାହିଁରେ ଊଣା ହେବ ନାହିଁ । ଭାଇଭଉଣୀ ବନ୍ଧୁବାସ ସମସ୍ତେ ଟାକି ରହିଛନ୍ତି ଯେଝା ପାଉଣାକୁ । ସାଇପଡ଼ିଶା ପିଠା ଖାଇବାକୁ, ବିନ୍ଧ ଗଣିବାକୁ । ବରଯାତ୍ରୀ ତ ସହଜେ ବଜ୍ଜାତ-। ଏତେ କାର୍ଯ୍ୟବ୍ୟସ୍ତ, ଏତେ ମୁଣ୍ଡଭାରି, ଯେ ଏଠି ଦଣ୍ଡେ ଠିଆ ହେଲେ କେଜାଣି ଟିକିଏ ଭଲ ଲାଗନ୍ତା; କିନ୍ତୁ ମୁଁ ଯେ ସର୍ବମୟ କର୍ତ୍ତା । ଏଠି ଠିଆ ହେଲେ ସିଆଡ଼େ ସବୁ ଅଟକିଯିବ । ନାନ୍ଦୀମୁଖୀ ଶ୍ରାଦ୍ଧ ସାରି ଧୂଆଁ ଓ କୋଳାହଳରୁ ଖସିଆସି ଟିକିଏ ବାରିପଛପଟ ପୋଖରୀ କୂଳର ନିରୋଳତା ଓ ନିର୍ମଳତା ଉପଭୋଗ କରୁଥିଲି; ମୋଡ଼ି ଭାଙ୍ଗି ହେଉଥିଲି ଏବଂ ପରବର୍ତ୍ତୀ କଠୋର ସଂଗ୍ରାମ ଓ ସାଧନାପାଇଁ ଟିକିଏ ଦମ୍‌ ସଂଗ୍ରହ କରୁଥିଲି; କିନ୍ତୁ ଶ୍ରୀମତୀ ସରକାର ମୋର ସମସ୍ତ ଫୁରୁସତ୍ ସମୟତକ ଖାଇଗଲେ ।

 

ମୁଁ ଯେତେ ଅନ୍ୟମନସ୍କ ହେଲେବି ସେ ମୋତେ ତାଙ୍କ କଥା ଓ ପ୍ରଶ୍ନ ଆଡ଼କୁ ଟାଣି ନେଉଥିଲେ । ତାଙ୍କୁ ହଠାତ୍‌ ଛାଡ଼ି ଏଡ଼ାଇ ଯିବା ମୋ ପକ୍ଷରେ ଭଦ୍ରାମି ହେବ ନାହିଁ, ସମ୍ଭବ ନୁହେଁ ମଧ୍ୟ, ତାଙ୍କ ସହିତ ମୋର ସମ୍ବନ୍ଧ ଦୃଷ୍ଟିରୁ । ବଡ଼ ଦରଦୀ, ସ୍ନେହୀ ସ୍ତ୍ରୀଲୋକଟି । ଆଖି ଦୁଇଟା ଏମିତି ଯେ ସ୍ଵର୍ଗର ସବୁ ଦୟା, ଅନୁକମ୍ପା ଯିମିତି ସେଥିରୁ ଝରି ପଡ଼ୁଛି । ପୁଣି ମୁହଁରେ ଗୁଡ଼ାଏ ଅମୃତ । ତା’ଛଡ଼ା ମୁଁ ଜାଣିଥିଲି, ସେ ବି ମୋ ପରି ଦୁଃଖୀ, ହୀନକପାଳୀ । ଦୁହିଁଙ୍କ ଦୁର୍ଦ୍ଦଶା ଦୁର୍ବିପାକ ସମାନ ଧରଣର । ତେଣୁ ଆମେ ଏତେ ଆତ୍ମୀୟ, ଅନ୍ତରଙ୍ଗ ।

 

“ବାପା ! ଆଉ କେତେବେଳଯାଏଁ ତା’ ସାଙ୍ଗରେ ଛିଡ଼ା ହୋଇ ଗପୁଥିବ ? ପାଟି ଥକି ଯିବ ଯେ । ଘରଭିତରକୁ ଆସ । ପିଉସା (ପୁରୋହିତ) ଡାକୁଛନ୍ତି । ବାଟବରଣ ସରଞ୍ଜାମ ନେଇ ଫାଟକ ପାଖକୁ ଯାଅ ।” ଶ୍ରୀମତୀ ସରକାର ସାମାନ୍ୟ କାଲ, ତେଣୁ ଟିକିଏ ଜୋର୍‍ରେ କଥା କହିବାକୁ ପଡ଼େ । ଝିଅ ସେଇ କଥାକୁ ଲକ୍ଷ୍ୟ ରଖି “ପାଟି ଥକି ଯିବ” କହିଲା ।

 

ମୋ ଛୁଆପିଲାଏ ବା ବନ୍ଧୁବାନ୍ଧବ ଶ୍ରୀମତୀ ସରକାର ବା ତାଙ୍କ ବଂଶ ପ୍ରାଣୀଙ୍କି ଭଲ ଆଖିରେ ଦେଖନ୍ତି ନାହିଁ । ଯୁଗଯୁଗ ଧରି ଓଡ଼ିଆବଙ୍ଗାଳୀ ବିଦ୍ଵେଷ ଯେମିତି ଅସ୍ଥିମଜ୍ଜାଗତ ହୋଇଯାଇଛି ସେମାନଙ୍କର । ମୁରବି ସ୍ତରରେ କେତେକ ସ୍ଥଳରେ ସହୃଦୟତା ଓ ଆତ୍ମୀୟତା ଯଥେଷ୍ଟ ମାତ୍ରାରେ ଥିଲେବି ତାଙ୍କ ପିଲାଝିଲାଏ ଓ ମୋ ପିଲାଏ ଏକାଠି ହେଲେ ଓଡ଼ିଆ-ବଙ୍ଗାଳୀ କଳି ଆରମ୍ଭ ହୋଇଯାଏ । ତାଙ୍କ ଛୁଆଏ ମୋ ଛୁଆଙ୍କୁ ଗାଳି ଦେବାର ଆରମ୍ଭ କରିନ୍ତି, ‘ଉଡ଼େ’ କହି ଅର୍ଥାତ୍‌ ଉଡ଼ନ୍ତା ଚଢ଼େଇ । “ସେମାନେ କଲିକତା ପାଣି କଳରେ କୁଲି କାମ କରନ୍ତି, ଜାହାଜ ରଙ୍ଗ କରନ୍ତି ।” ଶେଷକୁ “ଭୋକେ ଓଡ଼ିଆ ନିଦଯାଏ, ଭୋକେ ବଙ୍ଗାଳୀ ଗୀତ ଗାଏ’ ପର୍ଯ୍ୟନ୍ତ ତାଙ୍କ ପୂର୍ବପୁରୁଷେ ତାଙ୍କୁ ଯାହା ଲେଖି କହି ଶିଖାଇଛନ୍ତି । ଆମ ପିଲେବି ନଛୋଡ଼ବନ୍ଧା । ‘ଦାରୁନ୍‌ ଫୁଟାନିଆ’ରୁ ଆରମ୍ଭ କରି ‘ବଙ୍ଗାଳୀ ଟଙ୍ଗଟଙ୍ଗାଳି ଟେଙ୍ଗରା ମାଛ ଖାୟ’ ପର୍ଯ୍ୟନ୍ତ ଏବଂ ଶେଷରେ ନାନା ଅଶ୍ଳିଳ ପ୍ରତିବଚନ ପ୍ରୟୋଗ କରନ୍ତି । ପରସ୍ପରକୁ ଟାହୁଲିଟାପରା, ଚିଡ଼ାଚିଡ଼ି କରୁକରୁ ଗାଳିଗୁଲଜ, ଝଗଡ଼ା, ମାରପିଟ ପର୍ଯ୍ୟନ୍ତ ଯାଏଁ । ଅବଶେଷରେ ବଡ଼ବଡ଼ିଆଏ ଭର୍ତ୍ସନା କରି ଯେଝା ସନ୍ତାନ ସନ୍ତତିଙ୍କି ଘରଭିତରକୁ ନେଇଯାଆନ୍ତି । ବଙ୍ଗାଳୀ ସାହିରେ ଘରଭଡ଼ା ନେଇଛି । ପୁଣି ବଙ୍ଗାଳୀ ଘରେ ଥାଏ ତଳ ମହଲାରେ । ଏଣୁ ଖଣ୍ଡାଧାରରେ ମୋତେ ଚାଲିବାକୁ ପଡ଼େ । କେତେବେଳେ କେଉଁ କଥା ! ଶିଷ୍ଟାଚାର, ପ୍ରତିବେଶୀତ୍ଵ, ମନୁଷ୍ୟତା, ଶିଷ୍ଟତା ବୋଲି ତ କଥାଗୁଡ଼ାଏ ଅଛି ।

 

ମୋ ପିଲାଏ ଶ୍ରୀମତୀ ସରକାରଙ୍କୁ ଭଲ ପାଆନ୍ତି, ଏ କଥା ମୁଁ କହି ପାରୁନି । ମୋର କିନ୍ତୁ ତାଙ୍କ ପ୍ରତି ଅଗାଧ ସ୍ନେହ ଓ କୃତଜ୍ଞତା । ମୋ ସହିତ କଥାବାର୍ତ୍ତା କଲାବେଳେ ସେ ଟିକିଏ ହାକିମାତିବି କରିଥାନ୍ତି । ତାଙ୍କର ମୃଦୁ ଭର୍ତ୍ସନା ମୋତେ ମିଠା ଲାଗେ । ପରିବାରର ଅନ୍ୟାନ୍ୟ ସଭ୍ୟମାନଙ୍କ ଭିତରେ ନାନା ବାଦବିସମ୍ବାଦ ହୁଏ । ହିଂସା, କ୍ରୋଧ, ଦ୍ଵେଷ, ଘୃଣା ଆଦି ନାନା ଦୁର୍ଗୁଣ ପ୍ରକାଶ ପାଇଥାଏ ସେମାନଙ୍କ ଚାଲିଚଳନ, ଆଚାର ବ୍ୟବହାରରେ । କିନ୍ତୁ ଶ୍ରୀମତୀ ସରକାର ଏ ସବୁର ଊର୍ଦ୍ଧ୍ଵରେ । ସେ ବୁଝନ୍ତି କେବଳ ଗୋଟାଏ ସମ୍ପର୍କ । ମା ଓ ପିଲାର ସମ୍ପର୍କ କଥା । ସ୍ନେହ, ଶ୍ରଦ୍ଧା, ବାତ୍ସଲ୍ୟ ଛଡ଼ା ଦୁନିଆରେ ନାରୀ ହୃଦୟରେ ଆଉ କିଛି ନାହିଁ ଯିମିତି । ଏଇ ଆଦରହିଁ ମାଆଦୁଧ ଆକାରରେ ଝରି ଶିଶୁକୁ ପରିପୃଷ୍ଟ କରି ମଣିଷଜାତି ଗଢ଼େ । ମାଆ ନ ଥିବା ‘ଓଇ ଛେଲେଟା’ ପ୍ରତି ତାଙ୍କର ସମସ୍ତ ସ୍ନେହଶ୍ରଦ୍ଧା ସେ ଅଜାଡ଼ି ଦେଇଥିଲେ ସେଇଥିପାଇଁ ବୋଧହୁଏ । ତାକୁ ସେ ହଳଦି ତେଲ କରିଛନ୍ତି, ଜାକିମାଡ଼ି ବା ସୁତୁରାଇ ଦୁଧ ଖୁଆଇଛନ୍ତି, ବଙ୍ଗଳାଗୀତ ଓ ଗପକୁ ଓଡ଼ିଆ କରି ଶୁଣାଇଛନ୍ତି । ତିନିବର୍ଷ ଧରି ସେ ପାଳିଥିଲେ ତାକୁ । ମାଆ ଛେଉଣ୍ଡର ଆକସ୍ମିକ ଅନ୍ତର୍ଦ୍ଧାନରେ ସେ ମୁହ୍ୟମାନ ହୋଇଯାଇଥିଲେ ଏବଂ ଆମର ସେଇ “ଆସବେ, ଆସବେ, ଜରୁର୍ ଆସବେ” କଥା ପଦକ ତାଙ୍କୁ ଆଶା ଓ ଆଶ୍ଵାସ ଦେଇଥିଲା ।

 

ଦୁଇତିନିଟା ବଡ଼ବଡ଼ ପାରିବାରିକ ମିଳନ ଉତ୍ସବରେ ମଧ୍ୟ ‘ଓଇ ଛେଲେଟା’କୁ ଦେଖିବାକୁ ନ ପାଇ ତାଙ୍କର ନୈରାଶ୍ୟ ଅଭିମାନ ଟିକିଏ ବଢ଼ି ଯାଇଛି । ଖୁବ୍‌ ରାଗିଯାଇ ସେ ବକ୍ତୃତା କଲେ, “ତୁମେ ସବୁ ପୁରୁଷ ଲୋକ ଛୁଆପିଲା ଜନ୍ମକରି ଜାଣ, କିନ୍ତୁ ତାଙ୍କ କଥା କିଛି ବୁଝନାହିଁ । ତୁମେ ତା’ର ବାପା, ମା’ଛେଉଣ୍ଡ ପିଲାଟା କେଉଁଠି ରହୁଛି, କି ଖାଉଛି କିଛି ନ ବୁଝି କିମିତି ନିଶ୍ଚିନ୍ତ ରହିଛ ? ତା’ଛଡ଼ା ଏତେ ବଡ଼ ଗୋଟାଏ ବାହାଘର । ତା’ ମାଆ ବଞ୍ଚିଥିଲେ କାନ ନାକ ରଗଡ଼ି ସେ ପିଲାକୁ ଅଣାଇଥାନ୍ତା ।”

 

ବୋକାଙ୍କ ପରି ଦୁଇଥର ‘ଆସିବ’ ‘ଆସିବ’ କହି ଘର ଭିତରକୁ ପଶି ଆସୁଥିଲି । ସେ ମୋ ପଛେ ପଛେ କହି କହି ଆସିଲେ, “ତୁମେ ସବୁ ମାଛ, ମାଂସ, ପଲାଉ, ପାନତୁଆ, ରସଗୋଲା ଖାଇବ । ସେ ତ କିଛି ଖାଇ ପାରିଲା ନାହିଁ, ତୁମେ ଭାବିଛ ସେ ସବୁ ମୋତେ ରୁଚିବ ? ପିଲାଟା ଯଦି ଆସିଥାନ୍ତା ମୁଢ଼ି, କାକୁଡ଼ି, ଲଙ୍କା, ସୋରିଷ ତେଲ ଖାଇଥିଲେବି ଇଲିଶି ପରି ଲାଗିଥାନ୍ତା । ଯାହା କରିବ କର, କିନ୍ତୁ ତାକୁ ଆଗ ଅଣାଅ, ନହେଲେ ତୁମର ଏ ବାହାଘରର କିଛି ମୂଲ୍ୟ ରହିବ ନାହିଁ ।” ଏ ଛୋଟ ବକ୍ତୃତାଟି ଏକା ନିଃଶ୍ଵାସରେ ଦେଇ ସିଧା ଦାଣ୍ଡ ପିଣ୍ଡାକୁ ବାହାରିଗଲେ ଯେଉଁଠି ଚାନ୍ଦୁଆ ତଳେ ପିଲାପିଲିଙ୍କ କୋଳାହଳ ଶୁଭୁଥାଏ ।

 

‘ଓଇ ଛେଲେଟାକେ’ ପାଇବାର, ଦେଖିବାର ଆଗ୍ରହ ଯେ ମୋର ଊଣା ଥିଲା ତାହା ନୁହେଁ । ସେ ଆଗ୍ରହକୁ ପରିସ୍ଥିତି ଦୃଷ୍ଟିରୁ ନାନା ଚାପ ଦେଇ ମୁଁ ଘୋଡ଼ାଇ ରଖିଥିଲି ଯିମିତି ଅନ୍ତତଃ ଏ ମଧୁମୟ ମଙ୍ଗଳୋତ୍ସବରେ ନ ବାହାରେ । ଶ୍ରୀମତୀ ସରକାର ତ ତାକୁ ଦେଖିବାକୁ ପାଇଲେ ନାହିଁ, ମୁଁ କାହିଁକି, ଘରର ସମସ୍ତେ ତା’ର ସୁମଧୁର ସାନ୍ନିଧ୍ୟରୁ ବଞ୍ଚିତ ହେଲେ । ମାତ୍ର ଶ୍ରୀମତୀ ସରକାରଙ୍କର ଜିଜ୍ଞାସା, ଅନୁସନ୍ଧିତ୍ସା ମୋର ଅବଚେତନରୁ ତା’ର ସ୍ମୃତିକୁ ଏମିତି ଭାବରେ ଓଟାରି ଆଣିଲା ଯେ ତାକୁ ମସ୍ତିଷ୍କର ଅନ୍ତଃତମ ପ୍ରଦେଶକୁ ପୁଣି ଫେରାଇ ଦେବା ଅସମ୍ଭବ ହେଲା, ବରଂ ତାହା କଲାବେଳକୁ ଦ୍ଵିଗୁଣ ପରାକ୍ରମରେ ତାହା ମୁହୁର୍ମୁହୁଃ ପ୍ରଚଣ୍ଡ ଆକ୍ରମଣ ଓ ତୀବ୍ର ଦଂଶନ କଲା-। ତନ୍ଦ୍ରିତ ଅବସ୍ଥାରେ ଘୂରା ଫେରା କଲା ପରି ମୋତେ ଲାଗିଲା ଏବଂ ସବୁ କଥା ଓ କାର୍ଯ୍ୟରେ ମୁଁ ସେଇ ପିଲାଟିର ସାନ୍ନିଧ୍ୟ ଅନୁଭବ କଲି, ଏପରି କି ଦେଖି ପାରିଲି ।

 

ଗୁଡ଼ୁମ, ଗୁଡ଼ୁମ, ଗୁଡ଼ୁମ । ବୋମା ଫୁଟିଲା । ବର ଆସୁଛି । ଅସଂଖ୍ୟ ବୋମା । ପ୍ରତି ବୋମାର ଶବ୍ଦ ଅସଂଖ୍ୟ ହୃଦୟରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରି ସ୍ପନ୍ଦନକୁ ବଢ଼ାଇ ଦେଲା । ‘ଏଇଟା ଆଣ’ ‘ସେଇଟା ଦିଅ’ ‘ଏଠି ରଖି’ ସେଠାକୁ ନିଅ, ‘ଶୀଘ୍ର କର’ ‘ଡେରି ହୋଇ ଯାଇଛି’ ‘ଆସି ଗଲେ ଯେ’ ଚିତ୍କାର କ୍ରମେ କ୍ରମେ ବେଶି ହେଲା ଓ ପୁରୁଷଙ୍କ ଧାଁଧପଡ଼ ବଢ଼ିଯିବା ସଙ୍ଗେ ସଙ୍ଗେ ନାରୀ ମହଲରେ ଅଚାନକ ତତ୍ପରତା ଦେଖାଗଲା ଓ ରୂପସଜ୍ଜାର ପ୍ରତିଯୋଗୀତା ତ୍ୱରାନ୍ୱିତ ହେଲା । ଶଙ୍ଖ ହୁଳହୁଳି ପାଇଁ ଫାଟକ ପର୍ଯ୍ୟନ୍ତ ଯିବାକୁ ପଡ଼ିବ, ପୁଣି ଅତିଥି ଅଭ୍ୟାଗତ ଆଗନ୍ତୁକଙ୍କ ପ୍ରଶଂସା ମାନ ବା ସମାଲୋଚନାପ୍ରବଣ ଚକ୍ଷୁ ସମକ୍ଷରେ ଆଲୋକ ଉଦ୍ଭାସିତ ରାଜ ଦାଣ୍ଡରେ ଛିଡ଼ା ହେବାକୁ ପଡ଼ିବ । ଗହଣାଗାଣ୍ଠିର ରୁଣୁଝୁଣୁ ସାଙ୍ଗକୁ ଶାଢ଼ିର ରଣସଣ ଶବ୍ଦ ଏବଂ ଅତର ସ୍ନୋ ପାଉଡ଼ରର ତୀବ୍ର ମହକ ସହିତ ପଲାଉ ପାୟସର ସୁଗନ୍ଧ ଏପରିକି ବାଟଗଲା ଦେଖଣାହାରିଙ୍କ ପର୍ଯ୍ୟନ୍ତ ଚାଲିଗଲା ।

 

ରୂପ, ବିଭବ, ଆନନ୍ଦ ଓ ଆଲୋକର ବିପୁଳ ସମ୍ଭାର ଓ ମନୋଜ୍ଞ ପରିବେଶ ଭିତରେ ଦୂର୍ବାକ୍ଷତଗୁଡ଼ାକ ନେଇ ବାଟବରଣକୁ ବାହାରିଲି, କିନ୍ତୁ ମୋତେ ଜଣାଗଲା ସର୍ବମୟ ଆନନ୍ଦ କୋଳାହଳର ସୁବିସ୍ତୃତ ସ୍ରୋତରେ ମୋତେ ଉଜାଣି ଉଠିବାକୁ ପଡ଼ୁଛି । ହେଞ୍ଜେଡ଼ାଙ୍କ ‘ଜୀବନ-ଯମୁନାରେ ଜୁଆର ଆସେରେ, ଗୀତା ତଥା ଉନ୍ମାଦ ନୃତ୍ୟର ତାଳରେ ନାଚୁଥିବା ଶିଶୁବାଳକଙ୍କ ମଧ୍ୟରେ ମୋ ଆଖି ଖୋଜି ବୁଲିଲା ସେଇ ପିଲାଟିକୁ । ବର୍ଣ୍ଣାଢ଼୍ୟ ରୋଶଣି ଓ ରଙ୍ଗବେରଙ୍ଗ ବୈଦ୍ୟୁତିକ ଆଲୋକରେ ରୂପାନ୍ତରିତ ଅଗଣିତ ବାଳକ ବାଳିକାଙ୍କ ଭିତରେ ଆଖି ଖୋଜି ବୁଲୁଥିଲା ସେଇ ପିଲାଟିକୁ, ବେଣ୍ଡ୍‍ର ତାଳେ ତାଳେ ନୃତ୍ୟରତ ଶିଶୁଙ୍କ ଭିତରେ ସେଇ ପିଲାର ନୃତ୍ୟଚପଳ ପାଦ ଦୁଇଟିକୁ । ସୁପ୍ତଜାଗ୍ରତ ଅବସ୍ଥାରେ ବାଟବରଣ ସରିଲା । ଆଗନ୍ତୁକମାନେ ମୋର ବିଷଣ୍ଣ ମୁଖ ଓ ବିଚିତ୍ର ଆଚରଣର କାରଣ ସ୍ୱରୂପ ବୋଧହୁଏ ଭାବିଥିବେ ଆସନ୍ନ କନ୍ୟା ବିଦାୟକୁ ।

 

ବୁଢ଼ା ଆଙ୍ଗୁଳି ଧରି ବରକୁ ବେଦିକୁ ନେଲାବେଳେ ଶଙ୍ଖ ହୁଳହୁଳି ଦେଉଥିବା ନାରୀ ଓ କନ୍ୟାମେଳରେ ଶ୍ରୀମତୀ ସରକାର ନଥିଲେ । ବେଦିରେ ବରକୁ ବସାଇ ଦେଇ କାର୍ଯ୍ୟାନ୍ତରରେ ଘରଭିତରକୁ ଯାଇଛି, ଭେଟିଲି ଶ୍ରୀମତୀ ସରକାରଙ୍କୁ । ସେ ବାଟବରଣକୁ ଯାଇ ନାହାନ୍ତି । ମୁଁ ଦେଇଥିବା ଓସାର ନାଲି ଧଡ଼ିର ଶାଢ଼ିଟି କାନ୍ଧ ଉପରେ ପକାଇ ସେ ଦ୍ଵିତୀୟ ଦୁଆରରେ ଛିଡ଼ା ହୋଇ କାହାକୁ ଖୋଜୁଥାନ୍ତି । ମୋ ଆଡ଼କୁ ଅଶ୍ରୁଳଚାହାଣି ଦେଇ କହିଲେ–‘କୋଇ ଓଇ ଛେଲେଟା ତ ଏଖନ ଓ ଆସେନି ?” ମୁଁ ହଠାତ୍‌ ଚିଡ଼ିଯାଇ କହିଲି ‘କ’ଣ ଆପଣ ଓଇ ଛେଲେଟା ଓଇ ଛେଲେଟା’ ଭଜି ଭଜି ବୁଲୁଛନ୍ତି ! ଶାଢ଼ିଟା ପିନ୍ଧି ଦିଆଥୁଆ କାମ ତଦାରଖ କରନ୍ତୁ । ଶୁଭ କାମଟାକୁ ଏମିତି ନଷ୍ଟ କରନ୍ତୁ ନାହିଁ ।” ମୋ କଥା ବୁଝିଲା ପରି ଭଙ୍ଗୀ ଦେଖାଇ ‘ଆଚ୍ଛା’ କହି ଚାଲିଗଲେ ସେ ଅନ୍ତଃପୁରକୁ ।

 

ବାହାଘରର ଧୁମ୍‍ଧାମ୍‍, ପୂଜାମନ୍ତ୍ର ଉଚ୍ଚାରଣ, ବାଜା ମହୁରିର ନିନାଦ, ବେଣ୍ଡ୍‌ ବାଜାରେ ସିନେମା ସଙ୍ଗୀତର ପରିବେଷଣ, ଗୋଟିପୁଅ ନାଚ, ଡାକବାଜି ଯନ୍ତ୍ରର କର୍ଣ୍ଣକଟୁ ଶବ୍ଦ ସାଙ୍ଗକୁ ଭୂପୃଷ୍ଟର ଅପୂର୍ବ ଆଲୋକସଜ୍ଜା ସହିତ ବୈଶାଖୀ ଆକାଶରେ ତାଳ ଦେଉଥିବା କଟକୀ ଉଷ୍ମାନଗୋଲା ଓ ହାବେଳିର ହରରଙ୍ଗୀ ନକ୍ଷତ୍ରମାଳା ଉଭୟ ବରକନ୍ୟା ପକ୍ଷର ସ୍ପର୍ଦ୍ଧିତ ଉଲ୍ଲାସ ଓ ଆଡ଼ମ୍ବର ଦର୍ଶକବର୍ଗଙ୍କୁ ଚକିତ ଅଭିଭୂତ କରୁଥିଲାବେଳେ ଘରଭିତରେ ଛାୟାମୂର୍ତ୍ତି ପରି ଇତସ୍ତତଃ ଏ ଘର ସେ ଘର ଘୂରି ବୁଲୁଥିବା ଶ୍ରୀମତୀ ସରକାରଙ୍କ ପ୍ରହେଳିକାମୟ ଆଚରଣ ନାରୀମହଲରେ ବିସ୍ମୟ ସୃଷ୍ଟି କରୁଥିଲା ।

 

ଯେଉଁଠି ଦଳେ ପିଲା ଭୂରିଭୋଜନରତ ସେଇଠି ଶ୍ରୀମତୀ ସରକାର ଖୋଜି ବୁଲିଲେ ‘ଓଇ ଛେଳେଟା’କୁ । ଲବଣଚାମରୀ, ହାତଗଣ୍ଠି, ଖଇପୋଡ଼ାଆଦି ପ୍ରତ୍ୟେକ କର୍ମାଙ୍ଗ ବେଳକୁ ପିଲାଝିଲାଙ୍କ ମେଳା ଆରମ୍ଭ ହେଲାମାତ୍ରେ ଶ୍ରୀମତୀ ସରକାର ପହୁଞ୍ଚିଯାଇ ଖୋଜି ବୁଲିଲେ ‘ଓଇ ଛେଲେଟା’କୁ । ସର୍ବତ୍ର ପରିଷ୍କାର ପରିଚ୍ଛନ୍ନତା ଓ ବର୍ଣ୍ଣ ବୈଭବର ଲୀଳାଖେଳା ଭିତରେ ସେ ଏକାକିନୀ ପୁରୁଣା ଲୁଗାଟାକୁ ପିନ୍ଧି ଆଲୁଳାୟିତ କୁନ୍ତଳ ହୋଇ ପାଗଳୀ ପରି ଏଣେତେଣେ କ’ଣ ଯେ ଖୋଜି ବୁଲୁଥାନ୍ତି ତାହା ତାଙ୍କୁ ଜଣା, ଆଉ ଜଣା ମୋତେ ।

 

ଅବଶେଷରେ ଯାଇ ପହୁଞ୍ଚିଲେ ପୁଷ୍ପମାଳା ବିଭୂଷିତକଣ୍ଠ ହୋଇ ଉପବେଶନ କରିଥିବା ବର ପାଖରେ । ଆଠ ନଅ ବର୍ଷର ସୁନ୍ଦର ଗୁଳଗୁଲିଆ ମାର୍କଣ୍ଡିଆ ପିଲାକୁ ଦେଖି ତା’ ପାଖକୁ ଯାଇ କାନ ପାଖରେ ସ୍ନେହ ବିଗଳିତ କଣ୍ଠରେ ପଚାରିଲେ “ତୋର ନାଆଁ କ’ଣ ?” ସେ ଭାବିଥିଲେ ‘ଓଇ ଛେଲେଟା’ ହୁଏତ ବରଧରା ଯାଇଥିବ; କିନ୍ତୁ ତାଙ୍କର ସମସ୍ତ ସ୍ନେହାର୍ଦ୍ର ସମ୍ଭାଷଣ ପ୍ରତ୍ୟାଖ୍ୟାନ କରି ପିଲାଟି ରୂଢ଼ କର୍କଶ ଗଳାରେ ଯିମିତି ‘ଗୌତମ’ ବୋଲି କହିଲା ସେ ନିରାଶ ହୋଇ ଫେରିଗଲେ ।

 

‘ଓଇ ଛେଲେଟା ଆସେନି ?’ ‘ଓଇ ଛେଲେଟା କୋଥାୟ ?’ ମୁରୁମୁରୁ ହୋଇ ଏମିତି ପ୍ରଶ୍ନ ପଚାରି ଘରଭିତରେ ବ୍ୟତିବ୍ୟସ୍ତ ହୋଇ ଯାଆସ କରୁଥିଲାବେଳେ ଯଦି କେହି ଆଗନ୍ତୁକା ପଚାରେ–‘ଇଏ କାହାକୁ ଖୋଜୁଛନ୍ତି ?’ ମୋ ଲୋକଙ୍କ ଭିତରୁ କେହି କାନପାଖରେ ଅନୁରୂପ ମୁଖଭଙ୍ଗୀ ସହିତ କହନ୍ତି, କାହିଁକି ତା’ କଥା ପଚାରୁଛ ? ପାଗଲୀ ଛିଟା ତା’ର ରହିଯାଇଛି । କେତେବର୍ଷ ତଳେ ସେ ଏକାବେଳେ ପାଗଲୀ ହୋଇ ଦାଣ୍ଡଘାଟରେ ଲଙ୍ଗଳା ହୋଇ ଏଣେତେଣେ ବୁଲୁଥିଲା । ରେଳତଳେ ଥରେ ଡେଇଁ ପଡ଼ିଥିଲା । ସେ ବହୁତ କଥା । ପରେ ଜାଣିବ ।”

 

ରାତି ପ୍ରାୟ ଦୁଇଟା । ବାହାଘର ସରିଯାଇଛି । ମୁର୍ଦାର ପରି ସମସ୍ତେ ଶୋଇଯାଇଛନ୍ତି–କର୍ମକ୍ଳାନ୍ତ, ଆନନ୍ଦକ୍ଳାନ୍ତ ଅଥବା ଭୋଜନ କ୍ଳାନ୍ତ ହୋଇ । ଲମ୍ବତମ୍ବ ହୋଇ ପଡ଼ି ଯାଇଛନ୍ତି ଏ ଘରେ, ସେ ଘରେ, ଗଳିରେ, ବାରଣ୍ଡାରେ, ଚାନ୍ଦୁଆତଳେ, ବେଦି ଉପରେ । ଆଲୁଅଗୁଡ଼ାକ ସଂଯମୀ ପରି ଚାହିଁ ରହିଛନ୍ତି । ଯେତେବେଳେ ଭୂତମାନଙ୍କର ଘୋର ନିଶାକାଳ । ସର୍ବତ୍ର ଶୂନଶାନ । ପଙ୍ଖାଗୁଡ଼ାକ ଜାଗ୍ରତ ପ୍ରହରୀ ପରି ହ୍ୟାତ୍‌ ହ୍ୟାତ୍‌ କରି ମଶାଗୁଡ଼ାକୁ ଘଉଡ଼ାଇବାରେ ଲାଗିଛନ୍ତି । ଯେଉଁ ଲୋକ ଦୁଇଟା ଅଧିକା ମଜୁରିରେ ଚେୟାର ଜଗିବା କାମରେ ଥିଲେ ସେମାନେବି ଶୋଇ ଗଲେଣି । ଭରତଙ୍କ ଅଭିଶପ୍ତ ମଣିଷଙ୍କ ପରି ଯେଉଁ ଲୋଭୀ ଅସନ୍ତୁଷ୍ଟ କୁକୁରଗୁଡ଼ାକ ଘାଉ ଘାଉ ହୋଇ ରାତିକୁ ବିକଟତର କରୁଥିଲେ ସେମାନେବି ଶୋଇ ଅଇଁଠା ପତରରେ ସ୍ଵପ୍ନ ଦେଖୁଛନ୍ତି ।

 

ଏକ ଶ୍ରୀମତୀ ସରକାର ଜାଗ୍ରତ । ପୁତ୍ରଶୋକବିଧୁରା ସୁଭଦ୍ରାବି ବୀରଶିଶୁ ଅଭିମନ୍ୟୁକୁ କୁରୁକ୍ଷେତ୍ର ରଣପ୍ରାଙ୍ଗଣରେ ଏକାକିନୀ ସତର୍କ ପଦକ୍ଷେପରେ ଲୁଚିଛପି ଏମିତି ଅନୁସନ୍ଧାନ କରି ନ ଥିବେ, ଯିମିତି ଶ୍ରୀମତୀ ସରକାର ସୁଷୁପ୍ତି ଶିଶୁମାନଙ୍କ ଭିତରେ ‘ଓଇ ଛେଲେଟା’କୁ ନିରିଖି ନିରିଖି ଖୋଜି ବୁଲୁଥିଲେ । ହେଲେ ‘ଓଇ ଛେଲେଟା’ର ପ୍ରତିଚ୍ଛବିର କୌଣସି ସନ୍ଧାନ କାହା ମୁହଁରେ ପାଇଲେ ନାହିଁ । ଗତ ରାତ୍ରିଯାକ ଏଇ କାମରେ ସେ ଅନିଦ୍ରା । ଆଜିବି ନିରବଚ୍ଛିନ୍ନ ସାଧନା ଓ ଅନୁସନ୍ଧାନ ଚାଲୁ ରହିଛି ।

 

ଷ୍ଟୋର ରୁମ୍‌ର ଗୋଟାଏ କଣରେ ମୋ ଭଉଣୀ ତା’ର ଦଶବର୍ଷର ପୁଅକୁ ଧରି ଶୋଇଥିଲା । ସିଏ ଆସିବା କଥା କିଏ ଜାଣିଛି, କିଏ ଜାଣିନି । ବାହାଘର ଅଧାଅଧି ହେଲା ବେଳକୁ ଆସି ପହୁଞ୍ଚିଲା, ଟେକ୍‌ସି ବା ଯାନବାହାନର ଅସୁବିଧା ହେତୁ । ତା’ ସହିତ କଥାବାର୍ତ୍ତା କରିବାପାଇଁ ମୁଁ ବି ଫୁରୁସତ୍ ପାଇ ନଥିଲି । ମଫସଲରେ ତା’ ଘର । ଛଅ ସାତ ବର୍ଷ ପରେ ସେ ଆସିଛି ।

 

ଚାରିଆଡ଼ୁ ନିରାଶ ହୋଇ ଶ୍ରୀମତୀ ସରକାର ତା’ ପାଖରେ ଯାଇ ପହଞ୍ଚିଲେ । ଶୋଇଥିବା ଭଣଜାଟିକି ଭଲ କରି ଦେଖି ଆନନ୍ଦାଶ୍ରୁପ୍ଳୁତ ନୟନରେ କହିଲେ, “ଏଇ ଯେ । ଏଥର ପାଇଛି । ବହୁତ ଡେରିରେ ଆସି ପହଞ୍ଚିଲା ।” ନିଦ୍ରିତ ଭଣଜା ପିଲାଟିକି ଚୁମା ଦେଇ ଚେତା କରିଦେଲେ । ଭଉଣୀ ଧଡ଼୍ ପଡ଼୍ ହୋଇ ଉଠିବସି ନିଦ୍ରାଳୁ ଆଖିରେ ଯିମିତି ଦେଖି ଦେଇଛି ତାକୁ ଡାହାଣୀ ଭ୍ରମ ହେଲା ବୋଧହୁଏ । ପଚାରିଲା “ଏ କ’ଣ କରୁଛ ? ନିଦେଇଲା ଛୁଆକୁ ଚୁମା ଦିଅନ୍ତି-?” ଶ୍ରୀମତୀ ସରକାର କହିଲେ, “ଓଇ ଛେଲେଟାକୁ କେତେ ଖୋଜିଲିଣି । ଏଥର ପାଇଛି । ୟାକୁ ଏଠି ଲୁଚାଇଛ ? ମୋ ମନ କଥା କେହି ବୁଝିବେ ନାହିଁ ।” ଭଉଣୀ କହିଲା, “କାହାକୁ ଖୋଜୁଛ-? ଏ ପରା ମୋର ସାନପୁଅ କୁନୁ ।”

 

“କ’ଣ କହିଲ ? କୁନୁ ! ମୁନୁ ନୁହେଁ ?”

 

“କେଉଁ ମୁନୁକୁ ଖୋଜୁଛ ।”

 

“କାକାହିଁକି ? ଶତପଥୀବାବୁର ମୁନୁ । ମୋର ମୁନୁ । ତା’ ବାପା, ଭାଇ, ଭଉଣୀ, ସମସ୍ତେ କହିଛନ୍ତି ସେ ଆସିବ ବୋଲି । ଏଇ ତ ମୁନୁ । ଅବିକଳ ତା’ରି ପରି । କୁଞ୍ଚିକୁଞ୍ଚିଆ ଚୂଳ, ଉଞ୍ଚା କପାଳ, ଖଣ୍ଡାଧାର ପରି ନାକ ।”

 

ବିରକ୍ତିସୂଚକ ଗଳାରେ ପାଟି କରି ଭଉଣୀ କହିଲା, “ପାଗଲୀ ନା କ’ଣ ? ମୁନୁକୁ ଖୋଜୁଛ ? ସେ ପରା ତିନି ବରଷ ହେଲା ବାଡ଼ିପଛ ପୋଖରୀରେ ବୁଡ଼ି ମରିଯାଇଛି ।”

 

ଯନ୍ତ୍ରଚାଳିତ ପରି ସେ ଭଉଣୀର କଥାଗୁଡ଼ାକ ପୁନରାବୃତ୍ତି କରି କହିଲେ, ‘ତିନି ବରଷ ହେଲା ବାଡ଼ିପଛ ପୋଖରୀରେ ବୁଡ଼ି ମରିଯାଇଛି । ଶତପଥୀବାବୁର ମୁନୁ ପାଣିରେ ବୁଡ଼ି ମରିଯାଇଛି ।”

 

“ହଁ, ହଁ, ମୁନୁ ବୁଡ଼ିଯାଇଛି ।” ଜୋର୍ ଦେଇ ପାଟି କରି ଭଉଣୀ ଯିମିତି କହିଛି ଶ୍ରୀମତୀ ସରକାର ଠାଏଁ ଢଳିପଡ଼ିଗଲେ । ଉତ୍ସବର ଲକ୍ଷ ଲକ୍ଷଆଲୁଅ ଲିଭିଗଲା ମୁହୂର୍ତ୍ତକେ । ମିଠାଇ ହାଣ୍ଡିଟାଏ ଭାଙ୍ଗି ଚୂରମାର ହୋଇଗଲା ।

କିଂକର୍ତ୍ତବ୍ୟବିମୂଢ଼ ହୋଇ ଭଉଣୀଟି ମୋ ପାଖକୁ ସିଧା ଧାଇଁ ଆସିଲା । କହିଲା, “ନନା-! ଆସ ଦେଖିବ କିଏ ଜଣେ ସ୍ତ୍ରୀଲୋକ ସେ ଘରେ ମୂର୍ଚ୍ଛା ହୋଇ ପଡ଼ିଛି । ସେ ମୁନୁକୁ ଖୋଜୁଥିଲା । ଆମ କୁନୁକୁ ମୁନୁ ଭାବି ଚୁମା ଦେଉଥିଲା । ପାଗଲୀ ନା ଡାଆଣୀ ମୋତେ ଡର ମାଡ଼ିଲା । ମୁଁ ଯିମିତି କହି ଦେଇଛି ମୁନୁ ତିନି ବରଷ ହେଲା ପୋଖରୀରେ ବୁଡ଼ି ଚାଲି ଗଲାଣି, ସେ ଦୁଲଦାଲ ହୋଇ ତଳେ କଚାଡ଼ି ପଡ଼ିଗଲା । ଡାକିଲେ, ହଲେଇଲେ ହଲଚଲ ନାହିଁ ।”

ମୁଁ କ୍ଷଣେ ଜାଣିପାରିଲି ସର୍ବନାଶ ହୋଇଛି । ନିର୍ମମ ସତ୍ୟକୁ ଲୁଚାଇବାର ଆମର ଯାବତୀୟ ପ୍ରୟାସ ପଣ୍ଡ ହୋଇଛି । ଦିନେ ନା ଦିନେ ଏମିତି ହୋଇଥାନ୍ତା; କିନ୍ତୁ ଆଜି ଦିନଟାରେ ଅନ୍ତତଃ...

ତରବର ହୋଇ ଉଠିଗଲି ଶ୍ରୀମତୀ ସରକାରଙ୍କ ପାଖକୁ । କାହାକୁ ଡାକିଲି ନାହିଁ । ମୁହଁରେ ପାଣି ଦେଇ ଟେବୁଲ ପଙ୍ଖାଟାକୁ ଦଣ୍ଡେ ଯାଏଁ ତାଙ୍କ ଆଡ଼କୁ ବୁଲାଇ ଦେଲି । ଆଖି ଫିଟାଇଲେ ସେ । କି ଆଖି ! ସଦ୍ୟ ପୁତ୍ରସନ୍ତାନ ହରାଇଥିବା ବତ୍ସଳା ଜନନୀ ପରି; ଆତଙ୍କ ଭୟ ମିଶ୍ରିତ ଶୋକାର୍ତ୍ତ ଚକ୍ଷୁ । ମୋତେବି ଭୟ ଲାଗିଲା । ଯିମିତି ମୋ ପାଟିରୁ ବାହାରିଛି କ’ଣ ହେଲା-?” ସେ ଧଡ଼ପଡ଼ ହୋଇ ଉଠିବସି ଏମିତି ବୁକୁଫଟା ଆର୍ତ୍ତନାଦ ଚିତ୍କାରଟାଏ କଲେ ଯେ ଯେତେ ଯେତେ ମୁର୍ଦାର ଇଲାକାରେ ଥିଲେ ପ୍ରଳୟକାଳୀନ ତୁରୀନାଦ ଶ୍ରବଣରେ ଥରି ଥରି ଉଠି ବସିଲେ ଯିମିତି ।

“ଓଇ ଛେଲେଟା କୋଇ ? କାହିଁ ଓଇ ଛେଲେଟା ? ଆମାର ଛେଲେ କୋଇ ? ତୋମାର ଛେଲେ କୋଇ ? ମୁନୁ କୋଇ ? ନନୀ ଗୋପାଲ କୋଇ ? ସମସ୍ତେ ମିଳିମିଶି ମୁନୁକୁ, ନନୀକୁ, ମୋ ଛୁଆକୁ ତୁମ ଛୁଆକୁ ବୁଡ଼ାଇ ମାରିଛନ୍ତି, ଖାଇଛନ୍ତି ।” ସ୍ଵରୂପା, ସୌମ୍ୟା, ସ୍ନିଗ୍‌ଧା, ଦେବୀ ସ୍ଵରୂପା, ମାତୃମୂର୍ତ୍ତିର ଏ କି ବିରୂପଦଂଷ୍ଟ୍ରା କରାଳ, ବିକଟ ଛବି ।

 

ଦଶବର୍ଷ ପୂର୍ବେ ଶ୍ରୀମତୀ ସରକାରଙ୍କ ଏଇ ରୂପ ସାଇପଡ଼ିଶା ଦେଖିଥିଲେ ତାଙ୍କର ଏଇ ନୂଆ ଘରକୁ ଆସିବାବେଳେ । ସରକାର ପରିବାର ଥିଲେ ସୁଦୂର ମଫସଲର ବିଲବଣ ଘେରା ସମୁଦ୍ରକୂଳିଆ ଗାଁରେ । ସେଇଠି ଅତର୍କିତରେ ତାଙ୍କର ପାଞ୍ଚବର୍ଷର ପୁଅ ନନୀଗୋପାଳ ବାଡ଼ି ପଛପଟ ପୋଖରୀରେ ଜଳସମାଧି ଲାଭ କରିଥିଲା । ପୁତ୍ରବିଧୁରା ଶ୍ରୀମତୀ ସରକାର ପାଗଳୀ ହୋଇ ଏଣେତେଣେ ଧାଇଁ ବୁଲୁଥିଲେ ଏବଂ ଆତ୍ମହତ୍ୟାର ନାନା ପନ୍ଥା ଖୋଜୁଥିଲେ । ସେଇ ଅବସ୍ଥାରେ ସରକାର ପରିବାର ଏଇ ଘରକୁ ଆସିଥିଲେ, ସ୍ଥାନ ପରିବର୍ତ୍ତନ କଲେ ମନ ପରିବର୍ତ୍ତନ ହୋଇପାରେ ଭାବି । ତାଙ୍କ ସ୍ଵାମୀ ସେଠାକାର ସମ୍ପତ୍ତି ବିକିଦେଇ ସହରରେ ଏଇ ଘରଟି କିଣି ଉଠି ଆସିଥିଲେ ।

 

ଆମେ ଆସିଲା ବେଳକୁ ମଧ୍ୟ ଶ୍ରୀମତୀ ସରକାରଙ୍କ ମାନସିକ ବିକୃତି ଥିଲା । ସର୍ବଦା ନୀରବ ରହି କେତେବେଳେ ଅର୍ଥହୀନ କେତେବେଳେ ବିସ୍ମୟାନ୍ଵିତ ଦୃଷ୍ଟିରେ କାହାକୁ ଖୋଜି ବୁଲୁଥିଲେ । କିନ୍ତୁ କି ଆଶ୍ଚର୍ଯ୍ୟ କଥା; ମୁଁ ଆସି ତାଙ୍କ ଘରେ ଭଡ଼ାଟିଆ ହୋଇ ରହିବାର କେତୁଟା ଦିନରେ ତାଙ୍କ ଅବସ୍ଥାର ଅଭାବନୀୟ ପରିବର୍ତ୍ତନ ଘଟିଲା । ମୋର ଦେଢ଼ବର୍ଷର ମାତୃହରା ଶିଶୁ ପୁତ୍ରର ଆକସ୍ମିକ ଆବିର୍ଭାବ ତାଙ୍କୁ ନିଜ ସନ୍ତାନ ଫେରି ପାଇବାର ଭ୍ରମ ଦେଇଥିଲା ବୋଧହୁଏ । ପ୍ରଥମେ ପ୍ରଥମେ ମୁଁ ଡରୁଥିଲି ମୋ ଶିଶୁ ପୁତ୍ରକୁ ତାଙ୍କ ହାତକୁ ଦେବାକୁ । ମାତ୍ର ବିଧିର କି ବିଚିତ୍ର ବିରଚନ ! ମୋର ଶିଶୁପୁତ୍ର ମାଆ ହରାଇ ନୂଆ ମାଆ ପାଇଲା ପରି ଆଉ ଜଣେ ମାଆ ପୁତ୍ର ହରାଇ ନୂଆ ପୁତ୍ର ପାଇବାର ଆନନ୍ଦ ପାଇଲା; ମାତ୍ର ସେଇ ବିଧିର କି ଅଘଟଣ, ଭାଗ୍ୟର କି ବିଡ଼ମ୍ବନା ! ମୋର ଶିଶୁପୁତ୍ରବି ତିନି ବରଷ ତଳେ ଶ୍ରୀମତୀ ସରକାରଙ୍କ ପୁତ୍ର ପରି ସଲୀଳ ସମାଧି ଲାଭ କଲା ।

 

କାଳେ ଶ୍ରୀମତୀ ସରକାର ‘ମୁନୁ’ର ତିରୋଧାନ ସମ୍ବାଦରେ ବିହ୍ଵଳା ହେବେ ଏବଂ ପୁଣି ତାଙ୍କର ମସ୍ତିଷ୍କ ବିକୃତି ଦେଖା ଦେବ, ସେଇ ଭୟରେ ଆମେ ସମସ୍ତେ ତାଙ୍କର ପ୍ରଶ୍ନର ଉତ୍ତର ଏମିତି ଦେଉଁ ଯିମିତି ସେ ଜାଣିବେ ମୁନୁ ଅନ୍ୟତ୍ର ରହୁଛି, ବଢ଼ୁଛି ଏପରିକି ପଢ଼ୁଛି । ନବାଗତ ନବାଗତାଙ୍କୁ ଆମେ ବାରମ୍ବାର ସତର୍କ କରିଦେଉଥାଉଁ ଯିମିତି ସେମାନେ କଦାପି ଭୁଲ୍‍ରେବି ‘ମୁନୁ’ର ମୃତ୍ୟୁ କଥା ଶ୍ରୀମତୀ ସରକାରଙ୍କ ଆଗରେ ପ୍ରକାଶ ନ କରନ୍ତି । ଆଗନ୍ତୁକା ଭଉଣୀଟିକି କେହି ଏ ବିଷୟରେ କିଛି କହିବାକୁ ସୁଯୋଗ ବା ବେଳ ପାଇ ନଥିଲେ । ଭଉଣୀଟି ସତ କଥାଟି କହିଦେଇଛି ଏବଂ ଯେଉଁ ଭ୍ରାନ୍ତି ମଧ୍ୟରେ ଥାଇ ଶ୍ରୀମତୀ ସରକାର ସୁସ୍ଥା ଥିଲେ ତାହା ଦୂରୀଭୂତ ହୋଇ ଯାଆନ୍ତେ, ନଗ୍ନ ବାସ୍ତବତା ପୁନଶ୍ଚ ତାଙ୍କୁ ଟାଣିନେଇଛି ସେଇ ରାଜ୍ୟକୁ, ଯେଉଁଠି ବାସ୍ତବତା ଭ୍ରାନ୍ତି ଓ ଭ୍ରାନ୍ତି ବାସ୍ତବ ବୋଲି ପ୍ରତୀୟମାନ ହୁଏ ବା ଭ୍ରାନ୍ତି ଓ ବାସ୍ତବତାର ବ୍ୟବଧାନ ଓ ସୀମାରେଖା ପ୍ରାୟ ନ ଥାଏ ।

 

ଭୋର ହେଲା । ନୂଆ ସମୁଦିଙ୍କ ତେଣେ ଚିତ୍କାର ଶୁଭିଲା, “ବାରିକ ଯା, ଯା, ଭିତରେ କହିବୁ ଶୀଘ୍ର ବରକନ୍ୟା ବିଦାୟ ବ୍ୟବସ୍ଥା କରିବେ ।” ତାଙ୍କ ଆଖିରେ ନିଦ ନାହିଁ, ପୁତ୍ର ପୁତ୍ରବଧୂ ନେଇ ସଗୌରବେ ବିଜୟୋଲ୍ଲାସରେ ସ୍ଵଦେଶକୁ ଫେରିବେ । ମୋରବି ନିଦ ନାହିଁ । ରାତି ପହିଲେ ଗୁରୁବାର । ଜିନିଷପତ୍ର ସବୁ ସଜାସଜି ସରିଛି । ବରଯାତ୍ରୀ ଦାନ୍ତପତ୍ର ଘଷିବେ, ଚା’ ଖାଇବେ, ବରକନ୍ୟା କଉଡ଼ି ଖେଳିବେ । ସୂର୍ଯ୍ୟ ନ ଉଠୁଣୁ ବାହାରିଯିବେ । ଜିନିଷପତ୍ର ଫେରାଇବା କାମ ଉପରବେଳା କଥା ।

 

ସବୁଠାରୁ ବଡ଼ ବୋଝ, ଭାରି ଦାୟିତ୍ଵ ହେଲେ ଶ୍ରୀମତୀ ସରକାର । ବରଯାତ୍ରୀ, ଅତିଥି, ଅଭ୍ୟାଗତଙ୍କ ଆଗରେ ପାଗଳିନୀ ହୋଇ ଯଦି ନାଚକୁଦ ଧାଁଧପଡ଼ ଆରମ୍ଭ କରି ଦିଅନ୍ତି ତେବେ ନିହାତି କରୁଣ ପରିସମାପ୍ତି ହେବ ଏ ମହୋତ୍ସବର । ତେଣୁ ବଡ଼ଝିଅକୁ ପଠାଇ ତାଙ୍କ ସ୍ଵାମୀଙ୍କି ଉପର ମହଲାରୁ ଡକାଇଲି ଓ ତାଙ୍କୁ ଚୁମ୍ବକରେ ସବୁକଥା କହିଦେଲି ।

 

ସରକାର ବାବୁ ଓ ତାଙ୍କ ବଡ଼ପୁଅ ଧରାଧରି ଟଣାଟଣି କରି ଶ୍ରୀମତୀ ସରକାରଙ୍କୁ ଉପର ମହଲାକୁ ନେଉଥିଲାବେଳେ ସେ କେତେବେଳେ ମୃଦୁ ସ୍ଵରରେ କେତେବେଳେ ଅବା ବଡ଼ ପାଟିକରି କହୁଥାନ୍ତି “ଓଇ ଛେଲେଟା”; କେଉଁଠି ପିଲାଟିଏ ଶୋଇଛି ଦେଖିଲେ କହନ୍ତି ‘ଏଇତ’ ନ ହେଲେ ‘ଓଇଯେ’ । ସେ ଚାଲିଯିବା ପରେ ଆମ ବନ୍ଧୁବାସ କୁଟୁମ୍ବ ମହଲରେ ଘଟଣା ପ୍ରସାରିତ, ଆଲୋଚିତ ହେଲା । କିଏ ଟ୍ରେଜେଡ଼ି କିଏ ବା କମେଡ଼ି ଆକାରରେ ଘଟଣାକୁ ଦେଖିଲା ।

 

ମୁଁ ଅପରାଧୀ ଭଳି ଛିଡ଼ା ହୋଇଥାଏ । କେତେବେଳେ ବା ଆତ୍ମସ୍ଥ ହୋଇ ଭାବୁଥାଏ କେତେଦୂର ମୁଁ ଦାୟୀ ଏ ଦୁର୍ବିପାକ ପାଇଁ, ଶ୍ରୀମତୀ ସରକାରଙ୍କ ମାନସିକ ବିପର୍ଯ୍ୟୟ ପାଇଁ ।

 

ବଡ଼ ବଡ଼ ଭାରି ଜିନିଷ ଟ୍ରେନରେ ଆଗରୁ ପଠା ସରିଥାଏ । ସାମାନ୍ୟ ହାଲୁକା ଜିନିଷପତ୍ର; ବାକ୍ସ ଓ ମିଠେଇ ହାଣ୍ଡି ଅଳ୍ପକେ କାର୍‌ ଓ ଟେକ୍‌ସିରେ ପୂରାଇ ଦିଆଗଲା । ଯେଉଁ ଝିଅ କେବେ ଓଢ଼ଣା ନ ଟାଣି ଲମ୍ବା ସାପ ବେଣୀଟାଏ ଛାଡ଼ି ମୁଣ୍ଡ ଉଚ୍ଚ କରି ହରିଣୀ ପରି ନିଃସଙ୍କୋଚରେ ସାଇରେ ଡେଇଁ ବୁଲୁଥିଲା ସେ ଯେତେବେଳେ ଜୁଡ଼ା ବାନ୍ଧି, ନାନା ଅଳଙ୍କାରଭୂଷିତା ହୋଇ ସିନ୍ଦୂର କଜ୍ଜ୍ୱଳ ହଳଦି ସିନ୍ଥୀ ଲଗାଇ ବରବଧୂ ରୂପରେ ମୋ ପାଦତଳେ ମୁଣ୍ଡ ଥୋଇ ସାଶ୍ରୁଳ ବିଦାୟ ନେଲା (କେଉଁ ବାପ ସେ ଛବି ଭୁଲି ପାରିବ ?) ସେତିକିବେଳେ ମୁଁ ଶୁଣି ପାରିଲି ଉପର ମହଲାରୁ ଶ୍ରୀମତୀ ସରକାରଙ୍କ “ଓଇ ଛେଲେଟା କୋଥାୟ” “ଓ ତ ଏଲୋନା” ଚିତ୍କାର । ମୋତେ ଜଣାଗଲା ଯିମିତି ସ୍ଵର୍ଗରେ ଥାଇ ମୋର ସ୍ଵଗତା ପତ୍ନୀ କହୁଛି “କାହିଁ, ମୋର ମୁନୁ କାହିଁ ?” “ତାକୁ ଦେଇ ଆସିଥିଲି, ବଞ୍ଚାଇ ରଖି ପାରିଲ ନାହିଁ !” ବରକନ୍ୟା ଗାଡ଼ିରେ ବସିଲାବେଳକୁ ଯେତେ ଯେତେ ନାରୀ ଅଶ୍ରୁ ବିସର୍ଜନ କରୁଥିଲେ ତାଙ୍କୁ ଦେଖି ଭାବିଲି ଦୁନିଆଯାକର ସନ୍ତାନହରା ମାତା ଭ୍ରାତୃହରା ଭଗିନୀ ଯିମିତି କାନ୍ଦି କାନ୍ଦି ଖୋଜୁଛନ୍ତି ମୁଁ ଓ ଶ୍ରୀମତୀ ସରକାର ହରାଇଥିବା, ମୋ ଛୁଆପିଲାଏ ହରାଇଥିବା ସେଇ ପିଲାଟିକୁ, ଶ୍ରୀମତୀ ସରକାର ହରାଇଥିବା ‘ଓଇ ଛେଲେଟାକୁ’ ।

 

ବର ପକ୍ଷ ଭାବିଲେ ତାଙ୍କ ବଧୂଟିକୁ ତା’ ବାପା, ଆତ୍ମୀୟସ୍ଵଜନ ସାଇପଡ଼ିଶା ଭାରି ଭଲ ପାଉଥିଲେ, ନହେଲେ ଏତେ ଅଶ୍ରୁ କାହିଁକି ଝରୁଛି ? ବରକନ୍ୟାଙ୍କ ଗାଡ଼ିଟା ଅପସରି ଯାଆନ୍ତେ ଦେଖିଲି ବଡ଼ ବଡ଼ ଅକ୍ଷରରେ ଶିଶୁମାନଙ୍କର ଦ୍ଵାରା ଅଭିନୀତ ଥିଏଟର ବିଜ୍ଞାପନଟା ‘ଶେଷ ଅଶ୍ରୁ’ ।

 

ଜବାକୁସୁମ ସଙ୍କାଶ ଧ୍ଵନ୍ତାରିଙ୍କ ଅରୁଣ ଆଭା ପ୍ରକଟିତ ହେଲା । ସେଇ ଅରୁଣାଲୋକ ସହିତ ଶୀତଳ ପବନରେ ଉପରୁ ଭାସି ଆସୁଥିଲା ସେଇ ମର୍ମନ୍ତୁଦ ଚିତ୍କାର “ଓଇ ଛେଲେଟା”, “ଓଇ ଛେଲେଟା” ।

Image

 

ଗଙ୍ଗା ଓ ଗାଙ୍ଗୀ

 

“ଦେ ଦେ, ତୁ ଆଗ ମଶିଣାଟା ପାରିଦେ ତ ।” ଧଇଁ ସଇଁ ହୋଇ ଅନୁଚ୍ଚ ପିଣ୍ଡା ଉପରକୁ ଉଠିଲାମାତ୍ରେ ଗଙ୍ଗା କହିଲା ।

 

ଅନ୍ଧାରୁଆ ଝାଟିମାଟିର ପଲାଘର ଭିତରେ ବସି ଶିବୁ ବୁଢ଼ା ଢୁଳାଉଥିଲା ଅଫିମିଆଙ୍କ ପରି । କେତେବେଳେ କିମିତି ମଶାଟାଏ ଯଦି ବୁଢ଼ା ଚମଡ଼ା ଭିତରକୁ ଇଞ୍ଜେକ୍‌ସନ ଛୁଞ୍ଚିଟା ପୂରାଇଦେଇ ପାରିଲା ସେତିକିବେଳେ ଠାଏ ଠାଏ କରି ସେ ଅନ୍ଦାଜରେ ଏଠିସେଠି ଜାଗା ଅଜାଗାରେ ବାଡ଼େଇ ହେଉଥିଲା । ଗଙ୍ଗାର ଗଳା ଶୁଣି ଟିକିଏ ଧଡ଼ପଡ଼େଇ ଉଠି ବସିଲା ଶିବୁ, ଗଙ୍ଗାକୁ ସ୍ଵାଗତ ଜଣେଇବା ପାଇଁ ।

 

ଡାହାଣୀ ଚିରୁଗୁଣୀ କି ପିତାଶୁଣି ପରି ଚେହେରା କରି ଗଙ୍ଗା ଘରଭିତରକୁ ପାଦ ଦେଇଛି କି ନାହିଁ ବୁଢ଼ା ତରବରରେ ବାଆଁ ହାତ ବଢ଼ାଇ ତାଟିକଣରୁ ଛିଣ୍ଡା ସଉପକୁ ଓଟାରି ଆଣି ସେଇଠି ହାତ ପାଖରେ ତଳେ ପାରିଦେଲା । ଆଦୌ ବୋତାମ ନ ଥିବା ରଙ୍ଗଛଡ଼ା, ମାଗିଅଣା ବ୍ଳାଉସ୍‌ର ଆଗପଟୁ ସେଫ୍‌ଟିପିନଟା ଗଙ୍ଗା ତରବରରେ ବାହାର କରି ବାଁ ହାତର କେତୁଟା ରେଶମୀ କାଚରେ ଲଟକାଇ ଦେଲା । ଝାଳୁଆ ବ୍ଲାଉସ୍‌ଟାକୁ ଫୋପାଡ଼ିଦେଇ ଅଧା କଞ୍ଚା ଅଧା ପାକଲା ଚୂଳଗୁଡ଼ାକୁ କେରାକେରା କରି ଖେଳାଇ ପେଟେଇ ପଡ଼ିଗଲା, ଅଣ୍ଟାତଳକୁ ମସିଆ ଶାଢ଼ିଟାକୁ ପେଲିଦେଇ, ଝାମ୍ପୁଡ଼ା ମୁଣ୍ଡଟାକୁ ଅସ୍ଥିଚର୍ମସାର ବାହୁର ତକିଆ ଉପରେ ଥୋଇ । ଦଶ ବାର ବର୍ଷର ଝିଅ ଚେମଟି ବସିପଡ଼ିଲା ମାଆ ଗୋଡ଼କୁ ଲାଗି ।

 

“ଦେ ଦେ ଅଣ୍ଟାକମରଟା ଆଗ ଖୁବ୍‌ ଜୋରେ ଚିପି ମାଡ଼ିଦେ ତ । ବଡ଼ ଖେଞ୍ଚୁଛି । ମୁଣ୍ଡଟାବି ଟିପିଦେ, ବାବା ! କି କଷ୍ଟ ।”

 

ଆଜ୍ଞାକାରୀ ଭୃତ୍ୟ ପରି ବୁଢ଼ା ଲାଗି ପଡ଼ିଲା, ଗଙ୍ଗାର ଅଣ୍ଟାମୁଣ୍ଡ ଚିପାମଡ଼ା ଟିପାଟିପି କରିବାପାଇଁ । କାହିଁକି ଅଣ୍ଟାମୁଣ୍ଡ ଦିହହାତ ଘୋଳାବିନ୍ଧା କରୁଛି ସେ ବିଷୟ ସେ ପଚାରିଲା ନାହିଁ । ଅନେକ ଦିନ ସଞ୍ଜରେ ସେ ସିମିତି ଫେରେ, ସିମିତି ଅବସ୍ଥାରେବି । ଘରେ ନୁହେଁ ଦି ଘର ନୁହେଁ, ଚାରି ଚାରି ଘରେ ସେ କାମତୁଣୀ କାମ କରେ । ହାଡ଼ଭଙ୍ଗା ଖଟଣି ସକାଳୁ ସଞ୍ଜଯାଏଁ । ଆଜିକାଲି ଯେଉଁ ଯୁଗ ପଡ଼ିଲାଣି କିଏ ଭଲା ପଇସା ଦେଇ କଷି କରି କାମ ଆଦାୟ ନ କରି ଛାଡ଼ି ଦବ ? ଦୟାଧର୍ମ କଥା ଆଗକାଳିକା କଥା । ଅବଶ୍ୟ କେଉଁଦିନ କାହାଘରେ ବଳି ପଡ଼ିଲେ ବାସି ଅଇଁଠା ମିଶାମିଶି କରି ମୁଠେଅଧେ ଦିଅନ୍ତି ସିନା, କିନ୍ତୁ ହଜମ ହେଲାଯାଏଁ କାମ ଉପରେ କାମ ବରାଦ କରିବାକୁ ଛାଡ଼ନ୍ତି ନାହିଁ । ସେମାନେ ପୁଣି ବିଦେଶୀ । କିଏ ବଙ୍ଗାଳୀ ତ କିଏ ବିହାରୀ ତ କିଏ ପଞ୍ଜାବୀ । ଉପରବାଲୀ ଦେଶୀ ଆମ ଏଠିକା ଲୋକ ହେଲେବି ଦୟାମାୟା ନ ଦେଖାଇ ହାଣ୍ଡି ହାଣ୍ଡି ଧାନ ଉଷେଇଁବାକୁ ଦିଏ । ତଳବାଲୀ ମୁଖରା, ବାଲ୍‌ଟି ବାଲ୍‌ଟି ଲୁଗା କାଚିବାକୁ ଦିଏ ଯିମିତି ଗଙ୍ଗା କାମୁତୁଣୀ ନୁହେଁ, ଧୋବଣୀ । ପାଖବାଲୀର ଦିଅର ଟୋକାଟା ବାତୁଆ କେମ୍ପା, ସାପ, କୋଚିଲାଖାଇ, ଝିଟିପିଟି, କଚିମ, ଅସରପା, କଙ୍କଡ଼ାବିଛା ଆଦି ନାନା ଜୀବଜନ୍ତୁର ଆଲକାତରା ରଙ୍ଗର ଗନ୍ଧିଆ ଅପରଛନିଆ ତେଲରେ ଦିନକୁ ତିନି ତିନିଥର ମାଲିସ୍‌ କଲେବି କ୍ଷଣେ ତା’ର ‘ଗଙ୍ଗା ଗଙ୍ଗା’ ଡାକ ବନ୍ଦ ହୁଏ ନାହିଁ । ଝଡ଼ି ଝଡ଼ି ବାସନକୁସନ ସାଙ୍ଗକୁ ହଣ୍ଡା କରେଇ ଡେକ୍‌ଚି ମାଜିବା କାମ ତ ନିତିଦିନିଆ ପ୍ରତି ଘରର । ପଚା ଗାଡ଼ିଆ ପାଣିରେ ସଦାବେଳେ ଘାଣ୍ଟିଚକଟି ହୋଇ ହାତଗୋଡ଼ର ଅଙ୍ଗୁଳିସନ୍ଧିରୁ ବର୍ଷକଯାକ ପାଣିଖିଆ ଦାଗ ଲିଭିବାକୁ ନାହିଁ; ନ ଜାଣିଲା ଲୋକେ ବଡ଼ରୋଗ ବୋଲି କହିବେ । ଗଙ୍ଗାର କ’ଣ ଆଉ ବୟସ ଆସୁଛି ? ଚାଳିଶ ଛୁଇଁବ ଆଜି କି କାଲି-। ଏ ବର୍ଷର ଯେଉଁ ଅସରନ୍ତି ବର୍ଷ । ସେଥିରେ ଭିଜିତିନ୍ତି ଆଜି ସର୍ଦ୍ଦିତ କାଲି ଭାଲୁଜର । ଅଣ୍ଟାବିନ୍ଧା ତ ସ୍ତ୍ରୀଲୋକମାତ୍ରେ ଭୋଗନ୍ତି । କାହାର ଅଣ୍ଟାପିଚା ମୋଟା ମାଉଁସିଆ ବୋଲି ଘୋଳା ବିନ୍ଧା ତ କାହାର ଖାଲି ହାଡ଼ଚମ ବୋଲି ଅଳ୍ପ ପରିଶ୍ରମରେ ଭାଙ୍ଗି ଭାଙ୍ଗି ପଡ଼େ ।

 

‘‘ଚିପୁଛୁ ନା ଆଉଁଶୁଛୁ । ହାତର ବଳ ସବୁ ଗଲା କୁଆଡ଼େ ?’’ ଗଙ୍ଗା ସେ ହାତର ବଳ କଷିଛି । ଦିନ ଥିଲା ସେଇ ହାତ ଗଙ୍ଗାକୁ ଜାବୁଡ଼ି ଧଇଲେ ହାଡ଼ ବାଙ୍କି ଯାଏଁ, ପଞ୍ଜରାହାଡ଼ କଡ଼ମଡ଼ କରେ । ଗଙ୍ଗା ଅତିଷ୍ଠ ହୁଏ ‘ଓଃ ଆଃ ଛାଡ଼ ଛାଡ଼’ ଚିତ୍କାର କରେ । ଦିନ ଥିଲା ଗୋଟାଏ ହାତରେ ଗଙ୍ଗାର ଅଣ୍ଟାକୁ ଧରି ଶିବୁ ତାକୁ ଚକପରି ବୁଲାଉ ଥିଲା । ଏକା ଓଳିକେ ଶଗଡ଼େ ଦି ଶଗଡ଼ କାଠ ଚିରି ପାରୁଥିଲା ସେଇ ହାତ । ଥରେ ମାରଣା ଜୁଆନ୍ ଷଣ୍ଢଟାର ଶିଙ୍ଗକୁ ଧରି ପେଲି ପେଲି ନେଇ ଗୋଟାଏ ଖାତରେ ପକାଇ ଦେଇଥିଲା ଏଇ ଶିବୁ ।

 

ଆଜି ସେ ସତୁରିବର୍ଷର ବୁଢ଼ା । ପ୍ରଥମ ଭାରିଯା ଗୋଟାଏ ପୁଅକୁ ଛାଡ଼ି ଚାଲିଯିବାର ବହୁବର୍ଷ ପରେ ସେ ଗଙ୍ଗାକୁ ଦ୍ଵିତୀୟ କରିଛି । ତାକୁ ପାଇବା ପଛରେବି ରୋମାନ୍‌ସ ଥିଲା; କିନ୍ତୁ ଭାଗ୍ୟର ବିଡ଼ମ୍ବନା ଶିବୁ ବେମାରିଆ ହୋଇଗଲା । ସେ ଗତରକୁଢ଼ୀ ନୁହେଁ । ଟିକିଏ ଭଲ ଲାଗିଲେ ତା’ ହାତଗୋଡ଼ କଥା କହନ୍ତି । ବିଲ କାମ ଲାଗିଲେ ସେ ରହିପାରେ ନାହିଁ । ରୋଜଗାରକୁ ବାହାରିପଡ଼େ । ହେଲେ, ଗଙ୍ଗାର ଧନ୍ଦା, ପରିଶ୍ରମ, ଓ ବୁଦ୍ଧିରେ ତା’ ସଂସାର ଚଳେ । ଏବେ ଘର ଜଗିବା ଛଡ଼ା ବୁଢ଼ାର ଅନ୍ୟ କାମ ନାହିଁ ।

 

ଘର କହିଲେ ଆଠ ହାତରେ ଆଠହାତ, ସନ୍ତସନ୍ତିଆ ମାଟିଚାଳ କୋଠରିଟା । ହାତିକିଆ ପିଣ୍ଡା ଚାଖଣ୍ଡେ ଉଚ୍ଚ । ପଦାକୁ ଯିବ ବୋଲି ଯେଉଁ ଜାଗା ତାହା ଖୋଲା ସର୍ବସାଧାରଣ ରାସ୍ତା । ବହୁ କଷ୍ଟରେ ପୁଣି ଏ ପଲାଖଣ୍ଡି ମିଳିଛି । ଭାଗବତବାବୁ ଓକିଲଙ୍କ ପିଣ୍ଡାରେ ଛ’ମାସ କଟିଲା । ଦୈବାତ ଟୋକୀ କାମୁତୁଣୀଟା ନୂଆ ଏସ. ଡି. ଓ ଙ୍କ ଆଉଟ୍‌ ହାଉସ୍‌କୁ ଚାଲିଗଲା ବୋଲି ଏ ଘରଟା ମାସକୁ ଆଠଟଙ୍କାରେ ଦେଇ ଯାଇଛି । ଘରେ ସମ୍ପତ୍ତି ବୋଇଲେ କଳା ହାଣ୍ଡିଟାଏ, ମଙ୍ଗଭଙ୍ଗା କଳସି ଗୋଟେ, ମୁଣ୍ଡି ଛାଞ୍ଚୁଣି, ଛିଣ୍ଡା ମଶିଣାଟି ଆଉ କେତୁଟା ଗୋବରଟିକିଆ, ଚୁଲି କେଉଁଦିନ ଜଳ, କେଉଁଦିନ ନାହିଁ । ଏ ବର୍ଷ ଯେଉଁ ଝଡ଼ିବର୍ଷା ଚୁଲିରେ ନିଆଁ ଧରାଇବାବି କାଠିକର ପାଠ । ରାତିରେ ଯଦି ସଡ଼କର ବିଜୁଳିବତି ନ ଜଳେ ତେବେ ଘର ଅନ୍ଧାର । ପହିଲା ବଜାରରେ କିରାସିନି ଟୋପାଏ ଅଧେ ଯେବେ ଭଙ୍ଗା ବୋତଲରେ ଥାଏ ତ ତେବେ ଘଡ଼ିଏ ଅଧେ ଡିବିରି ଜଳେ । ତା’ ନ ହେଲେ ବାଁ ହାତରେ ଜଳନ୍ତା ଟିକିଆ ବା ନିଆଁ ଖୁଣ୍ଟାଟା ହଲାଇ ହଲାଇ ଓଳିକିଆ ପଖାଳ ପେଜ ତୋରାଣିଖିଆ ସାରିଦିଅନ୍ତି ।

 

ବୁଢ଼ା ଆଣ୍ଠେଇ ଗଙ୍ଗାର ପିଠି ପିଚା ଘଷି ସାରିଲାବେଳକୁ ଚେମଟୀ ନିଘୋଡ଼ ନିଦରେ ଶୋଇ ଯାଇଥିଲା, ମାଆର ନଳୀଗୋଡ଼କୁ ତକିଆ କରି । ଗଙ୍ଗାର ଗୋଡ଼ ଦୁଇଟାକୁ ଘଷିଦବ ଭାବି ଶିବୁ ଝିଅର ମୁଣ୍ଡକୁ ତଳକୁ ଦେଲାବେଳେ ଶଙ୍କାକୁଳ ସ୍ଵରରେ ପଚାରିଲା ‘‘ଚେମଟୀ ଖାଇଛିନା-?’’ ଗଙ୍ଗା କେବଳ କଡ଼ ଲେଉଟେଇ ଚିତ୍‌ ହୋଇ ଶୋଇଲା ହାତ ପାପୁଲି ଛନ୍ଦି ମୁଣ୍ଡ ତା’ ଉପରେ ଦେଇ । କିଛି ଉତ୍ତର ଦେଲା ନାହିଁ । ବୁଢ଼ା ବୁଝିଗଲା; ତା’ ମନ ବେଶି ଶଙ୍କେଇଲା କାଳେ ଆହୁରି ବେଶି ଦୁଃସମ୍ବାଦ ମିଳିବ ବୋଲି ।

 

ଦଶ ଏଗାର ବର୍ଷ ହେଲେବି ଚେମଟୀ ମାଆ ପଣତ ଛାଡ଼ିବାକୁ ନାହିଁ । ବଡ଼ଘର ଝିଅ ହୋଇଥିଲେ ଆଜିକୁ ଗାଲ ମୁହଁ ଲାଲଲାଲ ଫୁଲକା ଫୁଲୁକା ଦିଶୁଥାନ୍ତି । ଫ୍ରକର ଡିଜାଇନ୍‌ ବଦଳିଥାନ୍ତା । ସ୍କୁଲ ପିଲାଏ ଚକ୍‌କର ମାରି ହୁଇସିଲ୍‌ ବଜାଇ ‘ଆଓ ପ୍ୟାର କରେ’’ ଗୀତ ଆରମ୍ଭ କରିଦେଇଥାନ୍ତେ, କିନ୍ତୁ ଚେମଟୀର ଚେହେରା ଆକୃତି ଦେଖିଲେ ଲୋକେ ତା’ ବୟସ ଛଅ ବୋଲି କହିବେ । ପାଞ୍ଚବର୍ଷ ହେଲା ସ୍କୁଲରେ ପଢ଼ୁଛି ଯେ ଦୁଇରୁ ତିନି କ୍ଲାସ ଯାଇ ନାହିଁ । ଉକୁଣୀମୁଣ୍ଡୀ, ଚୋରଣୀ ବୋଲି ତା’ର ବଦନାଆଁ, ସ୍କୁଲରେବି ସେ ନ ଥାଏ । ମାଆ ପାଖକୁ ଫେରିଆସେ । ବାସନକୁସନ ମଜାମଜି, ଘରଦ୍ଵାର ଖରକାଖରକିରେ ସେ ତାକୁ ସାହାଯ୍ୟ କରେ । ଗଛରେ ଚଢ଼ି କଷି ପିଜୁଳି ଚୋବାଇ ଭୋକମାରେ, ତରକାରୀ ପାଇଁ ଗାଡ଼ିଆରୁ ଗେଣ୍ଡା କଙ୍କଡ଼ା ଧରେ, ସୁନସୁନି ଶାଗ ସାଉଁଟେ । ମୁଢ଼ି ମୁଠେ ବା ଚଣାଭଜା ପାଞ୍ଚପଇସାର ପାଇଁ ମାଆ ପାଖରେ ଅଳି କରେ, ହଟ ଲଗାଏ, ନ ମିଳିଲେ ଗାଳିଗୁଲଜ, କଳି କରେ । ହେଲେ ବାପାମାଆଙ୍କ ଗେଲବସର ଝିଅଟି ।

 

ଚେମଟୀ କିଛି ଖାଇଛି କି ନାହିଁ, ଏ ପ୍ରଶ୍ନଟି ବୁଢ଼ା ପଚାରିବାରେ ଯଥେଷ୍ଟ ତାତ୍ପର୍ଯ୍ୟ ଥିଲା-। ଆଜି ସକାଳେ କାହା ପେଟକୁ ଦାନାପାଣି ଯାଇ ନଥିଲା । ଛକରେ ବାୟା ଯେଉଁ ପାନ, ଚା’ ଦୋକାନ କରିଛି ବୁଢ଼ା ସେଇଠି ବସାବସି କରେ, ଚା’ କପପ୍ଲେଟ୍‌ ଧୁଆଧୋଇ କରେ, ଦୋକାନରୁ ମାଗି ଅଣା ଚା’ ସିଠାକୁ ପୁଣି ଫୁଟାଇ ଜମାଟବନ୍ଧା ଗନ୍ଧିଆ ଗୁଣ୍ଡଦୁଧରୁ ଚକତିଏ ଦେଇ ଟୋପାଏ ଅଧେ ଗୁଡ଼ ମିଶାଇ ତିନିହେଁ ଚା’ ଖାଇ ଯେଝା କାମକୁ ଯାଇଥିଲେ । ପାଞ୍ଚ ପଇସାର ମତିହାରି ଧୂଆଁ ପତ୍ରକୁ ଅଧାଅଧା କରି ଶିବୁ ଓ ଗଙ୍ଗା ଲୁଗାକାନିରେ ଗଣ୍ଠେଇ ସୂର୍ଯ୍ୟ ଦେବଙ୍କୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ପରସ୍ପରକୁ ବିଦାୟ ଦେଇଥିଲେ । ତା’ପରେ ଦିନଯାକ ଅନ୍ଧାର । ରାସ୍ତାର ଆଲୁଅରେ ବର୍ତ୍ତମାନ ସାମନାଟା ଖୁବ୍‌ ଆଲୋକିତ ହେଲେବି କୋଠରି ଭିତରର ଅନ୍ଧାରୁଆ ପରିବେଶରେ ମଶାଣି ସରଞ୍ଜାମ ଲଗାଲଗି ହୋଇ ରହିଥିବା ତିନିଟା ଜୀବକୁ ଦେଖିଲେ ହରିଶ୍ଚନ୍ଦ୍ର ନାଟକର ଶ୍ମଶାନ ଦୃଶ୍ୟର ସେଟ୍‌ ପରି ଜଣାଯିବ ।

 

ପ୍ରାୟ ଘଡ଼ିଏ ଯାଏଁ ବୁଢ଼ା ହାତର ଚିପାମୋଡ଼ାଘଷା ଖାଇ ଗଙ୍ଗା ଟିକିଏ ତାଜା ହୋଇ ଉଠି ବସିଲା । କହିଲା, ବୁଢ଼ାରେ ! ବେଶ୍‌ ଚଞ୍ଚଳ ଲାଗିଲା । ହେଲେ ତଣ୍ଟିଟା ଶୁଖି ଶୁଖି ଯାଉଛି । ଏତିକିବେଳେ ଯଦି ତୋରାଣି ପାଣି ବେଲାଏ ଦେଇ ଦିଅନ୍ତୁ ତ ଦେଖନ୍ତୁ କାଲି ସକାଳୁ କିମିତି ଫେର୍ କାମକୁ ବାହାରି ଯାଆନ୍ତି । ରନ୍ଧାରନ୍ଧି କରିଛୁନା ?’’ ଗୋରୁଗାଈ ଗନ୍ଧ ବାରି ଘାସ ପାଣିର ସନ୍ଧାନ ପାଆନ୍ତି-। ଗଙ୍ଗା ଶୋଇ ଶୋଇ ପ୍ରାୟ ଜାଣିସାରିଥିଲା ଯେ ରାତିଟା ଖାଡ଼ା ଓପାସ ।

 

ବୁଢ଼ାବି ବେଶ୍‌ ଜାଣିଥିଲା ଯେ ଗଙ୍ଗା ଆସି ପହୁଞ୍ଚିଲାମାତ୍ରେ ଖାଇବାକୁ ମାଗିବ; କିନ୍ତୁ ପରିସ୍ଥିତି କିମିତି ସମ୍ଭାଳିବ ସେ ପାଇଁ ତା’ର ଭିନ୍ନ ଚିନ୍ତା ଓ ପରିକଳ୍ପନା ଥିଲା । ନିମ୍ନ ମଧ୍ୟବିତ୍ତ ଏପରିକି ମଧ୍ୟବିତ୍ତ ପରିବାରର ସ୍ଵାମୀ ସ୍ତ୍ରୀ କଠୋର କର୍ମମୟ ଦିବାବସାନରେ ଏ ନିର୍ମମ ଅବସ୍ଥାରେ ଯେବେ ମୁହାଁମୁହିଁ ହୁଅନ୍ତେ ତେବେ କଳିତକରାଳ, ରୁଷାରୁଷି ଏପରି କି ମାରପିଟ ହତ୍ୟା ପର୍ଯ୍ୟନ୍ତ ଯାଇଥାନ୍ତା ପରସ୍ପରକୁ ଦୋଷୀ ଆକ୍ଷେପ କରି । କେଉଁଠି ହୁଏତ ଆତ୍ମହତ୍ୟା ବ୍ୟବସ୍ଥା ଉଭୟେ ବା ଜଣେ କରିଥାନ୍ତେ; କିନ୍ତୁ ଅସହିଷ୍ଣୁତା ଭାବପ୍ରବଣତା ବା ପରସ୍ପର ଦୋଷଦର୍ଶିତାର ଊର୍ଦ୍ଧ୍ଵରେ ଥିଲେ ଏ ଦୁଇ ପ୍ରାଣୀ । ଶ୍ରେଣୀ-ସଂଘର୍ଷ, ସମାଜବାଦ ବା ବିଦ୍ରୋହୀ ମନୋବୃତ୍ତି ନେଇ ସମାଜ ବଦଳ କରିବା ମନ୍ତ୍ରଦିଷା ସେମାନେ ହର୍ତ୍ତା କର୍ତ୍ତା ବିଧାତାଙ୍କଠାରୁ ପାଇ ନାହାନ୍ତି (ଯାହା ତାଙ୍କ ପରବର୍ତ୍ତୀ ବଂଶଧର ପାଇବେ । ଜୀବନସ୍ରୋତରେ ସେମାନଙ୍କର ଆଉ ଫେଣ ନାହିଁ । ଅଛି ଗୋଟାଏ ପ୍ରକାର ମୂକ ଗ୍ରହଣଶୀଳତା ଅଧୀର ନିଶ୍ଚଳତା ଓ ହୃଦ୍ୟ ବୈଚିତ୍ର୍ୟହୀନତା ।
 

ବୁଢ଼ା ଗଙ୍ଗାର ରନ୍ଧାରନ୍ଧି ପ୍ରଶ୍ନର ଉତ୍ତର ଦେଇ କହିଲା, ‘‘ମଲା ! ମୁଁ ତତେ ଚାହିଁ କରି ବସିଛି କ’ଣ ଆଣିଥିବୁ ବୋଲି । ଦିନଯାକ ମୋର ଉପାସ । ପେଟକୁ ପାଣିବି ଯାଇନି, ସେଇ ଯାହା ଚାହାଟିକକ ସକାଳୁ ଦେଇଥିଲୁ ।’’

 

‘‘କି ! ଆଜିବି କାମଦାମ କିଛି ପାଇଲୁ ନାହିଁ ? ମିଲ୍‌ବାଲା ଘରକୁ ଯାଇଥିଲୁ ପରା !’’

 

‘‘ଯାଇଥିଲି । ହେଲେ ସେଠି ତ କାମ କରିବାକୁ ଲୋକ ଖୁନ୍ଦାଖୁନ୍ଦି । ଏ ବର୍ଷ ପାଣିପାଗର ସବୁ ଏକମୁସ୍ତିଆ କାମ । ରୂଆ ସରିଲା ତ ବଛା ନାହିଁ । ବନ୍ୟାରେ ଅଧେ ବିଲ ଭରପୂର । ଏ ଟୋକା ମିଲ୍‌ବାଲାଟା ଧାଙ୍ଗଡ଼ି ଧାଙ୍ଗଡ଼ି ଦେଖି କେତେଜଣ ସାନ୍ତାଳୁଣୀ ମୂଲିଆଣୀ ରଖିଲା; ମୋତେ ଫେରାଇ ଦେଇ କହିଲା, ‘ତୁ ଆଉ ଆସିବୁ ନାହିଁ, ବହୁତ ବୁଢ଼ା ହେଲୁ । ଦୁଭକ୍ଷ ବଜାରରେ ବିନା କାମରେ ବସି ଉଠି ପେଟ ପୋଷିବାକୁ ତୋତେ କିଏ ଦବ ? ଆମର ତ ମିଲ୍‌ ଦଶମାସ ବନ୍ଦ ।’ ତା’ ବୁଢ଼ାବାପ ଥିଲେ ମୋତେ ଅଲବତ୍‌ ରଖିଥାନ୍ତା, ନହେଲେ ମୁଠାଏ ଖୁଦ ହେଲେ ଦେଇଥାନ୍ତା । ତା’ର ଦୟା-ମାୟା ଥିଲା । ସେଇଠୁ ଫେରି ଆସି ଘରେ ବସିଛି ।’’ ଦଣ୍ଡେ ରହି ଫେର୍‌ କହିଲା ‘ବୟାଠୁଁ କିଲୋ ଅଧେ ଆଣିଥାନ୍ତି–ହେଲେ ତା’ର ପିଛିଲା ଉଧାର ତ ଶୁଝିନି, ମାଗିଲିନି ଭାବିଥିଲ ତୁ ଆସିଲେ...’’

 

‘‘ମୁଁ ଆସିଲେ ଚାଉଳ କିଣା ହେବ । ହାଣ୍ଡି ଚୁଲିକି ଯିବ, ଭାତ ହବ, ମୁଁ ଖାଇବି । ତୋର ଲଜ୍ଜା ନାହିଁରେ ବୁଢ଼ା କ’ଣ କହନ୍ତି...”

 

‘‘ଦେ ନା ତୁ ପଇସା ଦେ, ମୁଁ ସଙ୍ଗେ ସଙ୍ଗେ ଯାଇ ଚାଉଳ ନେଇ ଆସିବି । ଘଷି ତ ଅଛି, କାଠିକୁଟା ଗୋଟେଇ ରଖିଛି, ଦିଆସିଲି କାଠି ଦୁଇଟା ମାଗି ଆଣିଛି । ଘଡ଼ିକୁ ସବୁ ହୋଇଯିବ-।’’

 

‘‘ତୁ ଆଗ ଦୋକତାଚୂନ ଟିକେ ବାହାର କର ତ ।’’ ଗଙ୍ଗା ଜାଣିଗଲା ରାତିର ବ୍ୟବସ୍ଥା । ବୁଢ଼ା ଗଣ୍ଠି ଫିଟାଇ ଯେଉଁ ଚିମୁଟାଏ ରାତି ଖାଇବା ପରେ ପାଟିରେ ପକାଇ ଆମ୍ବିଳା ମାରିଥାନ୍ତା ତାକୁ ଗଙ୍ଗାର ପାପୁଲିରେ ସାବଧାନରେ ଥୋଇ ଦେଲା । ତଥାପି ତା’ର ଆଶା ଗଙ୍ଗା ଯା ହେଉ କୋଡ଼ିଏ ପଚିଶ ପଇସା ହେଲେ ଅଭାବକୁ ବାହାର କରିବ ।

 

ଗଙ୍ଗା ବୁଢ଼ାର ସବୁ ଆଶାକୁ ଏକାବେଳକେ ଚୂରମାର କରିବା ଗଳାରେ କହିଲା, ‘‘ମୋ ପାଖରେ ଫଟା ପଇସାଟାଏବି ନାହିଁ । ତୋ ରାଣ ।’’

 

‘‘ତିନି ଘରୁ କେହି ଘରେ ହେଲେବି ଭଲା ଟଙ୍କାଏମସାଏ ଆଗତୁରା ଦେଇଥାନ୍ତେ ।’’

 

‘‘ଦେଇଥାନ୍ତେ, ନ ଦେଇଥା’ନ୍ତେ ଅଲଗା କଥା । ମୁଁ କି ଦିଆସି ଯେ ଜାଣିଥାନ୍ତି ତୋତେ କାମ ମିଳିନି । ତା’ଛଡ଼ା ସବୁ ଦରମା ଟଙ୍କା ତ ଆଗତୁରା ଆଣି ଖାଇ ସାରିଛି । ଉପରବାଲୀ ଦେଇଛି ବାର, ବାକି ତିନି, ତଳବାଲୀ ପାଖରୁ ଆଣିଛି ଦଶ ବାକି ଦୁଇ, ଆଉ ସେ କେମ୍ପାର ଭାଉଜ ପାଖରୁ ଆଠରୁ ସାତ । ବାକି ଦରମା ସବୁ ମିଶିଲେବି ଘରଭଡ଼ା ଆଠଟଙ୍କାକୁ ନିଅଣ୍ଟ । ପୁଲିସ ନିଶ୍ଚେ ଲଗେଇବ ସେ ଘରବାଲୀ ଖାନକୀ ମାଇକୀନାଟା ଏଥର ।’’

 

‘‘କରଜ ଶୁଝି ନଥିଲେ ଏମାସ ଦୁଃଖକଷ୍ଟେ ଚଳିଯାଇ ଥା’ନ୍ତା ଓଳିଏ ଅଧେ ଉପାସ ରହି-।’’

 

‘‘କରଜ ଶୁଝିଲୁ ନା ସୁଧ ଗଣିଲୁ ? ମୂଳ ଆଉ ଶୁଝି ହବନି; ଗହଣାଗାଣ୍ଠି ବେଲାବାସନ ମହାଜନ ଘରେ ପଡ଼ିଥାଉ । ତାକୁଇ ଦେଇ ଋଣ ସୁଧମୂଳ ଦେଇଦବା । ପୁଅକୁ ଏତେ ଆଡ଼ମ୍ବର କରି ବାହା କରାଇଥିଲି ଯେ ସେ ଘରଜୋଇଁଆ ହେଲା ସମ୍ପତ୍ତି ଲୋଭରେ, ରିକ୍ସାଟଣା ଛାଡ଼ି । ଆମକୁ ପଚାରିଲା ନାହିଁ ।’’

 

‘‘ଥାଉ ଥାଉ; ରାତି ଅଧରେ ତାକୁ ଗାଳିଦେଇ କି ଲାଭ ? ଆମ କପାଳ ଆମକୁ ସିମିତି କରାଉଛି ।’’

 

‘‘ଆଚ୍ଛା ବୁଢ଼ା ! ସତ କହନି କାହିଁକି ତୁ ମୋତେ ଟାକି ବସିଥିଲୁ ? ଏତେ ଏତେ ଟଙ୍କା ଆଗତୁରା ଆଣି ମାସ ଚଳାଇଲି ତେବେବି ତୁ କିମିତି ଭାବିଲୁ ଯେ ମୁଁ ଯାହାହେଉ କିଛି ହାତରେ ଧରି ଫେରୁଛି । ଫେର୍‌ କାଠିକୁଟା ଦିଆସିଲି କାଠି ପର୍ଯ୍ୟନ୍ତ ଯୋଗାଡ଼ କରି ବସିଛୁ ।’’

 

‘‘ବେଳବୁଡ଼ତକ କିଛି ଭାବି ନଥିଲି । ସଞ୍ଜ ଟିକିଏ ବେଶି ଗଡ଼ିଲାରୁ ଭାବିଲି ତୁ ନିଶ୍ଚେ ଖାଲି ହାତରେ ଫେରିବୁ ନାହିଁ । ମୋ ମନ କଥା ସଫା ସଫା କହିଦେଲି, ରାଗିବୁ ନାହିଁ ।’’

 

‘‘ବୁଢ଼ାର ଇଙ୍ଗିତ ବୁଝିପାରି ଗଙ୍ଗା ‘ହୁଁ’ କଲା । ସାମାନ୍ୟ ଚିଡ଼ି ଯାଇଥିଲା ବୋଧହୁଏ । ‘‘କିଛି ରୋଜଗାର କରି ଫେରିଥିବି ଭାବିଥିଲୁ ?’’

 

ନିଜ କଥାର ଖିଅଧରି ବୁଢ଼ା କହିଗଲା ‘‘ଆଜି ତ ଏ ନୂଆ କଥା ନୁହେଁ । ନିତିଦିନିଆ ନ ହେଲେବି ଅଭାବକୁ କେବେ କିମିତି ଟଙ୍କାଏ ମସାଏ ଆଣିଥାଉ । ଯେବେ ଆଣିଥାଉ ସେଦିନ ଏମିତି ଟିକିଏ ଡେରିକରି ଆସୁ । ଅଣ୍ଟାପିଠି ଦରଜ ଭାଙ୍ଗିଦିଏଁ । ସତରେ ଆଜି ମୁଁ ବଡ଼ ଦମ୍ଭ ବାନ୍ଧି ବସିଥିଲି ତୁ କିଛି ନ ହେଲେ ଆଠଣିଟାଏ ଆଣିବୁ ଯିମିତି ହେଲେ ଯୋଗାଡ଼ଯନ୍ତ୍ର କରି । ଧାଇଁଯାଇ ବାୟା ଦୋକାନରୁ ଚାଉଳ ପାଏ ଅଧେ ଆଣିଥାନ୍ତି, ଦଣ୍ଡକୁ ମୁଠାଏ ଫୁଟାଇ ଦେଇଥାନ୍ତି ଯେ...’’

 

‘‘ତୁ ଆଉ ମୁଁ ପେଟେ ପେଟେ ଖାଇ ଆରାମରେ ନମ୍ବତମ୍ବ ପଡ଼ି ଯାଆନ୍ତେ । ବୁଢ଼ାରେ ! ଚିଲିକା ଚିଙ୍ଗୁଡ଼ିକି ଆକାଶ କୟାଁ କଥା ହେଲା ।’’

 

‘‘ତୋର ସେଇ ଚିହ୍ନା ବୁଢ଼ାଟା ପାଖରୁ ଦଶ କୋଡ଼ିଏ ପଇସାବି ମାଗି ଆଣି ପାରିଲୁ ନାହିଁ ? ତାକୁ ପରା ତୁ ଗପ କହୁ । ତୋ ଗପକୁ ସେ ତାରିଫ କରେ ଆଉ ଲେଖେ । ସେ ପରା ତୋର ସବୁଦିନିଆ ଗରାଖ ।

 

‘‘ମଲା ମଲା ଯିଏ ମୋ ସାଙ୍ଗରେ ଗପ କଲା ସିଏ ମୋ ଗରାଖ । ଫେରେ ସବୁଦିନିଆ-! ତୋ ମୁଣ୍ଡ ବିଗିଡ଼ିଗଲା ଏଥର ଦେଖୁଛି ।’’

 

ଗଙ୍ଗା ଦେଖିଲା ବୁଢ଼ାକୁ ବାଇ ଲାଗିଛି, ବୁଢ଼ା ଭାବିଛି ମଶାଣିକି ଗଲାଯାଏଁ ତା’ ଦିହର ଦାମ୍ ଥିବ । କ୍ରୋଧ ଛଡ଼ା ଅନ୍ୟ ପ୍ରତିକ୍ରିୟା ତା’ ମନକୁ ନ ଆସିବା କଥା; କିନ୍ତୁ ଗଙ୍ଗା ଜୀବନଯାକ ରସିକା, ଦରଦୀ, ସେ ହସି ଜାଣେ । ଅନ୍ୟକୁ ଖୁସି କରିପାରେ ଯିମିତି ବିଦ୍ରୂପ ବା ଉପହାସ କରିପାରେ, ନିଜକୁ ସେମିତି, ଏପରିକି ଦୁର୍ଭାଗ୍ୟ ସହିତ । ଗଙ୍ଗାରେ କେତେ ପାଣି ବଂର ମାପିହବ, ଗଙ୍ଗାର ମନର ଗଭୀରତା ଜାଣି ହବନି । ଯେଉଁଦିନ ସେ ଖୁବ୍‌ ହସେ ସେ ଦିନ ହୁଏତ ତା’ର ଖୁବ୍‌ ଦୁଃଖ । ତା’ ମନରେ ଦୁଃଖ ଅଛି ଏକଥା କାହାରିକି ଏମିତି କି ବୁଢ଼ାକୁବି ଜାଣିବାକୁ ଦିଏନି ।

 

ହାହତୋଽସ୍ମି ଅବସ୍ଥାରେବି ମଣିଷ ଥରେ ଥରେ ମିଛୁଟାରେ ନିଜକୁ ଥଟ୍ଟା କରି ଠୋ ଠୋ କରି ହସି ମନର ଦ୍ଵନ୍ଦ୍ୱ ଓ ବିମର୍ଷକୁ ଉଡ଼ାଇ ଦେବାକୁ ଚେଷ୍ଟା କରେ । ଗଙ୍ଗା ସେଇୟା କରିବାକୁ ଚେଷ୍ଟା କଲା ।

 

ଉଠିଯାଇ ବଙ୍କାଟଙ୍କା ଚେପାମୋଡ଼ା ଏଲୁମିନିୟମ ବାଟିରେ ମଙ୍ଗଭଙ୍ଗା କଳସୀରୁ ପାଣି ଗଡ଼ାଇ ଢକଢ଼କ କରି ପିଇଗଲା । ଲୁଗାକାନି ଫିଟାଇ ଶେଷ ସମ୍ବଳ ଦୋକତାଟିକକ ବାହାରକରି ପାପୁଲିରେ ରଖିଲା । ମାଟିସରାରୁ ଚୂନଟିକିଏ ଆଣି ଦଳି ଠୋ ଠୋ କରି ଦୁଇଥର ଝାଡ଼ିଦେଇ ଦି ଆଙ୍ଗୁଳିଆ ଚିମୁଟାଏ ବୁଢ଼ାକୁ ଦେଲା । ଜିଭଟା ବାହାର କରି ଗହ୍ଵର ପରି ପାଟିରେ ବାକିଟିକକ ଥୋଇଦେଲା ।

କହିଲା, ‘‘ବୁଢ଼ାରେ । ଗପ ଶୁଣିବୁ ତ କହ କହିବି, କାହିଁକି ମୋର ଆଜି ଏତେ ଡେରି ହେଲା ।’’

ବୁଢ଼ା କହିଲା, ‘‘କହ ଯାହା କହିବୁ, ରାତି ତ ଉପାସ, ନିଦ ହବନି, କହ କ’ଣ କହୁଛୁ । ଏତେ ଉପକରମ କାହିଁକି ? ତୁ ତ ମୋତେ କେଉଁ କଥା ଲୁଚାଉନି । ନଅ ଦଶ ବରଷ ହେଲା ମୁଁ ତ କେବେ ତୋତେ କିଛି କହିନି । ମୁଁ ତ ବୁଢ଼ା ଅଥର୍ବ । ତୋତେ ପରା ଛାଡ଼ପତ୍ର ଦେଇଦେଇଛି । ତୁ ଯାହା କଲେବି ମୋର କିଛି ନାହିଁ । ତୁ ମତେ ପାଳୁଛୁନା ମୁଁ ତୋତେ ପାଳୁଛି ? ଦଣ୍ଡେ ପାଖରେ ବସିଲେ ପଦେ ଅଧେ ଦୁଃଖସୁଖ ହେଲେ ତ ମୋର ଢେର । ମୁଁ ନିଜେ ତ ତତେ ନ କରିବା କାମ କରିବାକୁ କହିଛି । ତୁ ତ ନିଜ କଥା କହିବୁ, କହ, ଏ କାନ ସବୁ ଶୁଣିଛି, ଶୁଣିବ ।’’

ଯେଉଁ କଥା ଶୁଣିଲେ ହୁଏତ ଅନ୍ୟ କେହି ସ୍ଵାମୀ ପାଖ ପନିକିଟାକୁ ଉଠାଇ ସ୍ତ୍ରୀର ବେକ ଛେଦି ଦିଆନ୍ତା ସିମିତି କଥା ନିର୍ବିକାର ହୋଇ ଶିବୁ ଶୁଣିବାକୁ ପ୍ରସ୍ତୁତ ହେଲା । ଅପ୍ରତ୍ୟାଶିତ ବା ଅପ୍ରିୟ କଥାଗୁଡ଼ାକବି ତା’ ପକ୍ଷରେ ନିତିଦିନିଆ, ପ୍ରେୟ ଏପରିକି ଶ୍ରେୟ ମଧ୍ୟ । ଯିଏ ନିଜେ ଶିବ ତା’ର ମଙ୍ଗଳ ଅମଙ୍ଗଳ କ’ଣ ?

ଗଙ୍ଗା ଚେମଟୀ ଆଡ଼କୁ ଚାହିଁଲା । ଭୋକର ନିଦ ଏମିତି ଯେ ମଲା ବଞ୍ଚିଲା ବାରି ହବନି । ଗଙ୍ଗା କାହିଁକି କେଜାଣି ହାତଟା ବୁଲାଇ ଆଣିଲା ଝିଅ ଦେହରେ । ଉଷୁମ ଅଛି ।

 

ଦୋକତାଚୂନର ବୋଳ ପାଟିରେ ପୁରାଇ ଗେଲେଇ ହୋଇ ଗଙ୍ଗା ଆରମ୍ଭ କଲା, ‘‘ବୁଢ଼ାରେ । ଢେର ଢେର ବଡ଼ ବଡ଼ ଗରାଖ ଲାଗିଥିଲେ । ହେଲେ ବିଗିଡ଼ି ଗଲା । ତୋରି ଯୋଗୁଁ, ଏଇ ଛୁଆଟାପାଇଁ । ନ ହେଲେ...

 

‘‘ମୋରିପାଇଁ ।’’

 

‘‘ହଁ ହଁ ତୋରିପାଇଁ, ଚେମଟୀପାଇଁ । ସହଳ ସହଳ କାମ ସାରି ମନ ହେଲା ଚାଲିଗଲି ବାପ ଘରକୁ ଚେମଟୀକୁ ଛାଡ଼ି ଦେଇ ।’’

 

‘‘ବାପ ଘର ଗାଁରେ ବଡ଼ ଗରାଖ ।’’

 

‘‘ହଁ ହଁ ବାପ ଘର ଗାଁରେ, ଶୁଣ । ଆଗ ମୁଠାଏ ପାଟିରେ ପକା ।’’ ଲୁଗାକାନିର ଗଣ୍ଠି ଫିଟାଇ ମୁଠେ ମୁଢ଼ି ବୁଢ଼ା ପାଟିରେ ଦେଲା । ନିଜେବି ମୁଠିଏ ଖାଇଲା । ଦିହେଁ ପାଣି ଢକ ଢକ କରି ପିଇଲେ ଓ ଯେଝା ସ୍ଥାନ ଦଖଲ କଲେ ।

 

ଗଙ୍ଗା କହିଲା, ‘‘ପ୍ରଥମେ ଜୁଟିଲା ସେଇ ପଧାନ ଘର ଟୋକା । ପାନ ଯାଚିଲା, ଶାଢ଼ି ଯାଚିଲା ମକରକୁ । ମୁଁ ମନା କଲି, ଗାଳି ଦେଲି ।’’

 

‘‘କାହା କଥା କହୁଛୁ । ସେ ପଧାନ ଘର ଟୋକା ପରା ରୋଗରେ ଅକାଳରେ ମଲା । ସେ ଫେର୍‌ ଜୁଟିଲା କିମିତି ?’’

 

‘‘ଶୁଣି ଯା । ତା’ପରେ ଜୁଟିଲା କାନତରାଟି । କାମ ଦବ କହିଲା । ତା’ ପାଖରେ ରହିଲେ ଘର କରିଦେବ, ଜମି ଦବ ବୋଲି କହିଲା । ତାକୁବି ବେଶ୍‌ କଡ଼ା କରି ଶୁଣାଇ ଦେଲି । ତା’ପରେ...’’

 

‘‘ଏସବୁ ପଚା ପୁରୁଣା କଥା । ଚକ୍ଷୁ କୁଟୁଛୁ ।’’

 

‘‘ମୁଁ ଆଉ ନୂଆ କଥା କେଉଁଠୁ ପାଇବି ? ଶୁଣିଯା, ତା’ପରେ ସେଇ ସରପଞ୍ଚ ବୁଢ଼ା । ପେଞ୍ଚପାଞ୍ଚ କରି ମଙ୍ଗେଇବାକୁ ଚେଷ୍ଟାକଲା, ପାରିଲା ନାହିଁ । ମାଡ଼ି ଦିଆଇଲା ବିନା ଦୋଷରେ । ବଳତ୍କାର କଲା, ନାତ ଖାଇଲା ଥରେ ଦିଥର ।’’

 

‘‘ଗଙ୍ଗା ! ଏସବୁ ଗାଁ କଥା, ବାପ ଘର କଥା । ଏବକା କଥା ନୁହେଁ । ଆଜି ପରା ଗରାଖ ଜୁଟିଥିଲେ ?’’

 

ଗଙ୍ଗା ଟିକିଏ ସଳଖି କହିଲା ‘‘ବୁଢ଼ାରେ । ପୁରୁଣା କଥା ନ କହି ନୂଆ କଥା କେଉଁଠୁ କହିବି ? ତୋରିପାଇଁ ରସ ଛାଡ଼ିଛି, ଲୋଭ ଛାଡ଼ିଛି, ମାଡ଼ ଖାଇଛି । ଫେର୍‌ ତୋରିପାଇଁ ବୁଢ଼ୀ କାଳରୁ ଦିହ ବିକିଛି । ହେଲେ ତୁ କିମିତି ଭାବୁଛୁ ଆହୁରି ବାଦିରି ପରି ଝୁଳୁଥିବା ଛାତିର ଏଇ ମଲା ଚମ ଦି ଖଣ୍ଡକୁ ଲୋକେ ଲୋଭାଇ ମତେ ଚାରଣା ଆଠଣା ଦେଉଥିବେ ମଲାଯାକେ ! ଗଲା ମାସ କେବେ କିମିତି ଦଶ ପଇସା କୋଡ଼ିଏ ପଇସା ଆଣୁଥିଲି ଜାଣୁ ?’’

 

‘‘କିମିତି ?’’

 

‘ଦିହ ବିକି ନୁହେଁ । ଗପ ବିକି । ଗୋଟାଏ ବୁଢ଼ାକୁ । ସିଏ ଗପ ଲେଖେ, ଛାପେ, ପଇସା ପାଏ । ମୋଠୁ ଗପଶୁଣେ ସଞ୍ଜରେ ।’’

 

‘‘ସିଏ ତ ଢେର ଢେର ପଇସା ପାଇଥିବ । ତୋତେ ଏତେ କମ୍‌ ଦିଏ ?’’

 

‘‘ଆଗ ଆଗ ପାଉଥିଲା, ତୋର ମୋର ରସରସିଆ କଥା ଲେଖି, ପଧାନପୁଅ, କାନତରାଟି ସରପଞ୍ଚ କଥା ଲେଖି ।’’

 

‘‘ଏସବୁ ଗପରେ ପଇସା ମିଳେ । ତୋର ମୋର ସେଇ ଝଡ଼ା କଥାରେ ?’

 

‘‘ହଁ । ସେ ବୁଢ଼ାଟାବି ଏବେ ମୋରିପରି ବିକଳ ହେଉଛି । ସେ ଦିନେ ଭଲ ପ୍ରେମ ଗପ ଲେଖୁଥିଲା । ତା’ର ବହୁତ ଗରାଖ ଥିଲେ । ଏବେ ତା’ ଲେଖାରେ ରସ ନାହିଁ । ଟୋକା ଟୋକୀଙ୍କ ପ୍ରେମ ନାହିଁ । ତାକୁ ଭୋକ ଉପାସରେ ଦିନ କାଟିବାକୁ ପଡ଼ୁଛି ।’’

 

‘‘ଆଜି ତେବେ ତା’ରି ପାଖରେ ଥିଲୁ ? ବୁଢ଼ା କିଛି ଦେଲାନି ?’’

 

‘‘ଆଜି ଯେଉଁକଥା କହିଲି ସେଥିରେ ରସ ନଥିଲା । ଆମ ହୀନିମାନିଆ ଜୀବନ କଥା କହୁଥିଲି । ବୁଢ଼ା କାନ୍ଦିଲା କହିଲା, ‘ଗଙ୍ଗାରେ ! ତୋର ଅଧେ ଜୀବନ ଗଲା ପ୍ରେମ ଦେଇ, ଆଉ ଅଧେ ଗଲା ରକ୍ତମାଉଁସ ବିକି, ଏବେ ମୋତେ ଗପ ବିକୁଛୁ ।’ ବୁଢ଼ାଟା ସତରେ ବହୁତ ଭଲପାଏ-।’’

 

‘‘ଆଉଁଶା-ଆଉଁଶି କରୁଥିବ, ନହେଲେ...’’

 

‘‘ତୁ ପୋଡ଼ାମୁହାଁ ଅଲାଜୁକ ବୋଲି ଏ କଥା କହୁଛୁ ସିନା ଆଉ କେହି ଗିରସ୍ତ ଏ କଥା କହନ୍ତା ନାହିଁ ।’’

 

‘‘ହଉ ଥାଉ । କେତେ ଦେଲା ଆଜିର ଗପପାଇଁ ?’’

 

‘‘ଯେମିତି ଗପ, ସିମିତି ମୂଲ । ମୁଢ଼ି ଦିମୁଠା ଦେଇଛି । ଖାଇଲୁ ଯେ ।’’

 

‘‘ଅଭିଶାପ ଦେଲି ତା’ ଗପବି ସେମିତି କାଗଜ ଠୁଙ୍ଗା ହବ ।’’

 

‘‘ରାତି ଅଧରେ କାହିଁକି ଅଭିଶାପ ଦଉଛୁ ? ଧାରଉଧାର ଦେଇ ସେ ଢେର ଦିନ ବଞ୍ଚାଇଛି । ହେଲେ ସେ ବୁଢ଼ାଟା ଗପ ବିକି ବଞ୍ଚିବା ବୋଲି ଯିମିତି କାଇବାଇ ହେଉଛି ତୁ ବି ସିମିତି ମତେ ଆଉ ବିକାବିକି କରି ବଞ୍ଚିବା ଆଶା ଛାଡ଼ । ସେ ଗଙ୍ଗା ଆଉ ନାହିଁ ।’’

 

‘‘ସତ କଥା । ଗଙ୍ଗା ଏବେ ଗାଙ୍ଗୀ ହୋଇଯାଇଛି । ମୁଁ ତ ତତେ ଗାଙ୍ଗୀ କରି ଦେଇଛି-।’’ ବୁଢ଼ା ଆତ୍ମସମର୍ପଣ କରି କହିଲା । ତା’ର ସ୍ଵର କ୍ଷୀଣ ।

 

‘‘ବୁଢ଼ା ! ତୁ ମତେ ଗାଙ୍ଗୀ କହିଲୁ ? ଭାଗବତବାବୁ ଘରେ ଭାରତ ପଢ଼ା ହେଉଥିଲା ମନେ ଅଛି ? ଗଙ୍ଗା ଥିଲା ଯେ ସେ ତା’ ଗିରସ୍ତକୁ ବାହା ହବା ଆଗରୁ କବୁଲ କରାଇଥିଲା ଗଙ୍ଗା ବୋଇଲେ ଅଛି, ଗାଙ୍ଗୀ ବୋଇଲେ ନାହିଁ ।’ ତୁ ମତେ ଗଙ୍ଗା କହ ଗାଙ୍ଗୀ କହ ମୁଁ ତୋ’ ପାଖରେ ମରିବା ଯାଏଁ ଥିବି । ତୋରି ଛାତି ଉପରେ ମରିବି । ତୋରି ଗୋଡ଼ତଳେ ମରିବି ।’’

 

‘‘ଗୋଡ଼ତଳେ ? କିମିତି ? ଶାସ୍ତ୍ର ପଢ଼ିଛୁ ପରା ? ଗଙ୍ଗା ଶିବୁର ମୁଣ୍ଡରେ । କାଳୀମେଢ଼ରେ ଦେଖିନୁ ମହାଦେବଙ୍କ ମୁଣ୍ଡରୁ କିମିତି ଗଙ୍ଗା ଝର୍‌ ଝର୍‌ ହୋଇ ବହୁଥାଏ ?’’

 

ଦୁହେଁ ଚୁପ୍‌ଚୁପ୍ ହୋଇ କଡ଼ ଲେଉଟାଇ ମୁହାଁମୁହିଁ ଶୋଇଲେ । ନିଃଶ୍ଵାସରେ ନିଃଶ୍ଵାସରେ ଯିମିତି କଥାଭାଷା ଚାଲିଥାଏ । ଦୁହିଁଙ୍କ ଛାତିର ସ୍ପନ୍ଦନ କେବଳ ଶୁଣାଯାଉଥାଏ । ମୁଢ଼ିମୁଠାଏ, ପାଣି ଢୋକେ ସାଙ୍ଗକୁ ଦୁଃଖ ସୁଖ ଗପ ଚାଖଣ୍ଡେ । ଦୁହିଁଙ୍କୁ ପାସୋରା ରାଜ୍ୟ ଆଡ଼କୁ ଟାଣି ଟାଣି ନେଲାଭଳି ସେମାନଙ୍କୁ ଜଣାଯାଉଥାଏ ।
 

ଗଙ୍ଗାର ପିଠିପଟେ ଚେମିଟୀ, ପେଟପାଖକୁ ଲାଗି ଶିବୁ । ଛାଇ ଛାଇ ନିଦ ମାଡ଼ି ଆସୁଛି; ରାସ୍ତାରେ ସେଇ ପୁରୁଣା ବୁଢ଼ା ଷଣ୍ଢଟା ହୁଙ୍କାରି ଦେଲା । ଆକୁଳ ବ୍ୟାକୁଳ ସ୍ଵରରେ ।

 

ତନ୍ଦ୍ରାନ୍ଵିତ ଆବସ୍ଥାରେ ଶିବୁକୁ ଜଣାଗଲା ଯିମିତି ବୁଢ଼ା ଷଣ୍ଢଟା ଜୀବନଯାକ ଏ ବିଲରୁ ସେ ବିଲକୁ ତଡ଼ା ଖାଇ ମାଡ଼ ସହି ଚାହୁଁଛି ପୁଣି କିମିତି ବାଛୁରୀ ହୋଇ ମାଆ ପହ୍ନାରେ ମୁହଁ ଲଗାଇ ଚଁ ଚ କରି ଦୁଧ ପିଇଯାଆନ୍ତା ମୁଣ୍ଡେଇ ମୁଣ୍ଡେଇ ମାଆ ତଳିପେଟକୁ ।

 

ତନ୍ଦ୍ରା ଅବସ୍ଥାରେ, ଗଙ୍ଗା କାହିଁକି କେଜାଣି ଭାବିଲା, ଯିଏ ପାଖକୁ ଲାଗି ମୋଡ଼ିମାଡ଼ି ହୋଇ ଶାନ୍ତ ଶିଶୁ ପରି ଶୋଇ ଯାଇଛି ସେ ତା’ର ବୁଢ଼ା ନା ପୁଅ ।

 

ହାତ ବୁଲାଇ ଥରେ ଦେଖି ନେଲା ।

Image

 

ଅନପଢ଼

 

ମଧୁଶଯ୍ୟା ରାତ୍ରି ଆଜକୁ ଚାରିଦିନ ହେଲା ଗଲାଣି । ବନ୍ଧୁବାସ ଜଣେ ଅଧେକୁ ଛାଡ଼ି ଆଉ ସମସ୍ତେ ଚାଲିଗଲେଣି । ବାପାମାଆଙ୍କ ଇଚ୍ଛା ପୁଅବୋହୂ ବାହାରକୁ ଆସି ଖୁଡ଼ୀ, ପିଉସୀ, ମାମୁଁ ଆଦିଙ୍କ ଦଳକୁ ଜୁହାର ହୋଇ ବିଦାୟ ଦିଅନ୍ତୁ, କିନ୍ତୁ ବାସର ଘର କବାଟ ଖୋଲିବାକୁ ନାହିଁ । କ’ଣ ଯେ ସେମାନେ ଭାବୁଥିବେ...

 

ଦିନ କି ରାତି ସେଇ ଘର ଭିତରେ । ଚପଲ ଲଗେଇ ବାଥରୁମ୍‌କୁ ଗଲାବେଳେ କେତେବେଳେ ଚଟିର ଫଟ୍‌ ଫଟ୍‌ ଶବ୍ଦ ନ ହେଲେ ଗହଣାର ଝମ୍‌ ଝମ୍‌ ଦୁଇମିନିଟ ପାଇଁ, ପୁଣି କବାଟ ବନ୍ଦ । ସକାଳ ଚା’ଠାରୁ ଆରମ୍ଭ କରି ରାତିର ଦୁଧ ପର୍ଯ୍ୟନ୍ତ ସବୁ ସେଇ ଘରେ । ଚକ୍ରା ଖାଇବା ପିଇବା ଜିନିଷ ଧରି ଠକ୍‌ ଠକ୍‌ କଲେ କବାଟ ଟିକେ ଖୋଲେ । କୌତୁକ ସୂତ୍ର ବନ୍ଧା ପୁରୁଷ ବା ସ୍ତ୍ରୀ ହାତଟିଏ କବାଟ ଫାଙ୍କଦେଇ ସେ ସବୁ ନେଇଯାଏ । ଏଇ ଅବସରରେ କଡ଼ା ଧୂପକାଠିର ଗନ୍ଧ ହାବୁକାଏ ବା ରେଡ଼ିଓ ନ ହେଲେ ଟେପ୍‌ ରେକର୍ଡ଼ରରୁ ମିଠା ରସରସିଆ ସିନେମାଗୀତ କଲିଏ ବାହାରି ଆସେ । ପୁଣି କବାଟ ବନ୍ଦ, ସବୁ ପୁଣି ଧୀରସ୍ଥିର । କିନ୍ତୁ ସ୍କାଇଲାଇଟ୍‌ ବା କବାଟ ପଟାର ସୂକ୍ଷ୍ମ ଫାଙ୍କରୁ ଭୁଟୁରୁ ଭୁଟୁରୁ ଶବ୍ଦ ସବୁବେଳେ ଶୁଭୁଥାଏ । ପ୍ରକୃତରେ ନ ଶୁଭିଲେବି ଶୁଭିଲା ପରି ଜଣାଯାଉଥାଏ ।

 

ଲୋକେ ବା ବାପାମାଆ ଯାହା ଭାବନ୍ତୁ, ଭିତରେ ଯେ ଗୋଟାଏ ଜୀବନମରଣ ସମସ୍ୟାର ସମାଧାନ ଚାଲିଛି ଏ କଥା ପୁଅବୋହୂ ବେଶ୍‌ ଜାଣନ୍ତି । ଲୋକାଚାର ବା ଲୋକାପବାଦର ବାହାରେ ସେମାନେ । ଜୀବନଟା ଷାଠିଏ ସତୁରି ନୁହେଁ । କେତୁଟା ଦିନର ବୁଝାମଣା କେତେଟା ଦିନ ଖାପ୍‌ଖୁଆଇ ପାରିବାରେହିଁ ସାରା ଜୀବନର ସୁଖ ନିର୍ଭର କରୁଛି ।

 

ତା’ ଛଡ଼ା ଏ ବିବାଦ ପ୍ରେମ ବିବାହ ନୁହେଁ । ପ୍ରଶାନ୍ତର ଇଚ୍ଛା ଥିଲା ମହିଳା ଛାତ୍ରୀ ନିବାସରୁ ସେଇ ଦୁଇ ତିନିଟା ଭିତରୁ ଜଣକୁ ସଂଗ୍ରହ କରିବ । ପାଣି, ପାଠ, ପ୍ରେମ ଓ ପଇସାପାଇଁ ତ ସମସ୍ତେ ସେଠାକୁ ଯାଇ ଥାଆନ୍ତି । କିଏ ଚାରିଟାଯାକ ପାଏ ଆଉ କିଏ ବା ପ୍ରଥମଟି ପାଇ ଫେରେ ।

 

ଖୁବ୍‌ ସାହସ କରି ପ୍ରଶାନ୍ତ ବାପାଙ୍କ ପାଖରେ ମାଆ ଜରିଆରେ ପ୍ରସ୍ତାବଟି ପେଶ୍‌ କରିଥିଲା । କିନ୍ତୁ ବାପା ଅସବର୍ଣ୍ଣ ବିବାହ, ସମବୟସ୍କଙ୍କ ବିବାହ, ଏପରି କି ପାଠପଢ଼ୁଆ ଝିଅକୁ ବୋହୂ କରିବାର ଘୋର ବିରୋଧୀ ଥିବାରୁ ପୁଅର ଅଭିଳାଷ ପୂରଣ ହେଲା ନାହିଁ । ପନ୍ଦରବର୍ଷ ବୟସର ସୁନ୍ଦର ସ୍ୱାସ୍ଥ୍ୟବତୀ ମଫସଲ ଝିଅଟିଏ ଠିକଣା କରି ପୁଅକୁ ଯେତେବେଳେ ପଚାରିଲା ‘କନିଆଁ’ ଦେଖିବୁ ?’ ପିତୃଭକ୍ତିର ପରାକାଷ୍ଠା ଦେଖାଇ ବା ଚିଡ଼ିଯାଇ ପ୍ରଶାନ୍ତ ସଜୋରେ ‘ନା’ କରି କହିଥିଲା ‘‘ବାପା ମାଆ ଯାହାକୁ ଠିକ୍‌ କରିବେ ତାକୁଇ ବାହା ହେବି ।’’ ସେଇ କଥାଇ ହେଲା । ଏତେବେଳେ କେବଳ ଏଡ଼ଜଷ୍ଟମେଣ୍ଟ ଦରକାର । ଆଙ୍ଗିକ ସୌଷ୍ଠବରେ ପ୍ରଶାନ୍ତ ସନ୍ତୁଷ୍ଟ ମାତ୍ର ଆତ୍ମିକ ସୌନ୍ଦର୍ଯ୍ୟ ? ଛାତ୍ରୀନିବାସରେ ଦୌହିକ ବା ଆଙ୍ଗିକ ମହିମା ନଥିଲେବି ଆତ୍ମିକ ବା ବୌଦ୍ଧିକ ସୌନ୍ଦର୍ଯ୍ୟ ପ୍ରଚଣ୍ଡ ମାତ୍ରାରେ ଥାଏ । ପ୍ରଶାନ୍ତର ଜୀବନର ଟ୍ରେଜେଡ଼ି ଯେ ସେ ଅଶିକ୍ଷିତକୁ ବାହା ହୋଇଛି ଏବଂ ତା’ର ଜୀବନାଦର୍ଶ କ୍ଷୁଣ୍ଣ ହୋଇଛି । ତେଣୁ ସେ ଚେଷ୍ଟା କରୁଛି ସର୍ବୋତୋଭାବେ ଦୁଇଟି ତ୍ରିଭୁଜକୁ କିପରି ସମାନ କରି ପାରିବ ।

 

ପ୍ରଥମ ମିଳନ ପାଖରୁ ସେଇ କଥାବାର୍ତ୍ତା ଭୁଟୁରୁ ଭୁଟୁରୁର ଜନ୍ମ । ପ୍ରଶାନ୍ତ ଜାଣେ ଝିଅର ଅନୁଭୂତି ନାହିଁ, ଅଭିଜ୍ଞତା ନାହିଁ ଏବଂ ସେ କୌଣସି କାମରେ ଆଗେଇବ ନାହିଁ । ଗୁମ୍ଫା ଭିତରୁ ତାକୁ ଟାଣି ଆଣିବା ପାଇଁ ନାନା କଥା, ଉପାଖ୍ୟାନ କହି ଚାଲିଛି । ସବୁ ସେଇ ଛାତ୍ରୀନିବାସର ନାୟିକାମାନଙ୍କୁ କେନ୍ଦ୍ର କରି । କିଏ କେଉଁ ହୋଟେଲକୁ ଯାଏଁ, କିଏ କାହା ଗାଡ଼ିରେ ଯାଏଁ, ଏବଂ କିଏ କାହାକୁ ଅବଶେଷରେ ପିତାମାତାଙ୍କୁ ବିରୋଧ କରି ବାହାହେଲା, ଏମିତି କେତେ ଗପ । ନିଜେ ଯେଉଁ ଗପର ନାୟକ ସେ ଗପର ପରିଣତି ହୁଏ ନାୟକର ଅସାଫଲ୍ୟ ଓ ପ୍ରେମ ବିପର୍ଯ୍ୟୟରେ । ମାନିନୀ ନବ ବଧୂଟି ଖୁବ୍‌ ଖୁସି ହୁଏ ଯେ ତା’ର ସ୍ଵାମୀ ଅନ୍ୟ ସଙ୍ଗମ ପତି ନୁହେଁ ।

 

ପ୍ରଶାନ୍ତର ଗଳ୍ପର ଷ୍ଟକ୍‌ ସରି ଆସିଲା । ଚାରିଦିନ ପୂର୍ବରୁ ଯେଉଁ ଝିଅ ମୁହଁ କ’ଣ ଗୋଡ଼ ହାତର ଆଙ୍ଗୁଳି ଲୁଚାଉଥିଲା, ‘ହୁଁ’, ‘ନା’ ପଦକରୁ ପଡ଼ିଯିବା ଭୟରେ ଆଗଉ ନଥିଲା ସେ ଆଜି କେତେଦୂର ଆଗେଇ ଗଲାଣି ପ୍ରଶାନ୍ତ କଳ୍ପନା କରିପାରୁ ନଥିଲା । ଖୁବ୍‌ ପ୍ରଗଳ୍‌ଭା ହୋଇ ତା’ ସହିତ ଟକ୍‌କର ଦେଲାଣି ପ୍ରତି କଥାରେ, ହୁକୁମ କରିବା ଅବସ୍ଥାକୁବି ଆସିଗଲାଣି ।

 

‘‘ଏଥର ତୁମ ଜୀବନର ଅନୁଭୂତି ଅଭିଜ୍ଞତା କୁହ ମୋଠୁ ଏତେ ଶୁଣିଲ ।’’

 

‘‘ତୁମର ସିନା ଅନୁଭୂତି ଅଭିଜ୍ଞତା ଅଛି, ସହର ବଜାରରେ ବୁଲୁଛ, କେତେ କ’ଣ ଦେଖୁଛ ଜାଣୁଛ, ପଢ଼ାପଢ଼ି କରିଥିଲେ ବା କିଛି ଜାଣିଥାନ୍ତି । କପାଳକୁ ତା’ ତ ହେଲା ନାହିଁ ।’’

 

“ମୁଁ ଶୁଣିଥିଲି ତୁମେ ପଢ଼ୁଥିଲ । ଅଧାରୁ ବନ୍ଦ କରିଦେଲ କାହିଁକି ? ଛାଡ଼, ତୁମର ସବୁ ଭଲ କିନ୍ତୁ ଏଇ ପାଠ ନ ପଢ଼ିବାଟା...ଛାଡ଼, ଏଥର କୁହ ଗୋଟାଏ ଅଧେ ଅଭିଜ୍ଞତା...

 

‘‘ନାହିଁ କହୁଛି, ତୁମେ ବାଧ୍ୟ କରୁଛ, କହିବି, କିନ୍ତୁ କହିବି ଗୋଟାଏ ସର୍ତ୍ତରେ । ତୁମେ ବଡ଼ ଛଟପଟ ହେଉଛ ସବୁବେଳେ । ରାଣ ପକାଅ ପନ୍ଦର ମିନିଟ ମୋତେ ଡିଷ୍ଟର୍ବ କରିବ ନାହିଁ । କିନ୍ତୁ ପ୍ରଶ୍ନ ପଚାରିବ ନାହିଁ ପନ୍ଦର ମିନିଟ୍‌ । ରାଣ ଭାଙ୍ଗିଲେ ତୁମର ପାପ ତ ହବ, ମୋର ଗପବି ଖଣ୍ଡିଆ ରହିବ ।’’

 

‘‘ରାଣ ପକାଇଲି । କୁହ । ଆଲୁଅଟା କମାଇ ଦେବି ?’’

 

‘ନା, ନା ଥାଉ । ଆରମ୍ଭ କରୁଛି । ଶୁଣ ଧୀରସ୍ଥିର ହେଇ ।’’ ପ୍ରତିଦିନ ତୁରୁଡ଼ା ଛକରୁ ସେ ଉଠେ । ଝିଅଟି... ‘‘ବଡ଼ ଝିଅ ନା ସାନ ?’’

 

ନିୟମ ଭାଙ୍ଗିଲ । ଗପ ବନ୍ଦ । ବଡ଼ଝିଅ ସବୁ ଏକା ଏକା ତୁମ ଛାତ୍ରୀ ନିବାସରୁ ସିନା ବାସ୍‌ରେ ଉଠୁଥିବେ । ମୁଁ ସାନ ଝିଅଙ୍କ କଥା କହିବି ସିନା । ଜୀବନରେ ଢେର ପ୍ରେମ ଗପ ଶୁଣିଲଣି । ପ୍ରେମ ନଥିବା ଗୋଟିଏ ଗପ ଶୁଣ ।

 

‘‘ଯାହା କଥା କହୁଛ ସେ ତୁମେ ନୁହ ତ ?’’

 

‘‘ଶେଷଥର ପାଇଁ କହିଲି ଚୁପ୍ କର ନ ହେଲେ ଆଉ ଗପ ଶୁଣିବା ଆଶା ଛାଡ଼’’

 

‘‘ପନ୍ଦର ମିନିଟ୍‌ ! ବାବା କେତେ ସମୟ ।’’

 

‘‘କି ସ୍ଵାର୍ଥପର । ନିଜେ ଘଣ୍ଟା ଘଣ୍ଟା ଧରି ଗପିବ । ମୋର ପନ୍ଦର ମିନିଟ୍‌ ବେଳକୁ ଧୈର୍ଯ୍ୟ ନାହିଁ । ଶୁଣ ଫେର୍ ଆରମ୍ଭ କରୁଛି ।’’

 

ପ୍ରତିଦିନ ତୁରୁଡ଼ା ଛକରୁ ସେ ଉଠେ । ଝିଅଟି । ରବିବାର ଆଉ ସ୍କୁଲ ଛୁଟିଦିନ ଛାଡ଼ । ସାଢ଼େ ଆଠଟା ବାସ୍‌ରେ । ଖରାବର୍ଷା ଶୀତ-କାକର କିଛି ନମାନି ଠିକ୍ ସମୟରେ ଠିକଣା ଜାଗାରେ ସେ ନିଶ୍ଚୟ ଠିଆ ହୋଇଥିବ । ଜାଗାଟା ନିଛାଟିଆ । ଝଙ୍କା ବରଗଛ ସାଙ୍ଗକୁ ଆଉ ଆଉ ଗଛ ମିଶି ସେଠି ଗୋଟାଏ ଛୋଟ ଜଙ୍ଗଲ କରିଛନ୍ତି । ଠାକୁରାଣୀ ଶାଳଟା । ଅପୂଜା ଭଙ୍ଗାରୁଜା ଗୁଡ଼ାଏ ହାତୀଘୋଡ଼ା ଉଇହୁଙ୍କା ଭିତରେ ଅଧେ ପୋତି ହୋଇଗଲାଣି । ଜାଗାଟାକୁ ଭୟ ଲାଗେ ।

 

ଛକ ପହଞ୍ଚିବାକୁ କିଲୋମିଟର ଥିବ ଗାଡ଼ିର ଗତି ଧିମାଏ । ପୋଲ ଉପରକୁ ରାକ୍ଷସ ପରି ବାସ୍‌ଟା ଯେତେବେଳେ ଚଢ଼ି ଆସେ ସେତେବେଳେ ଝିଅଟା ତା’ ସାଜସରଞ୍ଜାମ ଧରି ପ୍ରସ୍ତୁତ ହୋଇଯାଏ । ଗାଡ଼ି ପୂରାପୂରି ଛିଡ଼ାହୁଏ । ହେଲ୍‌ପର କବାଟ ଖୋଲି ଶରଧାରେ ଡାକେ ‘ଆ, ବୁଢ଼ୀ ଆ’’ । ଝିଅଟି ଉଠିବାମାତ୍ରେ ଡ୍ରାଇଭର ଚିତ୍କାର କରି କୁହେ ‘‘ହେଇଯେ ହାମର ବୁଢ଼ୀ ଆସିଗଲା, ବୁଢ଼ୀ ହାମର ସବୁଦିନ ଠିକ୍‌ ବେଳେ ଆସି ଠିଆ ହୋଇଥିବ ।’’ ଝିଅଟି ନିଦକ ହୋଇ କୁଦିପଡ଼େ । ଟିକିଏ ଟାଣ ହୋଇ ଛିଡ଼ା ହେଲାମାତ୍ରେ ଟ୍ରିଂ ଟ୍ରିଂ । ବାସ୍‌ ଯାତ୍ରୀମାନେ ନୂଆ ଛୋଟିଆ ଯାନ୍ତ୍ରୀଟିକି ଦେଖନ୍ତି । ଉପରେ ସଫେଦ ଜାମା, ଅଳ୍ପ ଦିଶୁଥିବା ନୀଳପେଣ୍ଟ । ସହରବଜାରର ମାଆମାନେ ମିସନ ସ୍କୁଲକୁ ଯାଉଥିବା ଝିଅଙ୍କୁ ଯିମିତି ପରିପାଟୀରେ ସଜାନ୍ତି ତାକୁଇ ଅନୁକରଣ କରି ସହର ପାଖ ଗାଁରେ ମାଆଟି ତା’ ଝିଅକୁ ସଜାଇଛି । ହେଲେ ମଫସଲର ମଳିଧୂଳି ପୂରାପୁରି ପୋଛି ପାରିନି । ଝିଅଟିର ଗାଲ ଦୁଇଟା ଫୁଲୁକା, ଫୁଲୁକା, ସାମାନ୍ୟ ନାଲି । ତେଲ ଜରଜର ଚୂଳ ଉପରେ ପଞ୍ଚମୁଖୀ ମନ୍ଦାର ପରି ନାଲି ରିବନ ଫୁଲଟି ସୁନ୍ଦର ଦିଶେ । ନଜର ବାଜର ଏଡ଼ିବାପାଇଁ କଳା ଟିକାଟିଏ ।

 

ସକାଳୁ ଗାଧୁଆ ପାଧୁଆ ଖିଆ ପିଆ ସାରି ଆସିଥିବାରୁ ଝିଅଟି ତୋଫା ଦିଶେ । ବଡ଼ କାମଟାଏ କରି ପାରିଥିବାରୁ ତା’ ମନରେ ଗର୍ବ । ନାକରେ ବିନ୍ଦୁ ବିନ୍ଦୁ ଝାଳ ।

 

ସିଟ୍‌ ଧରିଲାମାତ୍ରେ ଖାତାପତ୍ର ବହି ଯନ୍ତ୍ରବାକ୍‌ସ ବୋଝ ସାଇତି ସମ୍ଭାଳି ନିଏ । ସତରେ ତା’ ଆକୃତିକୁ ଚାହିଁ ପାଠବୋଝଟା ଟିକିଏ ବେଶି ଜଣାପଡ଼େ । ଏକାଦଶ ଶ୍ରେଣୀର ମୋଟୀ ଝିଅଟା ଛାତିରେ ଜାକି ଯେଉଁ ବୋଝଟା ନେବାକୁ ଶଙ୍କି ଯାଆନ୍ତା ବା ଲାଜ କରନ୍ତା ୟାକୁ ସେତିକି ନେବାକୁ ପଡ଼ୁଛି । ସାଇତି ସମ୍ଭାଳି ହୋଇ ବସିଗଲେ ସାଏଁ କରି ଝିଅଟି ନିଃଶ୍ଵାସଟିଏ ଛାଡ଼େ ହରିଣୀ ଛୁଆଟି ପରି । (ମଝିରେ ମଝିରେ ଭାଷାକବିତା ନ ଦେଲେ ତୁମକୁ ଗପ ଭଲ ଲାଗିବ ନାହିଁ) ମାଆ ପାଖରେ ନ ଥିବା ହରିଣୀ ଛୁଆଟି ପରି କନକନ ହୋଇ ବାସ୍‌ ଭିତରେ ଆଗପଛ ସିଟ୍‌ଗୁଡ଼ାକର ଯାତ୍ରୀଙ୍କ ଉପରେ ଆଖି ପକାଇଯାଏ । ମାଆ ବାପ ଯେଉଁ ଗାଁଟାରେ ଅଛନ୍ତି ସେଇ ଆଡ଼କୁ ଚାହୁଁ ଚାହୁଁ ଗଛପତ୍ର ଉହାଡ଼ରେ ଗାଁ ଉଭେଇ ଯାଏଁ, ଦୂରେଇଯାଏ । ଝିଅଟା ସତରେ ଅସହାୟ ବିମର୍ଷ ହେଉଥାନ୍ତା ଯଦି ଡ୍ରାଇଭର, କଣ୍ଡକ୍ଟର, ହେଲପରଠାରୁ ଆରମ୍ଭ କରି ବୁଢ଼ା ଟୋକା ସମସ୍ତେ ତାକୁ ଆଦର ଯତ୍ନ କରୁ ନ ଥାନ୍ତେ ।

 

ଚେକିଂ ହେବାର ଯେଉଁଦିନ ଭୟଥାଏ, କେବଳ ସେଇ ଦିନ ଝିଅ ହାତକୁ ଟିକଟ ଖଣ୍ଡିକ ବଢ଼ାଇଦେଇ (କଣ୍ଡକ୍ଟର ବୋଧହୁଏ ହାତରୁ ପଇସା ଦିଏ) । ହେଲପର ପଚାରେ ‘‘ବୁଢ଼ୀ ଆଜି କି ଖାଇ କରି ଆସିଛୁ ?’’

 

‘‘ପଖାଳ’’

 

‘‘ଆଉ ତରକାରୀ ?’’

 

‘‘ଆଳୁ ପୋସ୍ତ ଚଡ଼ଚଡ଼ି, ଚୁଙ୍ଗୁଡ଼ି ପତୁଆ ।’’

 

ଯେଉଁଦିନ ଭିଡ଼ ବେଶି, ତିଳାର୍ଦ୍ଧେ ଜାଗା ନଥାଏ ସେ ଦିନ ଝିଅଟି କଣ୍ଡକ୍ଟର ପାଖରେ ବସେ । ପଇସା ଗଣୁ ଗଣୁ ବା ଟିକଟ ତନଖି କରୁ କରୁ କଣ୍ଡକ୍ଟର ପଚାରେ,

 

‘‘ବୁଢ଼ୀ, କାଲି କେଉଁ ବାସ୍‌ରେ ଫେରିଲୁ ? ଆମେ ଆସିବାକୁ ଢେର ଡେରି ହୋଇଗଲା-।’’

 

‘‘ସେଇ ଧତଡ଼ା ଭଙ୍ଗାଗାଡ଼ିଟାରେ’’

 

‘‘କେତେ ପଇସା ନେଲା ?’’

 

‘‘ପଚିଶ ପଇସା ।’’

 

କେତେବେଳେ ସୁବିଧା ପାଇଲେ ଡ୍ରାଇଭରବି ବେକ ଭାଙ୍ଗି ପଛକୁ ଅନାଏ, କୁହେ ‘‘ଅଭି ମନେପକାଇ ଦବୁତ ବୁଢ଼ୀପାଇଁ କଲେଜ ଛକରୁ ଶହେ ଅଧେ ହାଇଦରାବାଦ ଅଙ୍ଗୁର ଆଣିବା ।’’

 

ଝିଅଟି ବିରକ୍ତ ହୁଏନାହିଁ ସତ କିନ୍ତୁ ବେଶି କଥାବାର୍ତ୍ତା କରିବାକୁ ଇଚ୍ଛାନଥାଏ । କିନ୍ତୁ ବେଶିଦିନ ଧରି ପୁରୁଷଯାତ୍ରୀଙ୍କ ସହ ଯିବା ଆସିବା କରି ଡର ଭାଙ୍ଗିଯାଇଛି । ପ୍ରଶ୍ନର ଉତ୍ତର ଟାଏଁ ଟାଏଁ ଦେଇଦିଏ । ପ୍ରଶ୍ନର ଉତ୍ତର ଦେଲେ ଲୋକେ ଶରଧା କରୁଛନ୍ତି ଉତ୍ତର ନ ଦେଲେ ମୁହଁ ହାଣ୍ଡି କରୁଛନ୍ତି । ତା’ର ଅନ୍ତରାତ୍ମା ଚାହେଁ ଯିମିତି ତା’ ଛୋଟ ଦୁନିଆ ଭିତରେ ଏ ବଡ଼ ବଡ଼ ଲୋକଗୁଡ଼ାକ ନ ପଶନ୍ତୁ । ସେ କେତେବେଳେ ତା’ ସ୍କୁଲ ପଢ଼ାପଢ଼ି କଥା ବା ବାପମାଆ କଥା ଭାବୁଥିବ ହଠାତ୍‌ ତାକୁ ଚମକାଇ ଦେଇ ଗୋଟାଏ ବୁଢ଼ା ଅଯଥାରେ ପଚାରିବ, ‘ଏ ଝିଅ, ତୋ ନାଁ କ’ଣ ?’ ଥରେ ଯଦି ଉତ୍ତର ଦେଇଛ ତେବେ ଆଗକୁ ଆଗକୁ । ଲୋକଙ୍କ ମୁହଁକୁ ସେ କମ୍ ଚାହେଁ-। ହେଲେ ଲୋକଗୁଡ଼ାକ ତା’ ପିଲାଳିଆ ମୁହଁକୁ ଚାହାନ୍ତି, ତା’ କଥା କହିବା ଭଙ୍ଗୀକୁ ନଜର ଦିଅନ୍ତି, ତା’ କଥାଗୁଡ଼ାକ ପିଇଯାଆନ୍ତି ।

 

ମୋଟର ଷ୍ଟାଫ ଆତ୍ମୀୟ ସ୍ଵଜନଙ୍କ ପରି ତା’ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି ଦେଖି, ଯାତ୍ରୀମାନେବି ନାନା କଥା ପଚାରନ୍ତି । ସେଇ ‘‘ତୋ ନାଆଁ କଅଣ’’ରୁ ଆରମ୍ଭ ।

 

‘ବାପା କ’ଣ କରନ୍ତି ?’

 

‘‘କିଛି କରନ୍ତି ନାହିଁ ଘରେ ଥାଆନ୍ତି, ଚାଷ କରନ୍ତି’’

 

‘‘ଜମି ଜାଇଗା କେତେ’’

 

ଏତେ ବଡ଼ ପ୍ରଶ୍ନର ଉତ୍ତର ଦେଇପାରେନା, କୁହେ ଜଣେନି । ସେ ବା କାହିଁକି ଝିଅକୁ ଶରଧା ନ କରିବ ଭାବି ପାଖ ଯାତ୍ରୀ ଉତ୍ସାହ ପାଇ ଖିଅ ଧରି ଚାଲେ ।

 

‘‘ତୁମେ କେତେ ଭାଇଭଉଣୀ’’

 

‘‘ଦୁଇ ଭାଇ, ଭଉଣୀ ମୁଁ ଏକା’’

 

‘‘ଭାଇମାନେ ବଡ଼ ?’’

 

‘‘ନା ମୁଁ ବଡ଼ ।’’

 

ପଛ ସିଟ୍‌ରୁ ଥାଇ ଟାଉଟରିଆ ଯାତ୍ରୀଟି ଯେ ‘ଆମେ’ ଛଡ଼ା କଥା କହେ ନାହିଁ, ପଚାରେ

 

‘ତୁ କ’ଣ ପ୍ରତିଦିନ ଆମ ବାସ୍‌ରେ ଯାଉ ?’

 

‘‘ହୁଁ’’

 

‘‘ଗାଁ ପାଖରେ କ’ଣ ସ୍କୁଲ ନାହିଁ ?’’

 

ଆମେ ଇନ୍‌ସପେକ୍ଟରକୁ କହି ଏ ଇଲାକାରେ ସ୍କୁଲ ତ କରି ଦେଇଛୁ । ଘର ଘରକେ ସ୍କୁଲ ନ ବସାଇଲେ ଆମେ ଛାଡ଼ିବୁ ନାହିଁ । ଆମ ପାର୍ଟି ନିଷ୍ପତ୍ତି ନେଇଛି ।”

 

‘‘ଗାଁରେ ଚାଟଶାଳୀ ଅଛି । ପାଖ ଗାଁରେ ମାଇନର ସ୍କୁଲ ।’’

 

‘‘ଆମ କଥା ତେବେ ଠିକ୍‌ ହେଲା ତ ! ଆମର ସେଠି ପଢ଼ିଲୁ ନାହିଁ, ବାସ୍‌ରେ ଆମର ତେବେ ଯାଇ ଆସି ପଢ଼ୁଛୁ ?’’

 

‘‘ମଝିରେ ନଈ । ବାପ ମାଆ ଛାଡ଼ିବେ ନାହିଁ । ମୋର କୁମ୍ଭୀରକୁ ଭାରି ଡର ।’’

 

ପୁଣି ଆଉ ଜଣେ ପଚାରେ, ‘‘କେଉଁ ସ୍କୁଲରେ ପଢ଼ୁ !’’

 

‘ଆଗରେ ଅଛି ।’

 

‘କେତେ ଭଡ଼ା ?’

 

‘ଯିବାକୁ ସତେଇଶି ଫେରିବାକୁ ସତେଇଶି ।’

 

ବାବା ! ଏତେ ପଇସା ସାରି ପଢ଼ୁଛୁ । ଚାଖଣ୍ଡେ ଝିଅ । ବାପ ମାଆର କି ସଉକ । ପାଠ ନ ପଢ଼ିଲେ ଝିଅ ଯିମିତି ଘର ଯୋଗ୍ୟ ହୁଅନ୍ତାନି ।’’

 

ଆଶ୍ଚର୍ଯ୍ୟ ହୁଏ । କିନ୍ତୁ ଶରଧା କରେ । ସମସ୍ତଙ୍କ ନଜର ସେଇ ଝିଅଟି ଉପରେ । ସମସ୍ତେ ଶରଧା କରନ୍ତି ତାକୁ । କିଏ ଖୁସି ହୁଏ, କିଏ ଆଶ୍ଚର୍ଯ୍ୟ ହୁଏ, କିଏ ତା’ ସାହସର ତାରିଫ କରେ, କିଏ ତା’ ପଢ଼ାପଢ଼ିର ଆଗ୍ରହକୁ ପସନ୍ଦ କରେ, କିନ୍ତୁ ଦିନେ ଦିନେ ମଝିରେ ଚଉଦ ବର୍ଷିଆ ହାଇସ୍କୁଲ ପିଲାଟା ବାସରେ ଯଦି ଚଢ଼େ ତା’ ସାଙ୍ଗରେ ସେ ଆତ୍ମୀୟତା କରିପାରେ ନାହିଁ । ଝିଅକୁ ଲାଜ ବିରକ୍ତ ଲାଗେ । ପିଲାଟା ଚୋରଟି ପରି ଚୁପ୍‍ଚାପ୍ ବସିଥାଏ । ତା’ ଆଡ଼କୁ କଣେଇ କଣେଇ ଚାହେଁ । ପିଲାଟାରବି ଭିତରେ ଭିତରେ ଶରଧା ଉଛୁଳୁଥାଏ ।

 

ଅଳ୍ପ ରାସ୍ତା । ଦଶମିନିଟିକୁ ସରିଯାଏ । ବାସ୍‌ ଅଟକେ । ଯେମିତି ବହିପତ୍ର ବୋଝ ଧରି ଉଠୁଥିଲା ସିମିତି ଝିଅଟି ଓହ୍ଲେଇ ଯାଏଁ । ସେ ଓହ୍ଲେଇ ଯିବା ପରେ ପରେ ପୁଣି ମାଲିମକଦ୍ଦମା, ନିର୍ବାଚନ, ମନ୍ତ୍ରୀମଣ୍ଡଳ, ଚାଷବାସ, ପାଣିପାଗ କଥାରେ ବାସ କୋଳାହଳମୟ ହୋଇ ଉଠେ ।

 

(ଶୁଣ, ତୁମେ ଶୋଇ ପଡ଼ୁଛ ବୋଧହୁଏ, ମୋ କଥା ତୁମକୁ ଭଲ ଲାଗୁନି । ଦଶମିନିଟ୍‌ ଗଲା, ଘଡ଼ି କ’ଣ ଦେଖୁଛ ? ମୋତେ ଗପ କହିବାକୁ କହିଲ ଅଥଚ ଶୁଣୁନ, ଭଦ୍ରାମି ନୁହେଁ, ତା’ ଛଡ଼ା ତୁମେ ମଝିରେ ମଝିରେ କୁତୁକୁତୁ ସଲ ସଲ କରି ମୋର ମନକୁ ୟାଡ଼େ ସିଆଡ଼େ କରୁଛ । ରାଣ ଅଛି, ଆଉ ଦଣ୍ଡେ ଥୟ ଧରି ଶୁଣ ।)

 

ସାଢ଼େ ଚାରିଟା ବେଳକୁ ବାସ୍‌ ଫେରେ । ପୁଣି ସେଇ କଥା ଓ ଘଟଣାର ପୁନରାବୃତ୍ତି-। ଝିଅଟି ସିମିତି ବହିପତ୍ର ଜାକି ଠିଆ ହୋଇଥାଏ । ‘‘ହେଇ ଯେ ହାମର ବୁଢ଼ୀ ଠିଆ ହୋଇଛି’’ ଠାରୁ ପୁଣି ଆରମ୍ଭ । ସେ ଉଠିଲାମାତ୍ରେ ତେଲଲୁଣ ଦୁନିଆ ବାସ୍‌ ଷ୍ଟାଫ୍‌ ଭୁଲିଯାଆନ୍ତି; ଯାତ୍ରୀମାନେ ସିମିତି ମାନ ଅପମାନ ଜଞ୍ଜାଳ ଭୁଲିଯାଆନ୍ତି । କିଏ ଘରେ ନାତୁଣୀ ଛାଡ଼ି ଆସିଛି, କିଏ ଝିଅ ଝିଆରୀ, କିଏ ଶାଳୀ କିଏ ବା ଭଉଣୀ ଛାଡ଼ି ଆସିଛି କିଏ ବା ସିମିତି ଗୋଟିଏ ସବୁ ଦିନ ପାଇଁ ହରାଇଛି । ଏଇ ଝିଅଟି ଭିତରେ ସମସ୍ତେ ନିଜ ନିଜ ବୁଢ଼ୀକି ଦେଖି ପାରନ୍ତି ।

 

ଝିଅଟି ବସିଗଲାମାତ୍ରେ ପ୍ରଶ୍ନ ଆରମ୍ଭ ହୁଏ ‘କେଉଁଟା’ ତମ ସ୍କୁଲ ? ଟିଣ ପଛର ଥିବା ଲମ୍ବା ଘର ଆଡ଼କୁ ହାତ ବଢ଼ାଇ ଝିଅଟି କହେ–ସେଇ ଘରଟା ।’

 

‘ଖାଲି ଝିଅ ପଢ଼ନ୍ତି ନା ଝିଅପୁଅ ମିଶାମିଶି ?’

 

‘‘କେତେଜଣ ପଢ଼ନ୍ତି ?’’ ଆଉ ଜଣେ ପଚାରେ ।

 

‘‘ସବୁ ମିଶି ଶହେବାର ଜଣ, ଝିଅ ପୁଅ ସବୁ ।’’

 

‘‘ତୋରି ପରି ସବୁ ସାନ ସାନ ?’’

 

‘‘ମୋଠୁବି ଢେର ବଡ଼ ଅଛନ୍ତି ।’’

 

‘‘ତୁ କେଉଁ କ୍ଲାସରେ ପଢ଼ୁ ?’’

 

ଡ୍ରାଇଭର ପ୍ରଶ୍ନଟା ଶୁଣି ପାରି କହିଲା ‘‘ହାମର ବୁଢ଼ୀକି ସାନ ଭାବିଛ । ସାତ କି ଆଠ କିଲାସ ପଢ଼ିଲାଣି । ବଢ଼ିଆ ପଢ଼େ । ଫାଷ୍ଟ ହୁଏ କ୍ଲାସରେ ।’’

 

‘‘ତୁମ ସ୍କୁଲରେ ହେଡ଼ମାଷ୍ଟର ନା ହେଡ଼ମିଷ୍ଟ୍ରେସ ?’’ ବୁଢ଼ାଟିଏ ପଚାରିଲା ।

 

‘‘ହେଡ଼ମାଷ୍ଟର ଅଛନ୍ତି ଦିଦିମାନେବି ଅଛନ୍ତି ।’’

 

‘‘ଏ କାନ ଫୁଲ ଦୁଇଟାର ଦାମ୍ କେତେ ?’’ ନାରୀଯାତ୍ରୀଟିଏ ଚାପା ଗଳାରେ ପଚାରେ-। ସ୍ତ୍ରୀଲୋକମାନଙ୍କର ପ୍ରଶ୍ନର ଉତ୍ତର ଦେବା ଝିଅଟି ପକ୍ଷରେ କଷ୍ଟ ହୁଏ । ତୁରୁଡ଼ା ଛକ ପହଞ୍ଚିବାକୁ ଏକ କିଲୋମିଟର ରାସ୍ତା ଥାଏ ଝିଅଟି ଉଠି ଛିଡ଼ା ହୁଏ । ଡ୍ରାଇଭର କୁହେ ‘‘ଏତେ ତରତର କାହିଁକି ବୁଢ଼ୀ, ଛକ ପହଞ୍ଚୁ, ବାସ ଛିଡ଼ା ହବ, ହାମେ କ’ଣ ତୋତେ ନେଇ କରି ଚାଲିଯିବୁ-?’’ ଶୀତ ଦିନରେ ହିମାଳ ପବନ ବହିଲେ ଯାତ୍ରୀ ତା’ ଚାଦରରେ ତାକୁ ଘୋଡ଼ାଇ ଦିଏ । ବର୍ଷା ହେଉଥିଲେ କଣ୍ଡକ୍ଟର ନିଜ ଦାୟିତ୍ୱରେ ଛତା ମଗାଇ ଦିଏ ।

 

ଦିନେ ଝିଅଟି ଓହ୍ଲେଇଲାବେଳେ ତରବରରେ ଜ୍ୟାମିତି ବାକ୍ସଟା ଖସିପଡ଼ିଲା ଝଣଝାଣ ଶବ୍ଦରେ । ସାଙ୍ଗେ ସାଙ୍ଗେ ଇଞ୍ଜିନ ବନ୍ଦ । ଆଲୁଅ ଜଳି ଉଠିଲା । କଣ୍ଡକ୍ଟର ହେଲ୍‌ପର ଯାତ୍ରୀ ଜଣେ ଦୁଇଜଣ ଖୋଜାଖୋଜି କରି ରବର, ତ୍ରିଭୁଜ, ଚକ୍‌ ଖଡ଼ି, କେତୁଟା ପାଞ୍ଚପଇସି, ପେନ୍‌ସିଲ, ସେପ୍‌ଟିପିନ୍‌ ଆଉ କେତେ ଚିଜ ଉଦ୍ଧାର କରି ବାକ୍ସ ସାଜି ବୁଜିଦେଲେ । ଗାଡ଼ି ପାଞ୍ଚମିନିଟ ଛିଡ଼ା ହେଲା । କାହାରି ଆପତ୍ତି ନାହିଁ ।

 

ଆଉ ଦିନକର କଥା ତୁରୁଡ଼ା ଛକରେ ବାସ୍‌ ପହଞ୍ଚିଲା ବେଳକୁ ସଞ୍ଜ ଗଡ଼ି ଯାଇଥାଏ । ଝଙ୍କା ବରଗଛର ଓହରଗୁଡ଼ାକ ଅସୁରୁଣୀ ଗୋଡ଼ ପରି ଦିଶୁଥାନ୍ତି । ଅନ୍ଧାରଗୁଡ଼ାକ ଧୀରେ ଧୀରେ ତରଳି ପୁଳାପୁଳା ହୋଇ ତଳକୁ ଖସୁଥାନ୍ତି ବାଦିରିଗୁଡ଼ାକର ଡେଣାରୁ । ଜୁଳୁଜୁଳିଆ ପୋକଗୁଡ଼ାକ ଜଣାଇ ଦେଉଥାନ୍ତି ବର୍ଷା ଆଉ ଦେରି ନାହିଁ । ଝିଅଟି ଓହ୍ଲେଇ ପଡ଼ି ଦେଖିଦେଲା କେହି ଆସି ନାହାନ୍ତି ତାକୁ ନେବାପାଇଁ, ମାଆ ଦିହ ବେଶି ଖରାପ ହେଲା ବୋଧହୁଏ । ବୁଢ଼ୀର ଅସହାୟ ଅବସ୍ଥା ଡ୍ରାଇଭରକୁ ଜଣାଇ ଅଭି ପାଟିକରି କହିଲା ‘‘ବୁଢ଼ୀକି ନେବାକୁ କେହି ଆସି ନାହାନ୍ତି ।’’

 

ଇଞ୍ଜିନ ବନ୍ଦ, କଣ୍ଡକ୍ଟର କହିଲା ‘‘ଅଭି, ଯା, ଛାଡ଼ି ଦେଇ ଆସିବୁ ।’’ ଅଭି ଓହ୍ଲେଇ ଆସିଲା । ଝିଅର ଗାଁ ଦୁଇଶହ ଗଜ ଦୂରରେ । ଆଜି ଗାଡ଼ି ଦେରି ହୋଇଛି ଯାତ୍ରୀ ଓ କଣ୍ଡକ୍ଟର ମଧ୍ୟରେ ବଚସା କଳି ତକରାଳ ପାଇଁ । କାରଣ ଜଣେ ଯାତ୍ରୀଙ୍କ ବାପାଙ୍କ ପାଇଁ ବାସ୍‌ଟା ପାଞ୍ଚ ମିନିଟ ଅପେକ୍ଷା କଲା ନାହିଁ । ବାଟରେ ସେ ବିଷୟରେ ଯାତ୍ରୀମାନେ କଥାବାର୍ତ୍ତା ହେଉଥିଲେ । ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍‌ ଧରି ବାସ ଛିଡ଼ା ରହିଲା; କେହି ଯାତ୍ରୀ ଉଁଚୁଁ କଲେ ନାହିଁ । ଏତେ ଶରଧା ବୁଢ଼ୀ ଉପରେ ।

 

ରବିବାର ଦିନ ଝିଅ ଆସେ ନାହିଁ । ଯାତ୍ରୀମାନେ ସମସ୍ତେ ତା’ କଥା ମନେ ପକାନ୍ତି । ‘‘ଆଜି ବୁଢ଼ୀ ଆସିବନି’’ କାହା ମୁହଁରୁ ଅଜାଣତରେ ବାହାରି ପଡ଼େ ।

 

ଏମିତି ଶରଧାରେ ବୁଢ଼ୀ ବର୍ଷେ ଦେଢ଼ବର୍ଷ ବଢ଼ିଲା । ଯାତ୍ରୀ, ବାସ ଷ୍ଟାଫ ସମସ୍ତେ ତାକୁ ଶରଧା ତ କଲେ, ତା’ର ପ୍ରମାଣ ସ୍ଵରୂପ ଟଫି, ଚକୋଲେଟ, ଅଙ୍ଗୁର, କଦଳୀ ନାହିଁ ନଥିଲା ଚିଜ ତାକୁ ଦେଲେ । ଶରଧା ଚିଜ, ବୁଢ଼ୀ ନିଏ ‘ନା’ କରି ପାରେନା ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା ଏତେ ଶରଧା ପାଇବି ବୁଢ଼ୀ କ୍ରମେ କ୍ରମେ ମ୍ରିୟମାଣ ହେଲା । ସମସ୍ତେ ନଜର କଲେ ଝିଅଟିର ସରସତା ଉଭେଇ ଯାଇଛି । ପତଳାରୁ ଅଧିକ ପତଳା ହେଇଛି । ଆଖି ମୁହଁ ସବୁଠି ଦୁଃଖର ଛାଇ । ଗାଡ଼ିରେ ଚଢ଼େ, ବସେ, ଓହ୍ଲାଏ, କାହିଁରେ ଯିମିତି ଆଗ୍ରହ ନାହିଁ । ଜୀବ ନୁହେଁ ସେ ଯନ୍ତ୍ର ପାଲଟି ଯାଇଛି । ବର୍ଷେ ଦେଢ଼ବର୍ଷ ଆଗରୁ ଯେଉଁ ପ୍ରଶ୍ନ ପଚାରୁଥିଲେ ଆଜିବି ସେଇ ପଚା ପୁରୁଣା ପ୍ରଶ୍ନ । ଉତ୍ତର ଦେବାରେ ବୁଢ଼ୀର ଆଗ୍ରହ ନାହିଁ । ବିରକ୍ତିଭାବ, ଖିଟିମିଟିଆ ମିଞ୍ଜାସ । ଯେଉଁ ଲୋକଗୁଡ଼ାକୁ ଦେଖିଲେ ତାକୁ ଭଲ ଲାଗୁଥିଲା ସେଇମାନେ ତାକୁ ଖାଇଯିବେ ବୋଲି ଏବେ ତା’ର ଧାରଣା ହେଲାଣି ।

 

‘‘ବୁଢ଼ୀ ତୋର କ’ଣ ହେଇଛି ? ଚୁପ୍‍ଚାପ୍ ହୋଇ ଯାଉଛୁ ? ମାଆ ଦିହ ଭଲ ହେଲାଣି-?’’

 

‘ହୁଁ’

 

‘ମୁହଁ ଶୁଖି ଯାଇଛି, ସାନ ହୋଇ ଯାଇଛି ଗାରେ ଲୁହବି ଶୁଖିଲା ପରି ଦିଶୁଛି । ଆଖି ତଳ କଳା କଳା । ମାଷ୍ଟରମାନେ କ’ଣ ଗାଳିଗୁଲଜ କଲେ ! ପରୀକ୍ଷାରେ ଖରାପ କଲ ?’

 

‘ନା’ ସେଇ ଏକାକ୍ଷରୀ ଉତ୍ତର ।

 

ସମସ୍ତେ ଅନୁଭବ କଲେ ବୁଢ଼ୀର କ’ଣ ଗୋଟାଏ ବଡ଼ ଅଭାବ ଅସୁବିଧା ହୋଇଛି ନ ହେଲେ ଏତେ ସ୍ନେହ ଶରଧା ପାଇ ଫୁଲିଯିବା ପରିବର୍ତ୍ତେ ହାଲି ଯାଇଛି କାହିଁକି ।

 

ସେମାନେ ବା କିମିତି ଜାଣିବେ ବୁଢ଼ୀ ସ୍କୁଲରେ କିମିତି ରହିଛି, କ’ଣ କରୁଛି । ଝିଅଟିକି ବାସ୍‌ରେ ଯିମିତି ଶରଧା ମିଳୁଥିଲା ତା’ଠାରୁ ବହୁତ ବେଶି ତାକୁ ସ୍କୁଲରେ ମିଳୁଚି । ଶରଧା ଦବାପାଇଁ ମାଷ୍ଟର ମାଷ୍ଟରଙ୍କ ଭିତରେ କଳିତକରାଳ ମରାମରି । ବୁଢ଼ୀ ଭଲ ପଢ଼େ । ଅଙ୍କ, ଇଂରାଜୀ, ସାହିତ୍ୟ ମାଷ୍ଟର ସମସ୍ତେ ତାକୁ ସାହାଯ୍ୟ କରିବାପାଇଁ ତା’ର ସନ୍ଦେହ ମୋଚନ କରିବାପାଇଁ ଆଗ୍ରହୀ । ଝିଅଟିର ଗାଲ, ପାଟ, ଚଳ, ଆଖି କେଡ଼େ ସୁନ୍ଦର । କିଏ କେତେ ପ୍ରକାର ତାକୁ ଆଦର ସ୍ନେହ କରନ୍ତି । ଅନ୍ୟାନ୍ୟ ଝିଅମାନେ ବୁଢ଼ୀକି ହିଂସା କରନ୍ତି । ବୁଢ଼ୀ କ’ଣ ସ୍ନେହ ଶରଧା ମାଗି ବୁଲୁଛି ? ତାକୁ ତ ସମସ୍ତେ ଯାଚି କରି ଦେଉଛନ୍ତି । ପରୀକ୍ଷାରେ ବରାବର କ୍ଲାସରେ ସେ ଫାଷ୍ଟ ହେଲା । ସାଙ୍ଗସାଥୀ ସମସ୍ତେ କହିଲେ ସାର ମାନେ (ଦିଦିମାନେ ବଡ଼ ହିଂସକୁଡ଼ୀ) ସବୁ କହି ଦେଇଛନ୍ତି ବୁଢ଼ୀକୁ । ନ ହେଲେ...ବୁଢ଼ୀର ନିଜ ପରିଶ୍ରମ ଗଲା କୁଆଡ଼େ । ଶରଧା ଯୋଗୁଁ ସେ ଫାଷ୍ଟ !

 

ଝିଅ ଆଉ ବାସରେ ଯାଆସ କରେ ନାହିଁ । ଯେଉଁ ଝିଅ ଅନ୍ତତଃ କେତେଟା କିଲୋମିଟର ଲୋକଙ୍କୁ ଆନନ୍ଦ ଦେଉଥିଲା ତା’ର ଛୋଟ ସ୍ମୃତି ଲିଭିଲିଭି ଯାଇ ନିଶ୍ଚିହ୍ନ ହୋଇଗଲା-। ଝିଅ ପଢ଼ା ଛାଡ଼ିଦେଲା ?

 

ଦିନେ ହେଡ଼ମାଷ୍ଟର ବୁଢ଼ୀର ବାପାକୁ ଡାକି କହିଲେ ବୁଢ଼ୀ ଆଉ ଆସୁନି, କ’ଣ ହେଲା-? ଭଲ ପଢ଼ୁଥିଲା ସମସ୍ତେ ତାକୁ ଆଦର ଶରଧା କରୁଥିଲେ, ତାକୁ ପଠାନ୍ତୁ ଗୋଟାଏ ଦେଢ଼ଟା ବର୍ଷ ପଢ଼ିଦେଲେ ମାଟ୍ରିକ୍‌ ପାଶ୍‌ କରିଯିବ ଫାଷ୍ଟ ଡିଭିଜନରେ । ଷ୍ଟେଣ୍ଡ୍‌ବି କରିପାରେ ।

 

ବାପା କହିଲେ, ମୁଁ ଝିଅକୁ ବହୁତ ବୁଝାଇଲି ଆଜ୍ଞା, ସେ ଏକା ଜିଦ୍ ଧରିଛି ପଢ଼ିବ ନାହିଁ-। ବେଶି ବୁଝାଇଲାବେଳକୁ ଅନର୍ଗଳ କାନ୍ଦିଲା । ତା’ ଛଡ଼ା ଝିଅର ଦେହ ମନବି ଭଲ ରହୁ ନାହିଁ । ମୁଁ ଭାବିଲି ନ ପଢ଼ୁ । ପାଠ ସ୍ଵର୍ଗକୁ ନବ ? କେଉଁଠି ଦେଖି ବାହା କରିଦେଲେ ଯେତିକି ପଢ଼ିଲାଣି ସେତିକିରେ ଘର କରିପାରିବ ।

 

ଝିଅ ‘ଅନପଢ଼୍’ ରହିଗଲା, ଆଠଦିନ ହେଲା ସେ ବାହା ହୋଇଗଲା ।

 

‘‘ପ୍ରଶାନ୍ତବାବୁକୁ ! ଏଇ ତୁମର ପନ୍ଦର ମିନିଟିଆ ଗପ ! ମୁଁ କେତେବେଳୁ ଜାଣିଲିଣି ବୁଢ଼ୀଟି କିଏ । ହେଲେ ତୁମେ ଆତ୍ମ ଚରିତ କହୁଛ ବୋଲି ଧୀରସ୍ଥିର ଚୁପ୍‍ଚାପ୍ ରହିଲି, ନ ହେଲେ କିଏ ଏତେ ସମୟ ନଷ୍ଟ କରନ୍ତା ।’’

 

‘‘କାହିଁକି ଏ ଗପ କହିଲି ବୁଝି ପାରିଲ ?’’

 

‘‘ମୁଁ କହୁ ନଥିଲି ତୁମେ ପଢ଼ିଥିଲେ ମୁଁ ତୁମକୁ ଆହୁରି ଅଧିକ ଶରଧା କରିଥାନ୍ତି ।’’

 

‘‘ଫେର୍‌ ଶରଧା କଥା କହୁଛ । ଏଇ ଶରଧାପାଇଁ ତ ମୋ ପାଠପଢ଼ା ଅଧାରେ ରହିଲା-। ତୁମ ଗୋଡ଼ ବୋଇଲେ ହାତ ଓଠ ବୋଇଲେ ପାଟି, ଯିମିତି ସବୁବେଳେ ଖଲବଲ ହେଉଛି ମୋର ଭୟ ହେଲାଣି ଏ ଯେଉଁ ନୂଆ ପାଠ ପଢ଼ାଉଛ ତା’ ବି ଅଧାରେ ରହିଯିବ ।’’

 

‘‘ତୁମେ ଖଣ୍ଡେ ଗୁରୁ ଅଛ ଦେଖୁଛି” କହି ପ୍ରଶାନ୍ତ କହିଲା ଏଥର ବାରଲାଇଟ୍‌ଟା ଲିଭାଇ ଲେମ୍ପଟା ଜାଳ ।’’

Image

 

Unknown

ଚାଉଳ

 

ମାତ୍ର ଆଉ ଗୋଟେ ହପ୍ତା, ସାତୁଟା ଦିନ; ଅତି ବେଶି ହେଲେ ଆଠଦଶ ଦିନ । ଟାଣିଓଟାରି କଷ୍ଟେମଷ୍ଟେ ଏତେଦିନ ବଞ୍ଚାଇ ଆଣିଲା; କୌଣସିମତେ ଆଉ କେତୁଟା ଦିନ ସମ୍ଭାଳି ପାରିବ ନାହିଁ ? ବଡ଼ ହୁଏତ ବଞ୍ଚିଯିବ, ତିଷ୍ଠିଯିବ; କିନ୍ତୁ ସାନ…କେଜାଣି ? ଦୁଇଟଙ୍କା ସତୁରି ଦେଇ ବ୍ଲେକ୍‌ରେ କିଣା ପୋକା ପୋଚରା ଅଟା ପାଣି ପିଇ କେତେ ଦିନ ବଞ୍ଚିବ ? ବୁଜୁଳା ବାହାରି ପଡ଼ିଲାଣି । ଗାଲ ପାଦ ଫୁଲା ଫୁଲା ଦିଶିଲାଣି ।

 

ଠିକ୍‌ ସମୟରେ ପଇସା ଯୋଗାଡ଼ କରି ପାରିଥିଲେ ଲକ୍ଷ୍ମୀପ୍ରିୟା ହୁଏତ ଲଘୁଧାନ ତଳି ପାଇଥାନ୍ତା । ଶେଷ କାର୍ତ୍ତିକ ନ ହେଲେବି ଆଦ୍ୟ ମଗୁଶୁର ବେଳକୁ କାଟିଥାନ୍ତା । କିନ୍ତୁ କପାଳ ଖରାପ ପଡ଼ିଛି, ତଳି ମିଳିଲା ନାହିଁ, ଯାହା ମିଳିଲା ତାହା ବଢ଼ଣା ପଡ଼ିଗଲା । କେଣ୍ଡାର ଅଗଧାନ ଗୋଟାଏ ଦୁଇଟା ରଙ୍ଗ ହୋଇଛି ସିନା, ହେଲେ କେରାର ତଳ ବାରପଣି ବିଲକୁଲ କଞ୍ଚା, ଦାନା ବାନ୍ଧିଛି କି ନାହିଁ ସନ୍ଦେହ ।

 

ପୁଣି ଯାହା ଉପରେ ଆଶା ବାନ୍ଧିଚି ତାହା ବା କେତେ ? ମାଣେ ଦୁଇମାଣେ ନୁହେଁ; ନିଜରବି ନୁହେଁ । ସଡ଼କ କର ଛୋଟ ଛୋଟ ଚାରିଟା କିଆରି । ହଳପାନ ନାହିଁ । ଗୋଡ଼ରେ ମାଡ଼ି ନିଜ ହାତରେ ରୁଆ । ପିଲାମାନଙ୍କ ବାପାଦାଦି କାହାକୁ କେତୁଟା ପାନଖିଆ ଦେଇ ପାଞ୍ଚବର୍ଷ ପୂର୍ବେ ଆବାଦ କରିଥିଲେ । ଯିଏ ବେଶି ଟଙ୍କା ଦେଲା ଏ ଜମି ତା’ର; ପୁଣି ଏ ବର୍ଷ ଅଛି ତ ଆରବର୍ଷ ଆଉ ଜଣକର । ବାପା ଦାଦି ଯିବାପରେବି ବର୍ଷକୁ ବର୍ଷ ୟାକୁତାକୁ ଦୁଇଟା ଗୋଟେ ଟଙ୍କା ଲାଞ୍ଚ ଦେଇ ସେ ଓ ଚମ୍ପିନାନୀ ଦଖଲ କରୁଛନ୍ତି ।

 

ବାପାଦାଦି ଥିଲାବେଳେ ଦୁଃଖକଷ୍ଟ ଜଣା ପଡ଼ୁ ନଥିଲା । କଲିକତାରେ ଦୁହେଁ କାମ କରୁଥିଲେ; ଜାହାଜରେ କି ଚଟକଳରେ କିବା ପାଣିକଳରେ । ଏକାବେଳେ ଦୁହେଁଯାକ ଅଘଟଣରେ କି ଦଙ୍ଗା ହେଙ୍ଗାମରେ ଗଲେ ଯେ କିଛି ଖବର ମିଳିଲାନି । ନିଜ ଦେଶରେ କାମଧନ୍ଦା ମିଳୁଥିଲେ ବା ବନବତାସି ଆସୁ ନଥିଲେ ସେମାନେ କ’ଣ ବାଉଦପୁର ଛାଡ଼ି ପିତଳକଣ୍ଠୀକୁ ଆସିଥାନ୍ତେ ଏଇ କାଙ୍ଗାଳ ଇଲାକାଟାକୁ ?

 

କି କାଳ ପଡ଼ିଲା ! ଆଈମା ଗପୁଥିଲା ନ’ଅଙ୍କବେଳେ କୁଆଡ଼େ ଟଙ୍କାକୁ ଚାରିସେର ଚାଉଳ ହେଲା ଯେ ଲୋକେ କିଣି ନପାରି ଭୋକ ଉପାସରେ ମାଳ ମାଳ ହୋଇ ମଲେ । ନିଜ ମାଆ ମୁହଁରୁ ମାଳିକା ବଚନ ଶୁଣିଛି, ‘‘ଟଙ୍କାକୁ ହୋଇବ ସେରେ ଚାଉଳ’’ । ସେତେବେଳର କେଡ଼େ ଭାୟାବହ ବଚନ ! ମାଳିକା କଥା ସତ ହୋଇ ଭଲା ଟଙ୍କାକୁ ସେଇ ସେରେ ଚାଉଳ ମିଳୁଥାନ୍ତା । ଚାରିଟଙ୍କାକୁ ତ ସେରେ ମିଳୁନି । ତା’ କାନ ଶୁଣିଛି, ଆଖିବି ଦେଖିଲାଣି, ମହା ମହା ଲୋକେ ଟଙ୍କା ମୁଣ୍ଡତଳେ ଗୁଞ୍ଜି, ହାତରେ ମୁଠାଇ, ଭୋକଉପାସରେ ଶୋଇ ଯାଉଛନ୍ତି । ଗୋରୁଗାଈ ଛେଳିମେଣ୍ଢା କଂସା ପିତଳ, ଗହଣା-ଗଣ୍ଠି କଥା ଛାଡ଼, ପୋଷି ନ ପାରି ନିଜ ଛୁଆ ପିଲାଙ୍କୁବି ବିକୁଛନ୍ତି । କିଣୁଛି ବା କିଏ ? ଅଖାଦ୍ୟ ଖାଇ ମରୁଛନ୍ତି; କିଏ ବା ବିଷ ଦେଇ ଆଗ ଛୁଆପିଲାଙ୍କୁ ମାରି ନିଜେ ମରୁଛି । ତା’ରି ଭଳି ସ୍ତ୍ରୀଲୋକ ଡିହ ବିକି ଦିହ ବିକୁଛନ୍ତି । ଖାଇବା ଚିଜ ଛଡ଼ା ଅନ୍ୟ ସବୁ ଦେଶରେ ମିଳୁଛି, ହୁଏତ ଶସ୍ତାରେ । ତା’ କପାଳରେ କ’ଣ ଅଛି ବା କେଜାଣି । ପୁଣି ଲଞ୍ଜାତାରା କୁଆଡ଼େ ଉଠିବ ବୋଲି ଲୋକେ କୁହାକୁହି ହେଉଛନ୍ତି–ଏଇ ମାସକ ଭିତରେ ।

 

ଆଜି ମଙ୍ଗଳବାର । ପଅରି ଦିନକୁ ତିନିପାଳି ଗୁରୁବାର ପଡ଼ିବ । ଚାରିପାଳି ମାଣବସା ଗୁରୁବାରକୁ ତା’ ନିଜ ଧାନ ଅମଳ ହୋଇଥିବ । ନଡ଼ାଗୁଡ଼ାକ କଞ୍ଚା ଥିଲେ ସେ ଖାଲି ଶିଷାଗୁଡ଼ାକୁ କାଟି ଆଣି ମାଣ ପୂରାଇ ପୂଜା କରିବ । କିଣା ବା କରଜ ଚାଉଳରେ ଝୋଟି ଲେଖିବାକୁ ତାକୁ କିମିତି କିମିତି ଲାଗେ । ଗାଁ ସାହିରେ ବୁଲି ଆସିଲେ କଣାଟିଏ ଅରୁଆ ଚାଉଳ ମିଳିବନାହିଁ । ଦିନ ଥିଲା ସେ କାନ୍ଥରେ ଏତେ ସୁନ୍ଦର ପଦ୍ମ ଫୁଲ ଆଙ୍କୁଥିଲା ଯେ ଦାଣ୍ଡଗଲା ଲୋକବି ଦଣ୍ଡେ ଛିଡ଼ା ହୋଇ ଦେଖୁଥିଲା । ଅଗଣାରେ ଆଉ ଘରଭିତରେ ଟିକି ଟିକି ଲକ୍ଷ୍ମୀ ପାଦ ଏତେ ସୁନ୍ଦର କରି ଲେଖୁଥିଲା ଯେ ଲକ୍ଷ୍ମୀଦେବୀ ପାଦକୁ ପାଦ ମିଳାଇ ଦାଣ୍ଡପଟୁ ବାରିପଟୁ ଅଧା ରାତିରେ ବିଜେ କରି ଆସୁଥିଲେ, ବର୍ଷଯାକ ନ ରହିଲେବି ତିନିଚାରି ମାସ ରହୁଥିଲେ ।

 

ଏ ପଟେ ସାଇପଡ଼ିଶା କେହି ମାଣବସା ଜାଣନ୍ତି ନାହିଁ । ଜାଣିଲେବି ମାନନ୍ତି ନାହିଁ । ତାଙ୍କର ଲକ୍ଷ୍ମୀପୂଜା କେଉଁଦିନରୁ ଗଲାଣି, ତାଙ୍କର ଝୋଟି ନାହିଁ, ଝୋଟିକି ସେମାନେ କହନ୍ତି ଆଲ୍‌ପନା । ତାଙ୍କର ଚିତଉ ଉଆଁସ, ଗହ୍ମାପୁନେଇ; ଖୁଦୁରୁକୁଣୀ, ରାସପୁନେଇ, ଅଗିରାପୁନେଇଁ ଏ ସବୁ ବାରବ୍ରତ ପୂଜା ପାର୍ବଣ କିଛି ନାହିଁ । ତାଙ୍କର ସେଇ ଦୁଇଟା ପୂଜା ମାଆର ପୂଜା ଆଉ କାଳୀପୂଜା । ‘ଳ’ କୁ ‘ଲ’ କହନ୍ତି ‘ଣ’ କୁ ‘ନ’ କହନ୍ତି ।

 

ତିନିଚାରି ପୁରୁଷ ଧରି ଘରେ ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମଙ୍କ ରାମାୟଣ ଆଉ ସାରଳାଦସଙ୍କ ମହାଭାରତ ଗାଦି ପୂଜା ପାଉଛନ୍ତି । ଲକ୍ଷ୍ମୀପ୍ରିୟା ସେଇ ଗାଦି ଆଡ଼କୁ ଚାହିଁଲା-। ସେଇ ଗାଦି ଆଉ ଲକ୍ଷ୍ମୀପେଡ଼ି ଆଉ ମାଣ ତା’ର ସବୁ ସମ୍ପତ୍ତି । ଲକ୍ଷ୍ମୀଙ୍କ ତିନି ଚାରିଘର ପିତଳ ହାତୀ ପୁରୁଷ ପୁରୁଷ ଧରି ସଞ୍ଚୟ ବାକ୍ସ କାମ କରୁଛନ୍ତି । ତା’ର ମନେପଡ଼ିଲା ଭା’ଗତ ବଚନ ‘‘ଅନ୍ନ ବିହୁନେ ହଂସ ହାନି ।’’ ସତକଥା । ଆନ୍ନ ନାହିଁ ଓ ହଂସ ନାହିଁ । ଗହମରୁ କ’ଣ ଅନ୍ନ ହୁଏ ? ହୁଏ ରୋଟି, ଚପାଟି, ପୁରୀ ପରେଟା । ଏଇ ଅନ୍ନ ମୁଠିକପାଇଁ ଜଗା-ବଳିଆ ଦୁହେଁଯାକ କମ୍ ହଇରାଣହରକତ ନ ହୋଇଛନ୍ତି । ସେ ତ ଲକ୍ଷ୍ମୀପୁରାଣ କଥା, ଶେଷରେ ପରା ଦୁହେଁ ପେଟବିକଳରେ ଚଣ୍ଡାଳୁଣୀଟା ହାତରୁବି ଅନ୍ନ ଖାଇଗଲେ । ପେଟ କାନ୍ଦିଲେ ଜାତିପତି ମାନୁଛି କିଏ-? ଏଇ ଅନ୍ନର ମହତ୍ତ୍ଵ ଜାଣି ଜଗନ୍ନାଥ ଦୈନିକ ଷାଠିଏ ପଉଟି ଅନ୍ନ ଭୋଜନ କରୁଛନ୍ତି ବୋଲି ଆମ ଜାତି ଭାଇ ଗର୍ବ କରନ୍ତି ।

 

ପ୍ରଭୁ ! ତୁମ କୁଣ୍ଡିତଳେ ଲାଗିଥିବା ଅନ୍ନରୁ କଣିକାଏ କଣିକାଏ ଦେଲେ ତ–ସବୁଦିନ ନ ଦେଲ ନାହିଁ ସାତ ଦିନ ପାଇଁ ଦିଅ ମୋ’ କଥା ଛାଡ଼, ମୋ’ କୁନା–ଟୁନାତ ବଞ୍ଚିଯିବେ ପ୍ରଭୁ ! ଏ ତିରୋଟ ଦିନରେ କିଛି କମ୍‌ ଖାଅ, ଗରିବଗୁରୁବାଙ୍କୁ କିଛି ବାଣ୍ଟିଦିଅ । ଚକାଡ଼ୋଳା ! କଟିଛୁଆ ଯେ, ହାଡ଼କଣ୍ଟା ଅସ୍ଥି ଚର୍ମ ହେଲାଣି । ଏଇ କେତେବର୍ଷ ତଳେ ପ୍ରଭୋ ! ତୁମରି ପୁରୀ ଯାଜପୁର ଇଲାକାରେ ଲୋକେ ତୁମରି ନାଁ ଧରି ‘ଜଗନ୍ନାଥେ ମଙ୍ଗଳ କରନ୍ତୁ, କହି ଥଳିକି ଥଳି ପୂରାଇ ଆମରି ଇଲାକାରୁ ଚାଉଳ ନେଇଯାଇଥିଲେ, ଏଥର ଆମେ ଥଳି ପାତୁଛୁ ? ଆମରି ଜାତିଭାଇଙ୍କ ପାଖରେ ‘‘ଜଗନ୍ନାଥେ ମଙ୍ଗଳ କରନ୍ତୁ’’ କହୁଛୁଁ ମିଳୁ କିଛି । ଶ୍ରୀକ୍ଷେତ୍ର ଆଡ଼କୁ ଚାହିଁ ଲକ୍ଷ୍ମୀପ୍ରିୟା ନମସ୍କାର କଲା ହାତଯୋଡ଼ି ।

 

ସତରେ ଜଗନ୍ନାଥ ଦୟାର କ’ଣ ସୀମା ଅଛି ? ଚନ୍ଦନଅର୍ଗଳି ପାର ହୋଇ କିଏ ନ ଯାଇଛି ତାଙ୍କ ପାଖକୁ ଧଣ୍ଡା, ମହାପ୍ରସାଦ, ଚରଣୋଦକ ପାଇଁ ? କୁଷ୍ଠୀ ଦିନକୃଷ୍ଣ, ଯବନ ସାଲବେଗ, ଗରୁଡ଼ସ୍ତମ୍ଭ ପାଖରେ ଅଟକି ସୀମା ବାହାରେ ଥାଇବି ଯାହା ଚାହୁଁଥିଲେ ପାଇଛନ୍ତି । କିନ୍ତୁ ଗତ କେଇବର୍ଷ ହେଲା ମଣିଷ ଯେଉଁ ଅର୍ଗଳି କରିଛି ତାକୁ ପାରିହବ କିଏ ?

 

ପାର ହୋଇଥିଲା, ଭେଦିଥିଲା ତା’ ଯାଆ ଚମ୍ପା, ଗାଁର ଚମ୍ପିନାନୀ, ଅକ୍ଳେଶରେ ସେ ଅର୍ଗଳି, ବାଡ଼ବନ୍ଧ, ଧଡ଼ା ଡେଇଁ ଗଳି ପାରିହୋଇ ଜଗାବଳିଆ ଦେଶକୁ ଯାଉଥିଲା । ଗଣ୍ଠିରି ଗଣ୍ଠିରି ଚାଉଳ ଆଣୁଥିଲା । ତାକୁ ବିକିଭାଙ୍ଗି ସମସ୍ତେ ବଞ୍ଚୁଥିଲେ, ସେ କ’ଣ ଏକା ? ଗାଁ ସାଇର ପଲ ପଲ ସ୍ତୀରି ଛୁଆପିଲାବି ତା’ ସାଙ୍ଗରେ ଯାଇ ଆଣୁଥିଲେ ଚାଉଳ । ସେ ଥିଲା ସମସ୍ତଙ୍କର ନେତା । ସମସ୍ତଙ୍କ ଦେଇ କ’ଣ ସବୁକଥା ହୁଏ ?

 

କିନ୍ତୁ ଚମ୍ପିନାନୀ ଯେ, ସାତଦିନ ହବ ଗାଁକୁ ଫେରିନି । ଶୁଣାଶୁଣିରେ ସେ ଆଉ ଫେରିବ ନାହିଁ । ବାଲେଶ୍ଵର ଷ୍ଟେସନରେ ରହିଗଲା । କଳରୁ ପାଣିପିଇ ଫେରୁଥିଲା, ରେଳ ଛାଡ଼ିଦେଲା । ଚଳନ୍ତା ଗାଡ଼ିରେ ଚଢ଼ୁଁ ଚଢୁଁ ଗୋଡ଼ ଖସିଗଲା, ଦୁଇଖଣ୍ଡ ହୋଇ କଟିଗଲା, ତା’ର ଛେଉଣ୍ଡ ଦୁଇପୁଅ ସାଙ୍ଗକୁ ନିଜର ଦୁଇ, ଟୁନା ଆଉ କୁନା, କାନ୍ଦି କାନ୍ଦି ଭୋକଉପାସରେ ଲହୁଲୁହ ଶୁଖିଗଲାଣି–ଡହଳବିକଳ ଦେଖିଲେ ମାଆ ଛାତି କ’ଣ ପଥରବି ତରଳି ଯିବ । ତିନିମାସ ଧରି ଯାଆ ନିଜ ଛୁଆଙ୍କ ସାଥିରେ ତା’ ଛୁଆଙ୍କୁ, ତାକୁବି ପୋଷିଥିଲା, ଗୋଟାଏ ଗୋଟାଏ ଦିନ ତାକୁ ଯୁଗ ପରି ଲାଗୁଛି ।

 

ତାକୁବି କ’ଣ ଯାଆର ରାହା ଧରିବାକୁ ପଡ଼ିବ ? ଆଉ ଅନ୍ୟ ଉପାୟ କ’ଣ ବା ଅଛି ? କି ଦୁଃଖ ! କି ବିଡ଼ମ୍ବନା ! ଦେଶକୁ ଭାଗଭାଗ କଲା କିଏ ? ଦୁଇଦେଶ ମଝିରେ ଗାର ଟାଣିଲେ କେଉଁ ଲକ୍ଷ୍ମଣ ? ତିନିଗାର ନୁହେଁ, ମାତ୍ର ଗୋଟାଏ । ଏଇ ଯେ, ଗାଁର ଖଣ୍ଡେ ଦୂରରେ ସେଇ ଗାରଟା ! ଗାର ଉପରେ ସାକ୍ଷାତ ଜଗନ୍ନାଥ ପରି ଖୁମ୍ବଟାଏ ରହିଛି, ସିମିତି ଖଣ୍ଡେ ଦୂର ଛାଡ଼ି ଛାଡ଼ି ରହିଛନ୍ତି ବଳଭଦ୍ର, ସୁଭଦ୍ରା, ସୁଦର୍ଶନ । ଗାଁର ସୀମାସରହଦ୍‌ ଚିହ୍ନାଇ ଦେଉଛନ୍ତି ଦୁଇ ଦେଶର ଲୋକଙ୍କୁ । ସୀତାଠାକୁରାଣୀ ସୁନାର ହରିଣର ମାଂସର ଚମଡ଼ା ଲୋଭରେ ସ୍ଵାମୀଙ୍କି ବଣକୁ ପଠାଇ ନିଜେ ସବାଶେଷରେ ଏକା-ନିଃଶ୍ଵାସକେ ତିନିତିନିଟା ଗାର ଡେଇଁଗଲେ ! ତା’ର ତ ମାଂସ ଚମଡ଼ାକୁ ଲୋଭ ନାହିଁ । ମୁଠାଏ ଅନ୍ନପାଇଁ, ଛୁଆଙ୍କ ଜୀବନ ବଞ୍ଚାଇବା ପାଇଁ ସେ କ’ଣ ଗୋଟିଏ ଗାର ଡେଇଁ ପାରିବ ନାହିଁ ?

 

ଗାଁର ଆରପାଖେ ଖଣ୍ଡେ ଦୂରରେ ଟଙ୍କାଏ ସତୁରିକି, ଏଠି ଚାରି ଟଙ୍କା ସତୁରି । ପିତଳକଣ୍ଠା ଗାଁର ପର୍ଣ୍ଣକୁଡ଼ିଆରୁ ବାହାରି ସେ ଯେବେ ଡାକେ-ବାଟରେ ପଡ଼ିଥିବା ଗାର ଡେଇଁଯାଏଁ ତେବେ, କେଉଁ ରାକ୍ଷସରାବଣ ମାୟାବୀ ତପସ୍ଵୀ ବେଶ ଧରି ତାକୁ ଶୂନ୍ୟ ମାର୍ଗରେ ଉଡ଼ାଇ ନବ ନାହିଁତ ! କିନ୍ତୁ ସେ କ’ଣ ନିଜପାଇଁ ସୁଖ ଲୋଡ଼ୁଛି ? ନିଜେ ମରୁ ପଛକେ ଛୁଆମାନଙ୍କୁ ବଞ୍ଚାଇବାକୁ ହେବ । ସେଇ ଛୁଆମାନଙ୍କ ପାଇଁ ତ ଯାଆ ମଲା–କମ୍‌ ଲାଞ୍ଛନା; କକର୍ଥନା ସେ ସହିଛି-! ତା’ ଛୁଆଙ୍କୁ ମୋ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ଦିହବି ବିକିଲା, ଶେଷରେ ମଲାବି ।

 

ଯେଡ଼େ ବିପତ୍ତି ପଡ଼ୁନା କାହିଁକି ଲକ୍ଷ୍ମୀପ୍ରିୟା ଯିବ, ଘରୁ ଗୋଡ଼ କାଢ଼ି ତା’ ଚମ୍ପିନାନୀ ଯେଉଁ ରାସ୍ତାରେ ଯାଇଥିଲା, ଅଗମ୍ୟକୁ ଦୁର୍ଗମକୁ ସହଜଗମ୍ୟ କରିଥିଲା । ସେ କ’ଣ ବିଦେଶକୁ ଯାଇଛି କି ? ସେଇ ଜଗନ୍ନାଥ ରାସ୍ତା । ଏଇଠୁତ ଡୋରି ପରି ଲମ୍ବି ଯାଇଛି ପୁରୀଧାମଯାକେ । ସେଇଠି ଭଦ୍ରଖ ଆରପାରି ବାଉଦପୁରରେ ତା’ ଜ୍ଞାତିକୁଟୁମ୍ବ ଏବେବି କ’ଣ ନାହାନ୍ତି ? ଜଗନ୍ନାଥଙ୍କ ମହାପ୍ରସାଦ ହାଣ୍ଡିରୁ ମାତ୍ର କେଇବର୍ଷ ପୂର୍ବେ ସମସ୍ତେ ତ ଏକାଠି ବସି ଖାଇଥିଲେ କାମରୂପରୁ କାଞ୍ଚିପର୍ଯ୍ୟନ୍ତ । ସେତେବେଳେ କ’ଣ ଗାର ନଥିଲା ଏ ନୂଆ ଗାର ଟାଣି ନିଜକୁ ପର, ନିଜ ଦେଶକୁ ପରଦେଶ କଲା କିଏ ? ସେ ଯିବ, ଯିବ, ଯିବ ।

 

କିନ୍ତୁ ଏ ପ୍ରାନ୍ତରେ ଜନମତ ହିଂସ୍ର ଭାବରେ ଜାଗ୍ରତ । ଜନତା ଯେକୌଣସି ଦୁଷ୍କର୍ମ କରିବାକୁ ଉଦ୍ୟତ । ଭାରତର ଭାତହାଣ୍ଡି ନ ହେଲା ଓଡ଼ିଶାର ଭାତ ହାଣ୍ଡିଟି ଶୂନ୍ୟ ହେବା ଉପରେ-। ପିମ୍ପୁଡ଼ି ବାପୁଡ଼ା ଧାଡ଼ି ଧରିଲେ ଗୁଡ଼କୁନ୍ଦାବି ଏକା ରାତିକେ ଶେଷ । ପୁଣି ସେଇ ଭାତହାଣ୍ଡି ବଙ୍ଗୋପସାଗରକୁ ଭାସିଯିବା ବିଚିତ୍ର ନୁହେଁ । ଯେଉଁ କେତୁଟା ଅନ୍ନ ତଳରେ ଲାଗିଛି, ତାକୁବି ଏଣୁତେଣୁ କୁଆ କୁକୁର ଉଡ଼ିଆସି ଖାଇବାକୁ ଲାଗି ପଡ଼ିଲେଣି । ସେଗୁଡ଼ାକୁ ମାରି, ଘଉଡ଼ାଅ-ବାଟୁଳି, ଧନୁଶର, ବନ୍ଧୁକ ମୁନ ଏମିତି କି ଗୁଳିରେ । ଜାତି ଓ ଜାତୀୟତା ଆଜି ଜାଗ୍ରତ ଅଭାବନୀୟ ଉଗ୍ରତାରେ ।

 

ସରକାର, ନେତା, ଜନତା, ଛାତ୍ର, ରେଡ଼ିଓ, ଖବରକାଗଜ, ସମସ୍ତେ ସର୍ବତ୍ର ଆଜି ସଚେତ ଓ ସକ୍ରିୟ । ଯାହା ହେଲା ହେଲା ଆଉ ବରଦାସ୍ତ କରାଯିବ ନାହିଁ, ଆମେ ମରିଯିବା ଯେ ପରକୁ ବଞ୍ଚାଇବାକୁ ଯାଇ । ଟ୍ରେନ୍‌, ବାସ୍‌, ଟେକ୍‌ସି, ବୋଟ, ଡଙ୍ଗା, ବଳଦଗାଡ଼ି, କାହିଁରେ କାହାକୁ ମୁଠାଏ ଚାଉଳ ଗାଁର ଏପାରିରୁ ସେପାରିକି ନବାକୁ ଦିଆଯିବ ନାହିଁ, ଚୁଡ଼ା, ମୁଢ଼ି, ଖଇ, ଏପରିକି ଛତୁ ଆକାରରେ । ସର୍ବତ୍ର ଧର ଧର, ମାର ମାର ଡାକ ଏଁ ଏଁ ମେଂ ମେଂ ଆର୍ତ୍ତନାଦ କରୁଣ ଚିତ୍କାର-। କିନ୍ତୁ ଚାଉଳ ଚାଲିଯାଇଛି । କେଉଁଠି କେତେ ଶହ ବସ୍ତା କିଏ ଧରିଛି ବାରମ୍ବାର ରେଡ଼ିଓ କହିଚାଲିଛି, ସ୍କୁଲ କଲେଜ ପିଲାଏ ପାଠଛାଡ଼ି ଚାଉଳ ଧରୁଛନ୍ତି, ଚୋରି ଡକାଇତି ନ ଧରି ଚୋରାଚାଲାଣ ଧରୁଛନ୍ତି, ଧାନ ସଂଗ୍ରହ କାମ ଛାଡ଼ି ଏଫ. ସି. ଆଇ, ଶିଭିଲ ସପ୍ଳାଇବାଲା ଚାଉଳ ଧରୁଛନ୍ତି । ଲୋକଙ୍କ ପେଟକୁ ଚାଉଳ ନପଶି ମୁଣ୍ଡକୁ ପଶିଛି । କିଏ ଯେ କିପାଇଁ ଧରୁଛି ସେ କଥା କିଏ କହିବ ?

 

ଯାହା ହେଉ, ଜିଲ୍ଲା ଜିଲ୍ଲାକୁ ଅର୍ଗଳି, ଥାନା ଥାନାକୁ ଚେକ୍‌ପୋଷ୍ଟ, ରାସ୍ତା ରାସ୍ତାକୁ ଅକ୍‌ଟ୍ରାଇ ଧଡ଼ା । ହେଲେ ବୁଭୁକ୍ଷୁ ଜନତା ସମୁଦ୍ରକୁ ବାଡ଼ବତା ଦବ କିଏ ? କେଉଁ ବନ୍ଧବାଡ଼ ବଳଙ୍ଗ ସୁବର୍ଣ୍ଣରେଖା ବନ୍ୟାକୁ ରୋକି ପାରିଲା ? ଇଆଡ଼େ ବନ୍ଧ ବାନ୍ଧିଲେ ସିଆଡ଼େ ବନ୍ଧ ଭାଙ୍ଗିଲା । ବାପ ପୁଅ ରାତିଯାକ ଉଜାଗର, ମୁଗୁରା ମୁହଁ ତେଣେ... ।

 

ଧାନ ଚାଉଳର ସରକାରୀ କିଣା ଦର ଯେତେ ବୃଦ୍ଧି କଲେବି ଚୋରା ଚାଲାଣ ରୋକିବା ମୂଢ଼ ପ୍ରୟାସ । ଜନମତ ତଥା ସରକାରୀ ପ୍ରଚେଷ୍ଟା ଯେତେ ଟାଣୁଆ, ଚୋରାଚାଲାଣକାରୀଙ୍କ ମେଣ୍ଟ ଓ ବୁଦ୍ଧି କଉଶଳର ଉଦ୍ଭାବନ ଓ ପ୍ରୟୋଗ ସେତେ ବିଚକ୍ଷଣ ଓ ଚମତ୍କାର । ଏ ଚକ୍ରବ୍ୟୂହ ଅଭିମନ୍ୟୁ ଅବା ଭେଦ କରି ପାରନ୍ତା, ସୁଭଦ୍ରା କ’ଣ ପାରିବ ?
 

ଚମ୍ପିନାନୀ ଭେଦ କରିଥିଲା, ବାରମ୍ବାର ଫେରୁଥିଲା ବିଜୟିନୀ ବେଶରେ ସପ୍ତରଥୀ (ସୁପ୍ତରଥୀ) ଙ୍କି ପରାଭୂତ କରି । ସେ ଦିନେ ଦିନେ ତା’ର ରୋମାଞ୍ଚକର ଅଭିଜ୍ଞତା ବର୍ଣ୍ଣନା କରେ । ଭାରି ଗପଡ଼ି । କୁହେ, କିମିତି ଭୋର ସକାଳୁ ବାହାରି ଦୁଇକୋଶ ଗଲେ ନେକୁରୁଶୁଣୀ ବୋଲି ଗୋଟାଏ ଟେସନ ପଡ଼େ । ସେଇଠି ରେଳ, ବିନା ଟିକେଟରେ ଚଢ଼ି ହୁଏ । ଆମରି ସରକାର, ଆମରି ରେଳ, ଟିକେଟ କି ଦରକାର ? କେହି ଟିକଟ କାଟନ୍ତି ନାହିଁ । ଭାରି ବଢ଼ିଆ ରେଳ ସେଇଥିପାଇଁ ଖୁବ୍‌ ବେଶି ଭିଡ଼ । ସବୁ ଚିଜ ମିଳେ; ଭିତରେ ଦୋକାନ ବଜାର ସବୁ ଅଛି । ଘୋଳ ସରବତ ମିଳେ, କଳଚୁଲି ରଖି ଲୋକ ଚା’ ବିକନ୍ତି । ମୁଢ଼ି, ବରା, ଘୁଘୁନି, ଫଳମୂଳ, ପାନବିଡ଼ି ଯାହା ଖୋଜିବା ପାଇବ । ନାଚ କୀର୍ତ୍ତନବି ହୁଏ । ଦାସକାଠିଆ, ବାଇନାଚ, ନାନା ମଉଜ ମଜଲିସର ଗାଡ଼ିଟା । ଛୋଟା ଅନ୍ଧ କୁଷ୍ଠ ରୋଗୀ ସମସ୍ତେ ଖୁସିରେ ନାଚିକୁଦି ଯାଇପାରନ୍ତି । ସମସ୍ତେ ସମାନ, କେହି କାହାର ମାଲିକ ନାହିଁ । ଦେଶଯାକର ଲୋକ ଚାଲିଛନ୍ତି ଯିମିତି ସେ ଗାଡ଼ିଟାରେ । ସମସ୍ତେ ସ୍ଵାଧୀନ । ଯେଉଁଠି ଇଚ୍ଛା ଛିଡ଼ା କରାଅ । କାମ ସାରି ଫେର୍‌ ଚଳାଅ । ଏସବୁ ବର୍ଣ୍ଣନା ଦେଇ ଚମ୍ପିନାନୀ କୁହେ, ‘ଦେଖ, ରେଳ ସମସ୍ତଙ୍କର ଏ ପାଖ ରେଳ ସେପାଖକୁ ସେପାଖ ରେଳ ଏପାଖକୁ ଯା-ଆସ କରୁଛି । ହେଲେ ସେ ପାଖ ଚାଉଳ ଏ ପାଖକୁ ଆସି ପାରିବ ନାହିଁ ।’

‘‘ଚମ୍ପିନାନୀର କି ବୁଦ୍ଧି ! କେତେ ଗିଆନ ! କେଡ଼େ ଉଆଜିବ କଥା, ଖାଣ୍ଟି କଥା କହେ-।’’ କିଏ ଜଣେ ଶ୍ରୋତା ମନ୍ତବ୍ୟ କରେ ।

ଗପର ଖିଅ ଧରି ଚମ୍ପିନାନୀ କୁହେ ‘‘ଚାରି ଛଅ ଘଡ଼ିବେଳକୁ ବାଲେଶ୍ଵର । ଏଡ଼େବଡ଼ ଟେସନ ପୃଥିବୀରେ ନ ଥିବ, କଲିକତା ପରି ବଡ଼ ସହର କେଜାଣି । ଇଞ୍ଜିନ ଏଇଠି ପାଣିପିଏ । ଟେସନ ପହୁଞ୍ଚିବା ପୂର୍ବରୁ କିନ୍ତୁ ରେଳ ବଜାର ପାଖରେ ଠିଆ ହୁଏ । କୋର୍ଟ କଚେରି ପାଖରେ । ଲୋକେ ଧାଁ ଦଉଡ଼ କରି ମାଲିମକଦ୍ଦମା କରନ୍ତି । ବଡ଼ ବଡ଼ ଇସ୍କୁଲବି ସେଇଠି । ଥରେ ମୁଁ ଦୁଇଜଣ ପିଲାଙ୍କୁ ଦେଖିଥିଲି । ଝିଅଙ୍କ ପରି ଚୂଳ । କୁରାଢ଼ି ପରି କଲି ଆଉ ଫୁଲ ପକା ସାର୍ଟ । ଲୋକେ କୁହାକୁହି ହେଉଥିଲେ ସେମାନେ କୁଆଡ଼େ ଯାତ୍ରୀଙ୍କି ଡରାଇ ହଲାଇ ପଇସା ନିଅନ୍ତି । ସେଇ ପଇସାରେ ପାଖ ବଜାରରୁ ଚାଉଳ କିଣି ଆମରି ଗାଡ଼ିରେ ଜଳେଶ୍ଵର ପାଖ ଷ୍ଟେସନକୁ ଆସନ୍ତି, ଚାଉଳ ଚଢ଼ା ଦରରେ ବିକି ଫେରି ଯାଆନ୍ତି । ଥରକୁ ପଚାଶ ଶହେ ପାଇଯାନ୍ତି ।’’

‘‘ଲାଭ କ’ଣ ପା’ନ୍ତି ?’’

‘‘ଲାଭ ! ଯାହା ମିଳିଲା; ଖାଆନ୍ତି, ପିଅନ୍ତି, ଦେଖନ୍ତି । ତାଙ୍କର ଦଳ ଅଛି । ଥରେ ମୁଁ ଦୁଇଜଣ ବଜାରୁଣୀ ଝିଅଙ୍କ ସାଙ୍ଗରେ ସେ ଦୁଇଜଣଙ୍କୁ ଯିବାର ଦେଖିଛି ।’’

‘କ’ଣ ଯେ କୁହେ ନାନୀ !’ ଲକ୍ଷ୍ମୀ କୁହେ ।

‘ଏଇ ବାଲେଶ୍ଵର ଟେସନ ଅସଲ ଟେସନ । ଏଇଠି ଅସଲ ଚିଜ ମିଳେ । ବଡ଼ ପାଣିଟାଙ୍କି ପାଖରେ ଯେଉଁ ଭଙ୍ଗା ରେଳଡ଼ବା ଅଛି, ତାରି ଭିତରେ ଗୁଡ଼ାଏ ଭିକାରି, କୁଷ୍ଠରୋଗୀ ଅଛନ୍ତି । ସେମାନେ ବୁଲାବିକାଳିବି, ଚୋରବି । ରେଳ ଠିଆ ହେଲେ ଲୋକେ ତାଙ୍କ ପାଖକୁ ଦଉଡ଼ନ୍ତି । ନାନା ସାଇଜର ଛିଣ୍ଡା କନା, ଅଖାପଟର ଥଳି । ଅଧକିଲିଆରୁ ପାଞ୍ଚକିଲିଆ ପର୍ଯ୍ୟନ୍ତ । ମୁଁ ମୋ ପେଟପାଇଁ ପାଞ୍ଚ-କିଲିଆ ଓ ଛାତିପାଇଁ ଦୁଇଟା କିଲିକିଆ ଥଳି କିଣିଲି ଟଙ୍କାକରେ ।’

‘‘ନାଜ ନାଇଁ ଚମ୍ପି ନାନୀର’’–କୃତ୍ତିବାସ ମାଇତିର ସ୍ତ୍ରୀ ମନ୍ତବ୍ୟ ଦେଲା ।

ଚମ୍ପିନାନୀର ସମଧର୍ମୀ ପ୍ରୌଢ଼ାଟିଏ ତା’ କଥାର ଜବାବରେ କହିଲା, ‘‘ଆଲୋ, ଅଭାବରେ ସ୍ଵଭାବ ନଷ୍ଟ । ପଡ଼ିକାର୍ଡରେ ତିନି ଜାଗାରେ ତେର ଲେଖାଇ ଥଳିକି ଥଳି ଚାଉଳ ଶନିବାରକୁ ଶନିବାର କୃତ୍ତିଆ କଣ୍ଟାଇରୁ ଆଣୁଛି ବୋଲି ତୋର ନାଜସରମ ବେଶି ହେଉଛି ।’’

‘‘ତା’ କଥାକୁ କାହିଁକି କାନ ଦଉଛ ? ଆଚ୍ଛା ନାନୀ ! ତୁମେ ତେବେ ସେଇ ବାଲେଶ୍ଵରରୁ ଚାଉଳ ଆଣ ?’’

‘‘ନା, ବାଲେଶ୍ଵର ବାଲାଏଁ ଶହ ଶହ ସାଇକେଲ ପଠାଇ ଯେଉଁଠୁ ଆଣନ୍ତି ଆମେ ସେଇଠୁଁ ଆଣୁ । ସେଠି ଚାଳିଶ ପଚାଶ ପଇସା ଶସ୍ତାରେ ମିଳେ । ଆମେ ଆଣୁ ଗୋଟାଏ ସାନ ସହରଭଳି ଜାଗାରୁ । ସେଠି ପୂର୍ବେ ବୀରମାନେ ଥିଲେ–କୁଆଡ଼େ ମୋଗଲ ବର୍ଗୀମାନଙ୍କ ସହିତ ଯୁଝୁଥିଲେ । ଏବକୁ ଖଣ୍ଡା ଖଡ଼ଗ ଛାଡ଼ି ଲଙ୍ଗଳ ଧରି ବହୁତ ଧାନ ଅମଳ କରୁଛନ୍ତି । ଫେର୍‌ ତାଙ୍କ ହାଟକୁ ପାହାଡ଼ପାଖ ମଫସଲ ଗାଁରୁ ଶଗଡ଼ ଶଗଡ଼ ଚାଉଳ ଆସେ । ପାଟଣି ବୋଲି ଗୋଟିଏ ଚାଉଳ ମିଳେ ଯବେ ଲମ୍ବା; ମାଛକଣ୍ଟା ବୋଲି ଆଉ ଗୋଟାଏ ଚାଉଳ ଏତେ ସରୁ ଯେ ଆଖିକି ଦିଶିବ ନାହିଁ । ଆମେ କ୍ଷେପା ନ ହେଲେ ଭୁତିଆ ଧାନର ଚାଉଳ ଆଣୁ, ମୋଟା ବଗଡ଼ା ।’’

‘‘ଷ୍ଟେସନ୍‌ରେ ଚାଉଳ ମିଳେ ?’’

‘ଟେସନ ପାଖରୁ ଖଣ୍ଡେଦୂର ଗଲେ ମହାଜନ ଅଛନ୍ତି, ଭାରି ଭଲ ଜାଗା, ଭାରି ଭଲ ଲୋକ । ଟେସନରୁ ଓହ୍ଲାଇଲାବେଳକୁ ଲୋକ ଆସି ବାଟ କଢ଼ାଇ ନେଇଯିବେ ଠିକଣା ଜାଗାକୁ, ଯେତେ ନବ ନିଅ, ଦଶଘଡ଼ି ବେଳକୁ ଟେସନରେ ପହଞ୍ଚିଲା, ତିନିପହର ବେଳକୁ ସେଇ ରେଳ ଫେରି ଆସିବ । ଚାଉଳ କିଣିବାକୁ ବେଳ ଢେର । ଚାଉଳ ଧରି ଷ୍ଟେସନରୁ ପୁଣି ଫେରିଲେ, ସେଇଠି ପାଣି କଳରେ ଗାଧୁଆ ପାଧୁଆ କଲ, ରେଳଷ୍ଟେସନ ବାଡ଼ରେ ଲୁଗା ଶୁଖାଇଲ, ଏଥର ରୋଷେଇ କର । କାଲି ଯେଉଁମାନେ ରାନ୍ଧିଥିଲେ ତାଙ୍କରି ତିଆରି ଅଧାପୋଡ଼ା ଚୁଲି ଆଉ ଦରଜଳା ଅମରୀକାଠ ପଡ଼ିଛି । ମୁଠେ ଫୁଟାଅ; ଖାଇସାରିଲା ବେଳକୁ ଶୁଭିବ କୁଉଉଉଉ । ମାଛବି ବହୁତ ଶସ୍ତା, ଟିକିଏ ପଚିଥିବା ଇଲିସି କିଲ ଦୁଇଟଙ୍କା । ଚମ୍ପିନାନୀର ପଦ ପଦ କଥା ଲକ୍ଷ୍ମୀପ୍ରିୟା ଶୁଣୁଥାଏ । ସେଇ ନାନୀ ତା’ର ଅନ୍ନଦାତ୍ରୀ । ନାନୀର ପ୍ରଗଳ୍‌ଭତା, ରସିକତା, ଫୁଟାଣି ସବୁଦୋଷ ସେ ମାର୍ଜନା କରେ । ଗପ ମଝିରେ ମଝିରେ ଉଠିଯାଇ ଘରକାମ କରେ । ନାନୀକି ଘର କାମ କରିବାକୁ ଦିଏନାହିଁ ।

ଫେରିବା ବେଳର ନାନା ଘଟଣା ଉପାଖ୍ୟାନ କହୁ କହୁ ସେ କୁହେ କେତେ କ’ଣ କାହାକୁ ଦବାକୁ ପଡ଼େ । ବଡ଼ ବଡ଼ ପଢ଼ୁଆ ପିଲାଏ ନାଚତାମସା, ଯାତ୍ରା ସୁଆଙ୍ଗ କରିବେ ବୋଲି ଚାନ୍ଦା ମାଗନ୍ତି । ବଜାରର ଟୋକାଏବି ଦଳବାନ୍ଧି କାଳୀପୂଜା, ଜଗଦ୍ଧାତ୍ରୀ ପୂଜା କରିବେ ବୋଲି ଚାନ୍ଦା ନିଅନ୍ତି । ଓଡ଼ିଆ ଦେଶରେ ଅନେକ ଠାକୁର, ଜଣକର ପୂଜା ଊଣା ହେଲେ ଚାଉଳ ଉଭେଇଯିବ । ଏ ପ୍ରସଙ୍ଗରେ ସେ କୁହେ ଜଣେ ବୁଢ଼ା ପଏଣ୍ଟମେନ୍‌ କଥା । ଦିନେ ସେ ବୁଢ଼ା ଅଥର୍ବ ଦେଖିଲା ଯେ ସମସ୍ତେ କିଛି ପାଇଲେ । ସେ ଆସି ଚମ୍ପି ପାଖରେ କହିଲା, ‘‘ଦେ, ଦେ, ଚାନ୍ଦା ଦେ’’। ଚମ୍ପି ପଚାରିଲା ‘କି ଚାନ୍ଦା’, ସେ କହିଲା ‘ଗଣେଶ ପୂଜା’ ‘‘ଗଣେଶ ପୂଜା ତ କେତେ ଦିନୁ ଗଲାଣି । ‘‘ବୁଢ଼ା କହିଲା, ‘‘ନାଇଁମ, ଭୁଲ୍ କହିଲି ରଥ ଚାନ୍ଦା’’, ଯାହାକୁ ଦଣ୍ଡେ ଆଗରୁ ଚାନ୍ଦା ଦେଇଥିଲା ସେଇ ପଏଣ୍ଟମେନ୍‌କୁ ଚମ୍ପି ପଚାରିଲା ‘ଏ କି ଜାତିର ଲୋକ ?’ ଉତ୍ତର ଆସିଲା ସେ ବୁଢ଼ା ମୁସଲମାନ କି ଖ୍ରୀଷ୍ଟିୟାନ୍‌ ଅଛି ।’’

 

ଟ୍ରେନ ଭିତରେବି କେତେ କଥା ଘଟେ । ବାଟରେ ଗୋଟାଏ ଟେସନ ଅଛି ଯାହାର ନାଆଁ ଶୁଣିଲେ ହସିବ–ବାହାନଗାବଜାର । ସେଠିକାର ଦଳେ ଟୋକା ଦିନେ ଆସି ଟ୍ରେନରେ ପଶିଲେ ଆଉ ଯେତେ ପାରିଲେ ଚାଉଳ ଓହ୍ଲାଇନେଲେ । ଭାରି ସଚ୍ଚୋଟ ପିଲା, କହୁଥାନ୍ତି ‘‘ଆମେ ବାହାରକୁ ଚାଉଳ ଛାଡ଼ିବୁ ନାହିଁ, ଆମେ କ’ଣ ମରିବୁଁ ନ ଖାଇ ଭୋକଉପାସରେ । କାଳେ ମୋ ବୁକୁଚାଥଳି ଓହ୍ଲାଇ ନେବେ ବୋଲି ଭୟକରି ମୁଁ ଯିମିତି ହାତ ଟେକିଛି, ପାଖରେ ଚଷମା ପିନ୍ଧି ବସିଥିବା ଦରବୁଢ଼ାଟା ଦୁଇଅର୍ଥ ରଖି କହିଲା, ‘ନାନୀ, ସବୁ ଦିଶୁଛି ଯେ ।’ ମୁଁ ତ ପେଟରେ ଛାତିରେ ଚାଉଳ ପୁଡ଼ିଆ ବାନ୍ଧିଥାଏ । ମୋତେବି ହସ ମାଡ଼ିଲା । ମୁରୁକି ହସି ଦେଲି; ଆଖିକି ଥରେ ମାରିଦେଲି । ସେ ବଜାରୀକି ମୁଁ ବଜାରୁଣୀ । ଏତେଲୋକରେ ଦିନ ଦିପହରେ ସେ ମୋର କ’ଣ କରନ୍ତା ।’’

 

‘‘ନାନୀ ! ତୁମେ ଟିକେ ଅତି ହୋଇ ଯାଉଛ’’ କହି ଲକ୍ଷ୍ମୀପ୍ରିୟା ଉଠି ଚାଲିଗଲା । ନାନୀ ଫେରିବା ବେଳର ଦୁଃଖଦୁର୍ଦ୍ଦଶା ବା ବୁଦ୍ଧି କୌଶଳ ପ୍ରୟୋଗ ସେ ଶୁଣି ପାରିଲା ନାହିଁ । ଚକ୍ରବ୍ୟୂହ ଭେଦ କରିବା ଉପାୟ ସେ ଜାଣିଲା ସିନା, ଫେରିବା କଥା ଅଭିମନ୍ୟୁ ପରି ସେ ବି ଜାଣିପାରିଲା ନାହିଁ, ନାନୀ ତ ଆଉ ନାହିଁ, କାହା ପାଖରୁ ବୁଦ୍ଧି ନବ ? ଲକ୍ଷ୍ମୀପ୍ରିୟା କିନ୍ତୁ ଯିବ ଚାରିଛୁଆଙ୍କୁ ଧରି, ଫେରିବା ନ ଫେରିବା ସେଇ ଜଗା ହାତରେ ।

 

ରାତିରେ ବସି ବସି କେତେବେଳେ ଜହ୍ନ ଆଲୁଅରେ କେତେବେଳେ ଡିବିରି ଆଲୁଅରେ ପୁରୁଣା ଛିଣ୍ଡା ଫଟା କନାରେ ଛୋଟବଡ଼ କେତୁଟା ଥଳି ସିଇଁଲା । ବୁଧବାର ବଡ଼ି ଭୋରୁ ଉଠି ଗାଧୁଆପାଧୁଆ ସାରି ମଠା ଲୁଗା ପିନ୍ଧି ଲକ୍ଷ୍ମୀଙ୍କ ପେଡ଼ି ଖୋଲିଲା । ଲକ୍ଷ୍ମୀହାତୀ ପେଟ ଖୋଲି ନୂଆ ପୁରୁଣା ସୁକି, ଅଧୁଲି ବାହାର କରି ଅଚଳକୁ ରଖି ବାକିତକ ଗଣାଗୁନ୍ଥା କରି ଦେଖିଲା ସର୍ବମୋଟ ସତେଇଶି ବାରଣା ହେଲା, ଯେଉଁ ଲୁଗା ପିନ୍ଧିକରି ଯିବ ତା’ରି କାନିରେ କିଛି ବାନ୍ଧି ବାକିତକ ଅଣ୍ଟାପାଇଁ ଗୁଞ୍ଜିଲା । ବିନା ଗୁଡ଼ରେ ଛୁଆଙ୍କ ପାଇଁ କେତୁଟା ଚକୁଳି କଲା । ଘରେ କୋଲପ ପକାଇ ରେଳଟେସନକୁ ବାହାରିଲାବେଳେ ଭା’ଗତ ଗାଦି ପାଖରେ ଜୁହାର ହେଲା, ଲକ୍ଷ୍ମୀ ପେଡ଼ି ଆଡ଼କୁ ଚାହିଁ କହିଲା, ‘‘ମାଆ, ମୁଁ ଚଣ୍ଡାଳୁଣୀ ଘରେ କେବେ କେହି ଯାହା କରି ନଥିଲେ ତାହା ମୁଁ ଅଲକ୍ଷଣୀ କଲି, ତୋ’ ପେଟରୁ ଧନ ନେଲି । ଛୁଆଗୁଡ଼ାଙ୍କୁ ଥରେ ବଞ୍ଚାଇ ଦେ ମା-। ମୁଁ ତୋର ଦୋରେହା ହେବିନି । ଧାନ ବିକି ତୋ ଟଙ୍କା ତୋତେ ଦେଇଦେବି ।’’

 

ଚମ୍ପିନାନୀକି ସୁମରଣା କରି ତା’ରି ବର୍ଣ୍ଣନା ଓ ବିବରଣୀ ଅନୁସରଣରେ ଲକ୍ଷ୍ମୀପ୍ରିୟା ଗନ୍ତବ୍ୟ ସ୍ଥାନରେ ପହଞ୍ଚିଲା ଏବଂ ସୁରୁଖୁରୁରେ ସବୁ କାମ କରି ଚାଉଳ ଧରି ଫେରନ୍ତା ରେଳରେ ଚଢ଼ିଲା । ଝୋଟି, ଭୋଗପାଇଁ ପିଠାପଣା ଲାଗି କିଲେ ଅରୁଆ ଚାଉଳବି କିଣିଥିଲା । ପାଞ୍ଚ ଛଅଟି ଟଙ୍କା ଦାନ ଖଇରାତିରେ ଯାଇଥାଏ । ନିଜେ ସେ ଖୁବ୍‌ ମୋଟାସୋଟା ଦିଶୁଥାଏ, ଛୁଆମାନେ ଜାଉଁଳି ଯେତେ ଲୁଚାଇବାର ଚେଷ୍ଟା କରୁଥିଲେବି ପାରୁ ନ ଥାନ୍ତି । ଚାଉଳିଆ ହେଲେବି କେତେଦିନ ପରେ ଭାତ ମୁଠାଏ ମୁଠାଏ ଖାଇ ସେମାନେ ଟିକିଏ ସତେଜ ଦିଶୁଥାନ୍ତି । ଏପାଖ ସେପାଖର ନାନା ଦୃଶ୍ୟ ଦେଖି ଚଳନ୍ତା ରେଳରେ ଯିବାର ଆନନ୍ଦ ଟିକିକ ପାଉଥିଲେବି ସେମାନେ ଯେ ନ କରିବା କାମ କରୁଛନ୍ତି, ତା’ରି ସଜ୍ଞାନତା ତାଙ୍କୁ ଆତଙ୍କିତ କରୁଥାଏ । ପାଇଖାନା ପାଖ କଣଟିରେ ସମସ୍ତେ ଏକାଠି ଜାକିଜୁକି ହୋଇ ଛିଡ଼ା ହୋଇଥାନ୍ତି; ଥଣ୍ଡା ବାଧୁ ନ ଥାଏ ପରସ୍ପର ଦିହର ଉଷୁମରେ, ହେଲେ ସାନ ପିଲାଟି ଘୁମେଇବା ଆରମ୍ଭ କଲାଣି; ଘୁମା ରୋଗ ଧଇଲେ କୁକୁଡ଼ା ଚିଆଁ ଆଖି ବୁଜି ଯିମିତି ନିଶ୍ଚେଷ୍ଟ ହୁଏ ଠିକ୍‌ ସିମିତି ତା’ର ରୂପ, ଆଚରଣ । ରେଳର ସମସ୍ତ ଯାତ୍ରୀ ଗୋଦର, କୁଷ୍ଠ, ଫୁଲା ରୋଗରେ ଆକ୍ରାନ୍ତ ପରି କିମିତି ଅସ୍ଵାଭାବିକ ଦିଶୁଥାନ୍ତି । ବିଚରା ରେଳଟିବି ଉପର, ତଳ, ଭିତର, ସର୍ବତ୍ର ପୁଡ଼ିଆ ଥଳି, ବୋରାରେ ଅତି ଭାରାକ୍ରାନ୍ତ ହୋଇ ଥଙ୍ଗେଇ ଥଙ୍ଗେଇ ଚାଲୁଥାଏ । ପ୍ରତି ଚାରିପାଞ୍ଚ କିଲୋମିଟରରେ ନିଃଶ୍ଵାସ କୁଳାଏ ନାହିଁ, ଠିଆ ହୁଏ; ନିଃଶ୍ଵାସ ଫେରିଲେ ଦମ୍ ଆସେ, ପୁଣି ଚାଲେ ।

 

ଜଳେଶ୍ଵର । ଏଇ ହେଲା ଚକ୍ରବ୍ୟୂହର ପ୍ରବେଶ ଓ ପ୍ରସ୍ଥାନ ପଥ । ପ୍ରବେଶ କାଳରେ ବ୍ୟୂହର କୌଣସି ପଥରେ ରଥୀ ବା ସୈନିକ କାହାରି ଦେଖା ନଥିଲା । ବାଲେଶ୍ଵରରେ ଯାତ୍ରୀମାନେ ଆତଙ୍କିତ ହୋଇଥିଲେ, କାରଣ ଚାରିଆଡ଼େ ଶୁଣାଗଲା ପ୍ରସ୍ଥାନ ପଥ ଅବରୁଦ୍ଧ । ଜମାନା କୁଆଡ଼େ ବଦଳ ହୋଇ ଯାଇଛି ଏଇ ଭିତରେ । ସତକୁ ସତ ଗାଡ଼ି ଯିମିତି ଷ୍ଟେସନରେ ଛିଡ଼ା ହୋଇଛି ମୁହୂର୍ତ୍ତକେ ଜଣାଗଲା ବ୍ୟୂହର ସମସ୍ତ ରଥୀ, ମହାରଥୀ, ପଦାତି, ଅଶ୍ଵାରୋହୀଙ୍କ ଏଇ ଗୋଟିଏ ଦ୍ଵାରରେ ସମାବେଶ । ଯେଉଁଆଡ଼େ ଚାହିଁବ ଲୌହ ଶିରସ୍ତ୍ରାଣ, ଲାଠି, ବନ୍ଧୁକ । ପରିଚାଳନା ଭାର ନିଷ୍ଠୁରତା ଓ ନିର୍ମମତାରେ ଶ୍ରେଷ୍ଠସ୍ଥାନର ଯୁଗ୍ମ ଅଧିକାରୀ ଦୁର୍ଯୋଧନ ସ୍ଵାଇଁ ଆଉ ଦୁଃଶାସନ ମହାନ୍ତି ।

 

ଟ୍ରେନ ସେଇଠି ରହିଲା, ଆଉ ଆଗକୁ ଯିବନାହିଁ ଯେ ପର୍ଯ୍ୟନ୍ତ ଫଉଜ ତନଖି କରି ଟ୍ରେନରେ ସମସ୍ତ ଚାଉଳ ଉଦ୍ଧାର ନ କରିଛନ୍ତି । ଅଧଘଣ୍ଟାଏ ମଧ୍ୟରେ ରେଳବାଇ ଥାନା ଆଗରେ ଜମା ହେଲା ଶହ ଶହ ପୁଡ଼ିଆ, ଥଳି, ବୋରା, ଡୁଙ୍ଗୁରି ପ୍ରମାଣରେ । ରେଳର ଏମିତି କେଉଁ ଲୁଚାଚୋରା ସ୍ଥାନ ନାହିଁ ଯେଉଁଠି ଚାଉଳ ନଥିଲା । ସମସ୍ତ ଚାଉଳ ବାଜ୍ୟାପ୍ତି ବୋଲି ଘୋଷଣା କରାଗଲା । ଏଥର ହୁକୁମ ହେଲା ଯାତ୍ରୀମାନଙ୍କ ଦିହ ସର୍ଚ୍ଚ କର । ସ୍ତ୍ରୀ ପୁରୁଷ ପିଲାଝିଲା ସମସ୍ତଙ୍କୁ ପ୍ଳାଟଫର୍ମକୁ ନିଆଗଲା । ଲଙ୍ଗଳା ମୁକୁଳା କରି କେଉଁଠି ବା ସ୍ତ୍ରୀଲୋକ ସାହାଯ୍ୟରେ ଆଉ କେଉଁଠି ବା ଖୋଦ୍ ରଥୀମାନଙ୍କ ଦ୍ଵାରା ଖାନ୍‍ତଲାସୀ ଚାଲିଲା । ଚୋର ଚୋରଣୀଙ୍କି ଦୟାମାୟା ଦେଖାଇବ କିଏ ? ଦେଶ ଜାତି ରାଷ୍ଟ୍ର ପ୍ରତି କର୍ତ୍ତବ୍ୟର ଅବହେଳା କେଉଁ ସରକାର ସହ୍ୟ କରିବ ।

 

ଲକ୍ଷ୍ମୀ ଓ ତା’ର ଚାରି ପିଲା ଧାଡ଼ିରେ ଛିଡ଼ା ହୋଇଥାନ୍ତି ଥରି ଥରି । ରାତି ଦୁଇଘଡ଼ି ହେଲାଣି । ସୁଲୁସୁଲିଆ ଉତ୍ତରା ବହିବାକୁ ଆରମ୍ଭ କରିଛି । ଖାଲି ପେଟକୁ ଶୀତ ବେଶି । ସାନ ପିଲାଟି ଠିଆ ହେବାକୁ ପ୍ରାୟ ସମର୍ଥନ । ଲକ୍ଷ୍ମୀ ତାକୁ ଦିହର ଅନ୍ୟାନ୍ୟ ବୋଝ ସାଙ୍ଗରେ କାଖ କରି ରେଳରୁ ଆଣିଛି । ଚାହୁଁ ଚାହୁଁ ଅକ୍ଳେଶରେ ପିଲାମାନଙ୍କ ପେଟରେ ଓ କାନ୍ଧରେ ଥିବା ବୁଜୁଳା ଓ ଥଳି ଖସାଇ ନେଇ ଗଦା ଉପରେ ମିଶାଇ ଦିଆଗଲା । ନାନା ବିଦ୍ରୂପ ବାକ୍ୟ ଓ ଅଶ୍ଳୀଳ ମନ୍ତବ୍ୟ ଭିତରେ ଲକ୍ଷ୍ମୀର ସାତ କିଲୋ ଚାଉଳ ତା’ ଦିହରୁ ଓହ୍ଲାଇ ନିଆଗଲା ।

 

ଦୁର୍ଯୋଧନଙ୍କ ଏକ୍‌ସରେ ଆଖି, କାନ୍ଥ, ପଥର, ଲୁହା, କାଠ ଭିତର ଦେଇ ଚାଉଳ ଦେଖିପାରେ, ଗୋଟାଏ ଦରମଲା ବୁଢ଼ା କନେଷ୍ଟବଳର ପଛପଟେ ବେଟନ ବାଡ଼ିଟା ଖୁଞ୍ଚି ଦେଇ ସେ ଗର୍ଜନ କଲେ ‘‘ଏ ବୁଢ଼ା ! ତୋ ଆଖିକି ଦିଶୁନି ଏ ସାନ ପିଲାର ପେଟରେ କ’ଣ ଅଛି ?’’ ପଦକ କଥା ସହିତ ଲକ୍ଷ୍ମୀର ସାନ ପୁଅର ବୁଜୁଳା ବାହାରିଥିବା ପେଟରେ ଚାଉଳ ପୁଡ଼ିଆ ବନ୍ଧା ହୋଇଛି ଭାବି ବେଟନରେ ଜୋର୍‌ରେ ଖୁଞ୍ଚି ଦେଲେ । ‘‘ମା...ଆ... କହୁଁ କହୁଁ ପିଲାଟି ତଳେ ପଡ଼ି ଛଟପଟ ହେଲା । ଲକ୍ଷ୍ମୀ ତଦ୍ଦଣ୍ଡେ ତାକୁ ଉଠାଇ କିଂକର୍ତ୍ତବ୍ୟ ବିମୂଢ଼ ଚକ୍ଷୁରେ କାନ୍ଧରେ ଆଉଜାଇ କାଠଟି ପରି ଛିଡ଼ା ହୋଇ ରହିଲା । ସର୍ବତ୍ର କରୁଣ ରୋଦନ ଧ୍ୱନି ସାଙ୍ଗକୁ ଇଞ୍ଜିନର ସ୍ପନ୍ଦନ ପ୍ଳାଟଫର୍ମକୁ ଗୋଟାଏ ବିରାଟ ଶ୍ମଶାନରେ ପରିଣତ କରିଥାଏ ।

 

ଚାଉଳ ଗଲା, ମାନମହତବି । ଯାହାକୁ ବଞ୍ଚାଇବ ବୋଲି ଏତେ କଥା ସେ ଜୀବନରେ ରହିବ କି ନାହିଁ ସେ ଚିନ୍ତା ତାକୁ ଶଙ୍କାକୁଳ କଲା ! ଏଥର ଭଲା ଗାଡ଼ି ଚାଲନ୍ତା । ଘରେ ଶୀଘ୍ର ପହଞ୍ଚିଲେ ବା ଯଦି କିଛି...। କିନ୍ତୁ ରେଳ ଚାଲିବାକୁ ନାହିଁ, ସିମିତି ସିଂ ସିଂ ।

 

ଛଅଟି ବୋରା ଚାଉଳ ଯିବ ନ ଯିବ ତାରି ନିଷ୍ପତ୍ତି ଉପରେ କୁଆଡ଼େ ରେଳ ଚାଲିବ । ସମସ୍ତେ ଅପେକ୍ଷା କରିଛନ୍ତି ସେଇ ନିଷ୍ପତ୍ତିକୁ, ଆଉ ଶୁଣୁଛନ୍ତି ବଚସା, ଦୁର୍ଯୋଧନ ଆଉ ଜନୈକ ଦୀର୍ଘକାୟ ଚାଉଳ ମାଲିକଙ୍କ ଭିତରେ । ଡ୍ରାଇଭର, ଗାର୍ଡ଼, ଷ୍ଟେସନ ମାଷ୍ଟର ସମସ୍ତେ ମୂକ ଦ୍ରଷ୍ଟା ।

 

ଏ ଚାଉଳ ଯାଇ ପାରିବ ନାହିଁ ।

 

ଅଲବତ୍‌ ଯିବ । ଚାଉଳ ଅଟକାଇବାର ଆପଣମାନଙ୍କର ଅଧିକାର ନାହିଁ । ଆଇନ ନିୟମ ଅଛି । ଆପଣ ନିୟମ କାନୁନ ବିଲକୁଲ ଜାଣନ୍ତି ନାହିଁ । ମୋ ଚାଉଳ ପୁଣି ଗାଡ଼ିକି ଉଠାନ୍ତୁ, ଗାଡ଼ି ଛାଡ଼ିବାକୁ କୁହନ୍ତୁ ।

 

ରାଜ୍ୟ ଭିତରେ ଦଶ କୁଇଣ୍ଟାଲ ଚାଉଳ ଯାଇ ପାରିବ ।

 

ଆପଣ ରାଉରକେଲା ନେଉଛନ୍ତି ।

 

ରାଉରକେଲା କ’ଣ ପଶ୍ଚିମ ବଙ୍ଗଳାରେ ନା ବିହାରରେ ? ଆପଣ ଭଲ ଭୂଗୋଳ ପଢ଼ିଛନ୍ତି । ଚାଉଳ ମୁଁ ବୁକ୍‌ କରିଛି । ଖାଲି ଖାଲି ନେଉନାହିଁ ।

 

ଆପଣଙ୍କର ପରମିଟ୍‌ ନାହିଁ ।

 

ପରମିଟ୍‌ ଦରକାର ନାହିଁ । କଟକରେ ଚାଷଜମି, ଚାଉଳ ରାଉରକେଲାରେ ମୋ ଛୁଆପିଲାଏ ଖାଇବେ ନାହିଁ ?

 

ନା ଖାଇପାରିବେ ନାହିଁ, ପରମିଟ୍‌ ଦେଖାନ୍ତୁ ଅଥରିଟିର ।

 

ଆପଣ ପରମିଟ୍‌ ଅଥରିଟି ପାଖରୁ ଆଣନ୍ତୁ । ଫୋନ୍ କରନ୍ତୁ ଆପଣଙ୍କ ଅଥରିଟିକି । ଡେରି ହୋଇ ଯାଉଛି, ପାସେଞ୍ଜରମାନେ କ’ଣ ରାତିଯାକ ଏଇଠି ଅପେକ୍ଷା କରିବେ ? ମୋ ଚାଉଳ, ମୁଁ ବୁକ୍‌ କରିଛି, ନିଶ୍ଚୟ ନେବି ଏବଂ ରାଉରକେଲାକୁ ନେବି ।

 

ଆମେ କହୁଛୁ ନେଇ ପାରିବେ ନାହିଁ, ମୁଁ ଅବି ଫୋନ୍ କରୁଛି । ହୁକୁମ ନପାଇଲା ଯାକେ ରାତିଏ କ’ଣ ତିନିଦିନ ଗାଡ଼ି ଛିଡ଼ା ହେବ ।

 

କାହାକୁ ଦୁର୍ଯୋଧନ ଏଣ୍ଡ୍‌ କୋ ଫୋନ୍‌ କଲେ ଜଣା ପଡ଼ିଲା ନାହିଁ । ସେପଟୁ କ’ଣ ଜବାବ ଆସୁଥାଏ ତାହା ସ୍ଵାଇଁ, ମହାନ୍ତି ବା ଷ୍ଟେସନମାଷ୍ଟର ଛଡ଼ା ଆଉ କେହି ଶୁଣି ପାରିଲେ ନାହିଁ-। କିନ୍ତୁ କିଛି ସମୟ ପରେ ସେ ଫୋନ୍‌ ଚାଉଳ ମାଲିକକୁ ଧରାଇଦେଲେ । ଏପଟୁ ବଡ଼ ପାଟିରେ ଯାହା କୁହାଯାଉଥାଏ ତାହା ସମସ୍ତଙ୍କୁ ଶୁଭୁଥାଏ । ‘ଓ ! ଆପଣ ! ଇଭିନିଂ, ମୁଁ–ସିଂହ ଜଳେଶ୍ଵରରୁ କହୁଛି ।’’

 

‘‘କ’ଣ ଆଉ କହିବି ? ଆପଣମାନେ ତ ଗୋଟାଏ ପାଲା, ଫାର୍ଶ, ତାମସା ଲଗାଇଛନ୍ତି-।’’

 

‘‘ହଁ ହଁ ଫାର୍ଶ ନୁହେଁ ତ କ’ଣ ? ଆପଣ ଆଗ ଏ ଦୁଇଜଣଙ୍କୁ କୁହନ୍ତୁ ମୋ ଚାଉଳ ଛାଡ଼ି ଦିଅନ୍ତୁ । ଏଠି ଯେଉଁ କାଣ୍ଡକାରଖାନା ଚାଲିଛି ଆସି ଦେଖିଯାଆନ୍ତୁ ଦିନେ ।’’

 

‘‘ହଁ, ମୁଁ ରାଉରକେଲା ନଉଛି । କ’ଣ ଅପରାଧ ହେଲା ? ଓଡ଼ିଶାର ଚାଉଳ ଓଡ଼ିଶାକୁ ଯିବ ।’’

 

‘‘କି ଆଶ୍ଚର୍ଯ୍ୟ ! ବିହାର ବଙ୍ଗଳା ଦେଇ ଗଲା ବୋଲି ରାଉରକେଲା ଯିବ ନାହିଁ, ଆପଣ ସିଧାସଳଖ ରେଳ ଲାଇନଟା କଟକରୁ ରାଉରକେଲା, ସମ୍ବଲପୁର ଟାଣି ଦେଲେନି ? ଛାଡ଼ନ୍ତୁ, ଯୁକ୍ତି କରନ୍ତୁ ନାହିଁ ।’’

 

‘‘ଆପଣ କ’ଣ ଏତିକି ବୁଝି ପାରୁନାହାନ୍ତି ଗୋଟାଏ ରାଜନୈତିକ ସୀମାସରହଦ୍ ଟାଣି ଦେଶଟାକୁ ଚୋର କରି ସାରିଲେଣି । ମୋ ନିଜ ଚାଉଳ ମୁଁ ନେବି ନିଜଦେଶକୁ ଅଥଚ ଚୋର ହେବି ମୁଁ ।’’

 

‘‘ହଁ ବଢ଼ିଆ କଥା କହିଲେ । ଟଙ୍କାଏ ଷାଠିଏରେ କଟକରେ ଚାଷ ଚାଉଳ ବିକି ରାଉରକେଲାରେ ତିନି କୋଡ଼ିଏରେ କିଣିବି ।’’

 

‘‘ଢେର ହେଲା । ଏଥର କୁହନ୍ତୁ ଦୟାକରି–ମନ୍ତ୍ରୀ ସାର୍କିଟ୍‌ ହାଉସ୍‌କୁ ଫେରିଲେଣି କି ନାହିଁ । ମୁଁ ତାଙ୍କୁ ଟିକିଏ ପଚାରି ଦିଏ । ସେ କେମିତି ମୋତେ କହିଲେ ନବାପାଇଁ ।’’

 

‘‘ମୁଁ ତାଙ୍କର ଶଳା । ଏଥର ହୁକୁମ ଦିଅନ୍ତୁ ।’’ ଦୁର୍ଯୋଧନବାବୁ ହୁକୁମ ଶୁଣିସାରି ଯିମିତି ଫୋନ୍‌ ରଖିଛନ୍ତି, ଚାଉଳର ମାଲିକ ତାଙ୍କର ପଦେ ମିଠାକଥାର ଉତ୍ତରରେ କହିଲେ–ଓହୋଃ !

 

ଖଡ଼୍‍ଗପୁର କଥା ଛାଡ଼ନ୍ତୁ । ଆଠଣା ପଇସା ଦେଇ ମୁଁ ବାର୍ଥ ରିଜର୍ଭ କରିଛି । ଚାଉଳ ଛଅ ବୋରାକୁ ଷାଠିଏ ପଇସା ଲାଗିବ । ଆପଣ କନେଷ୍ଟବଳଙ୍କୁ କୁହନ୍ତୁ ମୋ ବୋରା ସ୍ଳିପରକୋଚ୍‌କୁ ଉଠାନ୍ତୁ । ଶୀଘ୍ର, ଶୀଘ୍ର ବହୁତ ଡେରି ହେଲା । ଗୁଡ଼ାଏ ଭୂତ ଏ ଦେଶକୁ ସାଇଲେ ।

 

ଗାଡ଼ି ଚାଲିଲା ଖଡ଼୍‍ଗପୁର ଅଭିମୁଖେ ଛଅ ବୋରା ଚାଉଳ ନେଇ । ଡୁଙ୍ଗୁରି ପ୍ରମାଣ ଛୋଟ ଛୋଟ ଥଳି ପଡ଼ିଆଗୁଡ଼ିକ ବୁହାହୋଇଗଲା ରେଳବାଇ ପୋଲିସ ହାଜତଖାନାକୁ । ଭାଗ୍ୟ ଭଲ ବିନା ଟିକଟ ଯାତ୍ରୀଗୁଡ଼ାକ ହାଜତରେ ନ ପୂରାଇ ଯେଝା ଗନ୍ତବ୍ୟ ସ୍ଥାନକୁ ଯିବାକୁ ଅନୁମତି ଦିଆଗଲା ।

 

ରେଳ ନେକୁଡ଼ଶ୍ରେଣୀ ଷ୍ଟେସନ ପହୁଞ୍ଚିଲା ବେଳକୁ ରାତି ପ୍ରାୟ ନଅଟା l ନବମୀ ଜହ୍ନ ଆଲୁଅ ବେଶ୍ ଫୁଟିଆରା ଥାଏ । ଲକ୍ଷ୍ମୀ ସାନ ଛୁଆଟିକୁ କାଖେଇ ରିକ୍ତ ହସ୍ତରେ ଗାଡ଼ିରୁ ଓହ୍ଲାଇଲା-। ସପ୍ତରଥୀଙ୍କ ହାବୁଡ଼ରୁ ସେ ବର୍ତ୍ତିପାରିଲା ନାହିଁ । ବାଟଯାକ ଭାବୁଥାଏ । ତା’ର ଭୁଲ୍ ହୋଇଯାଇଛି । ସୀତା ଠାକୁରାଣୀ ତିନିଗାର ଡେଇଁ ରାବଣ ହାବୁଡ଼ରେ ପଡ଼ିଥିଲେହେଁ ଅବଶେଷରେ ରାମ ଲକ୍ଷ୍ମଣ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ତା’ର ରାମ ଲକ୍ଷ୍ମଣ ତ କଲିକତାରେ ନିପାତ ହୋଇଛନ୍ତି ।

 

ସର୍ବତୋଭାବେ ଅସମାନ ଏକତରଫା ଯୁଦ୍ଧ ଚଳାଇ ଲକ୍ଷ୍ମୀପ୍ରିୟା ହାଲିଆ ହୋଇ ପଡ଼ିଥିଲା । ଯମରାଜ ସହିତ ସାନପୁଅଟିର ଜୀବନ ବଞ୍ଚାଇବା ପାଇଁ ଲଢ଼ିବା ଲାଗି ସତୀ ସାବିତ୍ରୀର ବଳସମ୍ବଳ କିଛି ନଥିଲା ତା’ର । ରାତିଯାକ ଏକୁଟିଆ କାଠପରି ବସି ଦିହମୁଣ୍ଡ ଆଉଁଶିବା ସେକାସେକି କରିବା ଛଡ଼ା ଆଉ ସେବାଶୁଶ୍ରୂଷା କ’ଣ କରିପାରନ୍ତା ।

 

ରାତି ପାହିଲେ ଗୁରୁବାର, ଦଶମୀ । ସୁଦଶାବ୍ରତ । ମଗୁଶୁର ମାସ ଭୋରୁ ଉଠି ଗାଧୁଆପାଧୁଆ ସାରି ଯେତେବେଳେ ସେ ଝୋଟି ଲେଖୁଥିଲା ଠିକ୍‌ ସେତିକିବେଳେ ଚାଉଁକିନା ତା’ର ଘୁମ ଭାଙ୍ଗି ଗଲା । ଯାହା ଆଶଙ୍କା କରୁଥିଲା ଦେଖିଲା ଠିକ୍‌ ତାହାହିଁ ଘଟି ଯାଇଛି । ପୋଡ଼ାଆଖି ଦୁଇଟାକୁ ଉପାଡ଼ି ଆଣିବାକୁ ଇଚ୍ଛା କଲା । ଯେଉଁ ଝିମିଟିଏ ମୁଦି ହୋଇଗଲା ସେଇ ଝିମିଟିକେ ସବୁ ଶେଷ ।

 

କାହାକୁ ଡାକିଲା ନାହିଁ । କ’ଣ କେତୁଟା ଚିଜ ଏଣୁତେଣୁ ଗୋଟାଇ ଗୋଟାଏ ବୁକୁଚା କଲା । ତାକୁ ଆଉ ଥୁଣ୍ଟା ଖଣ୍ଡିଆ କୋଦାଳଟାକୁ କାନ୍ଧରେ ଧଇଲା । ନିଦେଇଲା ଛୁଆକୁ ବେକତଳେ ଗୋଡ଼ତଳେ ଦୁଇ ହାତରେ ଖୁବ୍ ସତର୍କରେ ସରାଗରେ ଧରି ମାଆମାନେ ଯିମିତି ଏ ଖଟରୁ ସେ ଖଟକୁ ନିଅନ୍ତି ସେଇ ଭଙ୍ଗୀରେ ସାନକୁ ଧଇଲା । ମାଛି ଅନ୍ଧାରରେ ଚାଲିଲା ସେ ସୀମାଳି ପଥର ଗୋଟାକ ପାଖକୁ, ଅଗଭୀର ଗାତଟିଏ ଖୋଳି ଲମ୍ବେଲମ୍ବ ଉତ୍ତରକୁ ମୁଣ୍ଡ କରି ଏମିତି ଶୁଆଇ ଦେଲା ଯିମିତି ଦିହର ଅଧେ ଏ ରାଜ୍ୟରେ ଆର ଅଧିକ ଅନ୍ୟ ରାଜ୍ୟରେ ରହିବ । ରୋହିତର ସତ୍କାର କରିବାକୁ ଶୈବ୍ୟା ସହିତ ହରିଶ୍ଚନ୍ଦ୍ର ଶ୍ମଶାନରେ ଥିଲେ । ଏଠି ଲକ୍ଷ୍ମୀପ୍ରିୟା ଏକାକିନୀ । ମାଟି ଘୋଡ଼ାଇବା ଆଗରୁ ଲକ୍ଷ୍ମୀପ୍ରିୟା ଛୋଟ ସିଲଟଟି, ଛିଣ୍ଡା ଜାମାପଟାକୁ ଏକାଠି କରି ଗୋଟାଏ ରକମ ତକିଆ କରି ମୁଣ୍ଡ ତଳେ ରଖିଲା । ଯେଉଁ ଛୋଟ ରବର ବଲଟିରେ ସେ ଖେଳୁଥିଲା ତାକୁ ହାତ ପାଖରେ ଥୋଇଦେଲା, ତାଳୁରୁ ତଳିପା ଯାଏଁ ଥରେ ଆଉଁଶି ଦେଲାବେଳେ ଦେଖିଲା, ପେଟରେ ବେଟନ ବାଜିଥିବା ଜାଗାଟା ଫୁଲି ରହିଛି । ଗୋଟାଏ ଆଖି ସାମାନ୍ୟ ଫିଟାଇ ଦେଖି ଦେଇ ଭୋ କରି କାନ୍ଦି ଉଠିଲା ଏବଂ ବାଷ୍ପଭରା କଣ୍ଠରେ କହିଲା, ‘‘କିରେ ବାପା ! ଚାଲିଗଲୁ-।’’

 

କାମ ସାରି କୋଦାଳଟି ଧରି ଉଠିଲା ବେଳକୁ ଦେଖିଲା ପୁଅର ଖଡ଼ିଟି ଦେବାକୁ ଭୁଲି ଯାଇଛି । ଏଇ ଖଡ଼ିଟିରେ ଗଣେଶ ପୂଜାରେ ‘ସିଦ୍ଧି ରସ୍ତୁ’ ଚାରିଅକ୍ଷର ପୁଅ ମଡ଼ାଇଥିଲା । ଆଉ ଖୋଳିବାକୁ ମନ ହେଲା ନାହିଁ । କ’ଣ ମନରେ ପାଞ୍ଚିଲା ପୁଣି ବସି ପଡ଼ିଲା । କଇଁ କଇଁ ହୋଇ ପାଗଳୀ ପରି ସେଇ ସୀମାଳି ପାହିଆ ପଥର ଉପରେ ଖଡ଼ିକି ଧରି ଛବି ଆଙ୍କିବାକୁ ଲାଗିଲା । ଚାଉଳ ନାହିଁ, ଝୋଟି ଆଙ୍କିବ କିମିତି ଏଇ ସୁଦଶା ଦିନରେ ? କେତେ ସମୟରେ ସେ ଆଙ୍କିଲା କେଜାଣି । ଛିଡ଼ା ହୋଇ ନିଜର କଲା ସେଇ କାଳିଆ ପଥର ଦିହରେ ଅବିକଳ ଚକାଡ଼ୋଳାକୁ ଆଙ୍କି ପାରିଛି କି ନାହିଁ । ଦେଖିଲା ବଡ଼ ବଡ଼ ଦୁଇ ଆଖି, ପାଟି, ଆଉ ନାକ, ସୂର୍ଯ୍ୟ, ଚନ୍ଦ୍ର, ରାହୁ ଆଉ କେତୁ ସମସ୍ତେ ସେଇ ଏକ ମୁହଁରେ । ଅନନ୍ତବାହୁ, ଶଶିସୂର୍ଯ୍ୟନେତ୍ର, ଅନନ୍ତ ରୂପ । ସେଇ ମୂର୍ତ୍ତି ଯେ କି ଅସୀମ, ସୀମାହୀନ । ସେଇ ସୀମାସୂଚକ ପଥରଟାକୁ ଅସୀମ କରିଦେଇ ମୁଣ୍ଡ ଭୂଇଁରେ ଲଗାଇ ଲକ୍ଷ୍ମୀପ୍ରିୟା ସୁଦଶାବ୍ରତ ଉଦ୍‌ଯାପନ କଲା ।

Image

 

ମନି ଅର୍ଡ଼ର

 

କେତେ ଆଡ଼କୁ ବା ମଣିଷ ନଜର ଦେବ ? କେତେ ଅବା ସବୁ କଥାରେ ଧନ୍ଦି ହେବ ? ସବୁବେଳେ ତ ବ୍ୟସ୍ତତା, ଅବ୍ୟବସ୍ଥା ଆଉ ଅବ୍ୟବସ୍ଥିତତା ଲାଗି ରହିଲା । ଚାକିରି କରିବି, ପଇସା ରୋଜଗାର କରିବି, ଭାବିଛିନ୍ତି ଜଗି ବସି ଖର୍ଚ୍ଚ କରିବ, ଆଗକୁ ଚାହିଁ ନିଜପାଇଁ ନ ହେଲେବି ଛୁଆଙ୍କ ପାଇଁ ଟଙ୍କା ପଇସା ସଞ୍ଚିବ, ପୁଣି ବେଙ୍କକୁ ଯାଇ ପଇସା କାଢ଼ିବ, ଫେର୍, ପୋଷ୍ଟ ଅଫିସ ଯାଇ ମନିଅର୍ଡ଼ର କରିବ । ପୁଅ ପାଖକୁ । ପୁଣି କିମିତି ପୁଅ ? ଯେଉଁ ପୁଅର ଠିକ୍‌ ବେଳରେ ପଇସା ନ ଦେଇ ପାରିଲେ ବା ଟଙ୍କାଏ ମସାଏ ଊଣା ଦେଲେ ସିଧା କହିଦେବ–‘‘ଆମକୁ ପଢ଼ାଉଛ କାହିଁକି ? ଉକ୍ତିପ୍ରତ୍ୟୁକ୍ତି ଚାଲିଲେ, ଚୂଡ଼ାନ୍ତ କଥାବି କହି ଦେବ–‘‘ଆମକୁ ଜନ୍ମ କଲେ କାହିଁକି ? ପଇସା ଦବାକୁ ଯଦି ଏତେ ଖୁନ୍ତ ଖାନ୍ତ ହେଉଛ ?’’

 

ଛାଡ଼ ! ଭୁଲ୍ ତ ହୋଇ ଯାଇଛି, ଯେଉଁ ଭୁଲ୍ ଆଉ ସୁଧାରି ହବନି । ଏବେ ସେ କଥା ଭାବି ସମୟ ନଷ୍ଟ କଲେ ମନିଅର୍ଡ଼ରବି ହୋଇ ପାରିବ ନାହିଁ । ସାଢ଼େ ତିନି ହୋଇଗଲାଣି । ବସ୍‌ ଟ୍ରେନ୍‌ କିଏ ବା ସମୟ ରଖୁଛି ? ହେଲେ ଭାରି ଟାଇମବାଜ୍‌ ଏଇ ପୋଷ୍ଟଅଫିସ ବାଲାଏ । ବେଙ୍କ୍‌ ବାଲା ଟିକିଏ ଏ ପାଖ ସେପାଖ ହେଲେ ମୁହଁ ଚାହିଁ, ଚେହେରା ଦେଖି, ଏକୋମୋଡ଼େଟ୍‌ କରନ୍ତି, ମେନେଜ୍‌ କରନ୍ତି, ସମ୍ଭାଳି ନିଅନ୍ତି । କିନ୍ତୁ ଆମ ପୋଷ୍ଟଅଫିସ ବାଲା ବିଶେଷ କରି ସେଇ ଗଧମୁହାଁ ଲୋକଟା ! ଛାଡ଼, ତାକୁ ଦୋଷ ଦେଇ ବା ଲାଭ କ’ଣ ? ନିଜର ଗଫ୍‌ଲତି ଢଙ୍କାଇ...ଧରମକୁ ଚାହିଁ ଚାହିଁ ଦିନ ଗଡ଼ି ଗଲା ।

 

ଆଜି ଯିମିତି ହେଉ ପଠାଇବାକୁ ପଡ଼ିବ । ଛଅ ତାରିଖ ହେଲା । ଗଲା ମାସ ଯାହା ପଠାଇଥିଲି ତାହା କେଉଁ ଦିନୁ ସାରି ଦେଇ ଧାର ଉଧାର କେଉଁଠୁ କରିଥିବ । ବିଦେଶ ଜାଗା, କିଏ ବା କେତେ ଧାର ଦେବେ । ମେସ୍‌ରେ ମିଲ୍‌ ଷ୍ଟପ୍‌ ହୋଇଯାଇଥିବ । ପରୀକ୍ଷା ଦେଉଛି ନା, ପଇସାପତ୍ର ଅଭାବ ହେଲେ ମଥା ଠିକ୍‌ ରହିବ ନାହିଁ, ପରୀକ୍ଷାରେ ଖରାପ କରିବ । ଛିଦ୍ର ପାଇଲେ ଅନର୍ଥ ବଢ଼େ । ଫେର୍ ଖବରକାଗଜରୁ ଯେଉଁ ଅଚାନକ ଅଘଟଣ ପଢ଼ିଲି ! କଲେଜ ହାତପାଖରେ କୁଆଡ଼େ ସେ ରହେ । ଟିଅର ଗ୍ୟାସ, ଲାଠି ମାଡ଼, ଫାଙ୍କା ଆବାଜ । ମୁଣ୍ଡଟା ଦୈବାତ ଥିଲେବି ବିଗିଡ଼ି ଯାଇ ନାହିଁ ତ ? ପୁଣି ‘ହଷ୍ଟେଲ ଛାଡ଼ି ଚାଲିଯାଅ’ ସାଙ୍ଗକୁ ଯଦି ପୋଲିସ୍‌ ହୁକୁମ କରିଥାଏ ‘ଫାଟକ’ ଛଡ଼ । ସମ୍ବଲପୁରରେ ଥିବ ନା ରାଉରକେଲା ଆସି ଯାଇଥିବ ? କେଉଁଠାକୁ ପଠାଇବି ।

 

ଶଳା ! [ମାଫ ଦେବେ] ଆମକଥା ପୁଅ ବୁଝୁଛି ନା ସରକାର, ନା ଇଉନିଭରସିଟି କିଏ ବୁଝୁଛି ? ଦୁଇବର୍ଷ ଜାଗାରେ ଦୁଇବର୍ଷ ଆଠମାସ ପରେ ଯଦିବା ପରୀକ୍ଷା ହେଲା ଚାରିଟା ପେପର ଯାଇଛି କି ନାହିଁ ଲାଠି ଚାର୍ଜ, ଟିଅର ଗେସ୍‌ । ପରୀକ୍ଷା ବନ୍ଦ । ଗୋଟାଏ ରାସ୍ତାର ନୂଆ ନାଆଁ ହେବ, କେତୁଟା ପିଲା ଆଇ. ଏ. ଏସ, ଓ. ଏ. ଏସ, ବେଙ୍କ୍‌ ପରୀକ୍ଷା ଦେବେ, ବେଶି ଖରାପ ହେଲା, ବେଶି ଥଣ୍ଡା ହେଲା, ବନ୍ୟା ବାତ୍ୟା ହେଲା, ‘ଜୟ ବାଂଲା’ ଆଖିବେମାର ଧଇଲା, ସେଇଥିପାଇଁ ‘ପରୀକ୍ଷା ଘୁଞ୍ଚୁ’ ପରେ ପରେ ହେଡ଼ଲାଇନ୍‌ ପରୀକ୍ଷା ଘୁଞ୍ଚିଲା ।’ ଜୁନର ପରୀକ୍ଷା ଡିସେମ୍ବରକୁ । ଯଦିବା ପରୀକ୍ଷା ଚାଲିଲା, ଚାଲିଲା ଦୁଇମାସ ଧରି । ଏଇ ଶେଷ ମାସ ପାଇଁ ତିନିଶଟି ଟଙ୍କା ପଠାଇ ଦେଇଥିଲେ ବାପର କର୍ତ୍ତବ୍ୟ ଚତୁର୍ଥ ପୁତ୍ରଟି ପ୍ରତି ସରିଥାନ୍ତା । ପୁଅ ଲେଖିଥିଲା ଅନ୍ୟ ମାସ ପାଇଁ ଯାହା (ଫେଶ୍) ଦେଉଥିଲ ଏଥର ତାଠୁ ପଚାଶ ଅଧିକା ଦେବେ । ‘‘ଟୁ ରିଟାର୍ଣ୍ଣ ଉଇଥ୍ ଏ ଗୁଡ଼ ଫେଶ୍ ।’ ନେଉ, ବିଚରା ! କେଉଁଠି କେତେ ଧାର ଉଧାର [ଚା’ ବିଡ଼ି, ସିଗାରେଟ୍‌, ଗୁଲି, ହାସିସ୍‌, ସାଲ୍‌ଭେଶନ, ଟେବ୍‌ଲେଟ୍‌ ଏବଂ ‘ଦେଶୀ’ ପାଇଁ ହୁଏତ ! ] କରିଥିବ । ପଠାଇ ଦିଅ ଯାହା ମାଗିଛି । ଶେଷ ମାସ ତ ନା, ଦୈବ ତା’ ବି କରାଇ ନାହିଁ । କେବେ ରାଜନୈତିକ ନାଟକ ସରିବ, ଶାନ୍ତି ଶୃଙ୍ଖଳା ପୁଣି ଫେରିବ । ତେବେ ଯାଇ ପରୀକ୍ଷା ନୋଟିସ୍‌ ବାହାରିବ । ଅର୍ଥାତ୍‌ ଏ ତିନିଶ ଉପରେ ଅନ୍ୟ ଏକ ମାସର [ସାତ ଦିନ ପାଇଁ ହେଲେବି] ପୁଣି ତିନିଶ । ଲାଠି ଚାର୍ଜ କଲ କଲ, ଅଭିଭାବକମାନଙ୍କୁ ମନି ଚାର୍ଜ କରୁଛ କାହିଁକି ? [ଏବେ ଦେଖୁଛ ଚାରି ପାଞ୍ଚ ମାସ ପରେ ପରୀକ୍ଷା ଫଳ ବାହାରି ଆଉ ଛଅ ମାସ ଗଲାଣି । ଚାକିରି ନ ପାଇ ଘରେ ବସିବା ଅର୍ଥ ମାସିକ ପୁଅ ପିଛା ଦୁଇଶ । ଯଦି କେହି ଅପୁତ୍ରିକ ପୁଅ ଖୋଜୁଥାଏ ତେବେ ଏଇଥିରୁ ଗୋଟିଏ ତାକୁ ଦେଇ ଦେଲେ ସେ ତିନିଚାରି ମାସରେ ଫେରାଇଦବ, ଆଉ ଜୀବନରେ କେବେ ପୁଅ ନାଆଁ ଧରିବ ନାହିଁ ।]

 

‘‘ଦେ, ଦେ, ଶୀଘ୍ର ଟଙ୍କା ବାହାର କରିଦେ । ଚା’ କପେ ଶୀଘ୍ର କର । ଡେରି ହୋଇ ଯାଉଛି ।’’ ‘‘ଟିମା ! ଯା ତ ଏଇ ପାଞ୍ଚ ପଇସିଟା ନେଇ ଶୀଘ୍ର ପାଖ ପୋଷ୍ଟଅଫିସରୁ ଫର୍ମଟାଏ ନେଇ ଆସିବୁ । ଆରେ ଯା ! କ’ଣ ବୋକାଙ୍କ ପରି ଛିଡ଼ା ହୋଇଛୁ ? କ’ଣ ଆଣିବୁ ? ଭୁଲି ଗଲୁ ? ବେ, ମନିଅର୍ଡ଼ର ଫର୍ମ, ଟଙ୍କା ପଠାଯିବ, ମନେ ରହିଲା ? ପାଞ୍ଚ ପଇସା ନବ ।’’

 

ଝିଅ ଖୁବ୍‌ କାମିକା । ଘର ଚଳାଇବାରେ ନିପୁଣା । ପାଠବି ଗୁଡ଼ାଏ ପଢ଼ିଛି । ଏମ୍‌. ଏ. ସେକେଣ୍ଡ କ୍ଳାସ,ଏକାବନ ପରସେଣ୍ଟ । ହେଲେ ଚାକିରି ନାହିଁ । ଚାକିରି ନଥିଲା ନାହିଁ ବରବି ନାହିଁ-। ଏବେ ସମସ୍ତେ ହିସାବ, ସମସ୍ତେ ଚାହୁଁଛନ୍ତି ଅର୍ଣ୍ଣିଂ ୱାଇଫ୍‌ । ଆନ୍ତର୍ଜାତିକ ନାରୀ ଜାଗରଣ ବର୍ଷରେ ନାରୀମାନଙ୍କ ପାଇଁ ପଚାଶ ପରସେଣ୍ଟ ଚାକିରି ସଂରକ୍ଷିତ କରିଦେଲେ ହୁଅନ୍ତାନି ? ଯିମିତି ଦଳିତ ନିଷ୍ପେଷିତ, ତଫସିଲଭୁକ୍ତ ଜାତି, ଆଦିବାସୀଙ୍କ ପାଇଁ ସମ୍ବିଧାନ ସମ୍ମତ ସଂରକ୍ଷଣ ବ୍ୟବସ୍ଥା ଅଛି । କାମଧନ୍ଦା ନଥିଲେ ପୁଅଗୁଡ଼ାକ ଅନ୍ତତଃ ରାସ୍‌କେଲ ହୁଅନ୍ତି, ଝିଅମାନେ କ’ଣ ହେବେ ? ରେଡ଼ିଓ ଶୁଣି, ସିନେମା ଦେଖି, ଫେମିନା ପଢ଼ି କେତେ ମନ ଭୁଲାଇବ ? ସେ କ’ଣ ବୁଢ଼ୀ ହୋଇଛି ଯେ ହବିଷ କରି ଭାଗବତ ପରାୟଣରେ ବଞ୍ଚିବ ? ମୁହଁଟି ବିଷାଦ ଛାଇରେ ଢଙ୍କାଇ ନୋଟ୍‌ଗୁଡ଼ାକ ଯନ୍ତ୍ରଚାଳିତ ପରି ଝିଅ ଟେବୁଲ ଉପରେ ଥୋଇଦେଇ କାଲ୍‌ଗେସ୍‌ରେ ଚା’ କରିବାକୁ ବାହାରି ଗଲା ପାଖ କୋଠରିକୁ । ଟିମା ସେତେବେଳକୁ ‘ମନିଅର୍ଡ଼ର ଫର୍ମ, ଅର୍ଡ଼ର ଫର୍ମ, ଫର୍ମ’ ଭଜି ଭଜି ଖାଲି ଦିହରେ ଘର ପଛ ପୋଷ୍ଟ ଅଫିସକୁ ବାଡ଼ି ଦରଜା ଦେଇ ଚାଲି ଯାଇଥାଏ ।

 

ଚଉଦ ପନ୍ଦର ବର୍ଷର ଏଇ ଟିମାଟି ବିଚିତ୍ର ପିଲା । ଠିଆ ହେଲେ ଢୁଳାଏ, ବସିଲେ ଘୁଙ୍ଗୁଡ଼ି ମାରେ, ଶୋଇଲେ ମରିଯାଏ । ତା’ର ବି ମନ ଭଲ ନାହିଁ । ତା’ କାକା ଚିଠି ଦେଇଛି ତା’ ବାପାର ଅବସ୍ଥା ଭଲ ନାହିଁ, ଦିନେ ଦି ଦିନରେ ଯିବ ।

 

କିଏ ଯିବ ପୋଷ୍ଟ ଅଫିସ ? ଘର ପଛ ପୋଷ୍ଟ ଅଫିସ ତ ଟି. ଏମ୍‌. ଓ ନବନି । ଯିବାକୁ ପଡ଼ିବ ବଡ଼ ପୋଷ୍ଟ ଅଫିସକୁ ।

 

‘‘ଯିବୁ କିରେ ?’’ ପଚାରିଦେଲି ପଞ୍ଚମ ପାଣ୍ଡବକୁ । ସେ ସେତେବେଳେ ହକି ଷ୍ଟିକ୍‌ଟାକୁ ଦୁଇ ଗୋଡ଼ ଭିତରେ ରଖି ନଇଁ ପଡ଼ି ଜୋତାର ଫିତା ଆଣ୍ଟୁଥାଏ । ଯିମିତି ମୋ ପ୍ରଶ୍ନ ଶୁଣୁଛି [ସେ ଠିକ୍ ଜାଣିଥିଲା ବୁଢ଼ା ନିଶ୍ଚୟ ତାକୁ ଏ ପ୍ରଶ୍ନ ପଚାରିବ ] ସିମିତି ଫଁ କରି ଗର୍ଜି ଉଠି ବିଷୋଦ୍‌ଗାର କରିଗଲା ‘‘ମୋତେ ଆଗରୁ କହିଲ ନାହିଁ ? ତୁମ ଦସ୍ତଖତ ମେଳ ନ ଖାଇବାରୁ ବେଙ୍କ୍‍ବାଲାଙ୍କ ସଙ୍ଗେ ଝଗଡ଼ା ହେଲା । ଫେର୍ ଆଜି ଇଣ୍ଟାରନାଲ ଏସେସ୍‌ମେଣ୍ଟ ପରୀକ୍ଷା ଥିଲା । ଦଣ୍ଡେ ଖେଳାବୁଲାବି କରି ପାରିବ ନାହିଁ ମଣିଷ’’ ଏବଂ ସିଧା ହକି ଷ୍ଟିକ୍‌ ହଲାଇ ହଲାଇ (ଇଏବି ଏକ ପ୍ରକାର ଲାଠି ଚାର୍ଜ) ବାହାରିଗଲା । ଧତଡ଼ା ସାଇକେଲଟାକୁ ନିର୍ଦ୍ଦୟ ଭାବରେ ଧଡ଼ ଧାଡ଼୍ କଚାଡ଼ି ତଳକୁ ନେଲା ଏବଂ ‘ଷ୍ଟାଇଲ’ରେ ଚଢ଼ି ‘ହାମ୍‌ ତୁମ୍‌ କମରେ ମେ ବନ୍ଦ ହୋ’ ଗାଇ ଗାଇ ଚାଲିଗଲା-

 

ତରବରରେ ଓଠ ଜିଭ ପୋଡ଼ି ଯାଇଥାଏ ଚା’ ପିଇଲାବେଳେ । ପଚାରିଲି, ‘‘କେତେ ଦେଇଛ ?’’

 

‘‘ତିନିଶ’’

 

‘‘ମନିଅର୍ଡ଼ର ଖର୍ଚ୍ଚ ?’’

 

‘‘ଦୁଇ ଟଙ୍କା ଅଧିକ ଅଛି’’

 

‘‘ତିନିଶ ଦଶ ଅଛି ତେବେ ?’’

 

‘‘ହଁ, ଦଶ ଟଙ୍କାରେ ମନି ଅର୍ଡ଼ର ଖର୍ଚ୍ଚ ଚାଲିଯିବନି ? ଗଲାଥର ଅଢ଼େଇଶ ଟଙ୍କାରେ କେତେ ଖର୍ଚ୍ଚ ପଡ଼ିଥିଲା ?’’

 

‘‘ମୋର ମନେ ନାହିଁ । ଯାହା ପଡ଼ିବ, ରସିଦ ଦବତ । ବୋଧହୁଏ ହେଇଯିବ ।’’

 

ଆଶ୍ଚର୍ଯ୍ୟ କଥା ! ଆମେ ଏତେ ଉଚ୍ଚ ଶିକ୍ଷିତ, କେତେ ଅଦରକାରୀ କଥାବି ମନେ ରଖିପାରୁଁ । ମାତ୍ର ବେଙ୍କ୍, ରେଳ ପୋଷ୍ଟ ଅଫିସ ସହିତ ଆମର ନିତ୍ୟ ନୈମିତିକ ସମ୍ପର୍କ ରହି ମଧ୍ୟ ରେଜେଷ୍ଟ୍ରି, ଟେଲିଗ୍ରାମ, ମନିଅର୍ଡ଼ର ଖର୍ଚ୍ଚ (ସୁଧହାର କିନ୍ତୁ ମନେ ରଖୁଁ) କିଛି ମନେ ରଖି ପାରୁନୁ । ଡାଏରୀ, ଟାଇମଟେବୁଲ ଦେଖିଲେ ମିଳିଯାଆନ୍ତା । କିନ୍ତୁ ଜାନୁୟାରୀ ଡାଏରୀର ଲେଖା ବା ଅକ୍‌ଟୋବର ଟାଇମଟେବୁଲର ଟାଇମ୍‌ ଏପ୍ରିଲ ବେଳକୁ ନ ଥାଏ । ସବୁ ବଦଳ ଅଚଳ ଅକାମୀ ।

 

‘‘ଆଉ ଥରେ ଭଲ କରି ଗଣି ଦେ । କାଳେ ‘ଅଫ୍‌ ମୁଡ଼୍’ର ଗଣାଗୁନ୍ଥା ଠିକ୍‌ ହୋଇ ନଥିବ ।’’

 

ଆହୁରି ଟିକିଏ ‘ଅଫ୍‌ମୁଡ଼୍’ ହୋଇ ମୋହରି ଆଖି ଆଗରେ ଖଟ ବାଡ଼କୁ ଆଉଜି ପଡ଼ି ଏକ ଦୁଇ କରି ଗୁଣି ବିଛଣା ଉପରେ ଥୋଇଲା । କହିଲା, ‘‘ଠିକ୍‌ ଅଛି ।’’ ମୁଁ ସବୁ ଦେଖୁଥାଏ କିନ୍ତୁ ଆଖି ଭିତର ପଟେ ଥାଏ ।

 

‘‘ନେବି କିମିତି ଏତେଗୁଡ଼ା ନୋଟ ଛାତି ପକେଟରେ ? ଖାଲି ଦଶ ଟଙ୍କିଆ ଦେଲୁନି ? ଶହେ ଟଙ୍କିଆ ତିନିଟା ଦେଇଥିଲେ ତ ଚୁମ୍ବକରେ କାମ ଛିଡ଼ିଥାନ୍ତା ।’’

 

‘‘ଟୁନୁ ବେଙ୍କ୍‍ରୁ ସିମିତି ଆଣିଥିଲେ ତ । ସେ ତ ମିଶାମିଶି ଆଣିଛି ।’’

 

‘‘ଗୁଡ଼େଇଦେ ସୂତାରେ ବା ଫିତାରେ ।’’

 

ଟିମା ଆସିଗଲା । ମନି ଅର୍ଡ଼ର ଫର୍ମ ପୂରଣ କରିବାରେ ଲାଗିଲି । ପୋଷ୍ଟ ଅଫିସର ଅଣଓସାରିଆ କାଉଣ୍ଟରରେ ଅଥବା ପୁରୁଣା ଅଠାକାଳି ଲାଗିଥିବା ଟେବୁଲ ଉପରେ ଝାଳୁଆ ଅସନା ଲୋକଗୁଡ଼ାକ ସହିତ ଦିହକୁ ଦିହ ମିଶାଇ ଛିଡ଼ା ହୋଇ (ସତରେ ପୋଷ୍ଟ ଅଫିସଗୁଡ଼ାକ ଏମିତି ଅସନା ଆବର୍ଜନାମୟ ଯେ ରେଳବାଇ ପାସେଞ୍ଜର ଡବାଗୁଡ଼ିକ ବରଂ ଭଲ କହି ହେବ । ଏତେ ରୋଜଗାର ଅଥଚ କି ଦୈନ୍ୟ ! କି ଅଠା ! ଛେପ ବରଂ ଭଲ) ଲେଖିବା ଅପେକ୍ଷା ଘରୁ ଫେନ୍‌ ତଳେ ନିଜେ ଟେବୁଲରେ ବସି ଲେଖି ନେଇଯିବା ଭଲ ।

 

ଦୁଇ କିସମର ଅକ୍ଷର ଲେଖୁଛି ! ଗୁଡ଼ାଏ ବଡ଼ ଗୁଡ଼ାଏ ସାନ । ବଡ଼ ଅକ୍ଷରରେ ନାଆଁ ଓ ଠିକଣା ଲେଖିବା ଭଲ । ତରବରିଆରେ ପାଞ୍ଚ ଟଙ୍କା ଦଶ ଟଙ୍କା ନୋଟ୍‌ଗୁଡ଼ାକ ଏକାଠି ମିଶି ଯିମିତି ଅଡ଼ୁଆ ତଡ଼ୁଆ କରନ୍ତି ସିମିତି କ୍ୟାପିଟାଲ ଆଇ ସ୍ମଲ୍‌ ଅକ୍ଷରଗୁଡ଼ାକ ମିଶାଇ ଲେଖିଲେ ଭୁଲ୍‌ଭାଲ ହୋଇଯାଏ । କଟାକଟିରେ ଫର୍ମଟା କଦର୍ଯ୍ୟ ଦିଶିଲାଣି । ମାସକେ ଥରେ ତ । ଏ ମାସର ଭୁଲ୍ ଅନ୍ୟ ମାସକୁବି ପୁଣି ଆସିଯାଏ ।

 

ମନି ଅର୍ଡ଼ର ଲେଖା ସରିଲା ବେଳକୁ ଦେଖିଲି ଝିଅ ନୋଟ୍ ବିଡ଼ା ଗୁଡ଼ାଇବା ପାଇଁ କିଛି ନ ପାଇ ନିଜର ଲମ୍ବା ଚୂଳର ଅଧା ଅଧିରେ ଯେଉଁ ରବର ରିଂ ଲଗାଇ ଚଅଁର ପରି କରିଥିଲା ତାକୁ ଫିଟାଇଲା । ଲମ୍ବା ଲମ୍ବା ନଖ ଥିବା ଆଙ୍ଗୁଳି ପୁଞ୍ଜାକର ଓଡ଼ିଶୀ ନାଚର ଦୁଇ ତିନିଟା ମୁଦ୍ରା କରି ନୋଟ୍‍ ବିଡ଼ାକୁ ମଝିରେ ଭାଙ୍ଗି ଲମ୍ବା କରି ରଖିଦେଲା । ଏତେ ସୁନ୍ଦର ଆଙ୍ଗୁଳିର ଏତେ ଚମତ୍କାର କ୍ରିଡ଼ାନୈପୁଣ୍ୟ ସତ୍ତ୍ୱେ ନୋଟ୍‍ବିଡ଼ାଟା ଭଲ ଦିଶିଲା ନାହିଁ । ଥରେ ଅଧେ କୁନ୍ଥାଇ ନୋଟ୍‍ବିଡ଼ା ଉଠାଇଲି । ବଡ଼ ବଡ଼ ପୁରୁଣା ଦଶଟଙ୍କିଆ ନୋଟ୍‍ ସହିତ ମେଞ୍ଚାଏ ଛୋଟ ନୋଟ୍‌ ଛାତି ପକେଟକୁ ଫୁଲାଇ ଦେଲା । କେତେଗୁଡ଼ାଏ ପକେଟ ଉପରକୁବି କେତେ ଇଞ୍ଚଯାଏ ବାହାରି ରହିଲା ।

 

ବାଟରେ ଯାଉଁ ଯାଉଁ ଜଣେ ଅଧେ ମୋତେ ସତର୍କ କରି କହିବାର ଶୁଣିଲି, ‘‘ଆଜ୍ଞା’’ ନୋଟ୍‌ ବାହାରକୁ ଦିଶୁଛି, ପଡ଼ିଯିବ । ସାବଧାନ, ପକେଟ୍‌ ମାର ହୋଇ ଯିବ ବାବୁ ।’’

 

ମୋର ଗର୍ବ ଯେ ଦିଲ୍ଲୀ କଲିକତା ପରି ସହରରେ ଛାତି ପକେଟରେ ଶହଶହ ଟଙ୍କା ଧରି ବୁଲିଚି ଚୋରି ବା ପକେଟମାର ହୋଇନାହିଁ, ଖସିବି ପଡ଼ିନି । ମୋର ଆଉ ଏକ ଗର୍ବ ଯେ ମୁଁ ପଇସା କେବେ ଗଣେ ନାହିଁ, ଯଦିଓ ଜୀବନଯାକ ‘‘ପାଣି ପିଇବ ଛାଣି ପଇସା ନେବ ଗଣି’’ ହିତୋପଦେଶ ଶୁଣି ଆସିଛି । କେବଳ ଥରେ ଯଦୁବାବୁଙ୍କଠାରୁ ଦଶଟଙ୍କା ଅଧିକା ଆଣିଥିଲି ସେ ମାଗିନେଲେ । ଆର ଥର ମୁଁ ତାଙ୍କୁ ଭୁଲ୍‍ରେ ଦଶଟଙ୍କା ଦେଇଥିଲି ସେ ଫେରାଇ ଦେଲେ । ମୋ ପାଇଁ ତ ଲୋକ ଅଛନ୍ତି ଗଣିବାକୁ । ମୁଁ ଅଯଥା କାହିଁକି ପରିଶ୍ରମ କରିବି ?

 

ତରବରରେ ସାଇକେଲ ଚାବି ଠିକ୍‌ ଜାଗାରେ ଲାଗିଲା ନାହିଁ । ଚକର ତା’ର ଉପରେ ବାରମ୍ବାର ଠକ୍‌ ଠକ୍‌ ହେଲା । ପୁଣି ଚକକୁ ଠିକ୍ ସ୍ଥାନକୁ ଆଣି ତାଲା ପକାଇଲି ।

 

ତାଲା ଦେଉଁ ଦେଉଁ ଡାକଘର ପ୍ରଧାନ ଦରଜା ଦେଇ ନଇଁ କରି କାନ୍ଥ ଘଡ଼ିକୁ ଚାହିଁଲି ତିନିଟା ପଞ୍ଚାବନ । ଷ୍ଟାଣ୍ଡକୁ ଗୋଡ଼ରେ ସଳଖ କରି ସାଇକେଲକୁ ଠିଆ କରିବାକୁ ଯାଉଛି, ଦେଖିଲି, ବାଲିଆ ମାଟିରେ ସେ ଛିଡ଼ା ହେବାକୁ ନାରାଜ । ଯଦିଓ ଥାପୁଡ଼େଇ ଠିଆକଲି ଅଣ୍ଟା ଭାଙ୍ଗି ବିଚିତ୍ର ଭଙ୍ଗୀରେ ଛିଡ଼ା ହେଲା । ଦୁଇ ତିନିଟା ପାହୁଣ୍ଡ ଧପ୍‌ ଧାପ୍‌ ହୋଇ ଉଠିଛି ତା’ର ପତନ ଶବ୍ଦବି ଶୁଣିଲି ।

 

ଅବିଳମ୍ବେ ମନିଅର୍ଡ଼ର କାଉଣ୍ଟରରେ ଛିଡ଼ା ହୋଇ ନୋଟ୍ ବିଡ଼ାକୁ ଅପର ପାର୍ଶ୍ଵକୁ ବଢ଼ାଇ ଦେଲି । କୌଣସି ମୋଟା ପଞ୍ଜାବୀ ଡ୍ରାଇଭରର ବାଳୁଆ କଙ୍କଣ ପିନ୍ଧା ହାତ ସେ ଫାଙ୍କ ଦେଇ ଯିବନି । ପୋଷ୍ଟଅଫିସବାଲା ଖୁବ୍‌ ସତର୍କ, ସାବଧାନ : କାହାକୁ ତାଙ୍କର ବିଶ୍ଵାସ ନାହିଁ । ରେଲିଂ ଫାଙ୍କରେ ମନିଅର୍ଡ଼ର ଫର୍ମଟିକୁ ଫଡ଼୍ ଫଡ଼୍ କରି କହିଲି, ‘‘ଆଜ୍ଞା, ଏ ଟି. ଏମ୍‌ ଓ. ଟା ନେବେ-?’’

 

ପୋଷ୍ଟ ଅଫିସ ସରିଆସିବାବେଳେ । ସମସ୍ତେ ଲାଗିପଡ଼ି କନା, ବାଉଁଶ, ଆଦି ମଶାଣି ଭୂଇଁକୁ ଯିବା ଚିଜ ସଂଗ୍ରହ କରୁଛନ୍ତି । ଅନ୍ୟ କାଉଣ୍ଟରର କିରାଣୀମାନେ ସେମାନଙ୍କ ଉଚ୍ଚ ଆସନରୁ ତଳକୁ ଖସିଗଲେଣି । ଦୁର୍ଭିକ୍ଷ ମହାମାରୀରେ ସ୍ଵେଚ୍ଛାସେବକମାନେ ବା ଯୁଦ୍ଧ ଶେଷରେ ଖାକିପୋଷାକର ସୈନିକମାନେ ଯିମିତି ସର୍ଦ୍ଦାରଗୁଡ଼ାକୁ ୟାଡ଼ୁସିୟାଡ଼ୁ ଆଣି ସମୂହ ସମାଧି ଦେବା ଉଦ୍ଦେଶ୍ୟରେ ଏକାଠି ଜମା କରନ୍ତି ସିମିତି କାମ ଭିତରେ ଚାଲିଲାଣି । ବାହାରେ ଲାଲି ରଙ୍ଗର ଗାଡ଼ି ଛିଡ଼ାହେଲାଣି ମଧ୍ୟ । ଲୁହାବାଡ଼ଦିଆ ଭିତର କୋଠରି ଭିତରେ କେସିୟର ପୃଷ୍ଠା ପୃଷ୍ଠା ଲାଲି ଷ୍ଟାମ୍ପ ଗଣା ଗୁନ୍ଥା କରୁଛି, ଆଇଲା କେତେ ଗଲା କେତେର ହିସାବ ନିକାଶ ।

 

‘‘ଆଜ୍ଞା ! ଦୟାକରି ଟି. ଏମ୍‌. ଓ. ଟା ନିଅନ୍ତୁ ।’’

 

ଲୋକଟା କାଲ ନୁହେଁ । କଥା ଶୁଣିଲା । ମାତ୍ର ପଛ କାନ୍ଥର ଘଡ଼ିଆଡ଼କୁ କଣେଇ ଚାହିଁ ପୁଣି କାମରେ ଲାଗିଲା ।

 

ଜୋତା ଅଗରେ ଟିପି ରଖି ରେଲିଂ ଦେଇ ଦେଖିଲି କ’ଣ କରୁଛି, ଆଉ କେତେ କାଳ ପରେ ସେ କ୍ୟାସ ବୁଝିବ । ଦିନଯାକର କେତେ ମନିଅର୍ଡ଼ର ହେଇଛି ତାରି ତାଲିକା କରୁଛି । ହିସାବକିତାବ ଯୋଡ଼ିବ ତା’ପରେ ମୋ କଥା । ଛଅ ତାରିଖ, ଗୁଡ଼ାଏ ଫର୍ମ, ଦିଶୁଛି, ପୃଷ୍ଠା ଉପରତଳ ଦୁଇ ଥାକ ଲେଖା ସରିଲାଣି । ଏ କାମ ସରିବ ନା ମୋତେ ଚାହିଁବ ? ଦେଖାଯାଉ କେତେ ଦୂର ଯାଉଛି ।

 

ଆପଣ ଯାହା ଭାବନ୍ତୁ ନା କାହିଁକି ଏ ପୋଷ୍ଟ ଅଫିସ ଲୋକଗୁଡ଼ାକୁ ମୋତେ ଭଲ ଲାଗେ ନାହିଁ । ବଡ଼ ଟାଇମବାଜ୍‌, ଆଇନବାଜ୍‌ବି । ତିଳେ ଏ ପଟ ସେପଟ ହେବେ ନାହିଁ । କର୍ତ୍ତବ୍ୟ କର୍ତ୍ତବ୍ୟ । କାଁ ଭାଁ ଚିଠି ବାଣ୍ଟୁଥିବା ବା ଟେଲିଗ୍ରାମ ଦେଇଥିବା ପୋଷ୍ଟମ୍ୟାନ ପର୍ବପର୍ବାଣି ବା ଶୁଭଖବର ଦେବା ଅବକାଶରେ ଟଙ୍କାଏ ମଶାଏ ନିଅନ୍ତି ସିନା ନହେଲେ ଏଇ ଲୋକଗୁଡ଼ା ସରକାରଙ୍କ ସବୁଠାରୁ ନିଃସ୍ଵାର୍ଥ, ସଚୋଟ, କର୍ମଚାରୀ । ସେଥିପାଇଁ ସେମାନେ ମଣିଷ ମୁହଁ ଦେଖନ୍ତି ନାହିଁ, ବେରିଂ ଡେଡ଼୍‍ଲେଟର ଦୁନିଆ ୟାଙ୍କର ।

 

ବେଙ୍କାବାଲା ଯିମିତି ବାଛି ବାଛି ବଢ଼ିଆ ଚେହେରାବନ୍ତ ଟୋକାଙ୍କୁ ରଖନ୍ତି ପୋଷ୍ଟାଲ ଡିପାର୍ଟମେଣ୍ଟ ସିମିତି କରେନି । ବେଙ୍କଗୁଡ଼ା ଯିମିତି ପରିଷ୍କାର ପରିଚ୍ଛନ୍ନତା, ପୋଷାକ ପରିଚ୍ଛଦ, ଚେହେରା ଚାକଚକ୍ୟର ଆଦର୍ଶ ମିଳନ ସ୍ଥଳୀ ସିମିତି ପୋଷ୍ଟାଲରେ ନାହିଁ । ଏକ କଥାରେ ବେଙ୍କର ପଏଟ୍ରି ପୋଷ୍ଟ ଅଫିସରେ ନାହିଁ । ପୋଷ୍ଟ ଅଫିସକୁ କେନ୍ଦ୍ର କରି ଗପ ଉପନ୍ୟାସ କେଉଁଠି ପଢ଼ିଛନ୍ତି-? ରବିଠାକୁରଙ୍କ ପୋଷ୍ଟମାଷ୍ଟର ଜଣେ ପ୍ରେମିକ, ଯଥାର୍ଥ ପୋଷ୍ଟମାଷ୍ଟର ନୁହେଁ । ଯେଉଁ ବେଙ୍କ୍‍ରେ ଲକାର ଅଛି ସେଠାକୁ ଅନେକ ସୁନ୍ଦରୀ ଆସନ୍ତି, ଲକର ରୁମର ସୋଫା ସେଟ୍‌ରେ ବସନ୍ତି, ପୂରା ଆଇନାରେ ଗହଣା ସବୁ ଝଲସାଇ ନିଜ ଚେହେରା ଦେଖନ୍ତି [ସମ୍ଭବ ହେଲେ ଦେଖାନ୍ତି] ଏବଂ ବେଙ୍କ୍‌ ତରଫରୁ କପେ କପେ ଚା’ ଖାଇ ଘରକୁ ଗାଡ଼ିରେ ଫେରନ୍ତି । ପୋଷ୍ଟ ଅଫିସ ସ୍ତ୍ରୀଲୋକଙ୍କୁ ନିଏ ନାହିଁ ବୋଧହୁଏ, ଅନ୍ତତଃ ଛୋଟ ଛୋଟ ମଫସଲ ସହରରେ ଟେଲିଫୋନ ଏକ୍‌ସ୍‌ଚେଞ୍ଜ ତାଙ୍କ ପାଇଁ ପ୍ରଶସ୍ତ ସ୍ଥାନ । ପୋଷ୍ଟ ଅଫିସ ଲୋକ ବେଙ୍କବାଲାଙ୍କ ପରି ମୋଟେ ରୋମାଣ୍ଟିକ୍‌ ନୁହନ୍ତି-। ପୂରା ଦରମା ଯିଏ ବେଙ୍କ୍‍ରେ ରଖି ନ ପାରିଲା ତା’ର କେବେ ସ୍ୱାସ୍ଥ୍ୟ ହବ ନା ଚେହେରା ଫୁଟିବ-? ତେବେ ଦୁନିଆରେ ଯେ ସ୍ତ୍ରୀଲୋକ ଅଛନ୍ତି ଏବଂ ପୋଷ୍ଟ ଅଫିସରେ ମଧ୍ୟ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ [ଛଇଞ୍ଚ ବଡ଼ ସାନ ହବ] ମିଳାଇ ରହିପାରନ୍ତି ତାକୁ ପ୍ରମାଣ କରିବାପାଇଁ ବୋଧହୁଏ ମୋ ଆଖି ଆଗରେ ଯାଆସ କରୁଥିବା ସ୍ତ୍ରୀଲୋକଟିକୁ ରଖାଯାଇଛି । ପରିବେଶ ସହିତ ସେ ଆଦୌ ନିଜକୁ ଖାପ ଖୁଆଇ ପାରୁନାହିଁ । ଗରିବ ଚେହେରା, ଗରିବାନା ପୋଷାକ, ଚୂଳଗୁଡ଼ାକବି ସଜାଡ଼ିବାକୁ ବେଳ ପାଇନାହିଁ । ବେଣୀର ଅଗଚୂଳ ଚଅଁର ପରି ହୋଇ ଫୁରୁ ଫୁରୁ ଉଡ଼ୁଛି ।

 

‘‘ଆଜ୍ଞା !’’

 

ଲୋକଟା ଏଥର କଟମଟ କରି ଚାହିଁଲା । ମୁଁ ତାରି ଆଖି ଆଗରେ ଦିଥର ନୋଟବିଡ଼ାକୁ ନଚାଇ ଫେରାଇ ଆଣିଲି ମୋ ଆଡ଼କୁ । ଦେଖାଯାଉ ଆଉ କେତେ ଦୂର ଯାଉଛି ।

 

ଗରାଖମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ ସେଇ ଲୋକଟାର ପାଖ କାନ୍ଥରେ ଟଙ୍ଗା ଯାଇଛି ! ଆପଣ କ’ଣ please କହନ୍ତି ? ଆପଣ କ’ଣ Thank you କହନ୍ତି-? ‘ଆପଣ’ ଅର୍ଥ ଗରାଖ ନା ପୋଷ୍ଟ ଅଫିସ ବାଲା ? ଠେଙ୍ଗା ଧରି ଛିଡ଼ା ହୋଇଥିବା ବୁଢ଼ାଟାର ଫଟୋ ସେଇ କାନ୍ଥରେ ଝୁଲୁଛି । ସେ କାହିଁକି ଓହ୍ଲାଇ ଆସି ଏଗୁଡ଼ାକୁ ଲାଠିଚାର୍ଜ କରୁନାହିଁ ? ସେ ପରା ଜାତିର ଚିର ଜାଗ୍ରତ ପ୍ରହରୀ !

 

ଦଶବର୍ଷ ହେଲା ସେଭିଂସ୍‌ ବେଙ୍କ୍‌ ଏକାଉଣ୍ଟ ବନ୍ଦ କରି ଦେଇଛି । ଏମାନେ ମୋ ପ୍ରତି ଭଲ ବ୍ୟବହାର କଲେ ନାହିଁ, ଚାକର ଚପରାସୀଙ୍କ ସଙ୍ଗରେ ଛିଡ଼ା କରେଇଲେ ଏବଂ ଘଣ୍ଟାଏ ଛିଡ଼ା କରିଦେଲେ । ହେଲେ ତୁମେ ଯାହାକୁ ଚିଡ଼ୁଛ, ଯାହାପ୍ରତି ଅଭିମାନ କରୁଛ ଦିନେ ନା ଦିନେ ତା’ ପାଖକୁ ଫେରିବ ।

 

ଦିନେ ଷ୍ଟେଟ୍‌ ବେଙ୍କ୍‍ର କିରାଣୀଟିଏ ସମ୍ବେଦନଶୀଳ ହୋଇ ପଚାରିଲା, ସାର୍‌; ଆପଣ ନିଜେ କାହିଁକି ଆସନ୍ତି ? କାହାକୁ ପଠାଇ ଦେଲେ ତ ଚଳିବ । ମୁଁ ଚିଡ଼ି ଯାଇ କହିଲି, କଅଣ ? ମୋ ମୁହଁ କ’ଣ ତୁମକୁ ଭଲ ଲାଗୁନି ? ମୋ ନିଜ ପଇସା ଯେଉଁ ବେଙ୍କ୍‍ରେ ଥାଏ ସେଠାକୁ ଆସି ଗର୍ବ, ଉଷୁମ ପାଇବାରେ ଆପଣଙ୍କ ଆପତ୍ତି କ’ଣ ? ଏ ପରା ମୋ ବେଙ୍କ୍‌ । ମୋ ଘରେ ନ ରହି ଏଇ ଭଡ଼ା ଘରେ ରହୁଛି ମୋ ଟଙ୍କା । ପୋଷ୍ଟ ଅଫିସବାଲା ସିମିତି ଆମ ବ୍ୟକ୍ତିଗତ ଉପସ୍ଥିତି କାମନା କରନ୍ତି ନାହିଁ ବୋଧହୁଏ ।

 

ସେଇ କଥା ଭାବୁଥିଲି ଆଉ ଭାବୁଥିଲି ପ୍ରଥମାଷ୍ଟମୀ ଲୁଗାବାବଦ ପଢ଼ୁଆଁ ଝିଅ ପାଖକୁ ଯେଉଁ ସତୁରି ଟଙ୍କା ପଠାଇଲି ତା’ର ପ୍ରାପ୍ତି ସ୍ଵୀକାର ପତ୍ର ପନ୍ଦର ଦିନ ବିତିଗଲେବି ଆସିନାହିଁ, ଚିଠିରେବି ଝିଅ ଟଙ୍କା କଥା ଲେଖିନି । ଏଇ ପୋଷ୍ଟ ଅଫିସ...ମଣିଷ ମୁଣ୍ଡ ବିଗାଡ଼ି ଦବ ।

 

ସବୁ କାଗଜ ଗୋଛା ଗୋଛି କରି ଡ୍ରୟର ବନ୍ଦକରି ଚାବି ଦେଇ କିରାଣୀଟି ଅନ୍ତର୍ଦ୍ଧାନ ହୋଇଗଲା ପୋଷ୍ଟମେନ୍‌ ଆଉ ପୋଷ୍ଟାଲ ବେଗ୍‌ର ଖାକି ରାଜ୍ୟରେ । ଦି ତିନିଜଣ ମିଶନ ସ୍କୁଲ ଝିଅ ଥାକ ଥାକ ବହି ଛାତିରେ ଜାକି ନିଃସଙ୍କୋଚରେ ପଶି ଆସିଲେ । ସତ୍‌ ସାହସରେ କହିଲେ “ଅନ୍ତର୍ଦ୍ଦେଶୀୟ ପତ୍ର ଦିଅନ୍ତୁ ।” ମୋତେ ଗୋଟେ’ ‘ମୋତେ ଦୁଇଟା’ ‘ମୋତେବି ଗୋଟେ’ । ଏମାନେବି କ’ଣ ପୋଷ୍ଟାଲ କାରବାର ଆରମ୍ଭ କରିଦେଲେଣି ନା କ’ଣ ।

 

“ଏଥର ଦିଅନ୍ତୁ” ନ କହି ଫେରି ଆସି ପୁଣି ସିଟ୍‌ରେ ବସି ଆଙ୍ଗୁଳିରେ ଇଙ୍ଗିତ ଦେଲା ଯାହାର ଅର୍ଥ, ଟଙ୍କା ବଢ଼ାଅ ।’

 

ଆଜ୍ଞା ପାଳନ କଲି । ଏତେ ଅଣଓସାରିଆ ରାସ୍ତା ଯେ ହାତ ଓ ନୋଟ୍‌ ଏକା ବେଳକେ ଭିତରକୁ ଦେବାପାଇଁ ବୁଦ୍ଧି ଖରଚ କରିବାକୁ ପଡ଼ିଲା । ମୁଁ ବିରକ୍ତିର ଶେଷସୀମାରେ ପହୁଞ୍ଚି ଦେଖିଲି ସାମନା ବନ୍ଧୁଟି ନିର୍ବିକଳ୍ପ ।

 

ଅତି ନିର୍ଦ୍ଦୟ ଭାବରେ ରବର ରିଂକୁ ଟାଣି ଆଣି ନୋଟଗୁଡ଼ାକ ପ୍ରଥମେ ଏପଟ ସେପଟ ମୋଡ଼ି ସଳଖ କଲେ । ତା’ପରେ ପ୍ରତ୍ୟେକ ନୋଟକୁ ଏପାଖ ସେପାଖ ଓଲଟା କରି ଭଲଖରାପ ଦେଖି କରି ସବୁଗୁଡ଼ାକୁ ସମାନ ବାଟକୁ ଆଣିଲେ । ତା’ପରେ ଗଣାଗଣି ଆରମ୍ଭ କଲେ-। ପାଟିରୁ ସାମାନ୍ୟ ଛେପ ନେଇ ଆଙ୍ଗୁଳିରେ ଲଗାଇ, ପାଣିଥିବା ରବର ପେଡ଼୍ ଶୁଖିଯାଇଥିଲା ବୋଧହୁଏ । ତା’ପରେ ଗଣା ଗଣି ଆରମ୍ଭ । ଏକ ଦୁଇ ତିନି କରି ନୂଆ ଗଣି ଶିଖୁଥିବା ପିଲା ବା କୌଣସି ଦରିଦ୍ର ଅପାଠୁଆ ସ୍ତ୍ରୀଲୋକ ଯିମିତି ଗଣନ୍ତି ସେଇ ରୀତିରେ ସେ ଗଣୁଥାନ୍ତି । ମୁଁ ଆଖି ଢିମା ଓଲଟାଇ ମନେ ମନେ ଏକେ ଦୁଇ ତାଳ ଦେଉଥାଏଁ । କେଡ଼େ ସ୍ଲୋ । ଥରେ ଏଲାହାବାଦ ରେଳଷ୍ଟେସନରେ ବୁକିଂ କ୍ମାର୍କ ତାସ ସାଫ୍‌ଲ କଲାପରି ପଇଞ୍ଚାଳିଶଟା ଟିକେଟ ଭଡ଼୍ ଭଡ଼୍ କରି ପାଞ୍ଚ ସେକେଣ୍ଡରେ ଦେଇଥିଲା ନିର୍ଭୁଲରେ । ବେଙ୍କ୍‍ବାଲାଏ ସିମିତି ମେଜିକ୍‌ ପରି ହଜାର ହଜାର ଟଙ୍କା ମିନିଟକେ ଗଣି ଆପଣଙ୍କ ହାତକୁ ବଢ଼ାଇ ଦେବେ ସାବଲୀଳ ଭଙ୍ଗୀରେ । ଅଥଚ ଏଇ ଲୋକଟା...

 

ଦଶ । ରବର ରିଂଟି ଉଠାଇ ମେଲା କରି ଦଶଟି ଶେଯକୁ ପୁଣି ଭାଙ୍ଗି ତା’ ଭିତରେ ଗଳାଇ ଆଗରେ ଥୋଇଲେ । ତା’ପରେ ଅବଶିଷ୍ଟ ନୋଟକୁ ସିମିତି ଟ୍ରୀଟ୍‌ମେଣ୍ଟ ଦେଇ ସାରି ପୁଣି ଆରମ୍ଭ କଲେ ଏକ ଦୁଇ ତିନି ଚାରି । ତାଙ୍କ ସାଙ୍ଗରେ ପୂର୍ବ ପରି ତାଳ ଦେଉଁ ଦେଉଁ ସାଇକେଲଟା ଅଛି କି ନାହିଁ ଦେଖିବାପାଇଁ ପଛକୁ ଚାହିଁ ଦେଲି । ଗଣିବା ଆଉ ଅନୁସରଣ କରି ପାରିଲି ନାହିଁ ।

 

‘କୋଡ଼ିଏ’ କହି ସେ ପୂର୍ଣ୍ଣଚ୍ଛେଦ ଦେଲେ ଏବଂ ପୂର୍ବ ଦଶଟି ସହିତ ଏ କୋଡ଼ିଏକୁ ଯୋଡ଼ି ରବର ରିଂ ଭିତରେ ଜାକି ଜୁକି ରଖି ଦେଲେ ।

 

ମନି ଅର୍ଡ଼ର ଖର୍ଚ୍ଚ ବାବଦ ନୋଟ ଅଲଗା ରଖିଲେ ।

 

“ଦେଖି, ଫର୍ମଟା ଦିଅନ୍ତୁ ।” ବହୁ ପ୍ରତୀକ୍ଷା ପରେ ଫର୍ମଟି ମୋ ହାତରୁ ତାଙ୍କ ହାତକୁ ଗଲା ।

 

“ଉପରେ ବାଇ ଟେଲିଗ୍ରାମ (By telegram) ଲେଖ ।” ଫେରାଇ ଆଣି ସେଇୟା କଲି । ପୁଣି ବଢ଼ାଇଦେଲି ତାଙ୍କ ହାତକୁ ।

 

ଟେଲିଗ୍ରାମ ଖର୍ଚ୍ଚ କେତେ ପଡ଼ିବ ତାହା ହିସାବ କରିବାପାଇଁ ସେ ଶବ୍ଦ ଶୁଣିବାକୁ ଯାଉଥିଲେ ହଠାତ୍‌ କ’ଣ ଭୁଲ୍‍ଟାଏ ପୁଣି ଆବିଷ୍କାର କଲା ପରି ଚମକି ପଡ଼ି ଖୁବ୍‌ ରୁକ୍ଷ ଗଳାରେ କହିଲେ, “ଥ୍ରି ହଣ୍ଡରେଡ଼୍ କ’ଣ ଲେଖିଛନ୍ତି ?”

 

–ହଁ ତିନିଶ । ତିନିଶ ମନି ଅର୍ଡ଼ର ହେବ ।

 

–ଆଉ ଶହେ ?

 

–ଦେଲି...।” ଗଳାଟା ସ୍ଵତଃ କିମିତି ଅସ୍ଵାଭାବିକ ସ୍ଵର ନେଲା । ପୁଣି କହିବାପାଇଁ ଯାଉଥିଲି “ଆପଣଙ୍କୁ...” ରହିଗଲି ।

 

ଲୋକଟା ସିଧା ମୋ ଆଡ଼କୁ କଟମଟ କରି ଚାହିଁ ରହିଥାଏ ।

 

–କେତେ ଟଙ୍କା ଦେଲେ ?

 

–ତିନି

 

–ଆଉ ଶହେ ଦିଅନ୍ତୁ–ହାକିମାତି ରୋକ୍‍ଠୋକ୍‌ ଗଳା ।

 

–ମୁଁ କ’ଣ ତିନିଶ ଦେଇନି ? ଆଉ ଥରେ ଗଣନ୍ତୁ ।

 

–ଗଣିବା ଦରକାର ନାହିଁ । ଦୁଇଶ ଦେବେ ତିନିଶ ମନି ଅର୍ଡ଼ର ହବ । ତଥାପି ସେ ରିଂ ଫିଟାଇ ପୁଣି ଗଣିଲା । ଯେତିକି ସେତିକି ।

 

–କି ଡେଞ୍ଜାରାସ୍‌ ଲୋକ ।

 

ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ଗଳାରେ କହିଲା,

 

–ଏ ସବୁ ଲୋକ ମଣିଷର ମୁଣ୍ଡ ଖରାପ କରିଦେବେ । ଦୁଇଶ ଦେଇ ତିନିଶ ମନିଅର୍ଡ଼ର କରିବେ ।

 

ପୋଷ୍ଟ ଅଫିସର ଏକମାତ୍ର ନାରୀ କର୍ମଚାରୀଟି ପାଖ ଦେଇ ଯାଉ ଯାଉ ବୁଲି ପଡ଼ି ପଚାରିଲା–କ’ଣ ହେଲା ?

 

କିନ୍ତୁ ଯିମିତି ମୋତେ ଦେଖିଛି ହାତଯୋଡ଼ି ମୋତେ ନମସ୍କାର ଜଣାଇଲା ଏବଂ ଉତ୍ତରକୁ ଅପେକ୍ଷା ନ କରି ଚାଲିଗଲା । କିରାଣୀଟି କିନ୍ତୁ ଉତ୍ତର ଦେଲା, ହବ କ’ଣ ? ଭଦ୍ର ଲୋକ ଦୁଇଶ ଟଙ୍କା ଦେଇ ତିନିଶ ମନି ଅର୍ଡ଼ର କରିବେ । ଦେଲେ ଦି’ଶ, ଲେଖିଛନ୍ତି ତିନିଶ ।’’

 

ମୁଁ ହତବାକ୍‌ ହୋଇ କେଉଁଠି କ’ଣ ଭୁଲ୍ ହେଇଗଲା ତାହା ଗବେଷଣା କରୁଥାଏ । କ’ଣ ହେଲା ? ମୋରି ଆଖି ଆଗରେ ତିରିଶଟା ନୋଟ ଗଣିଲା । ଗୋଟାଏ ଅଧେ ନୋଟ ଝିଅ ଭୁଲ୍‍ରେ ନ ଦେଇଥିବ କିନ୍ତୁ ଏକାବେଳେ ଶହେଟଙ୍କା ।

 

କିନ୍ତୁ ପର ମୁହୂର୍ତ୍ତରେ ଯିମିତି ଭାବିଲି ଯେ ମୁଁ ଏକ ଠକ, ଭଣ୍ଡ, ଜୁଆଚୋର ବୋଲି ସାମନା ଲୋକଟା ଧରି ନେଲାଣି ସିମିତି ଭୟାର୍ତ୍ତ ହୋଇ ଛିଡ଼ା ହେଲି । ଜଣାଗଲା ପୋଷ୍ଟାଲ ଇଉନିୟନର ସବୁ କର୍ମଚାରୀ ଏକଜୁଟ ହୋଇ ମୋତେ ମାଡ଼ିବସିବେ କାରଣ ତାଙ୍କର ଜଣେ ସହକର୍ମୀର ଚାକିରି ଖାଇବା ବା ତାକୁ ବିପଦରେ ପକାଇବା ମତଲବରେ ମୁଁ ପୋଷ୍ଟ ଅଫିସକୁ ଯାଇଥିଲି ।

 

ଟଙ୍କା ପଇସା ମନିଅର୍ଡ଼ର ଫର୍ମ ସବୁ ଛାଡ଼ିଦେଇ ପଳାଇ ଆସିବି ନା କ’ଣ କରିବି ଭାବୁଛି [ଟଙ୍କା ଶହେ କୁଆଡ଼େ କିମିତି ଉଭେଇ ଗଲା ସେ କଥା ଭାବିବାର ବେଳ ନାହିଁ ବର୍ତ୍ତମାନ] ଲୋକଟା ପାଟି କରି ଆଦେଶ କଲା, “ଯଦି ଦୁଇଶ ମନିଅର୍ଡ଼ର କରିବେ ତେବେ ତିନିଶ କାଟି ଦୁଇଶ କରନ୍ତୁ ଶୀଘ୍ର । ମୁଁ ଏକାଉଣ୍ଟ କ୍ଳୋଜ୍‌ କରିବି ।” ଦଣ୍ଡେ ରହି ଭ୍ରୂକୁଞ୍ଚିତ କରି ପଚାରିଲା, “କାହିଁକି ଭଲା ଏମିତି କରୁଥିଲେ ? ମୁଁ ଶହେ ଟଙ୍କା ମାରିନେଲି ଏଇ କଥା ପ୍ରମାଣ କରିବାପାଇଁ-? କି ଆଶ୍ଚର୍ଯ୍ୟ ।”

 

ଝିଅ ଭୁଲ୍ ଗଣିଛି ? ବାଟରେ ପଡ଼ିଗଲା ? ପକେଟମାର ହେଲା ? ନା ହାତ ସଫେଇ କରି କିରାଣୀଟା ମାରି ନେଲା ? –କିରାଣୀର ତୀବ୍ର ଚାହାଣିର ଦଂଶନରେ ମୁଁ ଛଟପଟ ହେଉଥିଲି, ତେଣୁ ଏ ସବୁ ପ୍ରଶ୍ନ ନିଷ୍ପତ୍ତିର ବେଳ ପାଇଲି ନାହିଁ । ପୁଣି ତା’ ପ୍ରଶ୍ନର ଉତ୍ତର ଦେବାକୁ ହେବ ।

 

କହିଲି, ‘ମୁଁ ଠକ ନୁହେଁ, ଭଣ୍ଡିବାକୁ ଆସିନି, ଜୀବନରେ କେବେ କାହାକୁ ମୁଁ ଠକିନି । ବରଂ ନିଜେ ଠକିଛି ।” ନିଜକୁ ଅପରାଧୀ ଧରି ନେଇ ସଫେଇ ଦେଲି ।

 

“ଧର ଟଙ୍କା, ନିଅ ଫର୍ମ ।’ ନୋଟ ବିଡ଼ା ଓ ଫର୍ମ ତାଚ୍ଛଲ୍ୟରେ ମୋ ଆଡ଼କୁ ବଢ଼ାଇ ଦେଲା । ସେ ଜିଣିଗଲେଣି ଏ ଯୁଦ୍ଧରେ, ଏଇ ଭଙ୍ଗୀ ଦେଖାଇ ।

 

“ବିଶ୍ଵାସ କରନ୍ତୁ । ଶହେ ଅଧେ ଟଙ୍କା ବଡ଼ ନୁହେଁ । ମୁଁ ଜଣେ... [କ’ଣ କହିବି ? ପ୍ରଫେସର ? ଫ୍ରିନ୍‌ସପାଲ ? ଡାକ୍ତର ? ଇଞ୍ଜିନିୟର? ଡେପୁଟି ? ଏମିତି ମେଜିକୱାର୍ଡ଼ କାହିଁ ଯାହା କହିଦେଲାମାତ୍ରେ ସମାଜର ଯେ କେହି ଲୋକ କହିବ ‘‘ଥାଉ ଥାଉ ଆପଣ ନିର୍ଦ୍ଦୋଷ ଆପଣ ସାକ୍ଷାତ ଧର୍ମରାଜ ଯୁଧିଷ୍ଠିର, ଆପଣ ସାକ୍ଷାତ ‘ସତ୍ୟ’ ।”] କ୍ଷମା କରିବେ, ମୋର ଭୁଲ୍ ହୋଇ ଯାଇଛି । ଆପଣଙ୍କୁ ବିପଦରେ ପକାଇବା ମୋର ମତଲବ ନଥିଲା ।

 

ବୁଲିପଡ଼ି ପୁଣି କହିଲି, "ମୁଁ ଘରକୁ ଯାଉଛି । ଆଉ ଶହେ ଆଣିବି । ମୋର ଭୁଲ୍ ହୋଇ ଯାଇଛି । ଆଚ୍ଛା, କେତେ ସମୟ ଯାଏଁ ଆପଣ ଅଛନ୍ତି ?”

 

ସେଇ ନାରୀ କର୍ମଚାରୀଟି ଫେରି ଆସୁଁ ଆସୁଁ ମୋ କଥା ଶୁଣିପାରି ଆଶ୍ଵାସ ଦେଲା ଗଳାରେ କହିଲା, “ଆପଣ ଯାଆନ୍ତୁ ସାର୍‌, ଆମେ ଅଧ ଘଣ୍ଟାଏ ଅପେକ୍ଷା କରିବୁଁ ।’’ ଏତକ କହି ସେ କିରାଣୀଟି ତା’ ପାଖକୁ ଆସି ତା’ କାନ୍ଧ ଉପରେ ମୁହଁ ରଖି କାନ ପାଖରେ କ’ଣ କହିବାକୁ ଯାଉଥାଏ ମୁଁ ଠକଠାକ୍‌ ଶବ୍ଦ କରି ମୁଣ୍ଡ ନୁଆଁଇ ଫେରିଲି ।

 

ସାଇକେଲଟା ଉଠାଉଛି ନୋଟ ବିଡ଼ା ମନିଅର୍ଡ଼ର ଫର୍ମ ସବୁ ଛାଡ଼ି ପକେଟରୁ ତଳ ବାଲିରେ ଥପ୍‌ ଥପ୍‌ ହୋଇ ପଡ଼ିଲାଣି । ଝାଡ଼ିଝୁଡ଼ି ପୁଣି ଯଥାସ୍ଥାନରେ ରଖି ତରବରରେ ଚାଲିଲି ଘରମୁହାଁ ।

 

ବାହାରର ଥଣ୍ଡା ହାୱାର ପ୍ରଭାବରେ ମୋର ଉତ୍ତପ୍ତ ମସ୍ତିଷ୍କ କ୍ରମେ କ୍ରମେ ଟିକିଏ ଥଣ୍ଡା ହେବାକୁ ଲାଗିଲା; ନରମ ଖରାରେ ଧୀରେ ଧୀରେ କୁହୁଡ଼ି ସଫା ହେବା ପରି ଜଣାଗଲା ।

 

ଅଧ କିଲୋମିଟର ଯିବା ପରେ ଭୁଲ୍‍ଟା ଧରି ପାରିଲି । ରୁମାଲ ଅଥବା ସାଇକେଲ ଚାବି ପକେଟରେ ରଖି ବା ଚଷମଟା ନିଜ ନାକ ଉପରେ ପିନ୍ଧିବି ଆମେ ଥରେ ଥରେ ଯିମିତି ଘରଯାକର ଜିନିଷପତ୍ର ବ୍ୟସ୍ତତାରେ ଫୋପଡ଼ା ଫୋପଡ଼ି କରି ଏକାକାର କରି ଦେଉଁ ସିମିତି ହାସ୍ୟାସ୍ପଦ ଘଟଣାର ଏ ଏକ ପୁନରାବୃତ୍ତି ।

 

ଘରେ ଝିଅ ସହିତ ଏମିତି କଥୋପକଥନ ଚାଲିପାରେ ବୋଲି କଳ୍ପନା କରି ନେଲି–

 

ଝିଅ ମୁହଁ ଦେଖି ଜାଣିପାରିବ, ପଚାରିବ “ମନିଅର୍ଡ଼ର ହେଲା ନାହିଁ ?”

 

“କେମିତି ହବ ? ତୋର ମୁଣ୍ଡ ଠିକ୍‌ ଥିଲେ ତ ! ମୋତେ ତିନିଶ ଟଙ୍କା ଦେଇଥିଲୁ ?”

 

“ତୁମ ଆଗରେ ଗଣିଦେଲି ପରା ! ପଡ଼ିଗଲା ? ପକେଟ...?”

 

“ମଥା ଠିକ୍‌ ରଖି କଥା କହ । ତୁ ମୋତେ ଦୁଇଶ ଦେଇଥିଲୁ, ତିନିଶ ନୁହେଁ !”

 

ହାର୍ଟ ଫେଲ୍‌ ।

 

ନା, ନା । ଏମିତି କଥାବାର୍ତ୍ତା ଠିକ୍‌ ନୁହେଁ । ଆଜିକାଲି ସମସ୍ତେ ଏଇ ଟେନ୍‌ସନ ଉପରେ ରହୁଛନ୍ତି । ଟୋକା ଟୋକୀ ଟେନସନରେ ରହିଲେ ବୁଢ଼ା ବୁଢ଼ୀ ହାଇପରଟେନସନରେ ।

 

ଘରେ ପହୁଞ୍ଚି ସିଧା ପଶିଗଲି । ଝିଅ ପଚାରିଲା, “ଟି. ଏମ୍‌. ଓ ହେଲା, ମୁଁ ଠିକ୍‌ ଭାବିଥିଲି, ହବନି ।”

 

ମୁଁ ସେଇ ସୁର ଧରି କହିଲି, “କିମିତି ହବ ? ଦଶଟା ଦଶଟଙ୍କିଆ ନୋଟରେ ଶହେ ହେଲା ବୋଲି କୋଡ଼ିଏଟା ପାଞ୍ଚ ଟଙ୍କିଆ ନୋଟରେ କ’ଣ ଦୁଇଶହ ହବ ?”

 

ଜିଭଟାକୁ ହାତେ ବାହାର କରି ପାଖ ଖଟଟାରେ ଦଣ୍ଡେ ବସିଗଲା ଝିଅ ।

 

ଆତ୍ମଗ୍ଳାନିରେ କହିଲା, “କେତେ ହଇରାଣ ନ ହେଲ ! ମୋର ସାମାନ୍ୟ ଭୁଲ୍‍ରେ ?”

 

“ହଇରାଣ ସରିନାହିଁ ଆହୁରି ଅଛି ।”

 

ଏଥର ରବର ରିଂରେ ଯତ୍ନରେ ନୋଟଗୁଡ଼ାକ ନ ଗୁଡ଼ାଇ ସେ ମୋ ହାତକୁ ଯିମିତି ସିମିତି ବିପର୍ଯ୍ୟସ୍ତ ଅବସ୍ଥାରେ ବଢ଼ାଇ ଦେଲା ।

 

କାଉଣ୍ଟରରେ କିରାଣୀ ଆଉ ତା’ ପାଖକୁ ଲାଗି ସେଇ ଦୟାବତୀ ନାରୀ କର୍ମଚାରୀଟି ଛଡ଼ା ଆଉ କେହି ବୋଧହୁଏ ନଥିଲେ ପୋଷ୍ଟ ଅଫିସ ଭିତରେ । ଲାଲି ଗାଡ଼ିଟାରେ ମୁର୍ଦାରଗୁଡ଼ାକ ଆଉ ତା’ ପାଖରେ ଚାରିଜଣ ଶବବାହକ ଛିଡ଼ା ହୋଇଥିବାର ଦେଖିଲି ସାଇକେଲ ରଖୁଁ ରଖୁଁ ।

 

ନୀରବ ନିସ୍ତବ୍ଧ ବିରାଟ ପ୍ରକୋଷ୍ଠରେ କିରଣୀଟା ପୁଣି ନୋଟଗୁଡ଼ାକ ଗଣୁଥିଲାବେଳେ [ଏଥର ସେ ଯିମିତି ସିମିତି କରି ଗଣୁଥିଲା] ମୁଁ ପରିଶ୍ରମରୁ ଧଡ଼ପଡ଼ କରୁଥିବା ଗତି ଭିତରର ସ୍ପନ୍ଦନ ଅନୁଭବ କରୁଥିଲି । ଝିଅଟି ସେଇ ନୋଟଗୁଡ଼ାକୁ ଚାହିଁଥାଏ ।

 

ନୋଟ ଅକ୍ଳେଶରେ ଗଣି ସାରି ମୋତେ କ୍ଷମା ଦେବା ଚାହାଣି ଚାହିଁ ପୁଣି ମୁହୂର୍ତ୍ତରେ କ୍ଷମାପ୍ରାର୍ଥୀ ଚକ୍ଷୁରେ [ସେ ଝିଅଟା କ’ଣ ମୋତେ ଚିହ୍ନେ ? ସେ କ’ଣ ମୋ ବିଷୟରେ କିଛି କହିଛି ତାକୁ ? ସେ ଦୁହିଁଙ୍କ ସମ୍ପର୍କ ?] ସତୃଷ୍ଣ ହୋଇ ପଚାରିଲା, “ସାର୍‌ । ସେ ରବର ରିଂ ଟା କ’ଣ ଆଣିନାହାନ୍ତି ?”

 

ସେଇ ମୁହୂର୍ତ୍ତରେ ମୋ ମୁଣ୍ଡଟା ନାସ୍ତିସୂଚକ ଭଙ୍ଗୀରେ ଆପେ ଆପେ ହଲିଗଲା ।

 

ପର ମୁହୂର୍ତ୍ତରେ ନଜର କଲି ସେଇ ସ୍ତ୍ରୀଲୋକଟିର ଆଖି ଖୁବ୍‌ କରୁଣ ଦିଶିଲା, ମୁହଁଟା ଫିକା ପଡ଼ିଗଲା । ଚଅଁର ପରି ଆଲୁଳାୟିତ ଚୂଳଗୁଡ଼ାକୁ ସେ ବାଁ ହାତରେ ସାଉଁଳେଇ ନେଲା ।

 

“ସାର୍ । ରବର ରିଂଟା କ’ଣ ଆଣି ନାହାନ୍ତି ?” –ରବର ରିଂ, ରବର ରିଂ ! ଠୋ ଠୋ ମନଖୋଲି ହସିବାକୁ ମନ ହେଲା । “କେଡ଼େ କ୍ଷୁଦ୍ର ବୀଜରୁ କେଡ଼େ ବଡ଼ ବଟବୃକ୍ଷ ହୁଏ”–ଶିଶୁବୋଧର କଥା ପଦକ । ପଶୁ ପକ୍ଷୀ ଫୁଲିଥିବା ଲୋମ ବା ଡେଣାକୁ ସାଉଁଳାଇ ନେଲାପରି ମୁଁ ମୋ ମୁଣ୍ଡ ଭିତରେ ଶିରା ପ୍ରଶିରାଙ୍କୁ ଶୁଆଇ ଦେଲି ।

 

ଦ୍ରୌପଦୀଙ୍କ ବେଣୀବନ୍ଧନ ହେଲାନାହିଁ । ସୂର୍ଯ୍ୟଦେବ ଅସ୍ତ ଗଲେ ।

Image

 

Unknown

ମାଛ

 

ଟୁନୁବି ଗପ ଶୁଣୁଥିଲା । ଗପ ନୁହେଁ ତ ବଜାରରୁ ସଦ୍ୟ ଉପାର୍ଜିତ ନିଛକ ତିକ୍ତ ଅଭିଜ୍ଞତା ।

 

ହିମ ପ୍ରବାହରେ (ଯାହା ସାତ ଦିନ ଭିତରେ ବିହାରର ପାଞ୍ଚଶ ଲୋକଙ୍କୁ ମାରି ମେଦିନୀପୁରର କାଙ୍ଗାଳଙ୍କୁ ଛଟପଟ କରୁଥାଏ) ବି ଦିହରୁ ମାଠିଆ ମୁହଁରେ ଝାଳ ବହି ଯାଉଥାଏ । ମାଛ ଥଳିଟାକୁ ଅଗଣା ମଝିକୁ ଫୋପାଡ଼ି ଦେଇ ଦରଭଙ୍ଗା ଚେୟାର ଗୋଟାକରେ ବସି ପଡ଼ିଲି । ମୁଣ୍ଡଟା ବୁଲାଉଥିଲା କପାଳରୁ ଝାଳ ସବୁ ପୋଛୁ ପୋଛୁ ମନେ ମନେ କହୁଥାଏଁ, କେତେ ପରା ତୁମେ ସବୁ ମାଛ ମାଛ ଭଜୁଥିଲ, ନିଅ ଖାଅ ଏଥର । ମନ ମାନୁ ।

 

ଥଳି ମୁହଁ ମେଲା କରି ଟୁନୁ ଦେଖିଲା ଏବଂ ସଙ୍ଗେ ସଙ୍ଗେ ଥଳିଟାକୁ ତାଚ୍ଛଲ୍ୟରେ ଫୋପାଡ଼ି ଦେଇ ମନ୍ତବ୍ୟ ଆରମ୍ଭ କଲା, ଭାକୁର ପିଲାଟାଏ, ଛି ! ଏଇ ମାଛ ଛଡ଼ା ବଜାରରେ ଆଉ କିଛି ମାଛ ନଥିଲା ? ୟାର ମୁଣ୍ଡଟାତ ସବୁ, ଛୋଟ ଛୋଟ କଣ୍ଟା; କେତେ ଅଛି; ପାଏ ନା ତିନିଶ ।

 

ମୁଣ୍ଡ ବୁଲାଇବା କମି ନ ଥାଏ । କହିଲି, ଟିକିଏ ଭଲ କରି ଦେଖ୍‌ । ପାଞ୍ଚଶ ମାଛକୁ ଅଢ଼େଇଶ କଲୁଣି । ତୁମେ ସବୁ ମାଛ ମୁଣ୍ଡ ଖାଅ, ମୋ ମୁଣ୍ଡକୁ ଆଉ ଜଣେ ଖାଇ ସାରିଲାଣି । ଏଥର ତୁମେ ବଜାର କରିବ । ଭଦ୍ରଲୋକ ବଜାରକୁ ଯାଆନ୍ତି ? କେଉଁ ଗେଜେଟେଡ଼ ଅଫିସର ଥଳିଟାଏ ଝୁଲାଇ ବଜାରରେ ବୁଲିବାର ଦେଖିଛ ? ଚାକର ଚପରାସୀଙ୍କ କାମ ମୋତେ କରିବାକୁ ପଡ଼ୁଛି । ଦିନ ଦିପହରେ ଯୋଡ଼ାଏ ଟଙ୍କା ମାରିନେଲା । ଗଣ୍ଠିକଟା ଚୋର ! ଯେଉଁ ମାଛ ତ ଦେଖୁଛ । ବରଫ କଳ ବସିଲାରୁ ଏ ମହଜୁଦକାରୀଙ୍କୁ ସୁବିଧା ହେଲା । ଟ୍ରେନ ଟାଇମିଂ ବି ରପ୍ତାନିକି ସୁଯୋଗ ଦେଇଛି ।

 

କିଏ ମାରିନେଲା ? କାହା କଥା କହୁଛ ? କିଏ ସେ ଲୋକ ?

 

ଆଉ କିଏ ? ସେଇ ସୁରୁମାଆଖିଆ ମାଛ ବେପାରୀଟା । ଥରେ ଅଧେ ହେଲା, ପାଞ୍ଚ ପାଞ୍ଚ ଥର ଠକେଇଲାଣି । ମୋରି ଦେଖନ୍ତ ତା’ ବାପା ପୂର୍ବ ପାକିସ୍ଥାନରୁ ଏଠାକୁ ଆସିଥିଲା | କେତୁଟା ବର୍ଷ ତା’ ବାପାର ଦରଭଙ୍ଗା ରିକ୍ସା ଟଣାଟଣି କରିସାରି ମାଛ ବେପାର ଧଇଲା । ଦୁଇ ତିନି ବର୍ଷରେ କେପିଟେଲିଷ୍ଟ ବନିଯାଇଛି ! ଓଦା ସରସର ହୋଇ ଶୀତ କାକରରେ ଥରି ଥରି ଜାଲୁଆମାନେ ଖାଳୋଇ ଧରି ବଜାରରେ ପହୁଞ୍ଚିଲେ ତ ଝାମ୍ପି ପଡ଼ିଲା, ମୂଲାଇ ନେଲା । ସବୁ ମାଛ ସମସ୍ତଙ୍କଠୁ କିଣି ନେଇ ମନ ଇଚ୍ଛା ଦରକଷି ବେପାର ଆରମ୍ଭ କଲା । ଗୋଟାଏ ବଡ଼ ସରକାର ପାଲଟି ଯାଇଛି ଯିମିତି । ନିଜେ ତ ଗହମ ବୁଣେ ନାହିଁ କି କାଟେ ନାହିଁ । ଶସ୍ତା ନୋଟ ବଦଳରେ ୟାଠୁ ତାଠୁ ସବୁ ଧାନ ଗହମ କିଣି ନେଇ ଗୋଟାଏ କୃତ୍ରିମ ବଜାର ସୃଷ୍ଟି କରେ । ଠିକ୍‌ ସମୟରେ ଠିକ୍‌ ଦରରେ ଠିକ୍‌ ଲୋକଙ୍କୁ ଦେଇ ପାରେନି । ଲୋକେ ବାଧ୍ୟ ହୋଇ ବିଦ୍ରୋହ ବିକ୍ଷୋଭ କରନ୍ତି, ଗୁଳିରେ ମରନ୍ତି, ଦଲାଲି କରି କେତେ ଦିନ ତିଷ୍ଠିବ ? ହେଲେ ଏ ସୁରୁମା ଆଖିଆ ତିଷ୍ଠିଛି । ପକ୍କା କୋଠାବି କରିଗଲାଣି ଶୁଣିଲି । ରାମାନନ୍ଦୀ ସିନ୍ଦୂର ଚିତା କାଟି ଚିଲା ଆଖିରେ ସୁରୁମା ଲଗାଇ ଭଣ୍ଡ ତପସ୍ଵୀ ସାଜିଛି । ମାଞ୍ଚିଆଟାଏ ପକାଇ ବସିଯାଇଛି କେବିନେଟ ଭିତରେ ମୁଖ୍ୟମନ୍ତ୍ରୀ ପରି ।

 

କିଏ ସେ ମାଛବାଲା ? ତାକୁ ଏତେ ଇମ୍ପଟେନ୍‌ସ ଦଉଛ କାହିଁକି ?

 

ଠକ, ଭଣ୍ଡ, ମହଜୁଦକାରୀ ମୁନାଫାଖୋର ଦଲାଲଟାଏ । ହାଜିମସ୍ତାନ ହେବାକୁ ବେଶି ଡେରି ନାହିଁ । ଦେଖିବ ଆଉ ମାସେ ଦିମାସ ପରେ ସାରା ବଜାରକୁ ଗିଳିଯିବ ।

 

କିଏ ସେ ଲୋକ ? କୁହ ଆମେ ଟିକିଏ ଚିହ୍ନି ରଖୁ ଭବିଷ୍ୟତକୁ କର୍ମରେ ଆସିବ ।

 

ସମସ୍ତେ ତାକୁ ଜାଣନ୍ତି । କିଏ ତା’ର କ’ଣ କରି ପାରିଲେ ? ତୁମେ ତାକୁ ଜବଦ କରିବ-? ତୁମ ବାପାକୁ ସିଏ ଥରେ ଅଧେ ନୁହେଁ ପାଞ୍ଚ ପାଞ୍ଚ ଥର ଠକାଇଲାଣି । ଓ, ତା’ରି କଥା ସେଥର କହୁଥିଲ । ଯେ ପବତା ମାଛ କହି କଣ୍ଟିଆ ଦେଇଥିଲା, ବଚା ମାଛ କହି ବାଳିଆ ଛୁଆ ଦେଇଥିଲା ସାତଟଙ୍କା କିଲୋରେ ?

 

କାହିଁକି ତା’ ଗୁଣ ବଖାଣୁଛୁ ? ତା’ର ମହିମା ଅପାର । ତା’ ଚକ୍ରବ୍ୟୂହ ଭେଦିବାକୁ ଅଭିମନ୍ୟୁ ଜନ୍ମିନିଏ ବାଲେଶ୍ଵରରେ । ଯଦି ବା କେହି ଭେଦିବ ଫେରିବାକୁ ବାଟ ପାଇବ ନାହିଁ । ସପ୍ତରଥୀ ତାକୁ ଶେଷ କରିଦେବେ । ସେ ଏକା ନୁହେଁ, ଯେତେ ମେଳିଆ କଳିହା ସମସ୍ତଙ୍କର ସେ ଗୁରୁ । ଦୁର୍ବୁଦ୍ଧିରେ ସେ ସମସ୍ତଙ୍କୁ ହାତମୁଠାରେ ରଖିଛି । ମାପ ଓଜନ କର୍ମଚାରୀ ତାକୁ ଧରି ସାବାଡ଼ କରି ପାରନ୍ତେ । କିନ୍ତୁ ଧରନ୍ତି ନାହିଁ । ସୁନା ତଉଲିବା ପାଇଁ ବଣିଆମାନେ କାଚ ବାକ୍‌ସ ଭିତରେ ଯେଉଁ ନିକିତି ରଖିଥାନ୍ତି ଦେଖିଥିବ, ଠିକ୍‌ ପଙ୍ଖା ତଳେ । କେଶାଗ୍ର ଓଜନ ଏ ପାଖ ସେପାଖ ହେଲେ ବା ହାବୁକାଏ ପବନ ପଶିଲେ କଣ୍ଟା କିମିତି ଚମକି ପଡ଼ି ଏପଟସେପଟ ହୁଏ ଦେଖିଥିବ । ୟାର ତରାଜୁ ସିମିତି । କହୁଣିର କରଉଁ ପର୍ଯ୍ୟନ୍ତ ହାତଟି ଓଜନ ଡାଙ୍ଗକୁ ଢଙ୍କାଇ ରଖିଥାଏ । ଇଚ୍ଛାମତ ସେ ଓଜନ ଯନ୍ତ୍ରକୁ ଖେଳାଇପାରେ ଯାଦୁ ବଳରେ । ଗରାଖ ସବୁବେଳେ ଭାବେ ସେ ବେଶି ପାଇଲା । କୌଣସି ଖାନ୍‌କୀର ଆଖିବି ଏତେ ଚଟୁଳ ଚପଳ ନୁହେଁ । ଛାଡ଼ କ’ଣ ନା କ’ଣ ପାଟିକୁ ଆସି ଯାଉଛି । ହାତରେ ମୁଣ୍ଡଫଟା ରଙ୍ଗ ରଖି ମାଛ କାଟେ । ତିନି ଦିନର ବରଫ ଦିଆ ମାଛରୁ ଲାଲ ଟକ ଟକ ରକ୍ତ ବାହାର କରିପାରେ । ମାଛ ଯେତେ ପଚିଥିଲେବି ସେ ତୁମକୁ ଦେଖାଇ ଦବ ‘ଗାଲି’ ଲାଲ ରଙ୍ଗରେ ଫାଟି ପଡ଼ୁଛି ।

 

ବଢ଼ିଆ ଲୋକଟାତ ! ଇଣ୍ଟାରେଷ୍ଟିଂ !

 

ହଁ । ତୁମପାଇଁ ଏ ବଢ଼ିଆ କେରେକ୍ଟରଟାଏ । ସେଥର ଯେଉଁ ପାଞ୍ଚପା ଓଜନର ଇଲିଶି ଆଣିଥିଲି ସେଇଟି ତାରି ଅବଦାନ, ଯେଉଁଟା ଚକଟି ଧୋଇ ଦେଲା ବେଳକୁ ଗାଡ଼ିଆଯାକ ପାଣି ଉପରେ ଧଳା ଧଳା ଚିଜ ଖେଳିଗଲା, ଘରକୁ ଖାଲି ମୁଣ୍ଡ କଣ୍ଟା ଫେରିଲା । ନଅଟଙ୍କା କିଲୋରେ ସେ “ଆପଣଙ୍କୁ ବୋଲି ଦେଲି ଏତେ ଶସ୍ତାରେ କହି” ଥଳିରେ ପୂରାଇ ଦେଇଥିଲା । ଶଳା ଦଣ୍ଡିରେ ମାରେ, ଦରରେ ମାରେ, କଥାରେବି ମାରେ । ହାଣକାଟ ରକ୍ତପାତରେ ତ ଶଳାର ଜନ୍ମ ! ଛୁରା ବନ୍ଧୁକର କାରସାଦି ସେ ମାଆ ପେଟରେ ଥାଇ ଦେଖୁଛି !

 

ଏମିତି କ’ଣ ପାଗଳ ପରି ବକି ଯାଉଛ । ଲୋକେ ଶୁଣିଲେ କ’ଣ କହିବେ ? ତୁମେ କେତେ ଦରର ସିଏ କେତେ ଦରର ! କ୍ରୋଧଂ ପ୍ରଭୋ ସମ୍ବର ସମ୍ବର । ମାଛବାଲା ତ ଧର୍ମଯାଜକ ଅଧ୍ୟାପକ ନୁହେଁ । ସେ ନୀତିଶାସ୍ତ୍ର ପଢ଼ି ନାହିଁ କି କାହାକୁ ପଢ଼ାଇ ନାହଁ । ଏମିତି ଅନର୍ଗଳ ବକ୍ତୃତା କରିବାରେ ଲାଭ କ’ଣ ? ହାଇପରଟେନସନ ବଢ଼ିବା ସାର ହେବ । ଆମେ ଆଉ ମାଛ ଖାଇବା ନାହିଁ, ତୁମର ବଜାର ଯିବା ଦରକାର ନାହିଁ । ମାଛ ଖାଇବାର ଇଚ୍ଛା ହେଲେ ମୁଁ ଯିବି । ଚୁମ୍ବକରେ କଥାଟା କହିଦିଅ ତ ।

 

କାହାକୁ କହିବା, କପାଳରେ ସିନା–କ’ଣ କହିବି ? ବାଲେଶ୍ଵର ବଜାରରେବି ମାଛ ନାହିଁ, ଏ କଥା କିଏ ବିଶ୍ଵାସ କରିବ ? ଟିଣଟିଣ ଇଲିଶି, ବାଗ୍‌ଦା ଚୁଙ୍ଗୁଡ଼ି ଭଜା ପୁରୀ, କଟକ, ରାଉରକେଲା ନେଇଥିଲି । ବାରଅଣାରୁ ଦୁଇଟଙ୍କା ଭିତରେ ଫିରିକିଠାରୁ ଇଲିସି ପର୍ଯ୍ୟନ୍ତ ଖାଇଛି । ଏଇ କେତେବର୍ଷ ତଳେ । ଏଇ ଶସ୍ତା ମାଛ ଖାଇବାପାଇଁ କେତେ ବଡ଼ ବଡ଼ ସମ୍ଭ୍ରାନ୍ତ ପରିବାର ଦେଶାନ୍ତରୀ ହୋଇଛନ୍ତି, ମେଲେରିଆ ବିପଦକୁ ଖାତିରି ନ କରି ସମୁଦ୍ର କୂଳରେ ଜମିଜମା ନେଇ ଚିରସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି । ଆଜି ଇଏ କି ଅବସ୍ଥା ? ଛାଡ଼ ! ହଁ, ବଜାରରେ ମାଛ ନଥିଲା-। ମିଳିଲା କିମିତି ତେବେ ?

 

କହୁଛି ଶୁଣ । ଲୁଣିମାଛ ତ ତୁମେ ଖାଇବ ନାହିଁ, ମଧୁର ମାଛ ନହେଲେ ତୁମ ନାହି ଡେଇଁବ । ସାରା ବଜାରରେ ଜଣକ ପାଖରେ ମାଛ ଥିଲା । ଅଳ୍ପ, ଲୁଣି ଗୋଜିକଡ଼ମା । ସେଇ ଲମ୍ବା ଗୋଜିଆ ଚୁଚୁନ୍ଦ୍ରାମୁହାଁ ମାଛଗୁଡ଼ାକ । ଟିକିଏ ସଢ଼ିଗଲେ ଅନ୍ତବୁଜୁଳା ପଦାକୁ ବାହାରିପଡ଼େ । ଟିପାଟିପି ଚିପାଚିପି କରି ଦେଖିଲି ଚଳିବ, ବରଫ ଦିଆ ନୁହେଁ, ମୁହାଁଣ ମାଛ । ଝୋଳ ନ ହେଲା ନାହିଁ ଭଜା ଖାଇବା । ଫିଶ ଫ୍ରାୟ ତୁମେ ସବୁ ଭଲ ପାଅ । ସଅଶ୍‌ ବୋତଲ ତ ଖୋଲା ହୋଇନି । ସାଢ଼େ ତିନି ଟଙ୍କା କିଲୋ । ହଅ ଦିନେ ଅଧେ ଖଣ୍ଡେ ଦିଖଣ୍ଡ ଲୁଣିମାଛ ଭଜା ଖାଇଦେଲେ କ’ଣ ଏଲାର୍ଜି ହେବ ? ପ୍ରୋଟିନ ତ ଅଛି । ଖାଦ୍ୟ ଅଭ୍ୟାସ ବଦଳବି କରିବା ଦରକାର । ଦେଖୁନ ଗୁଜରାଟର ଲୋକେ ଗହମ ବଦଳରେ ବାଜରା ଭଳି ମୋଟା ଖାଦ୍ୟସଶ୍ୟ ବ୍ୟବହାର କରୁଛନ୍ତି । ଏଇ ଗୋଜିକଡ଼ମା ମାଛ ଭାରତରେ ପାଇଛନ୍ତି କେତେ ଖାଇଛନ୍ତି କେତେ ? ବଡ଼ ବଡ଼ ହୋଟେଲରେ ଯେଉଁ ଫିଶ ଫ୍ରାୟ ମିଳେ ତାହା ଦୁଇମହଣିଆ କଚିମ ମାଂସର ଫ୍ରାୟ । କି ମାଛ କେତେ ଶସ୍ତାରେ ଏଠି ମିଳୁ ନଥିଲା ? ଏବକୁ ଭାତୁଆ ଗୁଣ୍ଡ ଚୁଙ୍ଗୁଡ଼ି, କାଠୁଆ କଣ୍ଟିଆ, ପୋଚରା ପାଣିଆଖିଆବି ଉଭାନ ହେଲାଣି । ଏଡ଼ିକି କଡ଼ା ଖୋଦ୍ ପୋଲିସ ସାହାବଟା ବି ହାର ମାନିଲା ଏ ସୁରୁମା ବାଲାର ଦଳ ଆଗରେ ।

 

ସତରେ ବାପା ! ମୁଁ ହାର ମାନୁଛି ତୁମ ପାଖରେ । କେତେ ସାନ କଥାକୁ କେତେ ବଢ଼ାଇ କହିପାର । ମୋର ଧର୍ଯ୍ୟ ନାହିଁ ଆଉ ।

 

ଶୁଣ ଏଥର କହୁଛି । ଅଧକିଲେ କିଣିଲି ଗୋଜିକଡ଼ମା କାହା ପାଖରୁ ? ସୁରୁମାବାଲା ନା ଆଉ କାହା ପାଖରୁ ? ସୁରୁମାବାଲା ଆସି ନଥିଲା । ଆସ୍ଥାନ ଛାଡ଼ି କୁଆଡ଼େ ଘୂରା ଫେରା କରୁଥିଲା ହୁଏତ । ତାରି ପାଖ ବେପାରୀ ପଖାରୁ କିଣିଲି । କିଲୋ ସାଢ଼େ ତିନି । ଅଧ କିଲେକୁ ଟଙ୍କାଏ ବାରଣା ।

 

ସାଢ଼େ ତିନି ହେଲେ ଅଧକିଲେକୁ ଟଙ୍କାଏ ବାରଣା ହୁଆନ୍ତାନି କି ?

 

ପାଞ୍ଚଟଙ୍କିଆ ନୋଟଟା ବଢ଼ାଇ ଦେଲି । ଭାଗ୍ୟକୁ ତାଠି ରେଜା ଥିଲା । ସେ ଫେରାଇଲା ଗୋଟାଏ ଦୁଇ ଟଙ୍କିଆ ନୋଟ, ଗୋଟିଏ ଟଙ୍କାକିଆ ନୋଟ ଆଉ ରଜାମୁଣ୍ଡ ବା ବାଘମାର୍କା (ବାଲେଶ୍ଵର ଛଡ଼ା ପୃଥିବୀର ସର୍ବତ୍ର ଅଚଳ) ସୁକିଟିଏ । କଣା ପେଣ୍ଟ ପକେଟରେ ସୁକିଟିକି ନ ରଖି ଛାତି ପକେଟରେ ଅନ୍ୟାନ୍ୟ ଜିନିଷ–ଯଥା ଦୁଇଟଙ୍କିଆ ନୋଟ, ଇଲେକ୍‌ଟ୍ରି ବିଲ, ମନିଅର୍ଡ଼ର ରିଶିଟ୍‌, ଚିଠିପତ୍ର, ଏମିତି କି ଖଣ୍ଡିଏ ଚକଖଡ଼ି–ସହିତ ରଖିଦେଲି ଏବଂ ଥଳି ଧରି ଅନ୍ୟାନ୍ୟ ଦ୍ରବ୍ୟ ଓ ପନିପରିବା କିଣିବାପାଇଁ ବାହାରି ଗଲି । ମନ ଭଲ ନଥାଏ । ଏତେ ଦିନରେ ଯଦି ବା ଭଲ ମାଛ ଖାଇବା ଖୁଆଇବା ଚେଷ୍ଟା କରୁଥିଲି ତାହା ହେଲାନି । ସଶ୍‌ ବୋତଲ ଠିପି ଅଖୋଲା ରହିଯିବ ବୋଧହୁଏ । ଯାହା ବା ମିଳିଲା ତାହା ତୃତୀୟ ଶ୍ରେଣୀର ମାଛ । ତୁମେ ସବୁ ପସନ୍ଦ କରିବ ନାହିଁ ବିରକ୍ତ ହବ । ଧନିଆଁପତ୍ର, ବିଲାତୀ, ଅଦା, ଲଙ୍କା, ସୋରିଷ ଆଦି ଆନୁଷଙ୍ଗିକ ଦ୍ରବ୍ୟ କିଣିବା କଥାକୁ ମନ ଦେଲି ନାହିଁ । ଅନ୍ୟମନସ୍କ ହୋଇ ବୁଲୁବୁଲୁଁ ଦେଖିଲି ଦ୍ଵିତୀୟା ଚାନ୍ଦ (ପ୍ରତିପଦା ଜହ୍ନ କିଏ ଦେଖିଛି ବୋଲି ଉପମା ଦେଉନାହିଁ) ପରି କଖାରୁ ଖଣ୍ଡକ କୋଡ଼ିଏ ପଇସା । ଚାଖିଲି, ତା’ ବି ମିଠା ନୁହେଁ, ଫସକା । ମେଜାଜ୍‌ ବିଗିଡ଼ି ଯିବ ମଣିଷର ।

 

ବ୍ୟସ୍ତ ହେଉଛ କାହିଁକି ? କିଛି ନ ଆଣିଛ ନାହିଁ, ଆମେ ପରେ ଆଣିବା । ମାଛ ତ ଆଣିଛ, ଭାତ ମାଛ ଝୋଳ ଯଥେଷ୍ଟ ।

 

ତୁମେ ସବୁ ଆଉ ଝୋଳ ନାଆଁ ଧରନି । ଭଜାରେ ତେଲ, ଝୋଳରେ ତେଲ । ଡବଲ ଖରଚ । ଭଜାବି ନ ଖାଅ । ତେଲ ଦର ଏଗାର ପଚାଶ । କିଲେ ମାସେ ଯିମିତି ଯାଏଁ । ସୋରିଷ ବଟାରେ କଞ୍ଚମାଛ ବଢ଼ିଆ ହୁଏ । ଭିଟାମିନ୍‌ ନଷ୍ଟ ହୁଏନି । ଭାରି ଭଲବି ଲାଗେ । ଅରିଜିନାଲ ଟେଷ୍ଟ ମିଳେ ।

 

ଗୋଜିକଡ଼ମା କିଣିଥିଲ ପରା ! ଭାକୁର ଥଳିକି ପଶିଲା କିମିତି ?

 

ସେଇଆତ କହୁଥିଲି । ସେ ପୁଣି ଏକ ମହାଭାରତ । କଥାଟା ଅନ୍ୟ ଆଡ଼େ ଚାଲିଗଲା-। ମନ ଭଲ ନଥିଲେ ଏମିତି ହୁଏ । ଫେରୁଥିଲି, ପୁଣି ମାଛ ବଜାରରୁ ଚାହିଁ ଦେଲି । ଦେଖିଲି, ସୁରୁମା ଆଖିଆ ଦିଟା ଥଳିରୁ ପାକୁ ପାକୁ କରୁଥିବା କେତେଗୁଡ଼ାଏ ଭାକୁର ଛୁଆ ଚଟାଣରେ ଅଜାଡ଼ି ଦେଲା । ବାଲିଟିଏ ପାଣି ଛାଏଛାଏ ମାରି ମାଞ୍ଚିଆ ଉପରେ ବସି ଚିତ୍କାର ଆରମ୍ଭ କଲା “ରସଗୁଲ୍ଲା, ରସଗୁଲ୍ଲା” (ବୁଢ଼ା ବାଘ ବାଟୋଇଙ୍କି ଏମିତି ଡାକୁଥିଲା, ନିଅ ସୁନା କଙ୍କଣ ନିଅ, ଗାଧେଇ ପାଧୋଇ; ମଗ୍ନପଙ୍କେ ସୁଦୁସ୍ତରେ) ସବୁ ମାଛ ସମାନ ଓଜନର ଅଧକିଲିଆ, ଆଷାଢ଼ ମାସରେ ଜାଆଁଳ । ଏଇ ଲୋକଟା ବାସ୍ତବିକ ମେଜିକ ଜାଣେ । କେଉଁଠି କିଛି ନାହିଁ, ହଠାତ୍‌ ପ୍ରାଚୁର୍ଯ୍ୟ ।

ଦର ?

ସାତଟଙ୍କା ।

ସରକାରୀ ମତ୍ସ୍ୟ ବିକ୍ରୟ କେନ୍ଦ୍ରରୁ ଲୋକ ଲଗାଇ ଜଗାଇ ଚାରିଟଙ୍କାରେ ଆଣି ଏଠି ସାତରେ ବିକ୍ରି କରୁଛି । କଳାବଜାରୀ ! ଚାରିକୁ ସାତ ! ଆମର ବା କିଏ ଅଛି ଯେ ଧାଡ଼ିରେ ଠିଆ ହୋଇ ଧସ୍ତାଧସ୍ତିକି ଯିବ ?

ଟୁନୁ ପଚାରିଲା ୟାକୁ ତୁମେ ମାଛ କୁହ । ମାଛର ଆପୋଲଜି ନା କେରିକେଚର କାଳେ ପଛକୁ ମିଳିବ ନ ମିଳିବ ଏଇ ଆଶଙ୍କାରେ ସେ ମାଛ ଓଜନ କରୁ ନକରୁଣୁ ଦିଟଙ୍କିଆ ନୋଟଟା ତାକୁ ଧରାଇ ଦେଇ ଗୋଟାଏ ମାଛ ଓଜନ କରିବାକୁ କହିଲି । ସେ ଦିଟଙ୍କିଆ ନୋଟକୁ ନେଇ ମୁଣ୍ଡରେ ଛୁଆଁଇବା ପୂର୍ବରୁ ଦଣ୍ଡିଟାକୁବି ସଲାମ କରି ସାରିଥିଲା । ଥଳିରେ ମାଛ ପୁରାଇବା ପୂର୍ବରୁ ପକେଟକୁ ଚାହିଁ ଦେଖିଲି ଟଙ୍କାଏ ଆଉ ସୁକିଟିଏ ଅଛି । ଆହୁରି ଆଠଣା ନିଅଣ୍ଟ । ମାଛଟାକୁ ଚଟାଣର କାନ୍ଥପଟକୁ ରଖି ସୁରୁମାଆଖିଆ ନବାଗତ ଗରାଖମାନଙ୍କ ଆଡ଼କୁ ମନ ଦେଲା ।

ପ୍ରଥମେ ଭାବିଥିଲି ଗୋଜିକଡ଼ମା ଭାକୁର ଉଭୟ କିସମ ମାଛ ନେବି । ସଅଶ୍‌ ଆଉ ଅନିଅନ ଦେଇ ଗୋଜିକଡ଼ମା ଭଜା, ଆଉ ଭାକୁର ଝୋଳ । କିନ୍ତୁ ପଇସା ନିଅଣ୍ଟ । ଚାରିଅଣା ଅଭାବ ପଡ଼ୁଛି । ହେଲେ ସେ ଛାଡ଼ି ଦେବନାହିଁ କି ବାକି ରଖିବ ନାହିଁ ।

ଦ୍ଵିତୀୟ ବାର ଚିନ୍ତା କଲି, ଗୋଜିକଡ଼ମା ତ କିଣି ସାରିଛି । ଦେଖେଁ ଯଦି ସେ ଫେରାଇ ନବ, ନ ହେଲେ ଭାକୁର ନ ନେବି ।

ସନ୍ତର୍ପଣରେ ଭଦ୍ରାମି ଓ ନମ୍ରତା (ଖୋସାମତି ?) ର ଚରମ ସୀମାକୁ ଯାଇ ତାରି ଡାହାଣ ପାଖରେ ଖଣ୍ଡେ ଦୂରରେ ବସିଥିବା ମାଛ ମହାଜନ ପାଖକୁ ପୁଣି ଗଲି ଏବଂ ଆଉ କେହି ନ ଶୁଣିବା ଗଳାରେ କହିଲି, ଶୁଣ, ଦୟାକରି ତୁମ ମାଛତକ ଫେରାଇ ନବ ? ଥରେ କିଣି ସାରଛି, ଫେରାଇବା କଥା ନୁହେଁ, ତୁମରବି ନବାର କଥା । ତେବେବି କହୁଛି, ଫେରାଇ ନବ ? ଘରେ ଆମର କେହି ଲୁଣିମାଛ ଖାଆନ୍ତି ନାହିଁ, କାହାର ଏଲର୍ଜି, କାହାର ଏଜ୍‌ମା, କାହାର ଏକ୍‌ଜିମା, ଆଉ କାହାର କୁଷ୍ଠ... (ଏସବୁ ରୋଗ କ’ଣ ସେ ଜାଣୁ ପଛକେ) ଛାଡ଼ କ’ଣ କହୁଛ, ଫେରାଇନବ-?

ଏମିତି କ’ଣ କହୁଛନ୍ତି ବାବୁ ? ଆପଣ କ’ଣ ଦିନେ ଅଧକର ଗରାଖ । ପନ୍ଦରବର୍ଷ ହେଲା ଆପଣ ଆମଠୁ ମାଛ କିଣୁଛନ୍ତି । ଦିଅନ୍ତୁ, କିଛି ଆପତ୍ତି ନାହିଁ । ଥଳିଟା ହାତରୁ ଟାଣି ନେଲା, ବୁଜୁଳା ବାହାରିଥିବା ତିନିଟା ମାଛ ଥପଥାପ ହୋଇ ପଡ଼ିଲେ ତାଙ୍କ ସାଥୀମାନଙ୍କ ଉପରେ ।

ଆପଣଙ୍କୁ ଯେଉଁ ସୁ-କିଟା ଦେଇଥିଲି ଦିଅନ୍ତୁ । ଦିଟଙ୍କିଆ ନୋଟଟା ଦେଉଛି । ଭଦ୍ରାମିର କରାମତି ଅଛି ଭାବି ଖୁସିରେ ଯନ୍ତ୍ରଚାଳିତ ପରି ଛାତି ପକେଟରୁ ସୁକୁଟି ବାହାର କରି ତାକୁ ଦେଲି । ସେ ଦିଟଙ୍କିଆ ନୋଟଟିଏ ଦେଲା ।

ଖାଲି ଥଳିଧରି ଭାକୁରବାଲା ପାଖକୁ ଗଲି ତାରି ପାଦ ପାଖରେ ପାକୁ ପାକୁ ହେଉଥିବା ମାଛଟାକୁ ଲାଞ୍ଜପଟୁ (ସିମିତି ଧଇଲେ କୁଆଡ଼େ ମାଛର ମିଠା କମିଯାଏ) ଧରି ଥଳିରେ ପୁରାଇଲି-

 

ଟୁକୁ ମାଛଟାକୁ ଧରି ଦୁଇ ତିନିଥର ନଚାଇ କହିଲା, ଏଇ ମାଛର ଓଜନ କିଲେ ହବ ? ତିନିଶରୁ ଗ୍ରାମେବି ବେଶି ହବନି । ତୁମେ ଅନ୍ଦାଜରେ ଆଣିଛ ନା ଓଜନ କରାଇଛ ?

 

କି ଆଶ୍ଚର୍ଯ୍ୟ ! ଏତେ ଦିନ ବଜାର କରୁଛି । ମରିବାଯାକେ ମୋର ପସନ୍ଦ ଅନ୍ଦାଜ କ’ଣ ଆସିବନି ? ଅଧକିଲେରୁ ବରଂ ବେଶି ହେବ କମ୍ ନୁହେଁ ।

 

ଠକି ଯାଇଛ । ମାଛ ନିଶ୍ଚୟ ବଦଳ କରିଦେଇଛି ତୁମେ ଅନ୍ୟ ମାଛ ବାଲା ପାଖକୁ ଯାଇଥିଲାବେଳେ । ଫେର୍ ଓଜନ କଲେ ଜଣାପଡ଼ନ୍ତା ।

 

ମାଛ ଓଜନ କମ୍‌ ବେଶି ହେଲେ କିଛି ଭାବନ୍ତି ନାହିଁ କିନ୍ତୁ ସେ ଯାହା କଲା... । ଦିଟଙ୍କିଆ ନୋଟଟା ତାକୁ ବଢ଼ାଇ ଦେଇ ହାତପାତି ରହିଲି ସେ ମୋତେ ଆଠଅଣା ଫେରାଇବ କେତେବେଳେ । କିନ୍ତୁ ଆଠଣି ଫେରାଇବାର ନାମଗନ୍ଧ ନାହିଁ । ସେ ମାଛ ଗୋଟାକୁ ଗୋଟା ବିକି ଚାଲିଛି । ପ୍ରାୟ ପାଞ୍ଚ ମିନିଟ ଅପେକ୍ଷା କରି ଆଠଅଣା ମୋତେ ଫେରାଅ ଯିମିତି କହିଛି ସେ ସୁରୁମା ଅଙ୍କା ଚାହାଣିରେ ମୋ ଆଡ଼କୁ ଓଲଟି ହାତ ପତାଇ କହିଲା, ଦିଅନ୍ତୁ ଆଉ ଦେଢ଼ ଟଙ୍କା ।

 

କ’ଣ ! ତୁମକୁ ମାଛ କିଣିବା ପୂର୍ବରୁ ଦିଟଙ୍କିଆ ନୋଟଟା ଦେଇଥିଲି ପରା ! ଏବେ ଦିଟଙ୍କିଆ ନୋଟ ଦେଲି । ଚାରିଟଙ୍କାରୁ ତିନିଟଙ୍କା ଆଠଣା ଗଲେ ବାକି ମୋର ଆଠଣା ପାଇବାର କଥା । ଡ୍ରୟାର ଖୋଲି ଦେଖାଅ, ମୋ ନୋଟ ମୁଁ ବାଛି ଦେବି, ସାହସକରି କହିପାରିଲି ନାହିଁ । ଆପଣଙ୍କ ମଥା ଖରାପ ନା କ’ଣ ! ପକେଟ ଅଣ୍ଡାଳନ୍ତୁ, ହେଇ ଦେଖନ୍ତୁ ମୁଁ ଡ୍ରୟାର ଖୋଲି ଦେଖାଇ ଦେଇଛି । ସେ ଦେଖାଇଲା ମୁଁ ଦେଖିଲି ମୋ ନୋଟକୁ; କିନ୍ତୁ ଏଇ ଯେ ମୋ ନୋଟ କହି ପାରିଲି ନାହିଁ । କ’ଣ ସନ୍ତକ ଥିଲା ଯେ ମୋର ବୋଲି ପ୍ରଣାମ କରି ପାରିବି ।

 

ମୁଁ କହିଛି ପରା ଆପଣଙ୍କ ମଥା ଖରାପ । ବଜାର ଭିତରେ କେଉଁଠି ପଡ଼ିଯାଇଥିବ । ଛାତି ପକେଟରେ କେହି ଟଙ୍କା ରଖେ ।

 

ମୋର ମଥା ଖରାପ ହେଇଗଲା ପରି ଲାଗିଲା । ପକେଟକୁ ପୁଣି ଚାହିଁଲି, ସେଇ ଟଙ୍କାକିଆ ନୋଟଟି ସାଥୀହୀନ ଅସହାୟ ଅବସ୍ଥାରେ ରହିଛି ।

 

ସନ୍ଦିଗ୍‌ଧ ମାତ୍ର ବିନମ୍ରତମ ଗଳାରେ କହିଲେ, ଦୁଇଟଙ୍କିଆ ନୋଟଟାଏ ଦେଇଥିଲା ପରି ଲାଗୁଛି ।

 

ପଚାରୁ ନାହାନ୍ତି ଏଇ ଭଦ୍ରଲୋକମାନଙ୍କୁ । ସେମାନେ ତ ଦେଖିଥିବେ, ତୁମେ ତ ଆଚ୍ଛା ଭଦ୍ରଲୋକ । ଆପଣରୁ ସେ ତୁମେକୁ ଖସିଲାଣି ଆଉ ଟିକିଏ ତଳକୁ ଖସିଲେ ମୋର ଭଦ୍ରାମିର ସମାଧି । ପ୍ରକୃତରେ ସେଠି ମୁଁ ନୋଟଦେବା ବେଳର କେହିଲୋକ ନଥିଲେ । ଯେଉଁମାନେ ଥିଲେ ସେମାନେ ସମସ୍ତେ ମୋତେ ଏକ ପ୍ରାଗଐତିହାସିକ ଜାନୁଆର ଭାବି ତାଳୁରୁ ତଳିପା ଦେଖିଲେ ।

 

ମୁଁ ଯିବାକୁ ଉଦ୍ୟତ ହୁଅନ୍ତେ ସେ ସଦମ୍ଭେ କହିଲା, ମାଛର ଦାମ୍ ଦେଇଯାଆନ୍ତୁ । ଦିଟଙ୍କା ଦେଲେ, ଆଉ ଦେଢ଼ଟଙ୍କା ।

 

ଟଙ୍କାକିଆ ନୋଟଟି ବଢ଼ାଇଦେଲି । କାନ୍ଦ କାନ୍ଦ ହୋଇ କହିଲି ଆଉ ନାହିଁ ପରେ ଦେଇଯିବି ।

 

ଜିତିବା ଗଳାରେ ଏଥର କହିଲା, ସେଇ କଥା କୁହନ୍ତୁ । ଭୁଲିବେ ନାହିଁ । ସଞ୍ଜବେଳକୁ ନିଶ୍ଚୟ ଦେଇଯିବେ ।

 

ଚୋରଟିଏ ଭଳି ବଜାର ମୁହାଁ ହେଲି । ପୁଣି ହିସାବ ଯୋଡ଼ିଲି ମୂଳରୁ । ଘରୁ ପାଞ୍ଚଟଙ୍କିଆ ନୋଟ ଆଣିଥିଲି, ପ୍ରଥମ ମାଛବାଲା ଟଙ୍କାଏ ବାରଣା କାଟିନେଇ ମୋତେ ଦେଲା ତିନିଟଙ୍କା ଚାରିଅଣା–ଦୁଇଟଙ୍କିଆ ନୋଟ, ଟଙ୍କାକିଆ ନୋଟ ଆଉ ସୁକିଟିଏ । ସେଥିରୁ ଦୁଇଟଙ୍କିଆ ନୋଟଟି ମାଛ କିଣିବା ପୂର୍ବରୁ ସୁରୁମାବାଲାକୁ ଧରାଇଦେଇ ପଇସା ନିଅଣ୍ଟ ହେଲା ବେଳକୁ ପ୍ରଥମ ମାଛବାଲା ପାଖକୁ ଗଲି । ସେ ସୁକି ନେଇ ଦିଟଙ୍କିଆ ନୋଟ ଫେରାଇଲା, ପାଞ୍ଚକୁ ପାଞ୍ଚ ହେଲା । ପକେଟରେ ତେବେ ତିନିଟଙ୍କା ରହିଲା କେମିତି ? ବଜାରର ଗୋଟିଏ କଣରେ ଛିଡ଼ାହୋଇ କାଗଜପତ୍ର ସବୁ ବାହାର କଲି । କି ଆଶ୍ଚର୍ଯ୍ୟ କଥା ! ଛାତି ପକେଟରୁ ବାହାରି କେଉଁଠି ପଡ଼ିଗଲା ନା ପକେଟମାର ହୋଇଗଲା । ଜୀବନରେ ସାଇକେଲ ଦୁଇଟା, ଛତା ପାଞ୍ଚୁଟା ଆଉ ପଞ୍ଜାବି ତଳ ପକେଟରୁ ରୁମାଲ ସହ ଦୁଇଟଙ୍କା ଦଶଣା ୧୯୩୩ ସାଲରେ କଲେଜରେ ପଢ଼ୁଥିବାବେଳେ ହରାଇଛି । କିନ୍ତୁ ଛାତି ପକେଟରୁ କେବେ କିଛି ହଜାଇ ନାହିଁ । କଲିକତା ଦିଲ୍ଲୀ ବଜାରରେବି କେତେକେତେ ଟଙ୍କା ଛାତି ପକେଟରେ ରଖି ଟ୍ରାମ ଟେକସି କାରରେ କେତେ ଘୂରିଛି, କେବେ କାଗଜ ଟୁକୁରାଏ ହଜାଇ ନାହିଁ, ଆଜି ହଜିବ; ପଡ଼ିବ କିମିତି ? ସେ ମାଛବାଲାକୁ ସତରେ କ’ଣ ଦେଇନାହିଁ ?

 

ବାବା ! ତୁମ ମୁଣ୍ଡ ପ୍ରକୃତରେ ଖରାପ । ସେ ମାଛବାଲା ଠିକ୍ କହିଛି । କେଉଁ କଥାକୁ କେତେ ଦୂର ଟାଣିଲଣି ?

 

ଫେରି ଆସୁଥିଲି, କ’ଣ ଖିଆଲ ପଶିଲା ଚିଡ଼ିଆ ପୋଲ ପାଖରୁ ପୁଣି ଫେରିଗଲି । ଭାବିଲି ମାଛ ବିକ୍ରି ସରିଥିବ, ଗରାଖ ନଥିବେ ତାକୁ ପୁଣି ଥରେ ଅପିଲ କରି ଦେଖିବି । ତାରି ପାଖ ମାଛବାଲା ଏତେ ଭଦ୍ର, ଏତେ ବିନୀତ । ଅଥଚ ଇଏ ଏତେ... । ଭଦ୍ରାମି ଅହିଂସା କିଛି କ’ଣ ତା’ ଛାତି ଭିତରକୁ ପଶିବ ନାହିଁ ? ତା’ ଛଡ଼ା ମୁଁ ହୁଏତ ସିନ୍ଦୂରକୁ ରକ୍ତ ଭାବୁଛି, ଜୟ ବାଂଲା ଆଖି ରୋଗକୁ ଯେଉଁ ସୁରୁମା ତାକୁ ରସିକତାର ଚିହ୍ନ ଭାବୁଛି ।

 

ଫେରିଲି । ସତକୁ ସତ କେହି ନଥିଲେ ତରାଜୁ ବଟକରା ଧୂଆଫୋଛା ସାରି ସେ ଟଙ୍କା ପଇସା ଗଣାଗୁନ୍ଥା କରୁଥିଲା ଆଉ ହିସାବ ଯୋଡ଼ୁଥିଲା ଲାଭକ୍ଷତି (କ୍ଷତି ?) ଜାଣିବାପାଇଁ ।

 

କହିଲି, ଦେଖ ରାଣନିୟମ ପକାଇ ମୁଁ କହିବି ତୁମକୁ ଦିଟଙ୍କିଆ ନୋଟଟା ଦେଇ ୟାଙ୍କ ପାଖକୁ ଆସିଲି, ଗୋଜିକଡ଼ମା ଫେରସ୍ତ ଦେଇ ପଇସା ୱାପସ ଆଣିବାପାଇଁ । କାରଣ ତୁମକୁଦିଟଙ୍କା ଦେବା ପରେ ମୋଠି ଆଉ ଟଙ୍କାଏ ଚାରିଆଣା ଥିଲା । ତୁମେ ମୋତେ ବିଶ୍ଵାସ କର-

 

କଳିଷଠା ତୁମେ ପାର ହେଲଣି ତେବେବି ଏତିକି ଜାଣିନାହଁ ଯେ ବେଉସା, ଟାଉଟରି, ମାଲିମକଦ୍ଦମା, ପଲିଟିକ୍‌ସରେ ବିଶ୍ଵାସ ବୋଲି କଥା ନାହିଁ । ବିଶ୍ଵାସରେ ବିଷ ଦେଇ ଲୋକେ ବଡ଼ ହଉଛନ୍ତି । ସେମାନେ ସବୁ ତୁମରି ପରି ବଡ଼ଲୋକ । ମୁଁ ଆପଣଙ୍କୁ ଭଲରେ କହିଲି ଆପଣ ଆଉ କ’ଣ କିଣିଥିବେ ବା କାହାକୁ ଦେଇଥିବେ । ଆପଣ ଦୟା କରି ମୋତେ ହିସାବ ନିକାଶ କରିବାକୁ ଦିଅନ୍ତୁ । ମୋର ଢେର କ୍ଷତି ହୋଇଯାଇଛି, କିଏ କେତେ ମାଠି ଦେଇଗଲେଣି, ଆଚ୍ଛା ବେପାର ଧଇଲି ।

 

ତୁମେ ଟିକିଏ ଭଲକରି ମନେ ପକାଅ, ଏଇ ଦେଖ ମୋ ଥଳିରେ ତମର ମାଛ ଛଡ଼ା ଆଉ କିଛି ନାହିଁ, ମୁଁ ଆଉ କିଛି କିଣିନି, ମୋର ମନେ ହେଉଛି କଂସେଇକି ଛେଳି ଚାହିଁଲା ପରି ଚାହିଁଥାଏ ।

 

ତୁମର ମନେ ହଉଛି ବୋଲି କ’ଣ ତାହା ସତ ? ଯିଏ ଯାହା ମନେ ପକାଇବ ତାକୁ ସତ କୁହ ତୁମେ ? ମୋର ଭୁଲ୍ ହୁଏ ନା । କୋଟି କୋଟି ଲୋକ ସାଙ୍ଗରେ ଆମର ବେପାର । ତୁମେ ତିନିଟଙ୍କା ମୋତେ ଦେଇଛ, ଆଉ ଆଠଣା ପକାଅ, ପାଖରେ ନାହିଁ ତ କାହାଠୁ ଧାର ଉଧାର କରି ଅବି ଆଣ । ନାହିଁ ତ ଥଳି ରଖ । ମାଛ ବାହାର କରି ଥୁଅ । ତମ ଆଖି ଆଗରେ ଦଶଟଙ୍କା ଦରରେ ବିକି ଦେବି । ଦେଖ ବଜାରରେ ମାଛ କାତିବି ନାହିଁ ।

 

ସର୍ବନାଶ ! ଥଳି ରଖ, ମାଛ ଥୁଅ । ଲୋକଟା କ’ଣ କହୁଛି, କେତେ ନିର୍ମମ ।

 

ଫୋପାଡ଼ି ଦେଲନି ତା’ ମୁହଁକୁ ଥଳି ମାଛ ସବୁ । ମାଛ ଏବେ ନ ଖାଇଥାନ୍ତୁ । କାହା ସାଙ୍ଗରେ କିପରି ବ୍ୟବହାର କରାଯାଏ ତା’ ତୁମେ ଜାଣିଲନି ଏ ଯାକେ ।

 

ମୋ ବ୍ୟବସ୍ଥା ତୁମେ ବୁଝୁନ । ଟଙ୍କା ତ ଗଲା । ଝଗଡ଼ା ଗଣ୍ଡଗୋଳ କଲେ ସାଙ୍ଗ ମାଛବାଲାଏ ସାରା କେବିନେଟ ଭିଡ଼ି ଆସିବେ ମୋ ଆଡ଼କୁ; “କ’ଣ ହେଲା ? କଥା କ’ଣ ? ଝଗଡ଼ା କାହିଁକି ?” ଇମିତି କେତେ ପ୍ରଶ୍ନ ପଚାରିବେ, ଗୋଳମାଳ ବଢ଼ିବ । ଯାଉ ବରଂ ଦୁଇଟଙ୍କା ଛୋଟଲୋକଙ୍କ ସାଙ୍ଗରେ କଳିଗୋଳ କରି ଲାଭ ନାହିଁ । ମାନସମ୍ମାନ ଯିବ, ସେମାନଙ୍କ ମୁହଁ ଖରାପ, ବାଡ଼ବତା ନାହିଁ, ଦୋ-ଅକ୍ଷରି କହିଯିବେ । କ୍ଷତି ଆମର । ହରାଇବାକୁ ତାଙ୍କର ବା କ’ଣ ଅଛି ? ଚୁମ୍ବକରେ ବଶ୍ୟତା ସ୍ଵୀକାର କରି କହିଲି, ବ୍ୟସ୍ତ ହୁଅନି, ଆଜି ସଞ୍ଜବେଳକୁ ମିଳିଯିବ ।

 

ସାଇକେଲ ବୁଲାଉଛି ଶୁଣିଲି ଭଦ୍ର ମାଛବାଲାଟି ସୁରୁମା ବାଲାକୁ କହିବାର–ବାବୁର ଦୁଇଟଙ୍କିଆ ନୋଟ୍‌ଟା ଫେରାଇ ଦେଲୁନି । ଏମିତି ସମ୍ପତ୍ତି କରିବୁ ? ଉତ୍ତରରେ ସୁରୁମାବାଲା କହିବାର ଶୁଣିଲି ମାଛ ବଜାରର ଭାଷାରେ “ଶଳା ! ବେଶି ଭଦ୍ର ସାଜୁଛୁ କି ବେ ? ଶଳା ତୋ ଜୀବନରେ ଓଜନଡ଼ାଙ୍ଗ କେବେ ହାତରୁ ଛାଡ଼ିବ ନାହିଁ । ତୋ ଚଉଦ ପୁରୁଷ ପଲା ଘରେ ଟୁଙ୍ଗିରେ ପଡ଼ିଥିବେ । ଚୁପ୍‌କର, ବେଶି ବକ ବକ ହେଲେ ଏଇ ଓଜନ ଡାଙ୍ଗରେ ତୋ ଖପୁରି ଫଟାଇ ଦେବି-

 

ମୋ ପଛରେ ଲକ୍ଷ୍ୟ କରି ଶୁଣାଇ କହିଲା, ଆଜ୍ଞା ! ସଞ୍ଜ ବେଳକୁ ଯିମିତି ପାଏ ।

 

ମୋ ଗପ ସରି ଆସିଲା ବେଳକୁ ପଡ଼ିଶା ଘର ରେଡ଼ିଓଟା ସମ୍ବାଦ ପରିବେଷଣ କରୁଥାଏ । ବିକ୍ଷୁବ୍ଧ, ବୁଭୁକ୍ଷ ଜନତା ଉପରେ ମୃଦୁ ଲାଠି ଚାଳନା, ଟିଅରଗେସ୍‌ ଓ ଗୁଳି ପ୍ରୟୋଗ, ସାନ୍ଧ୍ୟ ଆଇନ ।

 

ମୋରି ଅପମାନ ତଥା ବଞ୍ଚନ କେବଳ ମୋ ବଂଶ ଉପରେ ନୁହେଁ ସାରା, ରାଜ୍ୟ ଦେଶ ଉପରେ ବୋଲି ଉପଲବ୍‌ଧି କରି ଏତେ ମାନସିକ ଆନ୍ଦୋଳନ ଭିତର ଦେଇ ଯାଉଥିଲେ ଯେ କେଉଁଠି ଏ ଦୁର୍ଘଟଣା ତାହା ଜାଣିବାକୁ ଚାହିଁଲେ ନାହିଁ ।

 

ଏଥର ତୁମ ଗପ ସଇଲା ତ ବାପା ! ବେଶ୍‌ ସାନବଡ଼ର ଉପଦେଶ ନବା କଥା । ମୋ ଉପଦେଶ ନିଅ । ସୁନା ପିଲାଟି ପରି ଭଦ୍ରାମିର ଖାତିରରେ ଆଜି ସଞ୍ଜବେଳକୁ ଆଠଣା ସେ ସୁରୁମାବାଲାକୁ ଦେଇ ଆସିବ । ନା କ’ଣ ଭାବୁଛ ?

ନା ବାବା ଆଉ ବଜାରକୁ ଯିବି ନାହିଁ । ବିଚ୍‌ ବଜାରରେ ଅପଦସ୍ତ କରି ଦବ ବୋଲି ଯେତେ ଡର ମାଡ଼ୁଛି ଠକ ଭଣ୍ଡ ବୋଲି ସମସ୍ତଙ୍କ ଆଗରେ ପ୍ରମାଣ କରି ଦବ । ତା’ ଦଳବଳ ତା’ କଥାରେ ହଁ ଭରିବେ । ପଛକୁ ଡାକିଦବ, ଏ ବାବୁ, ଏ ଭଦ୍ରଲୋକ, ଆଠଣା ପଇସା ଦେଇଯାଅ, ଆଚ୍ଛା ଭଦ୍ର ତ । ଧାର ନବ, ବାକି ରଖିବ, ମାଗିଲାବେଳକୁ ପଛ କରି ଆଡ଼ ହୋଇ ଚାଲିଯିବ । ମାଛ ଖାଇବ ପଇସା ଦବ ନାହିଁ । ସମ୍ପତ୍ତି ଲୁଟତରାଜ କରିବା ଲୋକ ।

ମିଛେ ମିଛେ ଦିଟା ଟଙ୍କା ଫୋପାଡ଼ି ଦେଲ ଗୋଟେ ରାସ୍‌କେଲକୁ । ବୁଢ଼ାଙ୍କ ରାଜୁତିରେ ମାଛ ପିଶ୍‌କୁ ପଞ୍ଚସ୍ତରି ପଇସା ପଡ଼ିବ, ଇଞ୍ଚେ ଲମ୍ବ ପାଏ ଇଞ୍ଚ ଓସାରକୁ । ଏଥର ଗାଧୁଆପାଧୁଆ କରି ମୁଣ୍ଡ ଥଣ୍ଡା କର । ବିଶ୍ରାମ ନିଅ । ଢେର ଖଟିଲ ଦଶପାଇଁ ଦେଶପାଇଁ । ହେଲେ ପାଏ ଭାକୁର ପିଲା ପାଇଁ ସଅଶ ବୋତଲ ଖୋଲିବାକୁ ଦେବିନି ।

କ’ଣ ଗୋଟାଏ ନୂଆ ଦିଗ ତା’ ଆଗରେ ଖୋଲିଗଲା ଯିମିତି । ସେ କହିଲା, ତୁମେ ନ ଯିବ ତ ନ ଯାଅ । ମୋତେ ଆଣିଦବ ମୁଁ ତୁମ ଋଣ–ପିତୃଋଣ ପରିଶୋଧ କରିଦେବି । ଭଦ୍ରାମିରେ ବାପା ମାଛ ଖାଇ ହୁଏ ନାହିଁ । ସେଥିପାଇଁ ପ୍ରଥମେ ଲୋକଙ୍କୁ ଜନତାକୁ ଭଦ୍ରାମି ଶିଖାଇବାକୁ ହୁଏ-। ଥଣ୍ଡା ରକ୍ତରେ ନୀତିଶାସ୍ତ୍ର ପଢ଼ାଇବାର ଚେଷ୍ଟା କଲେ ଖାଲି ପିତ୍ତ ଉଗ୍ର ହେବ, ହାଇପରଟେନ୍‌ସନ୍‌ ବଢ଼ିବ । ତୁମେ ଘରେ ବସ, ଦେଖ । ଯୁବଶକ୍ତିର ଏ ଦୁନିଆ । ସେମାନେ କିମିତି ସଜାଡ଼ି ପାରୁଛନ୍ତି ଦେଖ । ସଞ୍ଜ ସାତଟା ପନ୍ଦରର ସମ୍ବାଦ ଶୁଣିଥାଏ । ମନରେ ଅସ୍ୱସ୍ତି । ସକାଳର ଘଟଣା ଉପରେ ପୁଣି ଟୋକାଟା ବଜାରକୁ ଯାଇଛି । କ’ଣ କାଣ୍ଡକାରଖାନା ଭିଆଇ ଦେଇ ପାରେ । ରକ୍ତ ଉଷୁମ । ପୁଣି ଆଜିକାଲିକା ପିଲା ତ । ଖବର ଯାହା ଶୁଣିଥାଏ ସେଥିରେ କେତେଗୁଡ଼ାଏ ସହରର ପୁଞ୍ଜିପତିଙ୍କ ମାଲଗୋଦାମ ଲୁଟତରାଜ ସମ୍ବାଦ ପରିବେଷିତ ହେଉଥାଏ ।

ଚମକି ପଡ଼ି ବୁଲିପଡ଼ି ଦେଖିଲି ଟୁନୁ ପଶି ଆସୁଛି । ଦୁଇ ହାତରେ ଅନ୍ଦାଜ ଦେଢ଼ ଦେଢ଼ କିଲୋ ଓଜନର ଯୋଡ଼ାଏ ପେଟୁଆ ଇଲିଶି । ତା’ ପଛକୁ ପଛ ଧାଡ଼ି ଧରି ପ୍ରସେସନରେ ଲାଗି ରହିଛନ୍ତି ମନ, ଭାଇ, ମଣ୍ଟୁ, ପ୍ରସାଦ, ରବିନ, କାର୍ତ୍ତିକ, ଜ୍ଞାନ ଆଉ କେତେ ଜଣ । ସମସ୍ତଙ୍କ କଣ୍ଠ କପାଳରେ ସିନ୍ଦୂର ଧସ୍ତାଧସ୍ତିରେ ଲୁଗାପାଟା ଦିହ ଟୁକୁରାଟୁକୁରା, ଖଣ୍ଡିଆ ଖବରା ।

କଟକ ଷ୍ଟେସନର ମଝିରେ ମଝିରେ ଘର୍ଘର ଶବ୍ଦକୁ ଦୂର କରି ଟୁନୁ ଯାହା କହିଲା ସେଥିରୁ ବୁଝିଲା ସେ ସୁରୁମାବାଲାର ଧାର ଶୁଝି ଦେଇଛି । ମାଛବଜାର କୁଆଡ଼େ ଲୁଟତରାଜ ହୋଇଯାଇଛି, ପୋଲିସ ପଇନ୍ତରା ମାରୁଛନ୍ତି, ସନ୍ଧ୍ୟାଆଇନ ଜାରି ହୋଇଛି । ମୁଖ୍ୟ ମୁଖ୍ୟ ସମ୍ବାଦରେ ଘୋଷକ କହିଲା, କେଉଁଠି ଗୋଟାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଇସ୍ତପା ଦେଇଛନ୍ତି ମନ୍ତ୍ରୀମଣ୍ଡଳର ପତନ ଘଟିଛି ।

ପୂର୍ବ ପାକିସ୍ଥାନର ଜେନେରେଲ ନିଆଜୀ ଯେତେବେଳେ ଅରୋରାଙ୍କ ନିକଟରେ ଆତ୍ମସମର୍ପଣ କଲେ ସେତେବେଳେ ଯିମିତି କୋଟି କୋଟି ଭାରତବାସୀଙ୍କ ବିକ୍ଷୁବ୍ଧ ମାନସରେ ପ୍ରଶାନ୍ତି ପ୍ରସାରିତ ହେଲା ସିମିତି ଏଇ ସୁରୁମାବାଲାର ପତନ ସମ୍ବାଦ ମୋର ଠିଆ ଠିଆ ଶିରାପ୍ରଶିରାକୁ ସାଉଁଳାଇ ଦେଲା ।

Image

 

ନାସ୍ତିକ

 

ନାସ୍ତିକ ବୋଲି ନାସ୍ତିକ, ଏମିତି ନିଦାରୁଣ ନାସ୍ତିକ ଖଣ୍ଡ ମଣ୍ଡଳରେ କାହିଁ କେଉଁଠି ନ ଥିବେ । ଭଗବାନଙ୍କ ନାଆଁ ଯଦି କେହି କେବେ ଭୁଲ୍‍ରେବି ତାଙ୍କ ଆଗରେ ଉଚ୍ଚାରଣ କରି ଦେଇଛି ତେବେ ତାଙ୍କର ଅନ୍ୟଥା ଅପରୂପ ମୁଖମଣ୍ଡଳରେ ଦୈତ୍ୟ ହିରଣ୍ୟକଶିପୁର ନୃଶଂସତାର ଆଭା ଉକୁଟି ଉଠେ । ହିଂସ୍ର ଆଖି ଦୁଇଟା ଜୟବାଂଲା ରୋଗଗ୍ରସ୍ତ ଆଖି ଭଳି ଫୁଲା ଫୁଲା ଦିଶେ, ପ୍ରୌଢ଼ ଅଧର ଦୁଇ ପ୍ରକମ୍ପିତ ହୁଏ ଏବଂ ସେଇ ମୁହୂର୍ତ୍ତରେ ସେ ଜହ୍ଲାଦ ବା ତପ୍ତତୈଳଭାଣ୍ଡ ଖୋଜି ବୁଲନ୍ତି-

 

ଶାନ୍ତି କାନନରେ ଏଇ ଦୁର୍ଦ୍ଦାନ୍ତ ମଣିଷ-ରାକ୍ଷସଟି ଦର୍ଶନୀୟ ଜୀବ । ଦୀର୍ଘକାୟ ସ୍ଫୀତବପୁ ବୃକ୍ଷସ୍କନ୍ଦ ଓ ମହାଭୁଜ । ଆବରଣରେ ଚାରିମିଟର କାଲିକୋ କନାର ଖିଲକରା ଆଜାନୁଲମ୍ବିତ ପଞ୍ଜାବି; ପରିଧାନ ପାଞ୍ଚଛଅ ମିଟର ଲମ୍ବ ଲାଲିଧଡ଼ିର ପତଳା ଫିନ୍‌ଫିନ୍‌ କୁଞ୍ଚକରା ଧୋତି । ଜାନୁଆରୀର ପ୍ରଚଣ୍ଡ ଶୀତରେବି ଏଇ ପରିଚ୍ଛଦ । ବେକ ପଛରେବି ସେଇ ସଫେଦ ରଙ୍ଗର ଗୁଡ଼ିଏ କୁଞ୍ଚିତ ବାଳ । ମୁଣ୍ଡର ଚୂଳବି ଭାରି ସୁନ୍ଦର, ଢେଉଢ଼େଉକା, ଧଳାକନା ଫେନିଳ । ପାପୁଲିଏ ଉଚ୍ଚ କପାଳରେ ଗଭୀର ତିନୋଟି ରେଖାରେ ନୈସର୍ଗିକ ତ୍ରିପୁଣ୍ଡକ । ଦେବୋପମ ଏଇ ମାନବଟିକୁ କ୍ଳାସ ଭିତରକୁ ପଶି ଯାଉଥିବାର ଦେଖିଲେ ଯୁଗପତ୍‌ ଭକ୍ତି ଓ ଭୟ ଜାଗ୍ରତ ହୁଏ ।

 

ଯିମିତି ଦର୍ଶନୀୟ ସିମିତି ବିଚିତ୍ର ଧର୍ମୀ । ତେଣୁ ୟାଙ୍କ ଇତିବୃତ୍ତ ଜୀବନ-ଚରିତ ବିଷୟ ପ୍ରତିବେଶୀ, ସହକର୍ମୀ, ଛାତ୍ର ସମସ୍ତେ ଆଗ୍ରହୀ । ସେ କ୍ରମେ ବ୍ୟକ୍ତିସ୍ତରରୁ ଉଠ ଅନୁଷ୍ଠାନ ସ୍ତରରୁ ପୁଣି କିମ୍ବଦନ୍ତୀକୁ ଗଲେଣି । ସ୍ଵପ୍ନିଳ ଭାବାବିଷ୍ଟ ମୁଖ ଦେଖି ଲୋକେ ନାନା ଗଳ୍ପ ତାଙ୍କ ବିଷୟରେ କୁହନ୍ତି । ଥରେ କୁଆଡ଼େ କଲିକତାରେ ଥିଲାବେଳେ ଚୌରଙ୍ଗୀରେ ଛିଡ଼ା ରହି ଘଣ୍ଟା ଘଣ୍ଟା ଧରି ଚର୍ମସଂରକ୍ଷଣ ଦୋକାନ ଆଡ଼କୁ ନିବିଷ୍ଟ ଚିତ୍ତରେ ଅନାଇ ରହିଥିଲେ । ଟ୍ରାଫିକ୍‌ ବିପଜ୍ଜନକ ସ୍ଥାନରେ ବହୁ ସମୟ ଧରି ଛିଡ଼ା ହେବାର ନଜର କରି ଚିତ୍କାର କଲା, କ’ଣ ଦେଖୁଛନ୍ତି ? ଫୁଟ୍‌ପାଥକୁ ଯାଆନ୍ତୁ । ସେ କହିଲେ ‘‘ମୁଁ ଏକ ସମସ୍ୟାରେ ପଡ଼ିଛି; ଭାବୁଛି କିମିତି ଏଇ ଖାତଟା ଭିତର ଦେଇ ବାଘଟା ଚାଲିଗଲା ଅଥଚ ଲାଞ୍ଜଟା ନେଇ ପାରିଲା ନାହିଁ ।” ରହସ୍ୟପ୍ରିୟ ପୋଲିସଟି ମୁରୁକି ହସି କହିଲା, ‘‘ଭିତରକୁ ଯାଇ ଦୋକାନୀକି ପଚାରନ୍ତୁ ତ ।” ବିଜ୍ଞାପନ ଉଦ୍ଦେଶ୍ୟରେ ଦୋକାନୀ ଲାଞ୍ଜଟାକୁ ଗୋଟାଏ ଗାତ ଦେଇ ବାହାରକୁ ଲମ୍ବାଇ ଦେଇଥିଲା ।

 

ଏ ମହାଧ୍ୟାପକଟି ଯେତିକି ଗବେଷଣା କରନ୍ତି ତାଠୁ ଅନେକ ବେଶି ଗବେଷଣା ଚାଲେ ତାଙ୍କ ଉପରେ । ସହାଧ୍ୟାୟୀ ଓ ସହକର୍ମୀଗଣ ତାଙ୍କ ସମ୍ପର୍କରେ ନାନା ତଥ୍ୟ ବାହାର କରିଛନ୍ତି ଅବିରାମ ଅନୁସନ୍ଧାନ କରି । ସେ ଭିତରୁ ଗୋଟାଏ ହେଉଛି ତାଙ୍କ ଜନ୍ମ ଲଗ୍ନରେ କୁଆଡ଼େ ଆଠୋଟି ଗ୍ରହ ଏକତ୍ର ଅବସ୍ଥାନ କରୁଥିଲେ । ସେଇଥିପାଇଁ ଜୀବନଯାକ ଯେତେବେଳେ ଯେଉଁ କାମ କରିବସିଲେ ନାନା ଚିନ୍ତା ଓ ଭାବନା ଭିତରେ ତାଙ୍କୁ ବୁଡ଼ି ରହିବାକୁ ପଡ଼େ । ନିଷ୍ପତ୍ତି ନେବାକୁ ସମୟ ଲାଗେ । କାରଣ ବିଭିନ୍ନମୁଖୀ, ବିପରୀତ ପନ୍ଥୀ ଆଠୋଟି ଗ୍ରହଙ୍କୁ ଏକତ୍ର ଏକମତ କରିବାକୁ ତାଙ୍କୁ ବହୁତ ପରିଶ୍ରମ ପଡ଼େ । କଟକ ଯିବେ କି କଲିକତା ଯିବେ ତାହା ସ୍ଥିର କଲାବେଳକୁ ବାରିପଦା, ବାଲିଆପାଳ ଆଦି ଆଉ ଛଅଟା ସ୍ଥାନ ଆସି ପହଞ୍ଚି ଯାନ୍ତି , ଯେଝା ଦାବି ନେଇ । ନିଷ୍ପତ୍ତି କରନ୍ତି ସିମିଳିପାଳ । କିନ୍ତୁ ସେତିକିବେଳେ ଆସିଯାଆନ୍ତି ନବମଗ୍ରହ (ଣୀ)–ତାଙ୍କ ଗୃହିଣୀ । ପୁଣି ତାଙ୍କ ସହିତ ଯୁକ୍ତିତର୍କ କଳିତକରାଳ ପରେ କୁଆଡ଼େ ନ ଯାଇ ନିଜ ସ୍ତ୍ରୀଙ୍କ ଚାରି ପାଖରେ ବୁଲି ବ୍ରହ୍ମାଣ୍ଡ ପ୍ରଦକ୍ଷିଣର ସୁଖ ପାଆନ୍ତି ଏବଂ ଚେୟାରରେ ବସି ଲେଖା ଲେଖି ଆରମ୍ଭ କରନ୍ତି । ସିମିତି କେଉଁ ବିଷୟରେ ଏମ. ଏ. ପଢ଼ିବେ ସେ କଥା ଠିକଣା କରୁଁ କରୁଁ ଇଂରାଜୀ, ସଂସ୍କୃତ ଆଦି ଆଠୁଟା ବିଷୟ ପ୍ରତିଦ୍ୱନ୍ଦ୍ୱିତା କଲେ । ଆଠ ଦିନ ପରେ ସ୍ତ୍ରୀ ଥିଲେ ନଅଦିନ ଲାଗିଥାନ୍ତା) ନିଷ୍ପତ୍ତି କଲେ ଦର୍ଶନ ଶାସ୍ତ୍ର ପଢ଼ିବେ । ଚାକିରି କଲାବେଳେ ସିମିତି ପୋଲିସ୍‌, ଏକସାଇଜ୍‌, ଇନକମ୍‌ଟେକସ୍‌ ଆଦି ଆଠୁଟା ଚାକିରି କଳି ଲାଗିଲେ; ମାତ୍ର ସ୍ତ୍ରୀ ବୁଦ୍ଧିରେ (ସେତେବେଳେକୁ ସେ ନୂଆ ବାହା ହୋଇଥାଆନ୍ତି) ଡେପୁଟି ଚାକିରି ପସନ୍ଦ କଲେ । ମାତ୍ର ଗାଁ ଗଣ୍ଡାରେ ବଦଳ ଗାଡ଼ିରେ ଗସ୍ତ କରିବାକୁ ପଡ଼ିବାରୁ ଧୋତି ପଞ୍ଜାବିର କୁଞ୍ଚ ଭାଜିଗଲା, ତେଣୁ ସେ ନିଷ୍ପତ୍ତି ବଦଳାଇ ଦର୍ଶନ ଶାସ୍ତ୍ର ଅଧ୍ୟାପକ ହେଲେ । ଅବଶ୍ୟ ସ୍ତ୍ରୀ ସମ୍ମତି ଦେବାପରେ । ସେ ସ୍ତ୍ରୀଙ୍କୁ ବୁଝାଇ ଦେଲେ ଅଧ୍ୟାପକ ହେଲେ ପ୍ରାୟ ସବୁବେଳେ ତାଙ୍କର ସେବା କରିପାରିବେ ।

 

ବ୍ରଜମୋହନ ମହାବିଦ୍ୟାଳୟ ଏଇ ଦର୍ଶନ ଅଧ୍ୟାପକଙ୍କୁ ଭାରତୀୟ ଷଡ଼ ଦର୍ଶନ ତୁଷ୍ଟି ଦେଇ ପାରିଲା ନାହିଁ । ତେଣୁ ସେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ମଧ୍ୟରୁ ଆଠଜଣଙ୍କୁ ବାଛିଲେ । ଭାରତୀୟ ପ୍ରତିନିଧିରୂପେ ରହିଲେ ଚାର୍ବାକ, ପାଶ୍ଚାତ୍ୟଙ୍କ ଭିତରୁ ରହିଲେ ନିଟ୍‌ସେ । ଆଉ କେତେଜଣଙ୍କୁ (ଯଥା ବାର୍ଣ୍ଣୋଡ଼ ଶ, କାର୍ଲମାର୍କସ, ଡାରବିନ୍‌ ଏବଂ ଫ୍ରୟେଡ଼) ଦାର୍ଶନିକ ବୋଲି ଭାବି ସଂଖ୍ୟା ଆଠ କଲେ । ମାତ୍ର ସ୍ତ୍ରୀଙ୍କ ବୁଦ୍ଧିରେ ପଢ଼ିଲେ ହେଭେଲକ୍ ଏଲିସ୍‌ଙ୍କ ବିବାହ ଓ ନୈତିକତା ସମ୍ବଦ୍ଧ ଗ୍ରନ୍ଥାବଳୀ ।

 

ତାଙ୍କର ଧର୍ମଧାରଣା ମଧ୍ୟ ସିମିତି ବିଚିତ୍ର । ଆଠୁଟା ‘ବାଦ’ବା ଇଜମ୍‌ ଏକାଠି କରି ଗୋଟାଏ ଧର୍ମ ବାହାର କରିବାକୁ ଚେଷ୍ଟା କଲେ । ସାତୁଟା ରଙ୍ଗ ବାଘନିଶହଲାନା ମିଶିଲେ କୁଆଡ଼େ ସବୁ ରଙ୍ଗ ଲୋପ ପାଇ ସାଦା ରଙ୍ଗ ହୁଏ । ତାଙ୍କରବି ସିମିତି ହେଲା ତାଙ୍କ ଉଦ୍ଭାବିତ ଧର୍ମ ନିରୀଶ୍ଵରବାଦ । ବସ୍ତୁବାଦିତା, ବ୍ୟକ୍ତିସ୍ଵାତନ୍ତ୍ର୍ୟ ସ୍ଵାଧୀନ ଚିନ୍ତା ତାଙ୍କ ଧର୍ମର ମୂଳନୀତି । ତ୍ରିମୂର୍ତ୍ତି ହେଲେ ସେକ୍‌ସ, ସାଇନ୍‌ସ ଆଉ ଶକ୍ତି । ନବଧର୍ମ ପଦ୍ଧତିରେ ରହିଲା ଶୂନ୍ୟତା ଓ ଐକକେନ୍ଦ୍ରିକତା-। ଅବଶେଷରେ ତାଙ୍କ ସ୍ତ୍ରୀ ସ୍ଵାମୀଙ୍କ କ୍ରିୟାକାଣ୍ଡ ଓ ମତବାଦର ସଫେଇ ଦେବାକୁ ଯାଇ କହିବାକୁ ବାଧ୍ୟ ହେଲେ, ପ୍ରତିଭା ଓ ପାଗଳାମି ଏକ ମୁଦ୍ରାର ଦୁଇଟି ପାଖ ।

 

ଡକ୍ଟର ରମଣୀ ରଞ୍ଜନଙ୍କ ବାପାବି ଥିଲେ ବିଦ୍ଵାନ, ଜ୍ଞାନି ଏବଂ ଅସାଧାରଣ ପ୍ରତିଭାସମ୍ପନ୍ନ ବ୍ୟକ୍ତି । ବାକ୍ୟ, କବିତା, ଗଳ୍ପ, ଉପନ୍ୟାସରେ ସେ ଥିଲେ ଜଣେ ରଥୀ । ଗଭୀର ଈଶ୍ଵର ବିଶ୍ଵାସ ତଥା ମାନବବାଦୀତାରେ ତାଙ୍କ ଜୀବନ ତଥା ସାହିତ୍ୟ ରସାଣିତ । ଉତ୍ସର୍ଗୀକୃତ । ସର୍ବଧର୍ମର ଐକ୍ୟ ଓ ସମନ୍ଵୟ ଉଦ୍ଦେଶ୍ୟରେ ସେ ନିଜ ଉଦ୍ୟାନରେ ଏକ ସ୍ତମ୍ଭ ତୋଳି ଅଶୋକ ଖାରବେଳଙ୍କ ରୀତିରେ ସେଥିରେ ବିଭିନ୍ନ ଧର୍ମର ପ୍ରବର୍ତ୍ତକ ତଥା ଅନୁଶାସନ ସବୁ ଖୋଦେଇ ଥିଲେ । ବୁଦ୍ଧ, ମହାବୀର ଯୀଶୁ, ମହମ୍ମଦ, ନାନକ, ଚୈତନ୍ୟଙ୍କଠାରୁ ଆରମ୍ଭ କରି ବିବେକାନନ୍ଦ, ଅରବିନ୍ଦ, ଶ୍ରୀମା ଏପରିକି ସାଇବାବା ପର୍ଯ୍ୟନ୍ତ ପୃଥିବୀର ଧର୍ମାତ୍ମାମାନଙ୍କ ମୂର୍ତ୍ତିବାଣୀ ସମ୍ବଳିତ ଏଇ ସ୍ତମ୍ଭଟି ଯୋଗୁଁ ଉଦ୍ୟାନକୁ ଡକ୍ଟର ରମଣୀ ରଞ୍ଜନ ଯାଇ ନଥିଲେ । କାରଣ ସେ ଏମାନଙ୍କୁ ଭଣ୍ଡସନ୍ନ୍ୟାସୀ ବୋଲି ଅଭିହିତ କରି ବ୍ୟଙ୍ଗବିଦ୍ରୂପ ମଧ୍ୟ କରୁଥିଲେ । ତାଙ୍କ ମତରେ ସେ ନିଜେ ନିଜେହିଁ ନବ ଯୁଗର ପ୍ରଫେଟ୍‌ ଏବଂ ନବଯୁଗର ନୂଆ ଧର୍ମଧାରଣା ଦେବାପାଇଁ ସେ ସ୍ଵୟଂସମ୍ଭୂତ । ପିତା ପୁତ୍ର କେବେ ସମ୍ମୁଖୀନ ହୋଇ ନାହାନ୍ତି । ଯଦି କେବେ ଦୈବାତ କଥାବାର୍ତ୍ତା ହୋଇଛନ୍ତି ଚାଷଘର ବିଷୟରେ ତେବେ ବାପାଙ୍କ ମୁହଁ କାନ୍ଥକୁ ପୁଅ ମୁହଁ ବାଡ଼କୁ ।

 

ବାପା ମରିଯିବାବେଳେ ପୁଅ ଶୌଚାଶୌଚ ବିଧି ପାଳି ନଥିଲେ ବା ଦଶାହକର୍ମ କରି ନଥିଲେ । ପୁନର୍ଜନ୍ମ, ଆତ୍ମାର ସଦ୍‌ଗତି ଆଦି ଚିନ୍ତା କଳ୍ପନା ଉଦ୍ଭଟ, ଅବୈଜ୍ଞାନିକ, ଅନ୍ଧବିଶ୍ଵାସ ପ୍ରସୂତ । ଦଶାହ ଅଭିନବ ଉପାୟରେ ସେ ପାଳନ କରିଥିଲେ । ସେ ଦିନ ଉଦ୍ୟାନକୁ ଯାଇ ପିତାଙ୍କର ସର୍ବଧର୍ମ ସମନ୍ଵୟର ସମସ୍ତ ଲେଖା ଓ ମୂର୍ତ୍ତିଙ୍କି ମିସ୍ତ୍ରି ସାହାଯ୍ୟରେ ଲିଭାଇ ନବଧର୍ମବିଧି ବିଧାନ (ଯଥା–ନେୟଂ ଆତ୍ମା ବଳହୀନେନ ଲଭ୍ୟ, Eat drink and be merry. Beware of the man whose God is in the skies, man made God in his won image. ଦେଖା ଦେଇଥିଲେ ଏବଂ ସାମ୍ବତ୍ସରିକବେଳକୁ ପିତାଙ୍କ ସମସ୍ତ ବହିର ଶୁଦ୍ଧ ସଂସ୍କରଣ ପ୍ରକାଶିତ କରିଥିଲେ ଯହିଁରେ ଆଧ୍ୟାତ୍ମବାଦ ଓ ଧର୍ମନୀତିର ସଂକ୍ରାନ୍ତ ସବୁ ପଂକ୍ତି ଉଠାଇ ଦିଆଯାଇଥିଲା ବା ବିକୃତ କରାଯାଇଥିଲା ।

 

ସ୍ଵାମୀଙ୍କ ମହାପ୍ରୟାଣ ପରେ ପୁତ୍ର ଓ ପୁତ୍ରବଧୂଙ୍କ ଦୌରାତ୍ମ୍ୟ ସହି ନ ପାରି ପ୍ରାୟ ଅଶୀବର୍ଷର ବିଧବା ମା ଫସଲ ଚାଷ ଘରକୁ ଚାଲିଗଲେ, ସାଙ୍ଗରେ ସ୍ଵାମୀଙ୍କ ଠାକୁର ଘରର ଯାହା କିଛି ସମ୍ପତ୍ତି–ରଘୁନାଥ, ଶ୍ରୀକୃଷ୍ଣ ଆଉ ଭାଗବତଗାଦି । ଧାର୍ମିକା ପତିବ୍ରତା ଏଇ ସ୍ତ୍ରୀଲୋକଟି ସହରରେ ଦିନେ କ୍ଷଣେ ହେଲେ ଶାନ୍ତି ପାଇ ନଥିଲେ । ଏକମାତ୍ର ପୁତ୍ର–ନାସ୍ତିକ । ପୁତ୍ରବଧୂ ବିଜାତୀୟା, ଖଳ, କ୍ରୂରା (ଡକ୍ଟରଙ୍କ କହିବା ମୁତାବକ ଏହା companionate marriage ଆମ ସମାଜରେ ଯହିଁର ପ୍ରବର୍ତ୍ତନ ସେ ଚାହୁଁ ଥିଲେ ତାଙ୍କ ପ୍ରବନ୍ଧାବଳୀ ଜରିଆରେ) କଳହପ୍ରିୟା । ପୁଅ ଚାଷ ଘରକୁ ଯାଆନ୍ତି ଥରେ ସଞ୍ଜବଖରା ଧାନବିକା ପଇସା ଆଣିବାପାଇଁ । ସେ ପୁଣି ଖୁବ୍‌ ଟାଣ ଖରା ପାଗରେ । ନଈକୂଳ ଜାଗା, ଚିକିଟା କାଦୁଅରେ ଜୋତା ଲାଖିଯିବ, ଲୁଗାପଟା ଗୋଳିଆ ପାଣିରେ ରଙ୍ଗ ହୋଇଯିବ । ପରିବେଶ ଅତ୍ୟନ୍ତ ପ୍ରତିକୂଳ, ଅସ୍ଵାସ୍ଥ୍ୟକର । ଲୋକଗୁଡ଼ାକର କାମଦାମ କିଛି ନାହିଁ, ବାରମ୍ବାର ପର୍ବପର୍ବାଣି ପୂଜାପଣାରେ ବ୍ୟସ୍ତ । ସର୍ବୋପରି ଘରେ ମାଆ ବୁଢ଼ୀଟା ଧୂପଦୀପ ଘଣ୍ଟାଭୋଗ ଆଦିରେ ବ୍ୟସ୍ତ ଥିବାରୁ ତାଙ୍କ ମଥାରେ ଭୀଷଣ ପୀଡ଼ା ହୁଏ । ମକୁନ୍ଦା ହଳିଆ ପାଇଁ ସେ ଜାଗା । ଘୁଷୁରିଙ୍କପାଇଁ ସେ ସ୍ଥାନ । ଦୁନିଆ ଭିତରେ ସ୍ତ୍ରୀସାନ୍ନିଧ୍ୟ ଛଡ଼ା ଦୁଇଟି ସ୍ଥାନରେ ଉପସ୍ଥିତ ଡକ୍ଟରଙ୍କୁ ଭଲ ଲାଗେ । କାରଣ ସେଇଠି ତାଙ୍କୁ ବୁଦ୍ଧି ଖେଳାଇବା ପାଇଁ ଏବଂ ସ୍ଵଧର୍ମ ପରିପ୍ରଚାର ପାଇଁ ସବୁ ସୁବିଧା ସୁଯୋଗ ମିଳେ । ପ୍ରଥମଟି ହେଲା ଷ୍ଟାଫ୍‌ କମନ୍‌ରୁମ, ଯେଉଁଠି ଅକ୍ଳେଶରେ ସେ କଥାର ମୋଡ଼ ବଦଳାଇ ଦିଅନ୍ତି । ପ୍ରଫେସର ଧର୍ମାନ୍ଧତା ଓ ମତାନ୍ଧତା ସତ୍ତ୍ୱେ ତାଙ୍କ ସହିତ କଥାବାର୍ତ୍ତା, ଯୁକ୍ତିତର୍କ, ରଙ୍ଗରସ ପରି ହୃଦ୍ୟ ହୁଏ ।

 

‘‘ଗାନ୍ଧିଜୀ କହୁଥିଲେ ଭାରତବାସୀ ସ୍ପୃଶାସ୍ପୃଶ୍ୟ ଭେଦ ଦୂର ନ କରିବାକୁ ବିହାର ଭୂମିକମ୍ପ ହେଲା । ଡକ୍ଟର ରମଣୀ ରଞ୍ଜନ ! ଆପଣଙ୍କ ମତ କ’ଣ ? ‘‘ଆପଣଙ୍କ ଦର୍ଶନଶାସ୍ତ୍ର କ’ଣ କୁହେ ? –ଦରମା, ଇନକ୍ରିମେଣ୍ଟ, ଡିଏ, ଏ ଡିଏ ପ୍ରମୋଶନ, ଟ୍ରାନସ୍‌ଫର, ରାଜନୀତି ବିଷୟରେ ଅସରନ୍ତି ବାଦାନୁବାଦ ଚାଲିଥିଲାବେଳେ ରହସ୍ୟପ୍ରିୟ କେଉଁ ଯୁବକ ଅଧ୍ୟାପକ ଆଖିମାରି ପ୍ରଶ୍ନଟି ପଚାରିଦିଏ ।

 

ବିଶାଳ ବପୁକୁ ସୋଫାରେ ଅଧିଷ୍ଠିତ କରି ନିମୀଳିତ ଚକ୍ଷୁରେ ନିଜ ଗଠିତ ଧର୍ମ ରାଜ୍ୟରେ ବିଚରଣ କରୁଥିଲାବେଳେ ଏ ପ୍ରଶ୍ନ ତାଙ୍କୁ ଅର୍ଦ୍ଧମୃତ ଅବସ୍ଥାରୁ ସଚେତ ସକ୍ରିୟ ଅବସ୍ଥାକୁ ଟାଣିଆଣେ । ସେ ଆରମ୍ଭ କରନ୍ତି ‘‘ଗୁଲିଖଟି ! ଗୁଲିଖଟି ।” ତା’ପରେ ଚାଲିଲା ବହୁବାର ଉଚ୍ଚାରିତ ବାକ୍ୟାବଳୀର ସୁଅ । ‘‘ଲିସବନ୍‌ ଭୂମିକମ୍ପବେଳେ ଯେଉଁ ଧର୍ମାତ୍ମାମାନେ ଆଶ୍ରା ନେଇଥିଲେ ସେମାନେ ଚୋର ଡାକୁମାନଙ୍କ ସହିତ ଏକା ସାଙ୍ଗରେ ମଲେ କାହିଁକି । ଭଗବାନ ରକ୍ଷା କଲା ? ଧର୍ମ କାହାକୁ ରଖେ ନାହିଁ, ବଞ୍ଚାଏ ନାହିଁ, ରଖେ power force, ଶକ୍ତି । ତା’ପରେ ଶହ ଶହ ଘଟଣା ନଜିର । ଶିବ ଦର୍ଶନକୁ, ବରଫ ଲିଙ୍ଗ ଦର୍ଶନକୁ ବା ହଜ୍‌କୁ ଯାଇଥିଲାବେଳେ କେଉଁଠି କେତେ କ’ଣ ଦୁର୍ଘଟଣା କରି କେତେ ଭକ୍ତ ମରିଛନ୍ତି, ଖବରକାଗଜ କଟିଂ ସହିତ ଅସରନ୍ତି ବର୍ଣ୍ଣନା ବିବରଣୀ ସେ ଦେଇ ଯାଆନ୍ତି । ‘‘ଅମୁକ ମନ୍ଦିରରେ ବଜ୍ର ପଡ଼ିଲା କାହିଁକି ? ଗାନ୍ଧୀ ନିଜେ ଗୁଳି ଚୋଟରେ ମଲେ କାହିଁକି ? ଲୁଥାର କିଂକୁ, କେନେଡ଼ିଙ୍କୁ କିଏ ରଖି ପାରିଲା ଗୁଳି ଚୋଟରୁ ।” ଦେଖିବାର କଥା, ଉପଭୋଗ କରିବାର କଥା ତାଙ୍କ ଯୁକ୍ତିତର୍କ କାଳର ନିଷ୍ଠା ଓ ତନ୍ମୟତା । ଯେଉଁଦିନ ମଣିଷ ଚନ୍ଦ୍ର ଲୋକରେ ପଦାର୍ପଣ କଲା ସେ ଖୁସିରେ ତାଙ୍କ ରେଡ଼ିଓକୁ କୁଣ୍ଢାଇ ଚିପି ଭାଙ୍ଗି ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ କହୁଥିଲେ ଜଣେ ସହଧର୍ମିଣୀ ଆଗରେ । ତାଙ୍କ ଯୁକ୍ତି ବିପକ୍ଷରେ ପଦେ ଅଧେ ମନ୍ତବ୍ୟ ଯଦି କିଏ ଦେଲା ତେବେ ସାଙ୍ଗେ ସାଙ୍ଗେ ବଡ଼ ପାଟିରେ ଚିତ୍କାର କରନ୍ତି ‘‘Oh ! no, no, no ! ‘‘ଏଟମ୍‌ର ଶକ୍ତିରୁ ଭଗବାନଙ୍କ ଶକ୍ତି ଓ ଅସ୍ତିତ୍ଵର ପ୍ରମାଣ ମିଳୁନାହିଁ ?” ପ୍ରଶ୍ନକର୍ତ୍ତା ବକ୍ତବ୍ୟ ଶେଷ ପୂର୍ବରୁ Oh ! no, no, no !”

 

ଡକ୍ଟର ରମଣୀ ରଞ୍ଜନଙ୍କୁ କ୍ଳାସଗୁଡ଼ିକ ଭାରି ଉପଭୋଗ୍ୟ ହୁଏ । ସେଠି ସେ ଖୋଲା ପଡ଼ିଆ ପାଇଯାନ୍ତି ପ୍ରତିଦ୍ଵନ୍ଦ୍ୱୀ ମଧ୍ୟ କମ୍‌ । କ୍ଳାସରେ ଛାତ୍ର ସଂଖ୍ୟା ଆଠ । ଯେଉଁମାନଙ୍କ ଦେଇ ଅନ୍ୟ କୌଣସି ପାଠ ହେବ ନାହିଁ ବା ଯେଉଁମାନେ ଅନର୍ସ ସହିତ ସହଜିଆ ପାଠଟିଏ ରଖିବାକୁ ଚାହାନ୍ତି ସେଇମାନେହିଁ ତାଙ୍କର ଛାତ୍ର । କ୍ଳାସର ବଡ଼ଚାଟ ହେଲା ଧର୍ମାନନ୍ଦ । ସେ ସାର୍‌'ଙ୍କୁ ବୁଝେ, ସାର୍‌ବି ତାକୁ ଜାଣନ୍ତି । ପିଲାମାନେ ଧର୍ମାନନ୍ଦକୁ ସାର୍‍ଙ୍କ 'ଚାମଚା' ବୋଲି କହନ୍ତି । ବିଶ୍ଵବିଦ୍ୟାଳୟରେ ସେ ପ୍ରଥମ ସ୍ଥାନ ରଖିଛି ଏବଂ ଇଂରାଜୀରେ ଅନର୍ସ ନେଇ ଦର୍ଶନକୁ ପାସ୍‌ ବିଷୟ କରିଛି । ତଥାପି ତାଙ୍କୁ ପ୍ରଫେସର ସେମିନାର ସେକ୍ରେଟେରୀ କରିଛନ୍ତି । ରୋଲ୍‌ ନ ଡାକି ସମସ୍ତଙ୍କର ପ୍ରେଜେଣ୍ଟ ପକାଇବା ପରେ–

 

ଧର୍ମ !

 

ଆଜ୍ଞା !

 

‘ନବ ଧର୍ମ ପତ୍ରିକାରେ ମୋର ବିବାହ ଓ ନୈତିକତା ପ୍ରବନ୍ଧ ପଡ଼ିଛ ?’

 

‘‘ଅଦ୍ଭୁତ ହୋଇଛି, ସାର୍‌, ଚମତ୍କାର ।”

 

‘‘ଆଉ ଥରେ ଦୁଇଥର ପଢ଼, ବୁଝି ପାରିବ ନାହିଁ ନ ହେଲେ ।”

 

‘‘ମୁଁ ତ ସାର୍‌ କିଛି ବୁଝି ପାରିଲି ନାହିଁ ପ୍ରଥମେ ।”

 

‘‘ଆଚ୍ଛା ପଚାରିବ ତ ‘ଅଥର ଅଫ୍‌ ଭାରତୀୟ ଦର୍ଶନ'ଙ୍କୁ; ସେ କ’ଣ କହୁଛନ୍ତି ।” ପ୍ରଫେସର ରିଡ଼ରଙ୍କ ନାମ ଧରନ୍ତି ନାହିଁ; ତାଙ୍କୁ ଏହି ପ୍ରକାରରେ ଅଭିହିତ କରନ୍ତି ସେ । କାରଣ ସେ ‘ଭାରତୀୟ ଦର୍ଶନ' ବୋଲି ଗୋଟିଏ ଗ୍ରନ୍ଥ ଲେଖି ଡକ୍ଟରେଟ୍‌ ପାଇଛନ୍ତି ଯାହା ଦେଶ ବିଦେଶରେ ଖ୍ୟାତି ଲଭିଛି ।

 

‘‘ଆଚ୍ଛା ଧର୍ମାନନ୍ଦ ? ସେମିନାର ମିଟିଂ କେବେ ଡାକୁଛ ?”

 

‘‘ଯେବେ କହିବେ, ସାର୍‌ ।”

 

‘‘ଅଠର ତାରିଖ; ଅଗଷ୍ଟ ଅଠର, ତିନିଟାବେଳେ ।”

 

‘‘ପେପରର ସବଜେକ୍ଟ କ’ଣ ସାର୍‌ ?”

 

‘‘ଗତଥର କ’ଣ ଥିଲା ।”

 

‘‘Life is but an empty dream”

 

‘‘ତା’ ପୂର୍ବଥର ?

 

‘‘Religion in the last resort of scoundrels”

 

‘‘ତା’ ପୂର୍ବଥର ?”

 

‘‘Marriage is legalized prostitution”

 

‘‘ବିବାହ ଆଇନାନୁମୋଦିତ ବେଶ୍ୟା ବୃତ୍ତି ପ୍ରବନ୍ଧଟି ନବ ଧର୍ମରେ ପ୍ରକାଶିତ ହୋଇଛି । ପଢ଼ିଛ ଆଚ୍ଛା ଏଥର ‘Dust thou art to dust returnest’ ରଖ । ତୁମେ ପେପର ଲେଖିବ ତ ?”

 

‘‘ହଁ ସାର୍‌ । ଆପଣ କିନ୍ତୁ ପଏଣ୍ଟ ଦେବେ ।”

 

‘‘ଆଚ୍ଛା ! ଅଥର ଅଫ୍‌ ‘ଭାରତୀୟ ଦର୍ଶନ’ ଯିମିତି ଆସନ୍ତି ସେ ବ୍ୟବସ୍ଥା କରିବ । ସେ ନ ଆସିଲେ ମିଟିଂ ପୋଷ୍ଟପୋନ୍‌ କରି ଦେବି ।” ୟା ପରେ ପ୍ରଫେସର ପଢ଼େଇବା କାମ ଆରମ୍ଭ କରନ୍ତି-। ଯେଉଁ ଆଠୋଟି ବିଷୟ ତାଙ୍କର ପଢ଼ାଇବା କଥା ତାହା ନ ପଢ଼ାଇ ପକେଟରୁ ଚକ୍‌ ଖଡ଼ି ବାହାର କରି ଟେବୁଲରେ ଜନନେନ୍ଦ୍ରିୟର ଛବି ଆଙ୍କି ସେକ୍‌ସୋଲଜି ପଢ଼ାନ୍ତି ଏବଂ ପ୍ରମାଣ କରନ୍ତି ଯେ ଭଗବାନ କଦାପି କୌଣସିମତେ ନାରୀର ଉଦରକୁ ପଶି ପାରିବେ ନାହିଁ । ଘଣ୍ଟା ବାଜେ, ଟେବୁଲ ଉପର ଛବି ଲିଭାଇ ପ୍ରଫେସର ବିଜୟୀ ବୀର ପରି ବାହାରି ଯାଆନ୍ତି କହି କହି, ‘‘ତେବେ ମନେ ରହିଲା ଅଠର ତାରିଖ ତିନିଟା । ଚା’ ବ୍ୟବସ୍ଥା କରିବ ଆଉ ଦେଖିବ ଯିମିତି ସବୁ ଷ୍ଟାଫ୍‌ ମେମ୍ବର ଆସନ୍ତି । ହଷ୍ଟେଲ ପିଲାଙ୍କୁ ବି ଡାକି ଆଣିବ ।”

 

ରିଡ଼ର ଓ ପ୍ରଫେସର ମୁହାଁମୁହିଁ କରିବାରେ ଛାତ୍ର ତଥା ଅଧ୍ୟାପକ ବହୁତ ଆନନ୍ଦ ପାଆନ୍ତି । ପ୍ରଫେସରଙ୍କ ରାଗ ରିଡ଼ରଙ୍କ ଉପରେ । ରିଡ଼ର ଡକ୍ଟର କୃଷ୍ଣ ପ୍ରସାଦଙ୍କ ନାଆଁ ମଧ୍ୟ ତୁଣ୍ଡକୁ ନ ଆଣି ସେ ତାଙ୍କୁ ତୁଚ୍ଛା ତାଚ୍ଛଲ୍ୟରେ ଅଥର ଅଫ୍‌ ‘ଭାରତୀୟ ଦର୍ଶନ’ କହନ୍ତି । ସେ ଯାହା, କୃଷ୍ଣ ପ୍ରସାଦ ତହିଁର ସମ୍ପୂର୍ଣ୍ଣ ବିପରୀତ । ବିଲାତ, ଜର୍ମାନୀ, ଆମେରିକା ଯାଇ ନାନା ଗବେଷଣା କରି ସେ ବୟସ ଅନୁପାତରେ ଖୁବ୍‌ ଜ୍ଞାନର ଅଧିକାରୀ । ଖୁବ୍‌ ଭଲ ପଢ଼ାନ୍ତି, ପିଲାଏ ମନ୍ତ୍ରମୁଗ୍‌ଧ ହୋଇ ଶୁଣନ୍ତି । ରାଗର ଅସଲ କାରଣ ସେ ଜଗନ୍ନାଥ-ଧର୍ମୀ, ଚନ୍ଦନ ଚିତାବି କରନ୍ତି । ଜଗନ୍ନାଥଙ୍କ ମୂର୍ତ୍ତି ଫଟୋ ତାଙ୍କ ଠାକୁର ଘରେ, ଶୋଇବା ଘରେ, ବୈଠକଖାନାରେ, କଲେଜ ଚେମ୍ବରରେ ଏପରିକି ମଟରରେ । ସେ ଈଶ୍ଵରବାଦୀ, ପ୍ରଫେସର ଜଡ଼ବାଦୀ । ପ୍ରଫେସର ଯଦି କହନ୍ତି ‘ଧୂଳିର ଏ ମର କଳେବର’ ରିଡ଼ର କହନ୍ତି ‘ଅହୋ ! ମାନବ ଜୀବନବି ଅଦ୍ଭୁତ ଉଦ୍ଭାବନ, ବିରାଜେ ଅମର ଆତ୍ମା...-।’ ତାଙ୍କ ମତ ସହିତ ଯାହାର ମେଳ ନାହିଁ ସେ ତାଙ୍କ ଶତ୍ରୁ, ଡେଭିଲ । ରିଡ଼ରଙ୍କ ପ୍ରତି ତାଙ୍କର କ୍ରୋଧ କେତେ ଦୂର ଯାଇପାରେ ତାହା ଜାଣିଥିଲା ଉଭୟଙ୍କର ପ୍ରିୟ ଛାତ୍ର ଧର୍ମାନନ୍ଦ । ବାର୍ଷିକ ପରୀକ୍ଷାର ଖାତାଗୁଡ଼ାକ ଦିନେ ଖିଆଲରେ ପ୍ରଫେସର ପିଲାମାନଙ୍କୁ ଦେଖାଉଥିଲେ, ନମ୍ବର ଅଫିସରେ ଦେବା ଆଗରୁ । ଧର୍ମାନନ୍ଦ ସମସ୍ତଙ୍କଠୁଁ ବେଶି ନମ୍ବର ରଖିଥିଲା; ଶହେରୁ କୋଡ଼ିଏ ଫେଲ୍‌ । ଅନ୍ୟ ସାତଜଣ ଯାକ ବି ଫେଲ । କାହାରି ପନ୍ଦର ଉପରକୁ ନାହିଁ । ଧର୍ମାନନ୍ଦ ଏତେବଡ଼ ଶକ୍‌ ଜୀବନରେ ପାଇ ନଥିଲା । ଇଉନିଭରସିଟିରେ ଫାଷ୍ଟ ହୋଇ ପାସ୍‌ ଅଥଚ ଥାର୍ଡ଼ ଇଅର ଏନୁଏଲରେ କୋଡ଼ିଏ । ପୃଷ୍ଠା ଓଲଟାଇ ଦେଖୁଥିଲା କେମିତି ଏତେ କମ୍‌ ନମ୍ବର ରହିଲା । ସେ ତ ଅନ୍ତତଃ ପଚାଶ ଆଶା କରୁଥିଲା । ପିଲାଏ କହିବେ ‘ଚାମଚା’ ପ୍ରଫେସର ତେଣେ ତେବେ କୋଡ଼ିଏ–ବଡ଼ ବିବ୍ରତ ହୋଇ ପୃଷ୍ଠା ଓଲଟାଉଥାଏ । ଦେଖିଲା ମୂଳ ଖାତାଟିର ପ୍ରତି ପୃଷ୍ଠାରେ ଗୋଟିଏ ଗୋଟିଏ ବଡ଼ ଢେରା ଡାଙ୍ଗ ପଡ଼ିଛି । ପ୍ରତି ପୃଷ୍ଠାରେ ଗୋଟିଏ ଗୋଟିଏ ବଡ଼ ଆଳୁ । ଅଥଚ ସେଇ ଉତ୍ତରଗୁଡ଼ିକ ତା’ର ଶ୍ରେଷ୍ଠ ଉତ୍ତର ଏବଂ ପୂର୍ବରୁ ଭଲଭାବରେ ପ୍ରସ୍ତୁତ ଉତ୍ତର । ତା’ ଦିହରୁ ଝାଳ ବହିଗଲା । ଗୋଟିଏ ଅଧିକା ଖାତା ନେଇ ବାକି ଯେଉଁ ଦୁଇଟି ଉତ୍ତର ଅପ୍ରସ୍ତୁତ ଅବସ୍ଥାରେ ତରବରିଆରେ ଲେଖିଥିଲା ସେଥିରେ ଗୋଟିକରେ ବାର ଅନ୍ୟଟିରେ ଆଠ । ମୁହୂର୍ତ୍ତକେ ଧର୍ମାନନ୍ଦ ଜାଣିଗଲା ରିଡ଼ର ପଢ଼ାଉଥିବା ଭାରତୀୟ ଦର୍ଶନର ଉତ୍ତରଗୁଡ଼ିକରେ ସେ କିଛି ପାଇନାହିଁ, ଯେଉଁ କୋଡ଼ିଏ ପାଇଛି ତାହା ପ୍ରଫେସରଙ୍କ ସାଇକୋ (ସେକ୍‌ସା ?) ଲଜି ବହିରୁ ଲେଖା ଉତ୍ତରରେ ।

 

ଆଖି ଛଳ ଛଳ କରି ଖୁବ୍‌ ଆଶାନ୍ଵିତ ହୋଇ ପ୍ରାର୍ଥନା କଲା, ‘’ସାର୍‌, କମ୍‌ ବେଶି ନମ୍ବରରେ ମୋର ଦୁଃଖ ନାହିଁ । ସାର୍‌ କିନ୍ତୁ ଜୀବନରେ କେବେ ଫେଲ୍‌ ହୋଇ ନାହିଁ, ନାଲି ଦାଗ ରହିଯିବ ଖାତାରେ ସାର୍‌, ଗୋଡ଼ ତଳେ ପଡ଼ୁଛି କୋଡ଼ିଏକୁ ସତେଇଶ କରନ୍ତୁ । ରିଡ଼ର ଯାହା କହିଥିଲେ ମୁଁ ଅବିକଳ ସେମିତି ଲେଖିଛି, ସାର୍‌, ଦିଅନ୍ତୁ ସାର୍‌ ଆଉ ସାତୁଟା ନମ୍ବର ।’’

 

‘‘ଓ, ନୋ ନୋ ନୋ !’’ କହି ସବୁ ଖାତାପତ୍ର ଛଡ଼ାଇନେଇ ସିଧା ଷ୍ଟାଫ୍‌ କମନ ରୁମଆଡ଼କୁ ଚାଲିଗଲେ; ପଛେ ପଛେ ଚାଲିଥିବା ଧର୍ମାନନ୍ଦକୁ ନ ଚାହିଁ ।

 

ଦିଗ୍‌ବିଜୟ କରି ସାରିବା ପରେ ପ୍ରଫେସର ରମଣୀ ରଞ୍ଜନ ଦେଖିଲେ ଯେ ତାଙ୍କ ନିଜ ଘରକୁ ଜୟ କରିପାରି ନାହାନ୍ତି; ସମ୍ଭାଳିବା ଦୂରର କଥା । କାହିଁକି କେଜାଣି ସେ ବର୍ଷ ସେ ନିଷ୍ପତ୍ତି କଲେ ପୂଜା ଛୁଟିରେ ସେ ଗାଁରେ କଟାଇବେ । ତାଙ୍କ ସ୍ତ୍ରୀ ସାଙ୍ଗରେ ଗଲେ ନାହିଁ କହିଲେ, ସେ ବୁଢ଼ୀଟାର ମୁହଁ ଚାହିଁଲେ ମୋ ମୁଣ୍ଡ ବୁଲା ରୋଗ ପୁଣି ବାହାରି ପଡ଼ିବ । ତୁମେ ଯାଅ, କିନ୍ତୁ ଆଠ ଦିନେ ବେଶି ରହିଲେ ତୁମର ସବୁ ବହି କାଗଜ ପ୍ରତ ପୋଡ଼ିଦେବି ! ‘‘ଯେ ଆଜ୍ଞା !’’ କହି ଗାଁକୁ ଗଲେ, କହିଲେ, ଲେଖାଲେଖି କରିବେ । କିନ୍ତୁ ଅସଲ କଥା ହେଲା ସେ ସହରରେ ପୂଜାର ଧୂମ୍‌ଧାମ ଲାଉଡ଼ସ୍ପିକରରେ ନନସେନ୍‌ସ, ପୂଜାମନ୍ତ୍ର, ସହି ପାରିବେ ନାହିଁ । ଅନ୍ୟ କଥାଟି ହେଲା ଗାଁରେ ପୂଜା ଛୁଟିରେ ପ୍ରଚୁର ଦୁଧ ଦହି ଘିଅ ମିଳେ । ବିନା ଋଣରେବି ଘିଅ ସେଇଠି ପିଇ ହେବ । ସ୍ଵୟଂ ଚାର୍ବାକ ।

 

ଦିନେ ଦିଦିନ ରହିଲା ପରେ ଗବେଷଣାଲବ୍‌ଧ ସମସ୍ତ ଜ୍ଞାନ ଓ ଅଭିଜ୍ଞତା । ଏକୀକୃତ କରି ଆରମ୍ଭ କଲେ ତାଙ୍କ ଜୀବନର ଶ୍ରେଷ୍ଠକୃତୀ ‘‘On the need of atheism in the modern world”–ଆଧୁନିକ ଦୁନିଆରେ ନିରୀଶ୍ଵରବାଦର ଆବଶ୍ୟକତା । ଦୁଧ ଦହି ଘିଅ ଭିତରେ ବୁଡ଼ି ରହି ପ୍ରଫେସର ଜଡ଼ବାଦୀ ଦର୍ଶନ ଗ୍ରନ୍ଥର ମୂଳ ଦୁଇତିନି ପରିଚ୍ଛେଦ ଲେଖି ସାରିଛନ୍ତି-। ସେ ଉପଲବ୍‌ଧ କଲେ ଗାଁକୁ ଆସି ମହରଗରୁ କାନ୍ତାରରେ ପଡ଼ିଛନ୍ତି । କାରଣ ମାଆ ବୁଢ଼ୀ ସହରକୁ ବଳିଯାଇଛି ଧର୍ମକର୍ମରେ । ସକାଳୁ ସନ୍ଧ୍ୟା ଦାନଧ୍ୟାନ, ସନ୍ଧ୍ୟା ଧୂପ ଦୀପରେ ବୁଢ଼ୀ ନିଜକୁ ଉତ୍ସର୍ଗ କରି ଦେଇଛି । ରୋଷେଇ ଘରକୁ, ଧାନ ଘରକୁ, ଠାକୁର ଘରକୁ ରବର ଚପଲବି ମାଡ଼ି ଯିବାକୁ ମନା । ଅଣ୍ଡା ମାଛ କୁକୁଡ଼ା ମାଂସର ବ୍ୟବହାରରେ ବିଧବା ବୁଢ଼ୀ ଅତିଷ୍ଠ । ବୁଢ଼ୀ କିନ୍ତୁ କିଛି କୁହେ ନାହିଁ । ଗୋଟିଏ ବୋଲି ପୁଅ; ସିଏ ଯାହା ହେଲେବି ମାଆ ତ ତାଙ୍କ ଶୁଭ ମନାସିବ । ଦିନ ଆସିବ ଯେବେ ପୁଅବହୂ ଦୁନିଆର ମତିଗତି ବୁଝିବେ, ସାଇତି ସମ୍ଭାଳି ନେବେ ନିଜକୁ । ପୁଅବହୂଙ୍କ ମଙ୍ଗଳପାଇଁ ଭଗବାନଙ୍କୁ ଦିନରାତି ଡାକିବା ଛଡ଼ା ମା’ର ଆଉ କି କାମ ? ଘୃଣା ଓ ଈର୍ଷାରେ ମଣିଷ ବଞ୍ଚେନା, ବଞ୍ଚିବାପାଇଁ ଖାଏ ? କେତେ କ’ଣ ପାପ କରିଥିଲା ଯେ ଜିଅନ୍ତା ଠାକୁରକୁ ହରାଇ ବିଧବା ହେଲା । ସେଇ ପାପର ପ୍ରାୟଶ୍ଚିତ୍ତ କରି ରଘୁନାଥ, ରାଧାକୃଷ୍ଣ, ମହାଲକ୍ଷ୍ମୀ, ଭାଗବତଗାଦିଙ୍କ ପାଖରେ ପୁଅବହୂଙ୍କ ମଙ୍ଗଳ ମନାସି ବାକି ଜୀବନ ଟିକକ କଟାଇଲେ ତ ସଇଲା-

 

‘’ଏ ସବୁ ପିତଳ, ପଥର, କାଠ, ତାଳପତ୍ରଗୁଡ଼ାଏ ପୂଜା କରି ତୋର କ’ଣ ଲାଭ ହେଉଛି’’–ରୋକ୍‌ଠୋକ୍‌ ଗଳାରେ ପୁଅ ମାଆକୁ ପଚାରିଲେ ।

 

ମାଆ ଜିଭ କାମୁଡ଼ି, ଠାକୁରଙ୍କୁ ଜୁହାର ହୋଇ କହିଲେ, ‘‘ଏମିତି କ’ଣ କହୁରେ ବାପା-? ସେଇ, ସେଇ କଥା ଛଡ଼ା ତୋର ଆଉ କିଛି କଥା ନାହିଁ ?”

 

‘‘ତୋର ତ ସେଇ କାମ ଛଡ଼ା ଆଉ କିଛି କାମ ନାହିଁ । ସେଇଥିପାଇଁ ତ କହୁଛି, ଏଗୁଡ଼ା ପଛରେ କାହିଁକି ଏତେ ସମୟ ନଷ୍ଟ କଲୁ ?”

 

‘‘ବାପା । ତୁ କିରସ୍ତାନ ହୋଇଗଲୁ । ଫିରିଙ୍ଗିମାନେ ତ ତୋରି ପରି କଥା କହୁଥିଲେ–ଶିବ ପଥର ଜଗା କାଠ । ପଇସାକିଆ ବହି ଖାଲି ଆମକୁ ଦେଉଥିଲେ ପାଦ୍ରି ସାହେବମାନେ ଗାଁ ଗାଁକୁ ଆସି ମୋର ପିଲାଦିନେ ।”

 

‘‘ସେମାନେ ଠିକ୍‌ କହୁଥିଲେ, ଲେଖୁଥିଲେ । ମିଛରେ ? ତୁ ତ ସେଇ କାଠ ପଥର ପୂଜା କରୁଛୁ । କହନି ଭଲା ଏଗୁଡ଼ାକୁ ପୂଜା କରି କିଏ କେଉଁଠି କିଛି ହେଲେ ଲାଭ ପାଇଛି ? ମଣିଷ ନିଜ ଶକ୍ତିରେ ଯାହା କରିବ । ଏମାନଙ୍କ ପିଛା ଅଯଥା ଟଙ୍କା ପଇସା ସମୟ ଖର୍ଚ୍ଚ । ଏ ଯୁଗର ଲୋକେ ଆଉ ସେମାନଙ୍କୁ ଚାହୁଁ ନାହାନ୍ତି । ମଣିଷ ଚନ୍ଦ୍ରକୁ ଗୋଇଠା ମାଇଲାଣି, ଏକା ମିନିଟରେ ପୃଥିବୀକି ଉଡ଼ାଇଦେବ । ତୋ ଭଗବାନଠୁଁ ମଣିଷର ବେଶି ଶକ୍ତି । ତୁ ଏଗୁଡ଼ାକୁ ନଈରେ ଭସାଇ ଦେଇ ଖାଇ ପିଇ ଶୋ, ଆରାମ କର । ଏ ତାଳପତ୍ର ବୋଝ ଘରେ ରଖିଲେ ଉଚ୍ଚ ବଢ଼ିବେ ।”

 

‘‘ତୁ ବ୍ୟସ୍ତ ହଅନା ବାପ, ସେ ଇଚ୍ଛା ପୁରୁଷ, ଇଚ୍ଛାକଲେ ଆପେ ଭାସିଯିବେ, ମୋତେ ଭସାଇବାକୁ ପଡ଼ିବ ନାହିଁ । ହରିବୋଲ ଭାଇ ଗୋବିନ୍ଦ ବୋଲ, ଭାସିଲା ପଥର ବୁଡ଼ିଲା ସୋଲ । ତୁ କାହିଁକି ବାବୁ ଠାକୁରଙ୍କୁ ଏତେ ଚିଡ଼ୁଛୁ ? ସେ ତ କେବେ ତୋତେ ଚିଡ଼େ ନାହିଁ । ଯେଉଁ ଶାଳଗ୍ରାମକୁ ତୁ ପଥର କହୁଛୁ ତାହା ଗଣ୍ଡୁକୀ ନଦୀର ଶିଳା, ପୋକ ସେ ପଥରକୁ କାଟିଛି, ଚକ୍ର ଚିହ୍ନ ତା’ ଭିତରେ ଅଛି । ହେଲା ବା ପଥର, ଆମ ବଡ଼ବଡ଼ିଆ ତାକୁ ପୂଜା କରି ପଥରକୁବି ଠାକୁର କରି ଦେଇଛନ୍ତି । ଏ ତାଳପତ୍ର ପୋଥି ତୋ ବାପା ଜେଜେ ବର୍ଷ ବର୍ଷ ଲାଗି ଲେଖିଛନ୍ତି । ମୋ ବାପାଟି ! ତୁ ଆଉ ସେମିତି ବାୟା କଥା କହନା ।

 

‘‘ନନ୍‌ସେନ୍‌ସ ! ବାୟା କଥା ! ସେଇଠି ଟେବୁଲ ଉପରେ ଦେଖିବୁ ଯା ବହି କାହାକୁ କହନ୍ତି । ମୁଁ ଆରମ୍ଭ କରି ଦେଇଛି, ବିନା ଠାକୁର ପୋଥିପତରରେବି ମଣିଷ ବଞ୍ଚିପାରେ !”

 

‘‘ବାପା । ତୋ ମୁଣ୍ଡକୁ ଥଣ୍ଡା କରି ଯାହା ଲେଖିବୁ ଭଲ ହବ, ପୂଜା ପାଇବ । ଆଚ୍ଛା ! ତୁ ଯେବେ ମୋ କଥା ମାନି ହଁ କରନ୍ତୁ ତେବେ ତୋ ମାନସିକଟା ଶୁଝି ଦିଅନ୍ତି । ମହାଦେବ ମନ୍ଦିରରେ ସହସ୍ର କୁମ୍ଭାଭିଷେକ କରନ୍ତି । ଆଜି ପୁନେଇଁ ଅଛି, ଭଲ ହୁଅନ୍ତା ।

 

‘‘ଓ, ନୋ ନୋ ନୋ ।”

 

ମା ପୁଅଙ୍କ କଥା ଶେଷ । କାଳେ ସହସ୍ରକୁମ୍ଭ ମାଆ କରିବ ସେହି ଭୟରେ ପ୍ରଫେସର କଣ୍ଟକାଳ ଶେଷ ହେବା ପୂର୍ବରୁ ଗାଁ ଛାଡ଼ିବାକୁ ମନସ୍ଥ କଲେ । ମାତ୍ର ଯିମିତି କୁଆଁର କୁଆଁରୀ ଆରମ୍ଭ କରିଛନ୍ତି ‘‘କୁଆଁର ପୁନେଇଁ ଜହ୍ନଲୋ” ସିମିତି କୁଆଡ଼ୁ ମାଡ଼ି ଆସିଲା ମେଘ ବଜ୍ର ବିଦ୍ୟୁତ୍‌ । ପୂର୍ଣିମା ରାତ୍ରି ଅମାବାସ୍ୟା ରାତି ହେଲା । ଭୀଷଣ ଭୟଙ୍କର । ସେଇ ରାତିରେ ମହାକବି ମାନସିଂହ ମହାପ୍ରୟାଣ କଲେ ପ୍ରକୃତିର କରାଳ ତାଣ୍ଡବର ତାଳେ ତାଳେ ନାଚି ନାଚି । ପୃଥିବୀ ଜଳାର୍ଣ୍ଣବ । ମହାଦେବଙ୍କ ମଥା ଥଣ୍ଡା ହେଲା ପ୍ରଳୟଙ୍କରୀ ସହସ୍ର କୁମ୍ଭଭିଷେକରେ; କିନ୍ତୁ ମହାଧ୍ୟାପକଙ୍କ ମସ୍ତିଷ୍କ ଆହୁରି ଉତ୍ତପ୍ତ ହେଲା ।

 

କହିଲେ, ‘‘ଦେଖୁଛୁ ତ ! ତୋ ମହାଦେବ ଖଣ୍ଡପ୍ରଳୟରୁ ପୃଥିବୀକି ରଖି ପାରିଲା ? ୟାକୁ ଆମେ କହୁଁ ଲୋ ପ୍ରେସର, ଲଘୁଚାପ; ତୁ ସେ ସବୁ ବୁଝି ପାରିବୁ ନାହିଁ ।” ମାଆ ଚୁପ୍‌ । ଛୁଟି ପରେ ବହୁ କଷ୍ଟରେ ଇଆଡ଼େ ସିଆଡ଼େ ବୁଲି ବଙ୍କାଟଙ୍କା ବାଟ ବୁଲି ଫେରିଲେ ସହରକୁ, ସ୍ତ୍ରୀଙ୍କ ପାଖକୁ । ମାନସିକର ବିହ୍ଵଳତାରେ on the need of atheismର ପାଣ୍ଡୁଲିପି ଚାଷଘର ଟେବୁଲ ଡ୍ରୟାରରେ ରହିଗଲା । ଆଣିବେ ଆଣିବେ କହୁଁ କହୁଁ ପ୍ରାୟ ଦୁଇବର୍ଷ ବିତିଗଲା, ଅବଶିଷ୍ଟ ପରିଚ୍ଛେଦ ଗୁଡ଼ିକର ଅଗ୍ରଗତିର କିନ୍ତୁ ସନ୍ତୋଷଜନକ ।

 

ଆସିଲା ଅଗଷ୍ଟ ଅଠର । ସେମିନାର ମିଟିଂ । ବେଳ ତିନିଟାରେ । Dust thou art to dust returnest. ପ୍ରଫେସର ରମଣୀରଞ୍ଜନ ଆଉ ଥରେ ଚାନ୍‌ସ ପାଇବେ, ତାଙ୍କ ଦର୍ଶନଶାସ୍ତ୍ରର ମହିମା ଛାତ୍ର, ଅଧ୍ୟାପକବର୍ଗଙ୍କ ଆଗରେ ଓଜସ୍ଵିନୀ ଭାଷାରେ ପ୍ରକଟ କରିବେ । ବିଷୟଟି ଯାହା ତହିଁରେ ତାଙ୍କ ଦର୍ଶନର ଅବତାରଣା ଅତି ସହଜ । ଉଲ୍ଲାସର କଥା ଯେ ରିଡ଼ର ଡକ୍ଟର କୃଷ୍ଣ ପ୍ରସାଦ ଉପସ୍ଥିତ । ମହମ୍ମଦ ଆଲ୍ଲି ଜଣେ ନିକୃଷ୍ଟ ମଲ୍ଲକୁ ଦେଖିଲେ ଯେମିତି ଗର୍ବସ୍ଫୀତ ହୁଅନ୍ତି ପ୍ରଫେସର ରିଡ଼ରକୁ ଦେଖିଲେ ସେମିତି ହର୍ଷୋତ୍‌ଫୁଲ୍ଲ ହୁଅନ୍ତି । ବିବରଣୀ ପାଠ କଲେ ସମ୍ପାଦକ ଧର୍ମାନନ୍ଦ, ପେପର ପଢ଼ିଲେ ଧର୍ମାନନ୍ଦ । ବିବରଣୀ ଓ ପେପର ଉଭୟ ସଂକ୍ଷିପ୍ତ ଏବଂ ପ୍ରଫେସରଙ୍କ ଲିଖିତ । ସଭାପତି ସ୍ଵୟଂ ପ୍ରଫେସର । ପେପର ପାଠ ପରେ ସଭାପତି ଆହ୍ଵାନ କଲେ ଡକ୍ଟର କୃଷ୍ଣ ପ୍ରସାଦଙ୍କୁ । ସେଦିନ ରିଡ଼ରଙ୍କ ଭାଷଣ ଏପରି ଶ୍ରୁତିପ୍ରିୟ ଓ ଯୁକ୍ତିସମ୍ମତ ଯେ ଯେଉଁମାନେ କେବଳ ଚା’ ଜଳଖିଆ ଆଶାରେ ସେମିନାରକୁ ଆସିଥିଲେ ସେମାନେ ମଧ୍ୟ ଚମତ୍କୃତ ହୋଇ ଐଶ୍ଵରିକ ଶକ୍ତି ଓ ପ୍ରେରଣା ସେଥିରୁ ପାଇଗଲେ । ଶ୍ରୋତାମାନେ ତାଙ୍କ ବକ୍ତବ୍ୟକୁ ବେଶି ତାରିଫ କରୁଛନ୍ତି ଜାଣି ସଭାପତି ତାଙ୍କୁ ସମୟର ଅଭାବ ଦ୍ଵାହି ଦେଇ ବସାଇ ଦେଲେ ଏବଂ ସଭାପତିଙ୍କ ଭାଷଣ ଆରମ୍ଭ କରିଦେଲେ । କହିବା ବାହୁଲ୍ୟ ଯେ ନାନା କଟୁ ତିକ୍ତ ଅପ୍ରାସଙ୍ଗିକ ବ୍ୟକ୍ତିଗତ ଆକ୍ଷେପ ଓ ମନ୍ତବ୍ୟ ଦେଇ ଡକ୍ଟର କୃଷ୍ଣପ୍ରସାଦଙ୍କୁ ବଡ଼ ଦୟନୀୟ ଅବସ୍ଥାରେ ପକାଇଲେ-। ଗଳଦ୍‌ଘର୍ମ ହୋଇ ସେ ବସିବାକୁ ଯାଉଛନ୍ତି ଡକ୍ଟର କୃଷ୍ଣ ପ୍ରସାଦ କହିଲେ, ‘‘ସଭାପତି ମହୋଦୟ ଦୟାକରି ଅନୁମତି ଦେଲେ ମୁଁ କେତୋଟି ସଂଶୟ ଓ ଭ୍ରମଧାରଣା ଶ୍ରୋତାମାନଙ୍କ ମନରୁ ଦୂର କରିପାରନ୍ତି ।”

 

ଟେବୁଲରେ ବଜ୍ର ମୁଷ୍ଟି ଆଘାତ କରିବା ସଙ୍ଗେ ସଙ୍ଗେ ସଭାପତି ଚିତ୍କାର କରି ଉଠିଲେ, ଓ ନୋ ନୋ ନୋ ନୋ । ଦି ମିଟିଂ ଇଜ୍‌ ଡିସୋଲ୍‌ଭଡ଼୍ ।’

 

ଟେବୁଲରେ ‘ଢୋ’ କରି ବାଡ଼େଇବା ସଙ୍ଗେ ସଙ୍ଗେ ଆକାଶରେ ପୁଣି ବାଜି ଉଠିଲା ଧୁମୁଷାମାଦଳ । ଆକାଶ ପାତଳ ପ୍ରକମ୍ପିତ ହେଲା । ହିରଣ୍ୟକଶିପୁର ସଂହାର ଅବ୍ୟବହିତ ପୂର୍ବରୁ ପ୍ରହ୍ଲାଦର ପ୍ରାର୍ଥନାରେ ସ୍ତମ୍ଭ ଯିମିତି ଥରିଥିଲା, ପୃଥିବୀ ସିମିତି ଥରଥର ଟଳମଳ ହେଲା । ମୃଦୁ ଭୂକମ୍ପନ ଦୂର ସହର ଲୋକେ ଅନୁଭବ କଲେ । ତୁହାକୁ ତୁହା ବଜ୍ରନିନାଦ ସୁଉ ସୁଉ ପବନ ବତାସି, ଅବିରାମ ମୂଷଳଧାରାରେ ବର୍ଷା । ଦିନକୁ ଦିନ ଘୃଣା ଓ ଈର୍ଷାରେ ପୃଥିବୀ ପ୍ରତି ମେଘର ଯେଉଁ ଆକ୍ରମଣ ଚାଲିଥିଲା ଏଇ ବୋଧହୁଏ ତା’ର ଚୂଡ଼ାନ୍ତ ଓ ଶେଷ ପର୍ଯ୍ୟାୟ । ଚାରିଆଡ଼େ ଲିସବନ ଭୂମିକମ୍ପ ବେଳର ସେଇ ଚିତ୍କାର, ସମୁଦ୍ର ମାଡ଼ି ଆସୁଅଛି ଆଉ ରକ୍ଷା ନାହିଁ ।

 

ରାତିଯାକ ପ୍ରଫେସର ରମଣୀ ରଞ୍ଜନ ତ୍ରିତଳ ପ୍ରାସାଦର ଉପର ମହଲାରେ କବାଟ ଝରକା ବନ୍ଦ କରି ଘୁଙ୍ଗୁଡ଼ି ମାଇଲେ । ଯଦି ଥରେ ଅଧେ ଝରକା ମେଲାଇ ବାହାରକୁ ଚାହିଁ ପାରିଥାନ୍ତେ ତେବେ ଜାଣିଥାନ୍ତେ ପ୍ରକୃତିର ଶକ୍ତି ପ୍ରକୋପ, ଲଘୁଚାପର କିମିତି ଗୁରୁ କରାମତି । ଜୀବଜନ୍ତୁ, ମଣିଷ, ପଶୁ ପକ୍ଷୀ କିମିତି ଏ କାଳରାତି କଟାଉଛନ୍ତି ସେ କଥା ଭଗବାନ ଭାବନ୍ତୁ, ସେ କାହିଁକି ଭାବିବେ ? କେତେବେଳେ କିମିତି ନିଦ ଭାଜିଗଲେ ସେ ଭାବୁଥିଲେ କିମିତି ତାଙ୍କ ବାପ ଭଳି ଗୁଡ଼ାଏ ମୂର୍ଖ ଗାଁ ଗଣ୍ଡାରେ ପୁଣି ନଈକୂଳରେ ମାଟିକାନ୍ଥ ଚାଳଛାଉଣୀ ଘର ସବୁ କରି ରହନ୍ତି । ରାସ୍ତା ନାହିଁ, ଘାଟନାହିଁ, ଆଲୁଅ ନାହିଁ, ଗାଡ଼ିନାହିଁ । God made the country ! କି Godରେ ବାବା ! ଗୋଟାଏ ବଜ୍ରନିନାଦରେ ପୁଣି ଥରେ ନିଦ ଭାଙ୍ଗିଗଲାରୁ ଭାବିଲେ ଆଉ ଏକ ମୂର୍ଖ ଅର୍ଥବ, ଏକଜିଦିଆ ଜୀବ କଥା । ତାଙ୍କ ମାଆ ବୁଢ଼ୀ କଥା । କି ସୁଖସୁବିଧା ସେଠି ପାଉଛି କେଜାଣି ଗୁଡ଼ାଏ ପୋଥି ପଥର ଜାବୁଡ଼ିଧରି ମରଣକୁ ଚାହିଁ ରହିଛି । ସେ ଭାବିଛି ମଲାବେଳକୁ ମୁଁ ପାଣି ଟୋପାଏ ତା’ ତଣ୍ଟିରେ ଦେବି, ତା’ ହେଲେ ତା’ ଆତ୍ମା ମୁକ୍ତି ପାଇବ, ଶାନ୍ତିରେ ସ୍ଵର୍ଗରେ ରହିବ-। ଅଜ୍ଞ ମୂର୍ଖଗୁଡ଼ାକୁ ଉପଦେଶ ଦବ କିଏ ?

 

ମନେ ପଡ଼ିଲା ତାଙ୍କ ବହିର ପାଣ୍ଡୁଲିପି କଥା । ମାଆ ବୁଢ଼ୀ ଜୀବନ ରକ୍ଷା କରିବ କିମିତି ସେ କଥା ଯେତେ ଗୁରୁତ୍ଵପୂର୍ଣ୍ଣ ନୁହେଁ ତାଠୁଁ ବେଶି ତାଙ୍କ ନିରୀଶ୍ଵରବାଦୀ ଲେଖାଗୁଡ଼ାକ । ସେ ବର୍ଷ, ଯେଉଁ ବର୍ଷ ଅସଲ ମୂଳ ପରିଚ୍ଛେଦଗୁଡ଼ାକ ଗାଁରେ ଲେଖିଥିଲେ–ବନ୍ୟାରେ ତାଙ୍କ ଘର ଟଳମଳ ହେଉଥିଲା ପାଣି ସୁଅରେ, ବନ । ଢେଉରେ, କୁଆଁର ପୂର୍ଣ୍ଣିମାରେ । ରାକ୍ଷୀ ପୂର୍ଣ୍ଣିମାର ବନ୍ୟା ଗ୍ରାସି ଦବନାହିଁ ତ ସେ ଚାଳ ଘରଟାକୁ । ଧାନ ଚାଉଳ ଗାଈ, ଗୋରୁ (ମା ବୁଢ଼ୀର ନାଆଁ ମୂଲ୍ୟ ତାଲିକାରେ ନାହିଁ) ଭାସି ଯାଆନ୍ତୁ, ପୁଣି ଆସିଯିବେ; କିନ୍ତୁ ଏତେ ଅଧ୍ୟୟନ, ଗବେଷଣା ଓ ଜୀବନବ୍ୟାପୀ ପରିଶ୍ରମର ଫଳ ସେଇ ପାଣ୍ଡୁଲିପିଗୁଡ଼ାକ ଭାସିଗଲେ ଆଉ ଉଦ୍ଧାର କରି ହବନି । ସେଇ ମୂଳ ପରିଚ୍ଛେଦଗୁଡ଼ାକ ଥେସିସ୍‌ର ଅସଲ ଅଂଶ । ଗ୍ରୀଷ୍ମ ଛୁଟିରେ ସେ ସବୁ ନ ଆଣି ସେ ଯେଉଁ ଭୁଲ୍ କରିଛନ୍ତି ସେଇଥିପାଇଁ ଜୀବନଯାକ ଅନୁତାପ କରିବାକୁ ପଡ଼ିବ ।

 

୧୯ ତାରିଖ ସକାଳେ ସେ ସ୍ତ୍ରୀଙ୍କ ଅନୁମତି ଲୋଡ଼ିଲେ ଘରୁ ବାହାରିବା ପାଇଁ । କହିଲେ ମୋତେ ଆଜି ଯିମିତି ହେଉ ଗାଁକୁ ଯିବାକୁ ପଡ଼ିବ । ରେଡ଼ିଓରୁ ଯାହା ଶୁଣିଲି ମୋର ଆଶଙ୍କା ହେଉଛି ଗାଁର ଅସ୍ତିତ୍ଵ ନଥିବ । କୁଆଖିଆ ଆଗକୁ ଆଉ କିଛି ଦିଶୁନାହିଁ । ମୁଁ ଯିବି ମୋର ସେଇ ଥେସିସର ମୂଳ ପୃଷ୍ଠାଗୁଡ଼ାକୁ... ।” ଯେଡ଼େ କ୍ରୂରା ସ୍ତ୍ରୀ ହେଲେ ମଧ୍ୟ କେତେଗୁଡ଼ାଏ କଥା ତୁଣ୍ଡକୁ ଆଣନ୍ତି ନାହିଁ । ନ ହେଲେ ସେ କହିଥାନ୍ତେ ‘‘ତୁମେ କ’ଣ ମରିବ ବୋଲି ଯାଉଛ ଗାଁକୁ । ଯାଉ ସେ ପୋଥିପତ୍ର ପାଣିରେ ଭାସି, କ’ଣ ଲାଭ ଯେ ।’’

 

ଭୟ ଆତଙ୍କ ଉଦ୍‌ବେଗ ତାଙ୍କ ହୃଦୟକୁ କାବୁ କରିଦେଲେବି ଭଗବାନଙ୍କ ସହିତ ସଂଗ୍ରାମ କରିବା ଅଭିପ୍ରାୟ ତାଙ୍କୁ ବଳଦେଲା । କେବେ ଜୀବନରେ ଏଡ଼୍‍ଭେଞ୍ଚର କରି ନାହାନ୍ତି, ଦାର୍ଶନିକର ଚେୟାର କିମ୍ବା ସ୍ତ୍ରୀଙ୍କ ଚାରିପଟେ ବୁଲିଲେ ଯେ ଭାବୁଥିଲେ ବ୍ରହ୍ମାଣ୍ଡ ପରିକ୍ରମା କଲେ ଏବଂ ଯେଉଁ ଦିହିଁଙ୍କି ଛାଡ଼ିଲେ ସେ ଏକାବେଳକେ ଅସହାୟ ହୀନବୀର୍ଯ୍ୟ ହୋଇ ଯାଆନ୍ତି ସେ ଆଜି ବାହାରିଛନ୍ତି ନାସ୍ତିକତାର ବେଦଟିକୁ ପ୍ରଳୟ ପୟୋଧିରୁ ଉଦ୍ଧାର କରିବାପାଇଁ । କି ଅସାମାନ୍ୟ ମୋହ ନିରୀଶ୍ଵରବାଦ ପ୍ରତି । ଭବିଷ୍ୟତ୍‌ କଳ୍ପନା ନ କରି ବାହାରି ପଡ଼ିଲେ ବାସ୍‌ଷ୍ଟାଣ୍ଡକୁ । ସେଠି ବାସ୍‌ ଛିଡ଼ା ରହିଥିଲେବି ଯିମିତି ଶୁଣିଲେ ହାଇଦରାବାଦ ଗାଡ଼ି କୋଡ଼ିଏ ମିନିଟ୍‌ ଡେରି, ଚାଲିଲେ ସିଧା ରେଳଷ୍ଟେସନକୁ । ଘରକୁ ଫେରିବାର କଳ୍ପନାବି କହୁଥିଲେ ଗାଡ଼ିଟା ଆସିଗଲା ।

 

ଚଢ଼ିଗଲେ ବୁଗୁଚାପତ୍ର ଧରି, ଟିକଟ କରିବାକୁ ଭୁଲି ଯାଇଥିଲେ । ସେ ବିନା ଟିକଟରେ ଗଲେ କି ଜୋରିମାନା ଦେଲେ, କିମିତି ଗାଡ଼ି ପୂରା ଚବିଶ ଘଣ୍ଟା ମଞ୍ଜୁରୀରୋଡ଼ ଓ ବୈତରଣୀ ରୋଡ଼ ମଧ୍ୟରେ ଝୁଲନ୍ତ ରେଳ ଲାଇନ ଉପରେ ପାଣି ସୁଅରେ ରହିଗଲା, ଭୋକଶୋଷରେ ପ୍ରାଣ ଛଟପଟ କରୁଥିଲାବେଳେ ଯାଜପୁର ରୋଡ଼ରୁ ଟ୍ରଲିଟାଏ ଆସି ଗୋଟିଏ ସିଙ୍ଗଡ଼ା ଆଉ ଆଙ୍ଗୁଳି ମୋଟ ଯୋଡ଼ାଏ ଲେଖାଏଁ କଦଳୀ ଦେଇ ତାଙ୍କ ଜୀବନ ବଞ୍ଚାଇଲା, ଯୋଡ଼ାଏ ତିନିଟା କଳା ନାଗ ନିଶ୍ଚିତ ଦଂଶନରୁ ରକ୍ଷା ପାଇଲେ, ଜଣେ ସହଯାନ୍ତ୍ରୀଙ୍କ ସତର୍କତାରୁ, କିମିତି ବିଶାଳ ବପୁକୁ ଧଡ଼ପଡ଼ ହୋଇ ନେଉଁ ନେଉଁ ରେଳ ଲାଇନ୍‌ରୁ ଖସି ପଡ଼ି ସୁଅ ମୁହଁରେ ଭାସି ଯାଇଥିଲାବେଳେ ହାବୁକେ ପାଣି ପିଇଲେ ଏବଂ ଧୋତିକୁ ଜଣେ ଟାଣି ଧରିବାରୁ କିମିତି ଅଟକି ଗଲେ ଏସବୁ ସେ wandering of a modern Ulysses ନାମକ କହିଲେ ଲିପିବଦ୍ଧ କରିବେ ବୋଲି ସେହି ମୁହୂର୍ତ୍ତରେ ସିଦ୍ଧାନ୍ତ କଲେ ।

 

ପଚାଶ ମାଇଲ ସ୍ଥାନରେ ଶହେ ପଚାଶ ମାଇଲ ବିପଥ ପଥ ଅତିକ୍ରମ କରି ଗାଁ ପାଖରୁ ଦୁଇ ମାଇଲ ଦୂର ଏକ ଢିପ ଜାଗାରେ, ତାଙ୍କ ଗାଁର କେତୋଟି ପରିବାରର କେତେ ଜଣ ଲୋକ ଗୋରୁ ଗାଈ ପିଲାକବିଲା ନେଇ ସେଠି ଅତି ଦୟନୀୟ ଅବସ୍ଥାରେ ପଡ଼ିଥାନ୍ତି । ବାବୁ କାଳେ ରିଲିଫ୍‌ ଆଣିଥିବେ ପଛ ଗାଡ଼ିରେ ଭାବି ସମସ୍ତେ ତାଙ୍କ ଚାରିପଟେ ଘେରିଗଲେ । କିନ୍ତୁ ସହରର ଏକ ଦାର୍ଶନିକଙ୍କୁ ଯେ କି ପ୍ରକାର ରିଲିଫ୍‌ ଲୋଡ଼ା, ତାହା ସେମାନେ ଭାବି ପାରିଲେ ନାହିଁ । ବାବୁ ରୁମାଲରେ ନାକ ପୁଡ଼ା ବନ୍ଦ କରି ଛିଡ଼ା ହୋଇ ଭାବୁଥାନ୍ତି ଏମିତି କେତେ ମିଲିମିଟର ବର୍ଷା ଓ କେତେ କ୍ୟୁସେକ୍‌ ପାଣି ଉପର ମୁଣ୍ଡରୁ ଆସିଲା ସେ ୧୯୨୭ ସାଲ ବନ୍ୟକୁ ଏ ଟପିଗଲା ।

 

ଖଣ୍ଡେ ଦୂରରୁ ବାବୁଙ୍କ ଚାଷ ଘରର ମୁକୁନ୍ଦା ହଳିଆ ଯିମିତି ମାଲିକଙ୍କୁ ଦେଖିଦେଲା ସିମିତି ଧାଇଁ ଆସି ଭେଁ ଭେଁ କାନ୍ଦି ବାଷ୍ପରୁଦ୍ଧ କଣ୍ଠରେ କହିଲା, ‘‘ବାବୁ ବୁଢ଼ୀମା...”

 

‘‘କ’ଣ ? ମରିଗଲା ।”

 

‘‘ଜାଣିନି ବାବୁ ! ଆମ ଘର ହାର ସବୁ ଭାସି ଯାଇଛି । କାତେ ପାଣି ଆମ ଗାଁରେ ବହୁଛି । ବୁଢ଼ୀମା କୁଆଡ଼େ ଗଲେ ଜାଣିନି ବାବୁ । ମୁଁ ଗୋରୁ ଗାଈଗୁଡ଼ାକ ଫିଟାଇ ଦେଇଛି, ବଢ଼ି ତାଳେ ଉଚ୍ଚରେ ମାଡ଼ି ଆସିଲା । ସେଇ ଯେଉଁ ଅରଖ ବୁଦା ଦେଖୁଛ ସେଇଠି ମୁଁ ଅଟକି ଗଲି ।”

 

‘‘ଛାଡ଼ ବାଜେ କଥା । ମୋର ସେଇ କାଗଜପତ୍ରଗୁଡ଼ାକ ଭାସିଗଲା ନା ରଖିଛ ?”

 

‘‘ବୁଢ଼ୀ ଜାଣିଥିବେ । ଆମ ଗାଧୁଆ ଘଟଟାରେ ନଈର ଆଉ ଗୋଟାଏ ମୁହଁ ଫିଟିଗଲା-। କିଏ କୁଆଡ଼େ ଗଲେ ଅନ୍ଧାର ରାତିରେ କିଏ ଜାଣିଛି ?”

 

‘‘ଏ ଡଙ୍ଗାବାଲାକୁ ପଚାର ତ ସେ ମୋତେ ନେଇ ପାରିବକି । ମୁଁ ଖଣ୍ଡେ ଦୂର ଯାଇ ଖୋଜା ଖୋଜି କରି ଆସେ । ତୁ ବି ମୋ ସାଙ୍ଗରେ ଆ । ମୋର ବଡ଼ ଭୁଲ୍ ହୋଇଗଲା କାଗଜଗୁଡ଼ାକ ଏଠି ରଖିଗଲି ।” ମକୁନ୍ଦା ଜଳଜଳ କରି ଚାହିଁ ରହିଥାଏ ତା’ ବାବୁ ନାମକ ଜୀବଟିକୁ-। ଡଙ୍ଗାବାଲା ରାଜି ହେଲା ମାଛୁଆ ତଙ୍ଗାଟାରେ ତିନି ମହଣିଆ ବିଚିତ୍ର ଜୀବଟିକୁ ନେବାକୁ ଲୋକଟା ଅଣ ସାହସ ହେଲା ଯଦିଓ ସେ ପ୍ରାୟ ଦୁଇଶହ ଲୋକଙ୍କ ଧନ ଜୀବନ ବଞ୍ଚାଇଛି ଅଭାବନୀୟ ସାହସ ଓ ଶ୍ରମ କରି । ଏ ଲୋକ କ’ଣ ଚାହୁଛି ଜାଣିଥିଲେ ସେ କଦାପି ଡଙ୍ଗା ନିଅନ୍ତା ନାହିଁ ।

 

ଅନନ୍ତ ମହାସମୁଦ୍ରରେ ଡଙ୍ଗା ଯାଉଥିଲାବେଳେ ବାବୁ ପ୍ରତ୍ୟେକଟି କାଠିକୁଟା ଡାଳ ବୁଦାକୁ ନିକିଟି ଦେଖୁଥାନ୍ତି କାଳେ ସେଗୁଡ଼ାକ ତାଙ୍କ ଭାସମାନ ପାଣ୍ଡୁଲିପି ହୋଇଥିବ । ମାଇଲେ ଦୁଇମାଇଲ ଅଞ୍ଚଳ ଘୂରାଫେରା କରି ଅଦୂରବର୍ତ୍ତୀ ଏକ ବରଗଛ ଆଡ଼କୁ ଯାଉଥିଲାବେଳେ ମକୁନ୍ଦା ଲକ୍ଷ୍ୟ କଲା ଘରର ଚାଳଟାଏ ସେଇଠି ଅଟକିଛି । ତତ୍‌କ୍ଷଣାତ କହିଲା, ବାବୁ, ଏଇ ଆମ ଘର ଚାଳ ଏଇଠି ଆସି ଲାଗିଛି, କଖାରୁ ଲତାରୁ ମୁଁ ଜାଣିପାରୁଛି । ଦୁଇଥର କାତ ମାଇଲା ବେଳକୁ ଡଙ୍ଗା ବରଗଛ ପାଖରେ ଯାଇ ଲାଗିଲା । କ’ଣ ଦେଖିଲା କେଜାଣି ମକୁନ୍ଦା ଡେଇଁ ଉଠି ଚିତ୍କାର କଲା ‘‘ଏଇ ତ ବାବୁ ବୁଢ଼ୀମା ।” ଡଙ୍ଗା ଯିମିତି ଲାଗିଛି ମକୁନ୍ଦା ଚଢ଼ିଗଲା ଚାଳକୁ । ଦେଖିଲା ବୁଢ଼ୀମାର ମୁଣ୍ଡ ଚାଳ ମଥାନ ଆଡ଼କୁ ରହିଛି ଆଉ ଗୋଡ଼ ଦିଟା ଆଣ୍ଠୁଯାକେ ପାଣିରେ ବୁଡ଼ି ରହିଛି-। ସଙ୍ଗେ ସଙ୍ଗେ ସେ ଗୋଡ଼ ଦୁଇଟାକୁ ଉପର ଚାଳକୁ ଉଠାଇ ଆଣିଲା, ଦେଖିଲା ଗୋଡ଼ ଟାଣ ଓ ଥଣ୍ଡା । କପାଳରେ ହାତ ଦେଲା; କିଛି ଜାଣିପାରିଲା ନାହିଁ, ନାକ ପୁଡ଼ାରେ ପାପୁଲି ପିଠି ରଖିଲା । ମୁହଁ ଆଖିରେ ସାମାନ୍ୟ ଆନନ୍ଦଭାବ ଖେଳାଇ କହିଲା, “ବାବୁ ଉଠି ଆସନ୍ତୁ, ଧରନ୍ତୁ ଡଙ୍ଗାକୁ ନବା; ବୁଢ଼ୀମାର ସବୁ ଠିକ୍‌ ଅଛି । ଯାହାକୁ ରଖିବେ ଅନନ୍ତ... ।”

 

ବାବୁ ମନେ ମନେ କହିଲେ, “ନୋ ନୋ ନୋ, ଅନନ୍ତ ନୁହେଁ just accident.” ପାଟିକରି କହିଲେ, "ନାଉରିକି କହ ଡଙ୍ଗା ଗଛ ଡାଳରେ ବାନ୍ଧି ଦେଉ । ଦୁଇଜଣ ଧରାଧରି କରି ଡଙ୍ଗାକୁ ନେଇଆସ । ଛାତି ଉପରେ କ’ଣ ପୁଟୁଳିଟାଏ ଦିଶୁଛି, ଦେଖିବ ସାବଧାନ ଗଣ୍ଠିରିଟା ଯିମିତି ନ ଖସେ । ଆଚ୍ଛା ! ପ୍ରଥମେ ସେଇ ବୁଜୁଳାଟା ମୋ ହାତକୁ ବଢ଼ାଇ ଦିଅ, ମୁଁ ଧରିଥାଏଁ ।”

 

ବାବୁଙ୍କ କଥା ରହିଲା । ଦୁହେଁ ସେଇଆ କଲେ । ବୁଢ଼ୀକୁ ସାବଧାନରେ ଡଙ୍ଗାକୁ ଆଣି ଗୋଟାଏ ମଙ୍ଗକୁ ଆଉଜାଇ ବସାଇ ଦେଲେ । ମକୁନ୍ଦା ପଛପଟୁ ବାଆଁ ହାତରେ ଧରି ଡାହାଣ ହାତରେ ପାଣି ମୁହଁରେ ଦେଇ ପିନ୍ଧା ଲୁଗାରେ ପୋଛାପୋଛି କଲା । ଦଣ୍ଡେ ପରେ ବୁଢ଼ୀମା ଆଖି ଫିଟାଇଲେ । ମୂର୍ଚ୍ଛାରୁ ଉଠିଲାପରି ହୋଇ ଆଖି ଦିଟାକୁ ଇଆଡ଼େ ସିଆଡ଼େ ବୁଲାଇ ଶେଷରେ ପୁଅ ମୁହଁକୁ ଅପଲକ ଆଖିରେ ଚାହିଁ ରହିଲେ ।

 

ପୁଅ ସେତିକିବେଳକୁ ଡଙ୍ଗାରେ ବସି ଗଣ୍ଠିରିଗୁଡ଼ାକ ଗୋଟିକ ପରେ ଗୋଟିଏ ଫିଟାଉଥାନ୍ତି । ମାଆ ଆଖି ଫିଟାଇଲା ବେଳକୁ ୟାଙ୍କର ଶେଷ ଗଣ୍ଠି ଫିଟା କାମ ସରିଥାଏ । ଫିଟାଇ ଯାହା ଦେଖିଲେ ସେଥିରେ ତାଙ୍କର ଦାନ୍ତ ଓ ଓଠ ଥରିବାକୁ ଲାଗିଲା । ଦେଖିଲେ ଶାଲୁକନାରେ ଗୁଡ଼ା ହୋଇଥିବା ଶାଳଗ୍ରାମ, ରାଧାକୃଷ୍ଣ ଯୁଗଳମୂର୍ତ୍ତି ଆଉ ମାଣବସା ଗୁରୁବାରରେ ପୂଜା ପାଇଥିବା ତିନି ଚାରି ଘର ହାତୀ ।

 

ଶାଳଗ୍ରାମଙ୍କୁ ବିଶି ଓ ବୁଢ଼ା ଆଙ୍ଗୁଳିରେ ଉଠାଇ ମାଆଙ୍କ ଆଖି ଆଗରେ ରଖି ଗର୍ଜନ କରି କହିଲେ, “ଏଗୁଡ଼ାକ କ’ଣ ? ଘରେ ଆଉ କିଛି ନଥିଲା ? ଧାନବିକା ପଇସା ନୋଟ୍‌ଗୁଡ଼ାକ କ’ଣ ବେଶି ଭାରି ହୋଇଥାନ୍ତା ? ଜୀବନଯାକ ତ ଏଗୁଡ଼ା ପଛରେ ଲାଗିଲୁ । ତୋ ରଘୁନାଥ ତୋତେ ରଖି ପାରିଲା ? କହ ପାରିଲା ?”

 

ଧୀରେ ଧୀରେ ଏପାଖ ସେପାଖ ପାଚିଲା ମୁଣ୍ଡଟି ଗଡ଼ାଇ ଖୁବ୍‌ ଅସ୍ପଷ୍ଟ କରୁଣ ସ୍ଵରରେ ବୁଢ଼ୀ ଉତ୍ତର ଦେଲା ‘‘ନା’’ ‘‘ନା’’ ।

 

ଖୁବ୍‌ କ୍ରୋଧାନ୍ୱିତ କଣ୍ଠରେ ଦାନ୍ତ କଡ଼ ମଡ଼ କରି ପୁଅ ଗର୍ଜନ କଲେ, “ତେବେ କାହିଁକି ଏଗୁଡ଼ାକୁ ସାଙ୍ଗରେ ବାନ୍ଧିଛୁ ? ଯେଉଁ ଠାକୁର ତୋତେ ରଖି ପାରିଲା ନାହିଁ ତାକୁ ଧରିଛୁ କାହିଁକି ?”

 

ସାମାନ୍ୟ ସ୍ପଷ୍ଟତର ସ୍ଵରରେ ବୁଢ଼ୀ କହିଲେ, “ବାପା । ତୋତେ...ରଖିବ ତୋତେ...ରଖିବ...ବୋଲି ।”

 

ଏଇ ତିନୋଟି ଶବ୍ଦ କହିବାପାଇଁ ବୁଢ଼ୀ ଯିମିତି ଜୀବନଯାକ ଚେଷ୍ଟା କରୁଥିଲା, ଜୀବନ ଧରି ରହିଥିଲା । ଆଉ କିଛି କଥା ଶୁଭିଲା ନାହିଁ, ପାଟି ପାକୁ ପାକୁ ହେଲା ।

 

ବାବୁ ଆଉ ଏକ ଶାଲୁକନାରେ ବନ୍ଧା ଗଣ୍ଠିରିଟିଏ ଫିଟାଇବାରେ ବ୍ୟସ୍ତ ଥିଲାବେଳେ ବୁଢ଼ୀର ଏ ପଦକ କଥା ଶୁଣିଲେ ଏବଂ ଦଣ୍ଡେ ଗୁମ୍‌ ମାରି ଭାବାବିଷ୍ଟ ହେଲାବେଳେ, “ବାପା । ତୋତେ ରଖିବ, ବାପା ! ତୋତେ ରଖିବ” କଥାଟି କାନ ଦେଇ ମୁଣ୍ଡ ଭିତରକୁ ପଶୁଥାଏ ।

 

ବୁଢ଼ୀର ଅଣଚାଶ ବହିବାକୁ ଲାଗିଲା, ଶେଷ ହାକୁଟିବି ଆସିଲା ।

 

“ବାବୁ ! ପାଣି ଟୋପାଏ ଦିଟୋପା ବୁଢ଼ୀ ମାଆଙ୍କ ପାଟିରେ ଦିଅନ୍ତୁ ! ବେଳ ଆସିଗଲା-।”

 

ଦ୍ଵିତୀୟ ପୁଟୁଳି ଫିଟାଇ ବାବୁ ଦେଖିଲେ ଆଉ ଖଣ୍ଡିଏ ଶାଲୁ କନାରେ ଗୁଡ଼ାଇ ଯତ୍ନରେ ସାଇତା ଥିବା ଏକାଦଶସ୍କନ୍ଧ ଏବଂ ତା’ ତଳକୁ ତାଙ୍କ ନିରୀଶ୍ଵରବାଦର ପାଣ୍ଡୁଲିପି ।

 

“ବାବୁ ଦିଅନ୍ତୁ ପାଣି ଟୋପାଏ । ଶୀଘ୍ର ।”

 

ଚମକିପଡ଼ି ନିଦ ଭାଜିଲା ପରି ଅବସ୍ଥାରେ ପ୍ରଫେସର କହିଲେ, “ଓ ହଁ ହଁ ହଁ ।” ଡେରି ହେଲେ ମାଆ ପାଣି ପାଇବ ନାହିଁ, ସ୍ଵର୍ଗରେ ଶାନ୍ତି ପାଇବ ନାହିଁ ମନେ ପକାଇ ଯିମିତି ତରବରରେ ପାଣି ଦିଟୋପା ନଈରୁ ଆଣି ମାଆ ପାଟିରେ ଦେଇଛନ୍ତି ମା'ର ନିଃଶ୍ଵାସ ରହିଗଲା, କଣ୍ଠ ପଡ଼ିଗଲା-। ଆଖି ଦିଟା ନିର୍ନିମେଷରେ ଚାହିଁ ରହିଲା ପୁଅ ମୁହଁକୁ ।

 

ପାଣି ଟୋପାଏ ଆଣିବାପାଇଁ ପ୍ରଫେସର ଯିମିତି ତରବରରେ ହାତ ନଈ ପାଣିକି ବଢ଼ାଇଛନ୍ତି ପୋଥିରେ ଗୋଟାଏ କଣରେ ବାଜିଲା ଏବଂ ତଳେ ଡଙ୍ଗା ଭିତରେ ପଡ଼ିଲା, କିନ୍ତୁ ପାଣ୍ଡୁଲିପିଟା ଛିଟିକି ଶାଲୁ ସହିତରେ ସୁଅରେ ଭାସି ଯିବାକୁ ଲାଗିଲା ।

 

ମକୁନ୍ଦା ଡେଇଁପଡ଼ି ବାବୁଙ୍କ ଅମୂଲ୍ୟ ସମ୍ପଦ ସେଇ ପାଣ୍ଡୁଲିପିକୁ ନଈ ଗର୍ଭରୁ ଉଦ୍ଧାର କରିବାକୁ ଯିମିତି ଅନୁମତି ଲୋଡ଼ିଛି ପ୍ରଫେସର ରମଣୀ ରଞ୍ଜନ ଯେତେ ଜୋର୍‍ରେ ପାରନ୍ତି ଚିତ୍କାର କରି ଉଠିଲେ “ଓ ନୋ ନୋ ନୋ ନୋ...

Image

 

ଚା

 

ଆଉ କୋଡ଼ିଏ ପଚିଶ କଦମ ଯାଇଥିଲେ ଆମେ ହୁଏତ ଷ୍ଟେସନ ପ୍ଳାଟ୍‍ଫର୍ମ ଧରି ପାରିଥାନ୍ତୁ । କିନ୍ତୁ ମେଘ ସମୟ ଦେଲା ନାହିଁ । ନିର୍ଦ୍ଦୟ ଭାବରେ ଝଡ଼୍ ଝଡ଼୍ କରି ଅଜାଡ଼ି ଦେଲା ତା’ର ବାକି ଷ୍ଟକ୍‌ତକ ଆମରି ଉପରେ । ସେତେବେଳକୁ ଆମେ ଦୁହେଁ ଗୋଟାଏ ଛତା ତଳେ ଦେଢ଼ କିଲୋମିଟର ବାଟ ଚାଲି ଆସି ସାରିଥାଉଁ । ଛୋଟ ଛୋଟ ଦୁଇତିନିଟା ଅସରାବି ବାଟରେ ପାଇଥିଲୁ । ଜଙ୍ଘଯାକେ ଓଦା ସରସର । ଚାଲିବାରେ କଷ୍ଟ ହେଉଥାଏ କାରଣ ଆମର ପେଣ୍ଟଗୁଡ଼ାକ ଏଠି ସେଠି ଚିପି ମୋଡ଼ି ଭିଡ଼ି ଗୁଡ଼ାଇ ହୋଇ ଯାଉଥିଲା ।

 

ଆସିଲାବେଳେବି ଏମିତି ଭିଜିଥିଲା । ଆଠ ଘଣ୍ଟା କାଳ ପଙ୍ଖା ପବନରେ ଆଉ ଦିହ ତାତିରେ ଯାହା କିଛି ଶୁଖିଥିଲା ତାହା ଫେରିଲାବେଳକୁ ପୁଣି ଭିଜିତିନ୍ତି ଗଲା । ଦିନଯାକ କୋହଲା ପାଗ; ତୁହାକୁ ତୁହା ବର୍ଷା; ପୁଣି ପଞ୍ଚାବନ କିଲୋମିଟର ବେଗରେ ପବନ । ଜୁଲାଇ ମାସରେ ଡିସେମ୍ବରର ଶୀତ ଅନୁଭବ କରୁଥାଉଁ । ଏଇ ଶେଷ ଅସରାଟା ଆମକୁ ପୂରା ଚିତ୍‌ କରିଦେଲା । ଭାବିଥିଲୁ କୌଣସିମତେ ଷ୍ଟେସନ ପହୁଞ୍ଚି ପାରିଥିଲେ ଚାଳିଶ ପଚାଶ ମିନିଟ୍‌ ପରେ ଘରେ ପହୁଞ୍ଚିଥାନ୍ତୁ, ଯେଝା ଘରେ ଗରମ ଚା’ କପେ କପେ ଖାଇ ସାଷ୍ଟମ ହୋଇଥାନ୍ତୁ । ସାତୁଟା କୋଡ଼ିଏରେ ଟ୍ରେନ୍‌ । ଘଡ଼ିଟାବି ଅନ୍ଧାର ଦିଶୁନି; ପାଣି ପିଇ ପିଇ ତା’ ପେଟରେ କଳକବଜାବି ଫୁଲିଯାଇଥିବ ।

 

ଆଗପଛ କିଛି ନ ବିଚାରି ଜୀବନ ବିକଳରେ ଦରଆଉଜା ଟିଣ କବାଟକୁ ଉଠାଇ ପ୍ରଦୀପ ଛତାତଳୁ ଖସିଗଲା ଏବଂ ଭିତର ଅନ୍ଧାର ଭିତରକୁ ପଶିଯିବାର କ୍ଷଣକ ପରେ କହିଲା, ଆସନ୍ତୁ ସାର୍‌ । ଛତା ବନ୍ଦ କରି ପଶୁ ପଶୁ ଆଉ ହାବୁକାଏ ପାଣିପବନ ପିଇଗଲି । ଚୂଳ ଚଷମାରେବି ପାଣିଗୁଡ଼ାଏ ଜମା ହୋଇଗଲା, ନାକ ଅଗ ଦେଇ କିଛି ବହିଗଲା ମଧ୍ୟ । ରାସ୍ତାଯାକ ଆଲୁଅ ନଥିଲା, ଦୋକାନ ବଜାର ବନ୍ଦ । ଇଲେକ୍ଟ୍ରି କରେଣ୍ଟ କାହିଁକି, ଦୁନିଆର ସବୁ ଭଲ ଜିନିଷ ଏଠି ଫେଲ ମାରନ୍ତି । ଏଇ ମୁମୂର୍ଷୁ ଛୋଟ ସହର ତଳି ଅଞ୍ଚଳରେ ପବିତ୍ର ସାର୍ବଭୌମ ଅନ୍ଧାରର ରାଜତ୍ଵ-

 

କେଉଁଠି ଆସି ପହୁଞ୍ଚିଲୁ ? ଛତାଟାକୁ ବନ୍ଦ କରି କେଉଁଠି ରଖିବି ଠିକ୍‌ କରୁ କରୁ ପ୍ରଦୀପକୁ ପଚାରିଲି । ସେ କିଛି ଉତ୍ତର ଦେଲାନି । ଛତାଟାକୁ ବନ୍ଦ କରି ଝାଟିମାଟି କାନ୍ଥକୁ ଡେରି ରଖିଦେଲି । ଓଦା ଚଟାଣରେ ସରସର ହୋଇ ଛୋଟ ସୁଅଟିଏ ବଡ଼ ଜିଆପରି ଚାଲିଲା ।

 

ଏଠି ଉଷୁମ ଆଶା ମିଳିବା କ୍ଷୀଣ, ପଲକରେ ଜାଣି ହେଲା । ଯେଉଁ ହଲହଲିଆ ବେଞ୍ଚଟା ଆଡ଼ ବାଗରେ ପଡ଼ିଥିଲା ତା’ର କିରାସିନି ପଟାଗୁଡ଼ାକ ଓଦା ହୋଇ ଫୁଲି ଫୁଲି ଭିଜା କାର୍ଡ଼ବୋର୍ଡ଼ ପରି ଦିଶୁଥିଲା । ଗୋଟାଏ ପଟା ନଥିବା ଚେୟାର ନାମକ ବସିବା ଜିନିଷଟି ମଧ୍ୟ ବଡ଼ ଦୟନୀୟ ଅବସ୍ଥାରେ ଥିଲା । ଭିତର କଣକୁ ମିଞ୍ଜି ମିଞ୍ଜି ହୋଇ ଯେଉଁ ଦୁଆତରେ ତିଆରି ଡିବିରିଟା ଜଳୁଥିଲା ସେଥିରେ ସ୍ଥାନଟିର ସ୍ଵରୂପ, ଦୈନ୍ୟ ଏବଂ ଆସବାବ ପତ୍ର ଯୁଗପତ୍‌ ଦୃଶ୍ୟ ହେଉଥାଏ ।

 

ବସିବା ସ୍ଥାନ ଅଭାବରେ ଛିଡ଼ା ହୋଇଥାଉଁ, ମୁଣ୍ଡ ପ୍ରାୟ ଉପର ଛପରରେ ବାଜୁଥାଏ । ଭର୍ତ୍ସନା ସମ୍ବର୍ଦ୍ଧନା ପାଇଁ ଛିଡ଼ା ହେଲାବେଳେ ଓଦା ରୁମାଲ ବାହାର କରି ଚଷମା ସଫା କରୁଥାଉଁ, କାରଣ, ପାଣି ଟୋପା ଜମିଥିବା କାଚ ଦେଇ ଏକ ଦେଖିଲେ ଦୁଇ ଦିଶୁଥିଲା ।

 

ଦଣ୍ଡେଯାକେ, କେହି କୁଆଡ଼ ଆସି, ନମସ୍କାର, ଆସନ୍ତୁ ବସନ୍ତୁ, ହେଇ ଆପଣ ଯେ’ ବୋଲି କହିଲେ ନାହିଁ ବା କିଏ ସେ ? ଯାଅ ଯାଅ, ଏଠି କିଛି ମିଳିବ ନାହିଁ, ଘରେ କେହି ନାହାନ୍ତି, ବୋଲିବି ଶୁଣିଲୁ ନାହିଁ । ଭାବିଲୁ ଆଉ କେଉଁ ଅଗନାଅଗନି ବନସ୍ତର କୁଡ଼ିଆ ବା ଗୁମ୍ଫାରେ ପଶିଛୁ ଯେଉଁଠି ଡାଆଣୀ ବୁଢ଼ୀ ରହେ ଏବଂ ଫୁଲ ଶୁଙ୍ଘାଇ ବା ଚେରମୂଳ ଖୁଆଇ ମଣିଷକୁ ମେଣ୍ଢା କରିଦିଏ ।

 

କୁଡ଼ିଆର ଯେଉଁଠି ସାମାନ୍ୟ ଜୀବନ ସଞ୍ଚାର ହେଲା ପରି ଜଣାଗଲାରୁ ଆମେ ପାଖ କୋଠରିର–ସେଇଟିକି ଏକମାତ୍ର କୋଠରି ସେ ଘରର, ଯାହା ଶୋଇବା ଘର, ଷ୍ଟୋର ଘର, ଛୁଆ ଜନ୍ମ କରିବା ଘର ମଧ୍ୟ; ଆମେ ଯେଉଁଠି ଛିଡ଼ା ହୋଇଥିଲୁ ତାକୁ ଭାଷାରେ ‘ମେଲା’ ବୋଲି କୁହାଯାଇ ପାରେ–ତାଟିଲଗା ଦରଜା ଆଡ଼କୁ ଚାହିଁ ରହିଲୁ ।

 

ନୁହେଁ ଧୋତି ନୁହେଁ ଶାଢ଼ି ଏମିତି ଲାଲି ଧଡ଼ିର ଲୁଗାଟିଏ ମୁଣ୍ଡ ଅଧରେ ରଖି କାନିକି ଓଠର ଗୋଟାଏ କଣରେ ଚାପି ନାରୀମୂର୍ତ୍ତିଟିଏ ଜୁଳୁଜୁଳୁ ଆଖିରେ ଆମ ଦୁହିଁଙ୍କି ବାରେ ଦେଖିଦେଲା ଏବଂ ତତ୍‌କ୍ଷଣାତ ଆଶ୍ରୟପ୍ରାର୍ଥୀ ବୋଲି ଧରି ନେଇ ଗୋଟିକଯାକ ଦିହ ପଦାକୁ ବାହାରକରି ଆଣିଲା ନିଃସଙ୍କୋଚରେ ଏବଂ ସଙ୍ଗେ ସଙ୍ଗେ ସ୍ଥାନ ଓ ପରିସ୍ଥିତିର ସର୍ବମୟ କର୍ତ୍ତ୍ରୀ ରୂପ ଧଇଲା । ବ୍ରା ବ୍ଲାଉସ ନ ଥିବା ପାଚିଲା ଆମ୍ବ ପରି ଗୋରା ଦିହଟି ବାତୁଆ ଡିବିରି ଆଲୁଅରେ କେତେବେଳେ କିମିତି ଏଠି ସେଠି ଦିଶି ନଦିଶି ଦିଶୁଥାଏ । ସମ୍ପୂର୍ଣ୍ଣ ନିରାଭରଣା ।

 

ଆମକୁ ଦେଖିଦେଲାମାତ୍ରେ ସେ କିମିତି କିମିତି ଅଧୀର ଚଞ୍ଚଳ ଓ ଅସ୍ତବ୍ୟସ୍ତ ହେଲା, ଉଦ୍‌ବିଗ୍ନ ପରି ଲାଗିଲା ମଧ୍ୟ । ଜଣାଗଲା ଯିମିତି ସିଏ ଚାହୁଁଛି ଆମେ ଶୀଘ୍ର ପୋଛିପାଛି ହେଉଁ, ସାଷ୍ଟାମ ହେଉଁ । ନିଜର ଲୁଗା ପଣନ୍ତଟିକୁ ଏମିତି ଭାବରେ ଚାହିଁଲା, ଧଇଲା ଯହିଁରୁ ମୁଁ ଭାବିଲି ସିଏ କହୁଛି ଯଦି ଆମେ ଅନୁମତି ଦିଅନ୍ତୁ ତେବେ ସେ ନିଜେ ସେ କାମ କରିଦିଅନ୍ତା, ଭିଜିତିନ୍ତି ଆସିଥିବା ଶିଶୁ ବା ସ୍ଵାମୀଙ୍କି ମାଆ ବା ସ୍ତ୍ରୀମାନେ ଯିମିତି ପ୍ରାଥମିକ ଚିକିତ୍ସା ଦେଇଥାନ୍ତି । ଦିଖଣ୍ଡ ଛିଣ୍ଡା ବୋରା ଆଣି ଚାରିପ୍ରସ୍ତ କରି ଚଉତି ସେଇ ଫୁଲା ଫୁଲା ଓଦା ବେଞ୍ଚ ଉପରେ ଆମର ଆସ୍ଥାନ କରିଦେଲା ।

 

ଆମକୁ ଏଇମତେ ଅଭ୍ୟର୍ଥନା କରୁଥିଲାବେଳେ ଦେଖିଲୁ ଦୁଆର ମୁହଁ କଣରେ କୁକୁଡ଼ାଟିଏ ଡେଣା ଫୁଲାଇ ତା’ ଛୁଆଗୁଡ଼ାକୁ ଉଷୁମ ଦେଉଛି । ଧଳା ଧଳା ଦୁଇଟା ଚିଆଁ ଗହମ ଭଳି ଥଣ୍ଟ ଆଉ ଡାଳୁଆ ମୂଷାର ଗୋଲ ଗୋଲ ଆଖି ଦେଖାଇ ମାଆ ଦିହର ତାତି ଉଷୁମ ଭିତରୁ ଦୁଇ ତିନି ଦିନର ପୁରୁଣା ତାଙ୍କର ଏଇ ଦୁନିଆଟାକୁ ଦେଖୁଛନ୍ତି । ଥଣ୍ଡା ଲାଗିଲାବେଳକୁ ପୁଣି ଉଷୁମ ଦୁନିଆ ଭିତରକୁ ମୁଣ୍ଡ ଟାଣି ନେଉଛନ୍ତି । ମାଆ ପେଟତଳେ ରହିବାଠୁ ସୁଖ ନାହିଁ । କି ଗର୍ବ ସେ ଛୁଆଦିଟାର ।

 

ଦିଆ ଯାଇଥିବା ଆସନରେ ବସି ପଡ଼ି ଯେତିକି ସମ୍ଭବ ବାହୁ ହାତ ଦେଇ ଦିହ ମୁଣ୍ଡ ନାମକୁ ମାତ୍ର ପୋଛାପୋଛି କରୁଛୁ ସେ କୋଠରି ଭିତରକୁ ପଶିଯାଇ ଖଣ୍ଡିଆ କୋଡ଼ିଏ ପଇସିଆ ମହମବତିଟାଏ ଆଣିଲା ଏବଂ ଡିବିରି ଆଲୁଅରେ ଧରାଇ ଅଣ୍ଟାଏ ଉଚ୍ଚ ଚୁଲି ଉପରେ ଟୋପାଏ ମହମ ନିଗାଡ଼ି ସଳଖ ଥୋଇଦେଲା । କିରାସିନି ଗନ୍ଧ ସହିତ ମହମବତିର ବାସନା ମିଶି ଏକପ୍ରକାର କଡ଼ାମିଠା ବାଷ୍ପ ଘର ଭିତରେ ଜମାଟ ବାନ୍ଧିଲା । ବାହାରେ ଅବିରଳ ବାରିଧାରା ।

 

ଡବଲ ଆଲୁଅରେ ଆମେ ନିଜକୁ ପରସ୍ପରକୁ ଏବଂ ତାକୁ ନୂଆ ଆଖିରେ ଦେଖି ପାରିଲୁ । ମୁଁ କୌଣସି ଏକ ଖ୍ୟାତନାମା ଶିଳ୍ପୀଙ୍କ ‘ଅବଗୁଣ୍ଠନବତୀ’ ଚିତ୍ର ମନେ ପକାଇଲି । ପ୍ରଦୀପ କୁଆଡ଼େ ଦିଲ୍ଲୀରେ ଗୋଟାଏ ଲୁଗା ଦୋକାନରେ ଏମିତି ଏକ ଇରାନୀ ରମଣୀ ଦେଖିଥିଲା ଯେ କି ମସିଆ ବୁର୍ଖାଟେକି ଲୁଗା ଦୋକାନର ଉପରଥାକ ଦେଖୁଥିଲାବେଳେ ତା’ ନୀଳ ଆଖିରୁ ଅପରୂପ ସୌନ୍ଦର୍ଯ୍ୟ ବିକୀରିତ ହେଉଥିଲା । (ବିବାହ କୁଆଡ଼େ ସ୍ଵର୍ଗରେ ଅନୁଷ୍ଠିତ ହୁଏ ମାତ୍ର ପୃଥିବୀରେ ଥଇଥାନବେଳେ ଭଗବାନ ଯୋଗ୍ୟ ସ୍ଥାନ ଯୋଗାଇ ପାରନ୍ତି ନାହିଁ । ଏ ସ୍ତ୍ରୀଲୋକଟି କ’ଣ ଏଇଠି ରହିବା କଥା ?)

 

ଆମର ଧାରଣା ଥିଲା ସେଇ ସ୍ତ୍ରୀଲୋକଟି କୁଡ଼ିଆର ଏକମାତ୍ର ଅଧିଷ୍ଠାତ୍ରୀ । ମାତ୍ର ତାହା ଅଚିରେ ଦୂର ହେଲା । ଦେଖିଲୁ ଦୁଇଟି ଛୋଟ ପିଲା ଆଖି ମଳିମଳି–ସେମାନେବି ଚିଆଁଙ୍କ ଭଳି ଉଷୁମ ଦୁନିଆ ଭିତରେ ଥିଲେ ବୋଧହୁଏ ଏବେ ଆମ ଦୁନିଆକୁ ଦେଖୁଛନ୍ତି ପଦାକୁ ବାହାରି ଆସିଲେ । ହାଫ୍‌-ସାର୍ଟ ଅଣ୍ଟା ଉପରକୁ ଥିଲା, ପେଣ୍ଟ ନଥିଲା । ଦୁଇ ପୁଅ ।

 

ଇଏ ତେବେ ମାଆବି...ମେଡ଼ୋନା ! ନୂଆ ଆଖିରେ ଦେଖିଲୁଁ । ଏଥର ଆମେ ଜାଣିଲୁ ଆମେ ରୋମାନ୍‌ସ ଭିତରେ ନାହୁଁ, ଏଇଟା ଡାଆଣୀ ଗୁମ୍ଫା ନୁହେଁ, ଗୋଟାଏ ଛୋଟ ଚା’ ଦୋକାନ-। ଗୋଟି ଗୋଟି କରି ସରଞ୍ଜାମ ଦେଖିଗଲୁ ଦୁଇ ଚାରିଟା ଅଧା ଗ୍ଲାସ, ଛୋଟ ଚା’ ପାଣି ଫୁଟାଇବା ଏଲୁମିନିୟମ ପାତ୍ର, ଛାଙ୍କୁଣିରୁ ଲମ୍ବ ହୋଇ ଝୁଲୁଥିବା କନାରେ ସିଠା ଚା’ । ଦିହାତ ଖଣ୍ଡେ ଛାଡ଼ି ପାନ ଜାଳି, ପାଖକୁ ପାଖ କେତୁଟା ପୁରୁଣା ସିଗାରେଟ ଡବା । ଏକ କଥାରେ ଆମେ ଏ ମୁହୂର୍ତ୍ତରେ ଯାହା ଚାହୁଁଥିଲୁଁ ।

 

ଟ୍ରେନ୍‌ ଧରିବା କଥା ଭୁଲି ଯାଇଥିଲୁ । ଯଦି ବା ଆସିବ ତେବେ ଭିଜି ତ ସାରିଛୁଁ ପୁଣି ଧାଁ ଧପଡ଼ କରି ଚଢ଼ିଯିବା ।

 

‘‘ଚା’ ଦୁଇ କପ୍‌ ହୋଇ ପାରିବ ?’’ ଭଗ୍ନ ଦୁରବସ୍ଥାମୟ ଦୁନିଆରେ ‘ହଁ’ ଉତ୍ତର ମିଳିବାର ଆଶା ନରଖି ପଚାରିଲି ।

 

‘‘ଦେଖଁ କ’ଣ ଅଛି ।’’ ଖୁବ୍ ମାଲିକାଣୀ ଗଳାରେ ଉତ୍ତର ଦେଇ କହି ଚାଲିଲା, ‘କେତେବେଳୁ ବଜାରକୁ ଗଲେଣି, ସବୁ ଜିନିଷ ସରିଯାଇଛି, ଆସିଲେ ଯାଇ ସବୁ କଥା । ଏ ବର୍ଷାରେ କେଉଁଠି ଅଟକି ଯାଇଥିବେ ତୁମରି ପରି । ଛିଣ୍ଡା ଛତାଟା ନେଇଥିଲେବି କିଛି କାମ ହୁଅନ୍ତା ନାହିଁ ।’’ ନଇଁ ପଡ଼ି ଝରଝର ପାଣି ଭିତର ଦେଇ ବାହାର ଅନ୍ଧାରକୁ ଚାହିଁ ନିରାଶାର ଆଖି ଯୋଡ଼ିକ ଫେରାଇ ଚା’ ସରଞ୍ଜାମ ଆଡ଼କୁ ଆଖି ପକାଇଲା ।

 

ସେତେବେଳକୁ ତା’ ଛୁଆ ଦୁହେଁ (ମା ମୁହଁ ନେଇଥିବା ଛୁଆ ଧନ୍ୟ !) ଆମ ପାଖକୁ ନିର୍ଭୟରେ ଆସି ଆମର ପୋଷାକ ପରିଚ୍ଛଦ ଅଙ୍ଗ ପ୍ରତ୍ୟଙ୍ଗ ଦେଖିବାରେ ଲାଗିଥାନ୍ତି ଯିମିତିକି ଆମେ ଚିଡ଼ିଆଖାନାର ଦୁଇଟି ନିରୀହ ଜୀବ । କ୍ରମେ ଆମକୁ ତାଙ୍କର ବହୁ ଦିନର ପୁରୁଣା ଆତ୍ମୀୟ (ଯେମିତି କି ବାପ ଭାଇନା) ଭାବି ଆମ ଧାଡ଼ିରେ ସେଇ ଓଦା ବେଞ୍ଚରେ ବସିଗଲେ ଗୋଡ଼ ହଲାଇ ହଲାଇ ତାଙ୍କ ମାଆ ଶିଖାଇ ଥିବା ପ୍ରାର୍ଥନାର ଶେଷ କଲିଟି ଗୁଣୁ ଗୁଣୁ ହୋଇ ତାଳ ଦେଇ ଗାଇଲେ ଏକା ସ୍ଵରରେ ‘‘ମୋର ଧନ ଜନ ଲୋଡ଼ା ନାହିଁ ହେ ।’’ ଆମରବି ଗାଇବାକୁ ଇଚ୍ଛା ହେଉଥିଲା ତାଙ୍କରି ସାଙ୍ଗରେ । ତାଙ୍କ ମାଆ ବୋଧହୁଏ ଭାବୁଥିଲା ଦୁଇ ନୁହେଁ ଚାରିଜଣ ସଞ୍ଜ ପ୍ରାର୍ଥନା କରୁଛନ୍ତି । ଆମର ଧନ ଜନ ଲୋଡ଼ା ନଥିଲା ସତରେ । ଲୋଡ଼ା ଥିଲା ଗରମ ଗରମ ଏକ କପ୍‌ ଚା’-। ଯାହାହେଉ, ପରିବେଶ ଓ ପରିସ୍ଥିତିରେ ସାମାନ୍ୟ ସୁସ୍ଥ ଓ ଉଷୁମ ହେଲୁଁ ।

 

ପ୍ରଥମେ ଚିନି ଡବାର ଢାଙ୍କୁଣି ଖୋଲି ମୁହଁରେ ସାମାନ୍ୟ ଆନନ୍ଦ ଖେଳାଇ ସେ ଅନୁଚ୍ଚସ୍ଵରରେ କହିଲା, ‘‘ଅଛି, ଦୁଇ କପ୍‌କୁ ଢେର ।’’ ଆମେ ପ୍ରସ୍ତୁତ ଥିଲୁ ବିନା ଚିନିରେ ଚା’ ଖାଇବାକୁ, ଯିମିତି କେତେ ଆମେରିକାନ ଟୁରିଷ୍ଟରଅଟି ପସନ୍ଦ କରିଥାନ୍ତି ।

 

ଚା’ ଗୁଣ୍ଡ ଡବାଟି ଖୋଲି ଦେଖିଲା । ବୋଧହୁଏ ଶୂନ୍ୟ । ରାଗରେ ଓଲଟାଇ ଝାଡ଼ିଝୁଡ଼ି ଦେଇ ଢପ୍‌ କରି ଜୋର୍‍ରେ ଢାଙ୍କୁଣି ବନ୍ଦ କରିଦେଲା । ଆମର ସମସ୍ତ ଆଶା ଓ ସ୍ଵପ୍ନର ଏଇଠି ମୃତ୍ୟୁ ହେଲା । ଚା’ ବିନା ଚା’ ହେମଲେଟ୍‌ ବିନା ହେମଲେଟ୍‌ ପରି ।

 

ଆଦୌ ବିବ୍ରତ ନହୋଇ ସେ କୋଠରି ଭିତରକୁ ପଶିଗଲା ଏବଂ ଚିପିଚାପି ମୋଡ଼ିମାଡ଼ି ହୋଇ ରହିଥିବା ରୁବି ଡଷ୍ଟ (ବୋଧହୁଏ ବିଶିଷ୍ଟ ଗରାଖ ଓ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ) ପେକେଟକୁ ସତର୍କତା ସହିତ ଖୋଲି ଯିମିତି ଦେଖିଦେଲା ଅଛି ଆନନ୍ଦରେ ଆମକୁ ଶୁଣାଇ ଶୁଣାଇ କହିଲା, ‘ଢେର ହେବ ।’

 

ଏଥର ତିନିଗୁଣ ଉତ୍ସାହିତ ହୋଇ ପଚାରିଲି, ‘ଦୁଧ ଅଛି ?’

 

କ୍ଷଣେ ଅପ୍ରତିଭ ହୋଇ କହିଲା, ‘‘ଦେଖେ, ଯଦି ଥିବ । ଛୁଆ ଦିହେଁ ତ ଯେତେବେଳେ ପାଇ ଯାଉଛନ୍ତି ଖାଇ ଦଉଛନ୍ତି, କେତେ ଲୁଚାଇବି ?’’ ମାଆ କି ଛୁଆଙ୍କୁ ମନା କରି ପାରିବ ? କେତେ ବା ଢଙ୍କାଇ ଲୁଚାଇ ରଖି ପାରିବି, ଭାବିଲି ।

 

ପୁଣି ଘର ଭିତରକୁ ଯାଇ ଷ୍ଟକ୍‌ ଦେଖି ଦେଲା ଏବଂ ଦୁଧ ଡେକଚି ଧରି, ବାହାରି ଆସିଲା, କହିଲା, ଅଛି ଟିକେ, ଦୁଇ କପ୍‌ ପାଇଁ ଢେର ହବ ।’

 

ବଙ୍କାଟଙ୍କା ହାତେ ଉଚ୍ଚ ଧୂଆଁର କୁଣ୍ଡଳୀ ଉଠାଉଥିବା ସୁନା ରଙ୍ଗର ଚା’ କପ୍‌ର ଛବି ଏଥର ଆଖି ଆଗରେ ନାଚିଲା । କଳ୍ପନାରୁ ବି କିଛି ଉଷୁମ ମିଳିଗଲା ।

 

ଏଥର ପଚାରିଲି, ଟ୍ରେନ ଆସିବା ପୂର୍ବରୁ ଚା’ ହବ ତ ?

 

ଠଙ୍ଗ୍‌ ଠଙ୍ଗ୍‌ ଠଙ୍ଗ୍‌ କରି ବେଲ୍‌ ବାଜିଲା ଷ୍ଟେସନରେ ।

 

ସେ ବି ସଙ୍ଗେ ସଙ୍ଗେ କହିଲା, ‘ଏଇତ ଫାଷ୍ଟ ବେଲ୍‌ । ଟିକିଏ ସରସତା ଫୁଟାଇ କହିଲା, ‘ଏ ଯେଉଁ ବର୍ଷା, ଇଞ୍ଜିନବି ଥଣ୍ଡା ହୋଇ ଯାଇଥିବ ।’

 

ଚା’ ଚେନି, ସର୍ବୋପରି ଦୁଧ ।

 

ଏଥର ସେ ଚୁଲି ପାଉଁଶକୁ ଖଣ୍ଡିଆ ଲୁହା ଛଡ଼ରେ ଆମ୍ପୁଡ଼ି ଜାବୁଡ଼ି ପକାଇଲା । ବୋଧହୁଏ ସକାଳେ ଯାହା ଚୁଲି ଜଳିଥିଲା । ଗରାଖ ତ ନାହିଁ, ଜିନିଷବି ନଥିଲା । ପଇସା ଥିଲେ ତ ଚିଜ । ରାତିରେ ବୋଧହୁଏ ରୋଷେଇ ହେଙ୍ଗାମ ନକରି ଛୁଆଙ୍କୁ କଳେ କଳେ ଦୁଧ ଦେଇ ଶୁଆଇ ଦେଇଥାନ୍ତା ଆଉ ନିଜେ ନିଜେ ମୁଠାଏ ମୁଠାଏ ମୁଢ଼ି ଆଉ ପାଖ ନଳକୂପରୁ ପାଣି ମୁନ୍ଦାଏ ପିଇ ଶୋଇ ଯାଇଥାନ୍ତେ । କିନ୍ତୁ ଆମେ ଆସିଗଲୁ ।

 

ନିଆଁ ପ୍ରାୟ ନିଭି ଯାଇଥିଲା । କିଛି ପାଣି ଛିଞ୍ଚାବି ଖାଇଥିବ ଚୁଲି । କେତେଗୁଡ଼ାଏ ଝୁଲକୁ ଏକାଠି କରି ଉପରକୁ କେତେଗୁଡ଼ାଏ ଛୋଟ ଛୋଟ ଦରପୋଡ଼ା କୋଇଲା ଠୁଳାଇ ଦେଲା ଏବଂ ଆଉ କିଛି ନପାଇ କାଗଜ ଠୁଙ୍ଗା ଗୋଟାକରେ ବିଞ୍ଚାବିଞ୍ଚି ଆରମ୍ଭ କଲା । ଗୁଡ଼ାଏ ପାଉଁଶ ଏଣେତେଣେ ଉଠି ଆମ ଚୂଳ ମୁହଁରେ ପଡ଼ି ଆମ ଚେହେରାକୁ ଭୌତିକ କରିଦେଲା, ନହେଲେ ଆମର ଛୋଟ ସାଙ୍ଗ ଦୁଇଜଣ ପରସ୍ପରକୁ ଆଖି ଠାରି ଏମିତି ମୁରୁକି ମୁରୁକି ହସନ୍ତେ କାହିଁକି ?

 

ଚୁପ୍‌ଚାପ୍‌ ହୋଇ ଚା’ ପ୍ରସ୍ତୁତ କ୍ରିୟା ଅନୁଧ୍ୟାନ କରୁଥାଉଁ । ଚା’ ପାଇଁ ନିଆଁ, ଆମ ପାଇଁ ଚା’; ନିଆଁ ନାହିଁ ତ ଚା’ ନାହିଁ, ଚା’ ନାହିଁ ତ ଆମେ ନାହୁଁ । ଗୋଟାକ ପରେ ଗୋଟିଏ ହାଇ ଆସୁଥାଏ-। ଯାହା ଜଣାଗଲା ନିଆଁ ଜଳିବ ନାହିଁ, ଚା’ ହବ ନାହିଁ ଗାଡ଼ି ଆସିଯିବ । ସବୁ ଜିନିଷ ଥାଇବି ନିଆଁ ଅଭାବରେ ସବୁ ପଣ୍ଡ ପଙ୍ଗୁ ସିନା ।

 

ଦଣ୍ଡେ ଅପେକ୍ଷା କରି ଦେଖିଲି ବିଶେଷ କିଛି ଉନ୍ନତି ହଉନି । ମୁଁ ରାଗ ଅଭିମାନ ମିଶା ସ୍ଵରରେ କହିଦେଲି, ଥାଉ, ନିଆଁ ଜଳିବ ନାହିଁ, ଚା’ ହବ ନାହିଁ, ଗାଡ଼ି ଆସିଯିବ । ମା ଛୁଆଙ୍କୁ ସ୍ତ୍ରୀ ସ୍ଵାମୀଙ୍କୁ ଆଶ୍ଵାସନା ଦବା କଣ୍ଠରେ କହିଲା, ‘‘କାହିଁକି ବ୍ୟସ୍ତ ହେଉଛ, ଦେଖନା ମୁଁ ଠିକ୍‌ ସମୟରେ ଚା’ କରି ଦଉଛି କି ନାହିଁ, ତୁମେ ଅଧୈର୍ଯ୍ୟ ହେଉଛ କାହିଁକି ? ରେଳ ଆସିବା ପୂର୍ବରୁ ତୁମେ ଚା’ ଖାଇଲେ ତ ହେଲା ।’’ ଏତକ କହୁଁ କହୁଁ ଡିବିରିରୁ କିରାସିନିତକ ଢାଳି ଦେଇ ଦିଆସିଲି କାଠି ମାରି ଦେଲା । ହୁତୁହୁତୁ ହୋଇ ନିଆଁ ଜଳିବାମାତ୍ରେ ଘର ଭିତରଟା କିରାସିନି, କିରାସିନି ଧୂଆଁ ଓ ମହମବତିର ବାସନା ମିଶି ଗୋଟାଏ କଡ଼ା ମିଠା ଗନ୍ଧ ଘୋଟିଗଲା । ନିଆଁର ତରାସରେ ଘରଯାକ ଉଜ୍ଜ୍ୱଳ ଦିଶିଲା ।

 

ଭଲ କରି ନିଆଁ ଧରିଲା ଜାଣି ସେ ସଅଶ୍‌ପେନ୍‌କୁ ଭଲ କରି ଧୋଇ ପଖାଳି ପାଣି ବସାଇଲା । ଆମେ ଦେଖୁଥାଉଁ କିମିତି ହାତ ମାରିଲାମାତ୍ରେ ସବୁ ଜିନିଷ ଉଜ୍ଜ୍ୱଳ ହୋଇ ଯାଉଛି ଯିମିତି ତା’ ହାତରୁ ଭିମ୍ ବା ସଫ ବାହାରୁଛି । ଆମେ ଟିକିଏ ଅତିଷ୍ଠ ହେବାର ଅନୁମାନ କରି ପଚାରିଲୁ, ‘ପାନ ଖାଆନ୍ତି ? ଭାଙ୍ଗି ଦେବି ? ସାଦା ନା କଡ଼ା ?’

 

‘‘ବିଡ଼ିଆ । ଚା’ ପରେ ଧୂଆଁ ତା’ପରେ ପାନ ।’’

 

ଗୁଆ ଭାଙ୍ଗି ସାରିଲା ବେଳକୁ ପାଣି ସିଁ ସିଁ କଲା । ପାନଭଙ୍ଗା ସେତିକିରୁ ବନ୍ଦ କରି ଗରମ ପାଣିରେ ଗ୍ଳାସ ଦୁଇଟାକୁ ଧୋଇ ରଖିଦେଲା ଏବଂ ସଅଶ୍‌ପେନରେ ଚା’ ପକାଇ ଚା’ କରିବାକୁ ଆରମ୍ଭ କଲା । ଏଥର ପୂରା ଆଶା ହେଲା ଚା’ ମିଳିବ । ସୁଗନ୍ଧଶୃଙ୍ଗାର ଅଗରବତୀରେ ଘରଭିତର ସୁବାସିତ ହେଲା ପରି ଚା’ ବାସନାରେ କୁକୁଡ଼ା, କୋଇଲା, ପୋଡ଼ାମହମ ଯାହା କିଛି ଦୁର୍ଗନ୍ଧ ଦୂର ହୋଇଗଲା । ଗୋଟାଏ ଚା’ର ଦୁନିଆରେ ଆମର ଅବସ୍ଥିତି ଭାବିନେଲୁଁ ।

 

ଏତିକିବେଳେ ପ୍ରଦୀପ ଏତେ ଜୋର୍‍ରେ ଗୋଟାକୁ ଗୋଟା ଛିଙ୍କିଲା ଯେ, ଆମ ପାଖ ପିଲା ଦିଟା ଇମିତି କି କୁକୁଡ଼ାବି ଚମକି ପଡ଼ିଲେ । ଆଉ ଥରେ ଦି ଥରେ ସେ ଛିଙ୍କ ଆସିଲେ ତା’ର ହାର୍ଟଫେଲ ହେବାରବି ମୋର ଆଶଙ୍କା ହେଲା । ମୋର ତଣ୍ଟିଟାବି ଖୁବ୍‌ ଗରଗର ସରସର ହେଉଥାଏ । ମୋରବି ଛିଙ୍କ ଆଗତ ପ୍ରାୟ ।

 

ଦୁଇଜଣ ଯାକ ଏକାବେଳେ କହି ପକାଇଲୁଁ ‘ଅଦା ଥିବ ?’ ଏ ପାଗକୁ ଏ ଥଣ୍ଡାକୁ ଅଦାଦିଆ ଚା’ ବଢ଼ିଆ ହୁଅନ୍ତା । ଅଛି ? ସର୍ଦ୍ଦି ଭାବଟା ଏକାବେଳେ କଟି ଯାଆନ୍ତା ।’

 

ପୁଣି ସେଇ ଅନିଶ୍ଚିତ ‘ଦେଖେଁ’ ଶବ୍ଦ କହି ଜାଳି, ପାଛିଆ, ଡବା ଡାଲା ଖୋଜା ଖୋଜି କଲା । ତରବରରେ ଗୋଡ଼ି ସାରୁଖଣ୍ଡିକୁ ଅଦା ବୋଲି ଠଉରାଇ ମୁହୂର୍ତ୍ତେ ଖୁସି ହୋଇଥିଲା । ‘ଅଛି ଟିକିଏ’–ଏତିକି ଉତ୍ତର ଏଥର ଆସିଲା ନାହିଁ ।

 

ଜୀବନ ସଞ୍ଚାରୀ ଔଷଧଟିଏ ବଜାରରେ ନ ମିଳିଲେ ଆତ୍ମୀୟ ସ୍ଵଜନ ଯେପରି ବିମର୍ଷ ଓ ବ୍ୟଥିତ ହୁଅନ୍ତି ସାମାନ୍ୟ ଅଦା ଟିକକ ନ ପାଇ ସେ ସେହିପରି ମର୍ମାହତ ହେଲା । ତା’ର ଆତ୍ମା କାନ୍ଦି ଉଠିଲା । ସବୁ ଦିନ ଥାଏ, ଆଜି ନାହିଁ । ଅଦା ସେ ନିଶ୍ଚୟ ଆଣିବେ । ହେଲେ ଦରକାର ବେଳ ଗଡ଼ିଗଲେ ଶଗଡ଼ ଶଗଡ଼ ଅଦାରେ ବା କି କାମ । କି କପାଳ ! ସାମାନ୍ୟ ଟିକିଏ ଅଦା ।

 

‘‘ଟୁନା କୁନା ! ଧାଇଁଯାଅ ତ ମଉସା ଘରୁ ଟିକେ ଅଦା ମାଗିଆଣ ।” ଆମେ ମନା କରୁଛୁ, ବିନା ଅଦାରେ ଚା’ ଖାଇହବ କହୁଛୁ । ଛୁଆ ମାଆ କେହି ଶୁଣିଲେ ନାହିଁ । ବର୍ଷାରେ ଭିଜି ତିନ୍ତି ଦିହେଁ ଫେରି ଆସିଲେ କହିଲେ, ଦୋକାନ ବନ୍ଦ, ଯେତେ ଡାକିଲେ ଧଡ଼ ଧଡ଼ କଲେବି କେହି ଶୁଣିଲେ ନାହିଁ । ଛିଣ୍ଡା ଛତାଟା ଦେଇ ବଡ଼ ଛୁଆକୁ ଷ୍ଟେସନ ଷ୍ଟଲକୁ ପଠାଇଲା । ସେଠିବି ଅଦା ନାହିଁ ।

 

‘ଥାଉ ଥାଉ ନ ହେଲା ନାହିଁ, ଆଉ ବ୍ୟସ୍ତ ହୁଅନି ଆମପାଇଁ । ବିନା ଅଦାରେ କ’ଣ...’

 

ମୋ କଥାକୁ ପୂରଣ କରି ସେ କହିଲା, ‘ଠିକ୍‌ କଥା କହିଛ । ଅଦା ନ ହେଲେ କ’ଣ ଭଲ ଚା’ ହବ ନାହିଁ ? ତୁମେ ଆଗ ଚା’ ଚାଖ, ଖାଅ, ତା’ପରେ କହିବ । ସବୁ ଚିଜ ତ ନାହିଁ, ନ ହେଲେ ଦେଖିଥାନ୍ତ ବିନା ଅଦାରେବି କିମିତି ସର୍ଦ୍ଦି କୁଆଡ଼େ ଉଡ଼ି ଯାଇଥାନ୍ତା ।

 

ଗିଲାସ ସଫା କରିବା, ଚା’ ପକାଇବା, ହଲାଇ ହଲାଇ ଚା’ ଉତୁରାଇବା, ଚା’ ଢାଳିବା ସବୁ କାମରେ ଥିଲା ତା’ର ଆଗ୍ରହ, ନିଷ୍ଠା, ଆନ୍ତରିକତା, ଧୈର୍ଯ୍ୟ ଓ ସର୍ବୋପରି ପରିଷ୍କାର ପରିଚ୍ଛନ୍ନତା–ଏକ କଥାରେ କବିତା ।

 

ହେଇ ଦେଖ, ଚା’ ହୋଇଗଲା । କହୁ କହୁ ସେ ଦୁଇଟା ଗ୍ଳାସରେ (ହଳଦିଆ ହାତର ଲମ୍ବା ଲମ୍ବା ଆଙ୍ଗୁଳି ସ୍ପର୍ଶ କାଉଁରୀ କାଠି ପରି କାମ କରି ସଫେଦ କରି ଦେଇଥିଲା) ଢାଳିଲା । ଦୁଧ ଉଷୁମ କରି ନେଇଥାଏ । ଚିନି ପକାଇବା ପୂର୍ବରୁ ପଚାରିଲା ବେଶି ମିଠା ନା କମ୍‌ ? ଆମ ଉତ୍ତରକୁ ଅପେକ୍ଷା ନ କରି ଛୋଟ ଚାମଚରେ ଖଟ୍ ଖଟ୍‌ କରି ଚାଲିଲା । ଓସ୍ତାଦକୁ ଠୁଂରି ପରି ସେ ଶବ୍ଦ ଆମକୁ ଶ୍ରୁତିପ୍ରିୟ ହେଉଥାଏ ।

 

ସେକେଣ୍ଡ ବେଲ୍‌ ହେଲା । ଠଙ୍ଗ୍‌ ଠଙ୍ଗ୍‌ ।

 

‘‘ତୁମେ ଡରନି । ଦୁଇଟା ଟେସନ ଆଗରେ ରେଳ ଅଛି । ତୁମେ ତିନି ତିନି ଗ୍ଳାସ ଖାଇଲେବି ରେଳ ଆସିବନି । ତର ତର ହୁଅନି, ଆରମରେ ଖାଅ ।” କ’ଣ ଭାବିଲା କେଜାଣି, ପୁଣି କହିଲା, ‘ମୁଢ଼ି ମୁଠେ ଦେବି, କାଲି ଭାଜିଥିଲି ।’

 

‘‘ମନ୍ଦ ହବନି ।” କହି ସାରିଛୁ ନ ସାରିଛୁ ମୁଠାଏ ମୁଢ଼ି ମୋ ମୁହଁ ଆଗରେ ଧଇଲା । ଆପେ ଆପେ ପାଟି ଯିମିତି ଆଁ ହୋଇଛି ଅଧ ମୁଠିଏ ମୁଢ଼ି ମୋ ପାଟିରେ ପୂରାଇ ବାକି ଅଧକ ପ୍ରଦୀପର ଆଁ ମୁହଁରେ ଭରିଦେଲା । ବଣି ଚଢ଼େଇ ଏମିତି ବାଣ୍ଟିକୁଣ୍ଟି ତା’ର ଦୁଇ ଭୋଖା ଛୁଆଙ୍କୁ ଆଧାର ଦିଏ ।

 

ଚା’ ପିଇ ଚାଲିଛୁଁ, ସମୁଦ୍ର ମନ୍ଥନ ପରେ ଦୁଇ ଦେବତା ପଥରରେ ବସି ଅମୃତ ପିଉଥିଲା ପରି । ଧୀରେ ଧୀରେ ଦିହ ଉଷୁମ ହେଉଛି । ସରିଯିବ ବୋଲି ଚୁମୁକେ ପିଉଛୁ । ପ୍ରତିଥର ‘‘ଓଃ ! କି ବଢ଼ିଆ ! କି ବାସନା ! କି ଆରମ !” କହୁଥାଉଁ ।

 

‘ତୁମେ ଆଉ ପ୍ରଶଂସା କରନି । ମୋର ଆଗରେ ମୋର ପ୍ରଶଂସା !’

 

ଚା’ ଖିଆ ସରିଲା । ଚା’ ଗୁଣ୍ଡ ବା ଚିନିଦାନା ଆଦୌ ନଥିଲା ଶେଷକୁ । ଶେଷ ଟୋପା (ତଳି, ମହାବଳୀ) ଶୋଷି ନେବା ପରେ ଗ୍ଳାସଟାକୁ ଛାଡ଼ିବାକୁ ଜମା ଇଚ୍ଛା ହେଲାନି । ଥନ ବେଣ୍ଟିଟାକୁ ମାଆ ମୁହଁରୁ ଟାଣି ନେଲେ ଦୁଧ ଖାଉଥିବା ଛୁଆ ଯିମିତି ବେଣ୍ଟିଟାକୁ ଜୋର୍‍ରେ ମାଢ଼ିରେ ଜାବୁଡ଼ି ଧରେ ଆମରବି ସିମିତି ଇଚ୍ଛା ହେଉଥାଏ । ଗିଲାସଗୁଡ଼ାକ ଆମ ହାତରୁ ସେ ନେଇଗଲାବେଳେ କଅଁଳ ପିଲା ପରି ଭେଁ ଭେଁ କରିବାକୁ ଇଚ୍ଛା ହେଉଥାଏ । ପାନଖିଲ ଦୁଇଟାରେ କେଉଁଠି ଖୋଜା ଖୋଜି କରି ଦୁଇଟା ଲବଙ୍ଗ ଆଣି ମାରିଦେଲା ଏବଂ ଆମ ହାତରେ ଗୁଞ୍ଜି ଦେଇ ଆମ ଆଡ଼କୁ ଚାହିଁ ରହିଲା । ଖୁବ୍‌ କରୁଣ ସ୍ଵରରେ କହିଲା, ‘‘ଅଦା ଟିକେ ଦେଇ ପାରିଲି ନାହିଁ, ଅବଶୋଷ ରହିଗଲା । ଦେଖିଥାନ୍ତେ କିମିତି ଅଲଗା ଟେସ ଆସିଥାନ୍ତା । ଗଲେ ତ ଆସିଲେ ନାହିଁ, କ’ଣ କରିବି ? ଆଉ ଦିନେ ଆସିବ, ଅଦା ଦିଆ ଚା’ ଦେବି ।”

 

ମୁଁ ପଚାରିଲି ‘କେତେ ପଇସା ?’ କେଡ଼େ ଖରାପ ପ୍ରଶ୍ନ । ମୁଁ ଜାଣୁଛି ପଇସା ଦେଇ ଏମିତି ଚା’ କିଣି ହୁଏନି ବା ମା ବା ସ୍ତ୍ରୀର ଋଣ କେଉଁ ପୁଅ ବା ସ୍ଵାମୀ ଶୁଝି ପାରନ୍ତି ନାହିଁ । ତଥାପି ପଚାରିଲି । ନ ପଚାରିଲେ କଥା ଅନ୍ୟ ଆଡ଼େ ଯିବ ।

 

ସିଧା ମୋ ଆଖିକୁ ଚାହିଁ ସେ କହିଲା, ‘‘ପନ୍ଦର ପଇସା ।’’

 

ମୁଁ ଟଙ୍କାଟିଏ ଦେଇ କହିଲି, ‘‘ନିଅ ତୁମର ଚା’ ଆଉ ପାନର ପଇସା ।’’

 

‘‘ଏତେ ପଇସା ମୁଁ କାହିଁକି ନେବି ? ଚାଲୁ ଚା’ ଦେଇଛି । ତିରିଶ ପଇସା । ପାନ ପଇସା ଛାଡ଼ । ଆମ ଘରକୁ ବୁଲି ଆସିଥିଲେ କ’ଣ...ଇସ୍‌ପେଶାଲ ଚା’ ଦେଇଥିଲେ ଅଲଗା କଥା-। ତୁମକୁ ପଇସା ଦବା ସହଜ, ମୋତେ ନବାକୁ କଷ୍ଟ ।’’

 

ସେ ଭିତରକୁ ଗଲା । କେଉଁ ଅଦୃଶ୍ୟମାନ ଭଙ୍ଗା ବାକ୍‌ସରୁ ଖୁଚୁରା ପଇସା ସ୍ତିମିତ ଆଲୋକରେ ଗଣା ଗୁନ୍ଥା କରି ସେ ମୋତେ ଦେବାର ଅନ୍ତର୍ବର୍ତ୍ତୀ କାଳରେ ମୁଁ କହିଲି, ‘ପ୍ରଦୀପ ! ମୁଁ ସବୁଠାରୁ ଦାମିକା ପତ୍ର ଚା’ ଖାଏଁ, ଖାଣ୍ଟି ଘରୁଆ ଦୁଧରେ, ମୋର କପ୍‌ ପ୍ଳେଟବି ଖୁବ୍‌ ଦାମିକା, ଧାରଗୁଡ଼ାକ ସୁନେଲି ରଙ୍ଗର । ସୁନା ଚୁଡ଼ି ପିନ୍ଧା ହାତରେ ମୋ ସ୍ତ୍ରୀ ସେଇ ଚା’ ମୋତେ ଦିଏ । ତାହାବି ଏତେ ବଢ଼ିଆ ଲାଗୁ ନଥିଲା । ଅଦା ନ ଦେଇ କ’ଣ ଦେଇଥିଲା କେଜାଣି ମୋ କାଶ କଫ ତଣ୍ଟି ସବୁ ସରଳ ତରଳ ହୋଇଗଲା ।’ ପ୍ରଦୀପ କହିଲା, ‘ମୋ ମାଆବି ସାଇପଡ଼ିଶାଙ୍କ ଭିତରେ ଅଦ୍ଵିତୀୟା ଥିଲେ ଚା’ କରିବାରେ । ହେଲେ ସେ ବି ଏମିତି ଚା’ କେବେ ମୋତେ ଦେଇ ନଥିଲେ । ମୋର ସର୍ଦ୍ଦି ଏକାବେଳକେ ଉଭେଇ ଗଲା । ସତରେ ସାର୍‌ ସେ କ’ଣ ଦେଇଥିଲା ଚା’ରେ !’

 

ଥାର୍ଡ଼ ବେଲ୍‌ କେତେବେଳେ ବାଜିଲା ଜାଣିପାରିଲୁ ନାହିଁ । ଗାଡ଼ିର କାନଫଟା ଶବ୍ଦ ଶୁଣି ପ୍ରସ୍ତୁତ ହେଲୁ କୁଡ଼ିଆରୁ ବାହାରିବାକୁ । କେତେ ପଇସା ସେ ହାତରେ ଗୁଞ୍ଜି ଦେଇଥିଲା କେବେ ଜାଣିବାର ଚେଷ୍ଟା କରି ନାହିଁ ।

 

ଭୋଖା ଦରମଲା ପିଲା ପେଟେ ପେଟେ ଉଷୁମ ଦୁଧ ମାଆଠୁଁ ପିଇ ନୂଆ ଜୀବନ ପାଇ ଯିମିତି ଡେଇଁ ଡେଇଁ ଖେଳିବାକୁ ବାହାରି ଯାଏଁ ଆମେ ଦୁହେଁ ସିମିତି ଦଉଡ଼ି ଦଉଡ଼ି କୁଦା ମାରି ଟ୍ରେନରେ ଚଢ଼ିଲୁ । ଆମର ଦିହ ଉଷୁମ । ବର୍ଷା ବତାସିର ଯନ୍ତ୍ରଣା କୁଆଡ଼େ ଉଭେଇ ଯାଇଥାଏ ।

Image

 

Unknown

ଭଡ଼ା

 

ସିକ୍‌ସ ଅପ୍‌ ହାଓଡ଼ା-ପୁରୀ ପାସେଞ୍ଜରରୁ ସକାଳ ସାତୁଟା ପନ୍ଦରରେ ଓହ୍ଲାଇ ଦେଖିଲେ ରିକ୍ସା ନାହିଁ କହିଲେ ଚଳେ । ଯେଉଁ ଦୁଇ ଚାରିଟା ଥିଲା ସେଗୁଡ଼ାକ ଭଙ୍ଗା ଦଦରା; ସିଟ୍‍ଗୁଡ଼ାକରୁ ଚୋପା ଛାଡ଼ି ନଡ଼ିଆକତା ବାହାରି ରହିଛି; ଟାର୍‍ପଲିନ୍ ଛିଡ଼ି ଉପର ଛାତ ଗୋରୁ କଙ୍କାଳ ପରି ଦିଶୁଛି । ପୁଣି ବରଫ ଦିଆ ସମୁଦ୍ର ମାଛ ଟାଣୁଥିବାରୁ ଉତ୍କଟ ଗନ୍ଧ ବାହାରୁଛି ।

ଏ ଷ୍ଟେସନରେ କୁଲି ନ ଥାନ୍ତି । ରିକ୍‌ସାବାଲାଏ ଯାତ୍ରୀଙ୍କ ସାମାନ୍ ନବାଆଣିବା କରନ୍ତି-। ବୋଝଟା ପାଇଗଲାମାତ୍ରେ ବୋଝର ମାଲିକବି ଆୟତ୍ତକୁ ଆସିଗଲା । ଅଧିକାଂଶ ମଫସଲ ପାସେଞ୍ଜର । ବୋଝ ସହିତ ପିଲାକବିଲା ପାଞ୍ଚ ଛଅ ଜଣ ଏକାବେଳକେ ବସିଯାନ୍ତି । ଓଜର ଆପତ୍ତି ନାହିଁ ବରଂ ଗର୍ବିତ ଯେ ରିକ୍ସା ଚଢ଼ିଛନ୍ତି । ବେଶି ପଇସାବି ଦିଅନ୍ତି । ମୋତେ କିଏ ଚାହିଁବ-? ମୋର ତ ସାମାନ୍‌–ପାନଝୁଡ଼ି, ଶୁଖୁଆ ବା କଲିକତୀ ଟ୍ରଙ୍କ୍‌, ଚୂନାଚାଲୁଣି–ନାହିଁ; ମୁଁ ଏକୁଟିଆ ପୁଣି ଚାକିରିଆ ।

ପୁଣି ଏତେ ସକାଳେ କିଏ ବା ରେଳଗାଡ଼ିକି ଅନାଇ ଷ୍ଟେସନରେ ବସିଥିବ ଯାତ୍ରୀ ଆଶାରେ ? ପୁଣି ନୂଆ କରି ଥଣ୍ଡା ପଡ଼ିଛି, ଏକାବେଳକେ ପୂରା ପାୱାରରେ । ଦିହହାତ ଓଠ ଥରାଇ ଦେଉଛି ।

ଫର୍ଲଂ ଦୂରରେ ବସ୍‌ ଷ୍ଟାଣ୍ଡ୍‌ । ସେଠି ବା ମିଳିପାରେ । ଚା’ ଦୋକାନ ଆଗରେ ରିକ୍ସା ଉପରେ ସକାଳିଆ ଖରାରେ ରଜା ପରି ବସି ରିକ୍ସାବାଲାଏ ଚା’ ଖାଇ ଉଷୁମ ଟାଣୁଥିବେ । ରେଲ ହୁଇସିଲ୍‌ ବାଜୁ, ଯିବା ଭାବୁଥିବେ । ହେଲେ ଚା’ କପ୍‌ ସରିଛି କି ନାହିଁ ଏକାବେଳେ ରେଳ, ସକାଳିଆ ରାଜଧାନୀ ବାସ୍ ଆସିଗଲେ । ତେଣୁ ଷ୍ଟେସନରେ ଯିମିତି ରିକ୍ସା ଅଭାବ, ଏଠି ଷ୍ଟାଣ୍ଡରେବି ସିମିତି । ଅଗତ୍ୟା ଚାଲିବାକୁ ଆରମ୍ଭ କଲି ଜାତୀୟରାଜପଥ ଆଡ଼କୁ । ଖଣ୍ଡେ ଦୂର ଯାଇଛି କି ନାହିଁ ଦେଖିଲି ଦୂରରେ ରିକ୍ସାଟାଏ ଆସୁଛି । ଆଣ୍ଠୁ ତଳକୁ ଛାଡ଼ି ବାକି ଦେହ ଆବୃତ । ମୁଣ୍ଡଟାକୁ ଚାଦର ଦେଇ ଢାଙ୍କିଛି । ରିକ୍ସା ଓ ରିକ୍ସାବାଲା ଦେଖିଦେଲାମାତ୍ରେ ଜାଣିପାରିଲି ଉଭୟେ ସମକାଳୀନ ।

‘‘ଯିବୁ ନା ? କଲେଜକୁ ?

‘‘କଲେଜ୍ ? ଯିବା ।’’

ଚଢ଼ିଗଲି । କାଳେ ପରେ କଲେଜ୍ ଭିତରେ ପିଲାପିଲିଙ୍କ ସାମନାରେ ଝଗଡ଼ାଝାଟି ବାକ୍‌ବିତଣ୍ଡା ହେବ ସେଥିପାଇଁ ଭଡ଼ାଟା ଠିକ୍‌ କରି ନେବା ଉଦ୍ଦେଶ୍ୟରେ ରୋକ୍‌ଠୋକ୍‌ କହିଲି, ‘‘ବାରଣା ଦେବି’’ (ପଞ୍ଚସ୍ତରି ପଇସା ଯୁଗର ସେ ନୁହେଁ କି ମୁଁ ନୁହେଁ) ।

‘‘ନା ସାହେବ ଟଙ୍କାଏ ରେଟ୍‌ ।

‘‘ଟଙ୍କାଏ ରେଟ୍‌ ? କିଏ ବାନ୍ଧିଛି ? ମୁଁ ତ ତିନିମାସ ହେଲାଣି ବାରଣା ଦେଉଛି, ପଇସାଟିଏ ବେଶି ନୁହେଁ । ତୋପାଇଁ କ’ଣ ନୂଆ ରେଟ୍‌ ?’’

କିଛି ଆଉ ସେ କହିଲା ନାହିଁ । ପାଟିରୁ ଧୂଆଁ ସହିତ କେତୁଟା କଥା ବାହାରିବାର ଦେଖିଲି । ଶୁଣିଲି ‘‘ନସିବ୍‌ ମାଲିକ, ଖୋଦା ବଡ଼ଲୋକ; ଆମେ ଗରିବ ।’’

କେବଳ ଗୋଟିଏ ତିରିଶ ୱାଟ ବଲ୍‌ବଟିଏ ଜଳୁଥିଲେ ଆମ ଘରର ଇଲେକ୍‌ଟ୍ରିକ ମିଟର ଯିମିତି ଧୀରେ ଚାଲେ ସେମିତି ଗତିରେ ରିକ୍ସା ଚକ ଦୁଇଟା ଚାଲୁଥାଏ । ଚୁପ୍‌ଚାପ୍‌, କଥାବାର୍ତ୍ତା ନାହିଁ । ମୁଣ୍ଡର ଓଢ଼ଣାକୁ ଟାଣିଟୁଣି କାନଦୁଇଟା ବନ୍ଦ କରୁଥାଏ ସେ ଥରକୁ ଥର । ମଝିରେ ମଝିରେ ଦୁଇ ଆଙ୍ଗୁଳିରେ ନାକରୁ ପାଣି ପୋଛି ସାବଧାନରେ ଛିଟିକେଇ ଦେଉଥାଏ ।

କହିଲି, ସାତୁଟା ପଚାଶରେ କ୍ଳାସ । ଟିକିଏ ଶୀଘ୍ର ଚାଲ୍‌ । ଜବାବ ନାହିଁ । ତିରିଶ ୱାଟ୍‌ ବଲ୍‌ବ ସ୍ଥାନରେ ଚାଳିଶ ୱାଟ୍‌ ଖଞ୍ଜା ହେଲା ବୋଧହୁଏ ।

ସାମନାରେ ପାଞ୍ଚ ନମ୍ବର ରାଜପଥ । ଉଠାଣି । ଚା’ ନ ଖାଇଥିଲେ ଜୁଆଣ ସାନ୍ତାଳ ରିକ୍ସାବାଲାବି ପେଡ଼ଲ କରି ଉଠି ପାରନ୍ତି ନାହିଁ ସଡ଼କକୁ । ମୋ ରିକ୍ସାବାଲା ବୁଢ଼ା, ପ୍ରାୟ ଅଥର୍ବ । ଆଶ୍ଚର୍ଯ୍ୟ, ଧତଡ଼ା ରିକ୍ସାଟାକୁ ମୋ ସହିତ ଅକ୍ଳେଶରେ ଉଠାଇ ନେଲା । ବୁଲି ପଡ଼ି ସିଧା କଲେଜ ମୁହାଁ ପିଚୁ ରାସ୍ତା ଧଇଲା ।

 

ନୀଳଗିରିର ସ୍ଵର୍ଣଚୂଡ଼ ପାହାଡ଼ ପଟୁ ପଛୁଆ ପବନ ସାଇଁ ସାଇଁ ହୋଇ ଖୋଲା କାକରଭିଜା ବନପ୍ରାନ୍ତରରୁ ବହୁଥାଏ । ଗୋଡ଼ରୁ ମୁଣ୍ଡ ଯାକେ ପଶମର ମୂଲ୍ୟବାନ୍ ପରିଚ୍ଛଦ ପିନ୍ଧିଥିଲେବି ମୋର ଛାତିଟା ହାଉଲ ମାଉଲ ହେଉଥାଏ ।

 

ରିକ୍ସାବାଲା ପିନ୍ଧିଛି ତାଳିପକା କନା ପଞ୍ଜାବି, ଉପରେ ଛିଣ୍ଡା ଜବାହର ଫତୁଆଟି କେତେବେଳେ କିମିତି ଦିଶୁଛି, ବୋତାମ ନାହିଁ । ପଞ୍ଜାବି ତଳକୁ ଲୁଗା ପେଣ୍ଟ ଅଛି କି ନାହିଁ ଜାଣି ହଉନି । ମୁହଁଟା କେତେବେଳେ କେତେବେଳେ ମୌଲାନା ଭାସାନିଙ୍କ ମୁହଁ ପରି ନହେଲେ ବିନୋବାଜୀଙ୍କ ମୁହଁ ପରି ଦିଶୁଛି ।

 

ବାରଣା ପଇସା । ବୁଢ଼ା ରିକ୍ସାବାଲା ଚାଲିଛି କଲେଜ ଆଡ଼କୁ । ଦୁଇ ଫର୍ଲଂ ରାସ୍ତା । ସାତୁଟା ପଚାଶରେ କ୍ଳାସ ।

 

ବୁଢ଼ା ଗଳାରୁ ସକାଳୁ ସକାଳୁ କଥାଗୁଡ଼ାକ ଓଲଟା ପବନରେ ଅନ୍ୟ ଆଡ଼କୁ ଭାସି ଯାଉଥିଲେବି ମୁଁ ଶୁଣିଲି ବୁଢ଼ା ଆପେ ଆପେ କହି ଚାଲିଛି–

 

ଡବଲ କୁକୁଡ଼ା ଅଣ୍ଡାର ଆମଲେଟ୍, ଚିକେନ୍ କରି, ବାସନା ଭୋଗ (ବାଦଶା ଭୋଗ-?) ଚାଉଳର ପଲାଉ ଗାୱାଘିଅର ପରେଟା–‘‘ଏଗୁଡ଼ା କ’ଣ? ଖାଇବାକୁ ଇଚ୍ଛା ହେଉଛି ?’‘ ପଚାରିଲି ।

 

ମୋ କଥାରେ ଉତ୍ତର ନ ଦେଇ ସେ କହି ଚାଲିଲା ‘‘ଏଇ ସବୁ ଚିଜ ଖାଇବ ବୋଲି ଥଣ୍ଡା ଖୋଜୁଥିଲୁ ପରା ! ଏଥର ତ ହାଡ଼ଭଙ୍ଗା ଶୀତ ପଡ଼ିଲା, ଖାଆ କେତେ ଖାଇବୁ ! ପେଟକୁ ଉଷୁମ ଖୋଜୁଥିଲୁ ପରା ?

 

କେଉଁ କାଳ୍ପନିକ ଅଦୃଶ୍ୟମାନ ଜୀବକୁ ଲକ୍ଷ୍ୟ କରି ସେ ଏସବୁ ସମ୍ବୋଧନ କରୁଥିଲା କେଜାଣି ମୁଁ ଖାଲି ଏତକ ବୁଝିଲି ଯେ ହଠାତ୍ ପଡ଼ିଥିବା ଟାଣୁଆ ଶୀତକୁ ସେ ଭଲ ଆଖିରେ ଦେଖୁନାହିଁ ।

 

ପଚାରିଲି, ଏସବୁ କିଏ ଖାଇବ ? ଥଣ୍ଡା କିଏ ଖୋଜୁଥିଲା ? କାହିଁକି ଏ ସବୁ ଖାଇବା ଜିନିଷ କଥା କହୁଛୁ ?

 

‘‘ଆପ୍, ସମଜଦାର ଆଦ୍‌ମି । ମୁଁ ସାର୍‌ ଆପଣଙ୍କୁ ଏ ସବୁ ବୁଝେଇ ପାରିବି ? ବଡ଼ ବଡ଼ ଲୋକଙ୍କ କଥା, ବଡ଼ା ଆଦ୍‌ମିଙ୍କ କଥା କହୁଥିଲି ।’’

 

ନିଜକୁ ଅଭିଯୁକ୍ତ ଆସାମୀ ଭାବି ସଫେଇ ଦେଇ କହିଲି, ‘‘ରିକ୍ସାବାଲା, ମୁଁ ଏ ସବୁ ଚିଜ ଖାଏ ନାହିଁ, ଏ ସବୁ ମୋ ଦିହରେ ଯାଏଁ ନାହିଁ, ମୁଁ ପପେୟା ପାଳୁଅ ଖାଇ ବଞ୍ଚେ । ମୋ ଦିହକୁ କିଛି ଉଷୁମ ଚିଜ ଆଉ ଆଣି ପାରିବ ନାହିଁ ।

 

ସାବ୍‌ ଏ ଗୋଟିଏ କିସମର ବଡ଼ଲୋକ । ଆହୁରି ଦଳେ ବଡ଼ଲୋକ ଅଛନ୍ତି ଯେଉଁମାନଙ୍କ ସାଙ୍ଗରେ ବସିବ, ତାଙ୍କ କଥା ଶୁଣିବ, ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବ । ମୁଁ ସେଇମାନଙ୍କୁ ବଡ଼ ଲୋକ କୁହେଁ; ପଲାଉଖିଆଙ୍କୁ ନୁହେଁ ।

 

କଥାଟା ଟିକିଏ ଲଘୁ କରିଦେବା ପାଇଁ ପଚାରିଲି, ‘‘ଏ ସବୁ ଜିନିଷ ତିଆରି କରି ଆସେ-?’’

 

ସେ କହିଲା, ‘‘ସବୁ ଆସେ । ମୁଁ କଲିକତାରେ ସାହେବର ବବୁର୍‍ଚି ଥିଲି । ଯବାନ କାଳଟା ମୋର କଲ୍‌କତାରେ କଟିଛି, ମେଜାଜ୍‌ ତ ମେଜାଜ୍‌ ବଡ଼ଲୋକର ମେଜାଜ୍‌ । ନସିବ୍‌ ଥିବା ଦରକାର । ସାହେବ ଖୁସି ହେଲା ତ ପକେଟରୁ ଯାହା ବାହାରିଲା ଫୋପାଡ଼ି ଦେବ ।

 

ତୁମର ନସିବ ନାହିଁ ତ କିଛି ପାଇବ ନାହିଁ । ଦେଶୀ ସାହେବ ବିଦେଶୀ ସାହେବର ଜମିନ୍‌ ଆସ୍ମାନ ଫରକ୍‌ ।’’

 

ରିକ୍ସାବାଲା ପ୍ରତି ଶ୍ରଦ୍ଧା ଚାଲିଯାଇ କ୍ରମେ ଭକ୍ତି ଆସିଲା । ତା’ର ବୟସ ଓ କଥାର ମର୍ମ ବୁଝି ମନେ ମନେ ସ୍ଥିର କଲି ବାରଣା ଜାଗାରେ ଟଙ୍କାଏ ଦେଇଦେବି । ବଡ଼ ଇଣ୍ଟାରେଷ୍ଟିଂ ଲୋକଟା-

 

ପୁଣି ଦଣ୍ଡେ ଯାଇଛି ମୁରୁମୁରୁ ହୋଇ ଅସଂଲଗ୍ନ କଥା ଆରମ୍ଭ କଲା–ଭାଇ ମୋର, ଦେଶ ମୋର, ରାଜ୍ୟ ମୋର, ଭାଇ ମୋର, ଦେଖନ୍ତୁ, ଭାଇ ମୋର ରାଜା ହେଲା ।

 

ମୁଁ କିଛି ବୁଝିଲି ନାହିଁ ।

 

ଖଣ୍ଡେ ଦୂର ଯାଇଛି ପଚାରିଲା, ‘‘ସାର୍‌, ଆପଣ ଭୋଟ ଦେଇଛ ?’’

 

ମୁଁ ‘ନା’ କହିଲି ଏବଂ ଯୋଡ଼ିଲି ‘‘ମୁଁ ଭୋଟ ଦିଏ ନାହିଁ କି ଦେବିନାହିଁ ।’’

 

‘‘ଭଲ କରିଛନ୍ତି ସାର୍‌ । ମୁଁ କିନ୍ତୁ ଭୋଟ ଦେଇଥିଲି । ମୋରି ଭାଇକି ।’’

 

‘‘କ’ଣ ହେଲା ?’’

 

‘‘ଦେଖନ୍ତୁ ସାର୍‌, ମୋରି ଦେଶ, ମୋରି ରାଜ୍ୟ, ମୋରି ଭାଇ । ମୋରି ଭାଇକି ଭୋଟ ଦେଲି । ରାଜା ହେଲା । ମୋରି ଭାଇ ରଜା ହେଲା ।’’

 

‘‘କ’ଣ ହେଲା ?

 

‘କ’ଣ ହବ ସାର୍‌ । ଭାଇ ରଜା ହେଲା । ମୋରି ଭାଇ, ମୋରି ଦେଶରେ, ମୋରି ରାଜ୍ୟରେ । କ’ଣ ହେଲା; କହୁଛନ୍ତି ସାର୍‌, ମୁଁ ଆପଣଙ୍କ ପରି ବଡ଼ଲୋକଙ୍କୁ ବସାଇଛି କ’ଣ ନା କ’ଣ ପାଟିରୁ ବାହାରି ଆସୁଛି ।

 

‘ବାହାରୁ ଯାହା ବାହାରୁଛି । ମୁଁ ସେତେ ବଡ଼ ଲୋକ ନୁହେଁ । କହିଯାଅ ।

 

‘‘କ’ଣ କହିବି ସାର୍‌ ! ମୋରି ଭାଇ ରଜା ହେଲା, ମୋରି ଭୋଟରେ ରଜା ହେଲା । ମୋତେ ଦିଅନ୍ତା କ’ଣ ଓଲଟା ଲୁଗାକାଢ଼ି... କ’ଣ କହନ୍ତି ସାର୍‌ !’’

 

‘‘କହିବା ଦରକାର ନାହିଁ । ବୁଝିଗଲି ।’’

 

‘‘ଏଇ ମୋର ଭାଇ ସାର୍‌ ! ଏ ମୋର ଭାଇ ।’’ ଭାଇକି ଖୁବ୍‌ ଚିଡ଼ି ଯାଇଥିଲା ଲୋକଟା-। ଆଉଥରେ ଯଦି କେହି ଭୋଟ ଦବାକୁ କହନ୍ତା ତେବେ ବଂଶପ୍ରାଣୀ ସହିତେ ଭାଇକୁ ଶେଷ କରି ଦିଅନ୍ତା ।

 

କ୍ରୋଧ ଓ ଭାବପ୍ରବଣତାରେ ତଣ୍ଟି ନାକ ତା’ର ସଡ଼ସଡ଼ ହେଲା ।

 

ଆଉ ଖଣ୍ଡେ ଦୂର ଯାଇଛି ତା’ର ନଜର ପଡ଼ିଲା ସଡ଼କ ଦୁଇ ପାଖରେ ଧାନଖେତ ଆଡ଼କୁ । ମନ୍ତବ୍ୟ କଲା, ‘‘ଏଇ ଦେଖନ୍ତୁ ବାବୁ ! ଏଇ ଜମିରେ ମାଣପିଛା ଛଅଛେଲା ଧାନ ଫଳିବାର ଏଇ ଆଖି ଦେଖିଛି । ଏବେ ଫଳୁଛି ତିନିଛେଲା । କାହିଁକି କହିପାରିବେ ?’’

 

ମୁଁ ଛେଲା ଫେଲା ମାପଓଜନ ବୁଝେ ନାହିଁ, କିଛି ଉତ୍ତର ଦେଲିନାହିଁ । ଭାବିଲି, ଟଲଷ୍ଟୟଙ୍କ ‘A grain as big as hen’s egg’ ଗପ ପଢ଼ାଇବାକୁ ଯାଉଛି । ପୁଞ୍ଜିବାଦ, ସାମାଜବାଦ, ରାଜନୀତି ବିଜ୍ଞାନ ପଢ଼ାଇ ସାରି କୃଷିବିଜ୍ଞାନ ବା କୃଷିତତ୍ତ୍ଵ ପଢ଼ାଇବ ।

 

ଆପେ ଆପେ ମୁହଁରୁ ମୋର ବାହାରିଲା, ‘‘କାହିଁକି ବେଶି ଫଳୁନାହିଁ ?’’

 

‘‘ଆପଣ କହନ୍ତୁ ବାବୁ ! ଭାବିକରି କହନ୍ତୁ ।’’

 

‘‘ମୁଁ ତ ଭାବୁଛି ବେଶି ଫଳନ ହେଉଛି । ସାର ପାଣି ଯନ୍ତ୍ରପାତି ବିହନ ସବୁ ମିଳୁଛି, ପ୍ରୟୋଗ ହେଉଛି, ଫଳନ ବେଶି ହେବାର କଥା ।’’

 

‘‘ସବୁ ମିଳିଲେବି ସାର୍‌ ଛଛେଲାରୁ ବେଶି ହେଉନି, ହେଲେବି ଖରଚ ଉଠୁନି । ଏ ଜିଲ୍ଲାରେ ଚାରିଟା ଚକ ଅଛି ଯେଉଁଠି ଧାନଗଛ ଲମ୍ବା ହୁଏ ଯେ ମୋଭଳି ବାଙ୍ଗରା ଲୋକ କାନ୍ଧରେ ବୋହିଲେ ଶିଷା ଭୂଇଁରେ ଘୁଷୁରିବ । ଧାନ ହେଉଥିଲା ଆଗେ, ବଢ଼ୁଥିଲା, ଫଳୁଥିଲା । ଲୋକେ କଥା କମ୍ କାମ ବେଶି କରୁଥିଲେ । ଦେଖନ୍ତୁ ବାବୁ, ଯେତେ ବେଶି ସାର, ବିହନ, ଔଷଧ ମିଳିଲେବି କାମରେ ନିଷ୍ଠା ଆଗ୍ରହ ନଥିଲେ ଠକାମିରେ ଫଳ କେଉଁଠୁ ଆସିବ ? ମେହେନତ କାହିଁ-।”

 

କଥା ବହୁତ ଗୁରୁଗମ୍ଭୀର ହେଲା, ମୋ ମୁଣ୍ଡ ଧରିଲା ପରି ଲାଗିଲା । ପଚାରିଲି ଏ ରିକ୍ସା ତୋର ନିଜର !’’

 

‘ନା ସା’ବ୍‌ ମାଲିକର ।’

 

‘କେତେ ନିଏ ?’’

 

‘ଅଢ଼େଇ ।’

 

‘କେତେ ପାଉ ?’

 

‘ହାରାହାରି ଛଅ ଟଙ୍କା’

 

‘ବାକି ସାଢ଼େ ତିନିରେ ବଂଶପ୍ରାଣୀ ପୋଷୁ ?’

 

‘ମୁଁ ଏକା ।’

 

‘ପୁଅ ?’

 

‘ଅଲଗା ।’

 

‘ସ୍ତ୍ରୀ ?’

 

‘ପୁଅ ପାଖରେ । ନାତି ନାତୁଣୀ ଖେଳାଉଛି ବୁଢ଼ୀ ।’

 

‘ବୁଢ଼ାକୁ ଦେଖିବ କିଏ ।’

 

‘ବୁଝନ୍ତୁ ସାର୍‌ ଦୁନିଆକୁ । କୋଠାବାଡ଼ି ଟଙ୍କା ଯାହାର ତା’ର ସିନା ପୁଅ । ମୋର କ’ଣ ଅଛି ଯେ ପୁଅକୁ ପୁଅ ବୋଲି କହିବି । ପୁଅ ବାପାକୁ ଖୋଜିବ ଦେଖିବ କାହିଁକି ସାର୍‌ । ମୋତେ ଯୁକ୍ତିରେ ଜିଣିଗଲା ପରି ଚେହେରା କଲା । ରାଜନୀତି ବିଜ୍ଞାନ ପରେ ଗାର୍ହସ୍ଥ୍ୟ ବିଜ୍ଞାନ ପଢ଼ିଲି ।

 

କଲେଜ ଦିଶିଲା । ପିଲାଗୁଡ଼ିକ ଏଣେତେଣେ ହେଉଛନ୍ତି । କ୍ଳାସ ଭାଙ୍ଗିଲା ବୋଧହୁଏ-। ସେମାନଙ୍କୁ ଦେଖି ରିକ୍ସାବାଲା ମନ୍ତବ୍ୟ କଲା, ‘‘ବୁଝିଲେନା ସାର୍‌, ଆପଣଙ୍କ ଏହି ପିଲାମାନେ ଯାହା କରିବା କାମ କରନ୍ତି ନାହିଁ, ନ କରିବା କାମ କରନ୍ତି । ଯଦି କରିବା କାମ କରୁଥାନ୍ତେ ତେବେ କଲେଜ ସ୍ଵର୍ଗ ହୋଇଯାନ୍ତା ।’’ ନଜର କଲି ଲାଇନ୍‌ ଟ୍ରକଗୁଡ଼ାକ ଆଗପଟୁ ପଛପଟୁ ଆସୁଥିବାର ସେ ସହଜାତ ବୁଦ୍ଧିରୁ ଜାଣିପାରୁଥିଲା । କଥା କହୁଁ କହୁଁ ସେ ଧୀରେ ଗୋଟାଏ କରକୁ ଆଡ଼ ହୋଇଯାଏ । ମୋତେ ତାକୁ ସତର୍କ କରିବାକୁ ଆଦୌ ପଡ଼େନା ‘‘ମାଡ଼ିଗଲେ ଆମେ ଦୁହେଁଯାକ ମରିଯିବା ।’’ କହିବାକୁ ପଡ଼ୁ ନଥିଲା ।

 

‘‘ଆଉ ଟିକିଏ ଶୀଘ୍ର ପେଲିଦେ, ଘଣ୍ଟା ବାଜିଗଲାଣି ।”

 

‘‘ଆଉ ଦମ୍‌ ଅଛି ସାର୍‌ ? ଯେଉଁ କପେ ଚା’ ଖାଇଥିଲି ତା’ର ବା କେତେ ଦମ୍‌ ? ହାତଗୋଡ଼ ଥଣ୍ଡା ହୋଇ ଯାଉଛି । ବଧିରା ହୋଇଯାଉଛି ।’’

 

‘ଓମର କେତେ ହେଲା ?’

 

‘ତିନି କୋଡ଼ି ଦଶ ହବ ।’

 

‘କ’ଣ ଖାଉ ? ରାତିରେ ରୋଟି ?’

 

‘ନା ସାର୍ ରାତି ଭାତ ଖାଏଁ, ହୋଟେଲରେ । ରୋଷେଇ କରେନି ।’

 

‘ଦିନବେଳେ ?’

 

‘ଏଠି ସେଠି ଜଳଖିଆ ଖାଏଁ । ବରା ଗୁଲୁଗୁଲା, ଭୁଗୁନି, ମୁଢ଼ି ଯେତେବେଳେ ଯାହା ମିଳିଲା, ଯାହା ଇଚ୍ଛା ।’

 

ପିଉ ନାହିଁ ? ସାହସ କରି ପଚାରି ଦେଲି ।

 

କହିଲି ଯେ ଚା’ ପିଏଁ ଆଠ ଦଶ କପ୍‌ !

 

ଆଉ କିଛି ?

 

ଚମକିପଡ଼ି ସେ କହିଲା ‘ନା ବାପା ! ନିଶାପାଣି, ଧୂଆଁ ପାଖକୁ ଯାଏନାହିଁ । ତୁମ ଭଳି କେତେ ବଡ଼ ବଡ଼ ଲୋକଙ୍କୁ ପେସେଞ୍ଜର କରୁଛି । ମୋ ପାଟିର ଗନ୍ଧ ତାଙ୍କୁ ବାଧିବ ।’

 

ଦଣ୍ଡେ ପରେ ଗଳାସ୍ଵର ନରମ କରି ଲାଜ ଲାଜ ହୋଇ କହିଲା ଅଳ୍ପ ଟିକେ ପାପଚିଜ ଖାଏଁ । ଚା’ ସାଙ୍ଗକୁ ବିରି ସାଇଜର, ଦୁଇ ତିନି ଥର ।

 

ଏଇଟି ତା’ ଜୀବନର ସବୁଠାରୁ ଗୋପନୀୟ କଥା, ଗୁପ୍ତ ଜ୍ଞାନ ।

 

କିଛି ଦୋଷ ନାହିଁ ସେଥିରେ, ମୁଁ କହିଲି । ଭାବିଲି, ଅନ୍ୟତମ ଶ୍ରେଷ୍ଠ କବି କୋଲରିଜ ଟେଳା ଟେଳା ଖାଇ ଦେଉଥିଲେ ।

 

‘ନାଇଁ ସାର୍‌ ଦୋଷ ଅଛି ଯେ, ପୁରୁଣା ଅଭ୍ୟାସ । ସୁଖ ଦୁଃଖରେ ପଡ଼ି ଖାଇ ଦେଇଛି । ଏ ବୟସରେ ଅଭ୍ୟାସ ବଦଳାଇ ପାରିବି ନାହିଁ ।’

 

ମୁଁ କହିଥାନ୍ତି ତୁ କୋଳି ପ୍ରମାଣ, ବେଲ ପ୍ରମାଣ ଖାଆ ମୋର ଆପତ୍ତି ନାହିଁ; କହିଲି ନାହିଁ ।

 

କିମିତି ପଚିଶ ତିରିଶ ମିନିଟରେ ଲୋକଟା ମୋତେ ଆତ୍ମୀୟ କରିନେଲା, ଆଶ୍ଚର୍ଯ୍ୟ ଲାଗିଲା । ପୂରାପୂରି ଅପରିଚିତ ଅପରିଚ୍ଛନ୍ନ, ଏପରିକି ନାନା ଦିଗରୁ ଘୃଣ୍ୟ, ସେ କିମିତି ମୋର ଗୁରୁସ୍ଥାନ ଦଖଲ କଲା ମୋତେ ଭାବିବାକୁ ପଡ଼ିଲା ।

 

କଲେଜର ଦୁଇ ବ୍ଳକ୍‌ ମଝିରେ ରିକ୍ସା ଛିଡ଼ା କରିବା ମତଲବରେ ଫାଟକ ଭିତର ଦେଇ ଗାଡ଼ି ଚଳାଇଲା । ଅତି ସନ୍ତର୍ପଣରେ ଦୁଇ ପାଖରେ ଚାଲିଥିବା ଛାତ୍ରଛାତ୍ରୀଙ୍କି ସମ୍ମାନ ଦେଖାଇ ଧୀରେ ଧୀରେ ବ୍ରେକ୍‌ ଦେଇ ଦେଇ ଯାଉଥାଏ ।

 

କଲେଜ ହତା ଭିତରେ ଯାଉଥିଲାବେଳେ ମୁଁ ଭାବୁଥିଲି, ଏଇ କଲେଜରେ ମୁଁ କି ଆଜେବାଜେ ଆବର୍ଜନା ପଢ଼ାଏଁ ଯେ ଲୋକେ ମୋତେ ହଜାର ଟଙ୍କା ଦିଅନ୍ତି । ଯାହାଙ୍କୁ ପଢ଼ାଏଁ ସେ ପୁଣି କ’ଣ ବୁଝନ୍ତି କେତେ ମନେ ରଖନ୍ତି ପୁଣି କେତେ କାମରେ ଲଗାନ୍ତି ତାହା ଜଣାନାହିଁ ମୋତେ । ତା’ ତୁଳନାରେ ନିଜକୁ ସାନ ଭାବିଲି ।

 

ଓହ୍ଲାଇ ପଡ଼ିଲି ଦର୍ପିତ ପଦକ୍ଷେପରେ । ଏଥର ପୂରାପୂରି ତା’ ମୁହଁଟା ଭିନ୍ନ ରୂପରେ ଦେଖିଲି । ଆଚାର୍ଯ୍ୟ ବାଭେ, ସେଣ୍ଟପଲ, ଖ୍ରୀଷ୍ଟ, ବୁଦ୍ଧଦେବ, କାର୍ଲମାର୍କସ, ଗାନ୍ଧିଜୀ ଆଦି କେତେ ଲୋକଙ୍କ ଚେହେରା କୁହୁଡ଼ିଭିଜା ତା’ ମୁହଁରେ ଦେଖି ପାରିଲି କ୍ଷଣକ ମଧ୍ୟରେ ।

 

ପକେଟ୍‌ରୁ ଟଙ୍କାକିଆ ନୋଟ୍‌ଟା ବାହାର କରି ବଢ଼ାଇ ଦେଲି । ସେ ବିନମ୍ର ହୋଇ ନୋଟ୍‌ଟି ନେଇ ମୁଣ୍ଡରେ ଛୁଆଁଇଲା, ବଇନି କଲା ନା ମୋତେ କୃତଜ୍ଞତା ଦେଖାଇଲା ପ୍ରଥମ ପାସେଞ୍ଜର ବୋଲି ? ମୋର ରେଟ୍‌ ବାରଣା, ତା’ର ରେଟ୍‌ ଟଙ୍କାଟିକୁ ମୁଁ ଅସ୍ଵୀକାର କରିଛି । ସେ ବୋଧହୁଏ ଏ ଭିତରେ ତା’ ଲୁଗାକାନି, ପଞ୍ଜାବି ପକେଟ୍‌ରେ ଅଣ୍ଡାଳୁଥିଲା ସୁକି ଗୋଟାକୁ ମୋତେ ଫେରାଇ ଦବ ବୋଲି । ମୁଁ କିନ୍ତୁ ଗର୍ବ କରୁଥିଲି ତାକୁ ଟଙ୍କାଏ ଭଡ଼ା ଦେଲି ବୋଲି, ବାରଣା ଜାଗାରେ ।

 

ଷ୍ଟାଫ୍‌ କମନରୁମରେ ଏ ଘଟଣାକୁ ଯେତେବେଳେ ମୁଁ ବର୍ଣ୍ଣନା କରୁଥିଲି, ସେତେବେଳେ ନାନା କଥା ସହିତ ମିଳାଇ ଅନୁଶୋଚନା କରୁଥିଲି, ମୁଁ କାହିଁକି ତାକୁ ‘ବାପା’ ବୋଲି ଥରେ ହେଲେ ସମ୍ବୋଧନ କରି ପାରିଲି ନାହିଁ । ଯଦିଓ ସେ ମୋତେ ସାର୍‌, ସାହେବ, ବାବୁ ବୋଲି ବାରମ୍ବାର ସମ୍ବୋଧନ କରୁଥିଲା ଏବଂ ମୋତେ ପୁଅ ବା ଛାତ୍ର ଭାବି କେତେ କଥା ପଢ଼ାଇ ପଢ଼ାଇ ପଚିଶ ତିରିଶ ମିନିଟର ବାଟରେ ଲମ୍ବା ଲମ୍ବି ଜୀବନ ରାସ୍ତାକୁ ସୁଖମୟ ନିରାପଦମୟ କରିବାର ବାଟ ବତାଇ ଦେଲା । ବାପାଙ୍କ ପରି ତା’ ମୁହଁଟା କ’ଣ ଦିଶୁ ନଥିଲା ?

Image

 

ସଂକୋଚ

 

ଊଣେଇଶ ଶହ ଚଉସ୍ତରି ଅଗଷ୍ଟ ଊଣେଇଶି ଭୋଦୁଅ, ମଧ୍ୟାହ୍ନ । ଆକାଶର ବାଆଁ ଗାଲଟା ଧୂସର, ଡାହାଣଟା ଶବଳିତ, ଚିତ୍ର ବିଚିତ୍ର ଧବଳ କୁଷ୍ଠଗ୍ରସ୍ତର ବା ସର୍କସ ଜୋକରର ମୁହଁ ପରି । କିମିତି କିମିତି ଅସ୍ଵାଭାବିକ କୁତ୍ସିତ ବିଭତ୍ସ । ବିବର୍ଣ୍ଣତା ଧୂସରତା ଏତେ ପ୍ରଗାଢ଼ ଯେ ଅଦୂର ସ୍ଵର୍ଣ୍ଣଚୂଡ଼ ପାହାଡ଼ର ନୟନାଭିରାମ ନୈସର୍ଗିକ ନୀଳିମା ମଧ୍ୟ ଚକ୍ଷୁଶୂଳ ହେଉଛି ।

 

(ଇଏ କ’ଣ କଲେ ? ଜଣାଶୁଣାରେ ଆପଣ ପରା ଜଣେ ପୋଖତ ଗାଳ୍ପିକ ? ଗଳ୍ପ ହେଉ ବା ରମ୍ୟରଚନା ହେଉ ଏମିତି ରାଜକିଶୋରୀୟ ରଣପାରୀତିରେ ଋତୁ ଚିତ୍ର ବା ପାଣିପାଗ ବର୍ଣ୍ଣନା ଦେଇ ଲେଖା ଆରମ୍ଭ କରନ୍ତି ? ଅଗଷ୍ଟ ଊଣେଇଶି ଭୋଦୁଅ ମଧ୍ୟାହ୍ନ । କି ଭୀତିପ୍ରଦ ପ୍ରାରମ୍ଭ ।)

 

ସତରେ ଆପଣ ବିଶ୍ଵାସ କରନ୍ତୁ ବା ନକରନ୍ତୁ ଏଇ ଧୂସରତା ଆଉ ବିବର୍ଣ୍ଣତାମୟ ସତ୍ତା ଓ ସ୍ଥିତି ଭିତରେ ଆମ ଦୁହିଁଙ୍କ ଅବସ୍ଥିତି । ଦେଖୁନାହାନ୍ତି ଆମେ ଦୁହେଁ ପରା ତାଳେ ଉଚ୍ଚ ଓଭରବ୍ରିଜର ଠିକ୍ ମଝାମଝି ସ୍ଥାନରେ ଛିଡ଼ା ହୋଇଛୁ–ଯେଉଁଠି ସେଇ ଦାଢ଼ିଆ ଟିକଟ କଲେକଟରଟା ଛକିଥାଏ । ଆପଣ କ’ଣ ଅନୁମାନ କରିପାରୁ ନାହାନ୍ତି ଆମେ ଦୁହେଁ ଇଚ୍ଛାକଲେ ତଳ ଲୋକଗୁଡ଼ାକ ଉପରେ ଅବିର ଗୁଣ୍ଡପରି ମୁଠାକୁ ମୁଠା ଧୂସରତା ଓ ବିବର୍ଣ୍ଣତା ଫୋପାଡ଼ି କଦାକାର ଓ ଅତିଷ୍ଠ କରିଦେଇ ପାରିବୁଁ ?

 

ଆମେ ଦୁହେଁ କହିଲେ ହଠାତ୍‌ ବା ସାଧାରଣତଃ ଯାହା ବୁଝାଏ, ଆମେ ସେଇ ‘ହାମ୍‌ଦୋନୋ’ ନୋହୁଁ । ଆମେ ଦୁହେଁ ଅର୍ଥ ମୁଁ ଆଉ ଶର୍ମିଳା ବା ସୁଚିତ୍ରା ବା ହେମା ବା ଯୋଗିତା ବା ସୁଜାତା ନୁହେଁ । ଆମେଦୁହେଁ ବୋଇଲେ ମୁଁ ଆଉ ଦୀପକ ।

 

ଏଇ ଦୀପକ ଥିଲା ଏକଦା ମୋର ପ୍ରିୟ ଛାତ୍ର । ଏବେ କାଳକ୍ରମେ ଘଟଣାଚକ୍ରରେ ମୋର ସହଧର୍ମୀ ସହକର୍ମୀ । ତା’ ବୟସର ରୋମାଣ୍ଟିକ ଯୁବକର ଯାହାଯାହା ରହିବାର କଥା ତା’ର ସେସବୁ ଅଛି । ସିଦ୍ଧାର୍ଥଙ୍କ ଚୂଳ, ବିଦେଶୀ ଟୁରିଷ୍ଟଙ୍କ ବଡ଼ ବଡ଼ ଫୁଲଥିବା ଖଣ୍ଡିଆ ଚିପା ହାଫ୍‌ସାର୍ଟ, କୁରାଢ଼ିଆ କଲି, ମନ ଭିତରେ ରାଧା ରାଧା ଭାବ, ପଦ୍ମପଳାଶ–ଦୁଇ ନୟନରୁ ଗୋଟିକରେ ପ୍ରେମ ଅନ୍ୟଟିରେ କବିତାର ମୁଦ୍ରାଙ୍କନ ସୁସ୍ପଷ୍ଟ । ଯୁବ-ଜଗତର ପ୍ରଳୟ ବା ଅଗ୍ନିକଣା ସେ ଆଖିରେ ନାହିଁ-

 

କହିବା ବାହୁଲ୍ୟ ଦୀପକକୁ ସଙ୍ଗୀତ ଖୁବ୍‌ ଭଲଲାଗେ । କାହିଁକି ବା ନ ଲାଗିବ । ମିଉଜିକ୍‌ ଇଜ୍‌ ବି ଫୁଡ଼୍ ଅଫ ଲଭ । ପ୍ରେମ ଆଶାରେ ବଞ୍ଚେ, ନହେଲେବି ଗୀତରେ ବଞ୍ଚେ ।

 

ଫାଷ୍ଟକ୍ଳାସ ପାଇବାପାଇଁ ପ୍ରଫେସରଙ୍କ ‘ଚାମଚା’ ହେବା ପିଲା ସେ ନଥିଲା ବା ‘ନବମ ପତ୍ର’ ସେ ନେଇ ନଥିଲା । ସେ ମୋତେ ଗୁରୁ, ଅଭିଭାବକ ତଥା ବନ୍ଧୁ ବୋଲି ଭାବୁଥିଲା । ତେଣୁ କଥାବାର୍ତ୍ତାରେ ଆମ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ନଥିଲା । ସଙ୍କୋଚ ସିନା ବ୍ୟବଧାନ ସୃଷ୍ଟି କରାଏ-!

 

କପାଳର ଝାଳଗୁଡ଼ାକୁ ଦୀପକ ବିଶି ଆଙ୍ଗୁଳିକି ଦାଆପରି ବଙ୍କା କରି ପୋଛି ଛିଟିକାଇ ଦେଲା ପୋଲ ତଳକୁ । ପକେଟରୁ ଫୁଲପକା ରୁମାଲ କାଢ଼ି ମୁହଁ ବେକ ପରିଷ୍କାର କରୁଁ କରୁଁ କହିଲା, ‘ସାର୍‌, ଏଇ ଦେଖନ୍ତୁ, ଆମଆଡ଼କୁ ଆଙ୍ଗୁଳି ବଢ଼ାଇ ତଳଲୋକଗୁଡ଼ାକ କିମିତି ଦାନ୍ତ ନିକୁଟୁଛନ୍ତି ।’

 

‘ଆଶ୍ଚର୍ଯ୍ୟ ହେବାର କ’ଣ ଅଛି, ଦୀପକ ?’ କଣ୍ଠସ୍ଫୀତ କରି ନାଟକୀୟ ସ୍ଵର ଓ ଭଙ୍ଗୀରେ ଆରମ୍ଭ କଲି । ‘‘ଆଜି ଯେଉଁ ହାଓଡ଼ା ପୋଲ ଦେଖୁଛ ସେଇଟା ତିଆରି ସରିବା ପରେ ପରେ ଷ୍ଟ୍ରାଣ୍ଡ ରୋଡ଼ପଟ ସବା ଉଚ୍ଚ ଖମ୍ବର ଅଗରେ ଲୋକଟାଏ ବସି ନଥିଲା ? ଜଗନ୍ନାଥ ଲିଙ୍ଗରାଜ ମନ୍ଦିର ଚୂଳରେ ନେତ ବାନ୍ଧୁଥିବା ଲୋକଟା ତଳୁ ଯିମିତି ପାରାଭଳି ଛୋଟ ଦିଶେ ସେ ସିମିତି ଦିଶୁଥାଏ । ତାକୁବି ଲୋକେ ଆଙ୍ଗୁଳି ଦେଖାଇ ଦାନ୍ତ ନିକୁଟୁଥିଲେ ଏବଂ ପାଗଳ କହୁଥିଲେ । ନିଆଁଲିଭାଳି ଦଳ ବହୁ କଷ୍ଟରେ ତାକୁ ଜୋର୍‍ଜବରଦସ୍ତ ଓହ୍ଲାଇବା ପରେ ତାଙ୍କ ପ୍ରଶ୍ନର ଉତ୍ତରରେ ସେ କ’ଣ କହିଲା ଜାଣ ? କହିଲା, କଲିକତା ସହରରେ ହାୱା ନାହିଁ, ଏଠି ଟିକିଏ ଖୋଲା ଜାଗାରେ ବସି ହାୱା ପିଉଥିଲି । ମୁଣ୍ଡ ଥଣ୍ଡା କରୁଥିଲି, ଆତ୍ମହତ୍ୟା କରୁ ନଥିଲି, ବଞ୍ଚିବାକୁ ଚାହୁଁଥିଲି ।’

 

ଆମେ ଦୁହେଁବି ସିମିତି ବଞ୍ଚିବାକୁ ଚାହୁଁଥିଲୁ । ଷ୍ଟେସନରେ କ’ଣ ଏ ମୁହୂର୍ତ୍ତରେ ଖାଲିଜାଗା ଅଛି ନା ହାୱା ଅଛି ? ଅଛି ସୁବିସ୍ତୃତ ଏବଂ ଘନୀଭୂତ ଧୂସରତା, ବିବର୍ଣ୍ଣତା ଓ ମହାଶୂନ୍ୟତା । ସର୍ବତ୍ର ମୃତ୍ୟୁର ରଙ୍ଗ ।

 

ଭାଟ, ଭିକାରି, ଯାଯାବର, କୃଷ୍ଠରୋଗୀ–ଯେଉଁମାନେ ଷ୍ଟେସନ ପ୍ଳାଟଫର୍ମର ନିତିଦିନିଆ ବାସିନ୍ଦା, ସେମାନେବି ସ୍ଵସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଗଲେଣି । ଯେତେଦିନ ମାଗିବାକୁ ବା ଚୋରି କରିବାକୁ ଚିଜ ମିଳୁଥିଲା, ଥିଲେ । ଓଡ଼ିଶାର ଭାତହାଣ୍ଡି ତ ଏବେ ଖାଲି । ଆନ୍ଧ୍ର, ବଙ୍ଗ, ବାଙ୍ଗାଲୋରରୁ ଆଗତ ଅଗଣିତ ଅତିଥିଙ୍କ ଶାଗ ଟିକକରେ ଭୂରିଭୋଜନ ଦେବାପାଇଁ ଦ୍ରୌପଦୀ ବା ବିଦୂର ବା ଶ୍ରୀକୃଷ୍ଣ କାହାନ୍ତି ?

 

ଆଜି ତାଙ୍କ ସ୍ଥାନ ଅଧିକାର କରି ବସିଛନ୍ତି ଯାତ୍ରୀ ଦଳ । ଆମେ ଦୁହେଁ ପାଗଳ ନା ଏଇ ଅସହାୟ ହଜାର ହଜାର ଯାତ୍ରୀ ? ଯେଉଁ ଅନିଶ୍ଚିତ ସ୍ଵର୍ଗର ଆଶାରେ ପିଲାପିଚିକା ଧରି ମୁର୍ଦାର ପରି ପଡ଼ିଛନ୍ତି ଶବବାହକମାନଙ୍କୁ ଅପେକ୍ଷା କରି ? କୋକେଇ ଆସିବ, ବୁହାହୋଇ ଯିବେ । ଅଣଞ୍ଚାଶ ବହିଲାଣି, ହେଲେ କୋକେଇ ପ୍ରସ୍ତୁତିର ଲକ୍ଷଣବି ନାହିଁ ।

 

ୱାନ୍‌ ଅପ୍‌, ଟୁଡ଼ାଉନ, ଫାଇଭ୍‌ ଅଫ, ସିକସ ଡାଉନ, ଜଗନ୍ନାଥ ଏକସପ୍ରେସ୍‌ କାହାରି ଦେଖାନାହିଁ । ଏଗୁଡ଼ାକ ନ ଆସିଲେ ନାହିଁ । ଥାର୍ଟି ଏଇଟ ଡାଉନ ଆଉ ଚାରିଶହ ଏକଷଠି ଅପ୍‌ ଭଲା ଆସନ୍ତେ । ସମସ୍ତେ ଏ ଦୁଇଟାକୁ ଚାହିଁଛନ୍ତି । ଟ୍ରେନ ବା ବସ୍‌କୁ ଅପେକ୍ଷା କରିବାଠୁଁ ବଳି ଯମଯନ୍ତ୍ରଣା ଜୀବନରେ କ’ଣ ଅଛି ? ଆସିବ, ଆସିବ, ଆଶାରେ ସମସ୍ତେ ଫୁଲଶେଯ ସାଜି ବସିଥାନ୍ତି, କୃଷ୍ଣ ଆସନ୍ତି ନାହିଁ । ଥରେ ଘରୁ ବାହାରି ଆସିଲେ କେଉଁ ମୁହଁରେ ଫେରିବେ ?

 

ବସ, ଟେକ୍‌ସି, ଟ୍ରକ, ଧର୍ମଘଟ ପାଇଁ ସବୁ ବନ୍ଦ । ଚାରିଦିନ ହେଲାଣି ଇଲେକ୍ଟ୍ରିକ ଲାଇନ ସଜଡ଼ା ହୋଇ ପାରି ନାହିଁ । ପଙ୍ଖା ନାହିଁ, ପବନ ନାହିଁ, ପାଣି ନାହିଁ, ଥଣ୍ଡାପାଣି ଆସିବ କୁଆଡ଼ୁ ? ସର୍ବତ୍ର ନାହିଁ, ନାହିଁ, ନାହିଁ । ସଦା କୋଳାହଳମୟ ଦୁନିଆଟାରେ ଏତେ ମଣିଷ ଥାଇବି ଶ୍ମଶାନପରି । ହକରଗୁଡ଼ାକ ପ୍ରେତାତ୍ମା ପରି ଘୂରିଘୂରି ବିକଟ ଚିତ୍କାର କରି ଚାଆ ଚାଆ ରାବରେ ନିରବତାକୁ ଅଧିକ ସକ୍ରିୟ କରୁଛନ୍ତି । ଏଇ ସର୍ବମୟ ନିର୍ଜୀବତା ନିଷ୍କ୍ରିୟତାରୁ ତଥା କ୍ଷିତି ଅପ୍‌ ମରୁତର ଅଭାବ ସୁଳୀରୁ ଏବଂ ମଧ୍ୟାହ୍ନ ସୂର୍ଯ୍ୟର ଅସ୍ୱସ୍ତିକର ତେଜରୁ ଖସି ଆସି କିଛି କିଛି ବ୍ୟୋମ ଓ ସାମାନ୍ୟ ମରୁତ୍‌ ପ୍ରାପ୍ତିର ମିଥ୍ୟା ଆଶାରେ ଆମେ ଓଭରବ୍ରିଜକୁ ଆସିଛୁ, ଦୀପକ ଆଉ ମୁଁ ।

 

କିନ୍ତୁ ଲାଭ ବା କ’ଣ ହେଲା ? ଏଠିବି ସେଇ ଗୁଳୁଗୁଳି । ଧୂସରତା, ବିବର୍ଣ୍ଣତା ସାଙ୍ଗକୁ ବିଷଣ୍ଣତା ଆମକୁ ଗ୍ରାସିବାକୁ ଲାଗିଲାଣି । ସ୍ଵର୍ଗମର୍ତ୍ତ୍ୟର ଏଇ ସନ୍ଧି ସ୍ଥଳରେ–ଏଇ ତ୍ରିଶଙ୍କୁ ଅବସ୍ଥାରେ–ଆମେ ଦେଖୁଛୁଁ ଉତ୍ତର ପଟେ ଲୁଣିଆଁ ଯୋଡ଼ି ପୋଲ ଉପରେ ଆଉ ଦକ୍ଷିଣପଟେ ତାମୁଡ଼ିଆ ଛକରେ ନିଜର ସଂଜ୍ଞା ଓ ଚରିତ୍ର ଭୁଲି ସମାନ୍ତରାଳ ରେଳଲାଇନ ନିଜସ୍ଵ ହରାଇଛନ୍ତି । ସିଗ୍‌ନାଲ ଖୁଣ୍ଟଗୁଡ଼ାକ ପରସ୍ପରକୁ ଦୋଷାରୋପ କଲାପରି ହାତ ବଢ଼ାଇ ଏ ଦୁର୍ବିପାକ ପାଇଁ ଦାୟୀ କରୁଛନ୍ତି । ଏଣେ ତଳେ ଅତୀବ ସନ୍ତାନବତ୍ସଳା ଜନନୀ ମଧ୍ୟ ବିରକ୍ତିରେ ଅବୁଝା, ବୁଭୁକ୍ଷ ଶିଶୁ ମୁହଁରୁ ଫିଡ଼ିଙ୍ଗ୍‌ ବୋତଲକୁ ଟାଣି ଆଣି ଖୋଲି ଭିତରେ ସାଇତି ଦେଇ ନିଜ ଜୀବନପାଇଁ ପାଟି ଆଁ କରୁଛି ।

 

ଦୀପକ ଖୁବ୍‌ ଅଧୀର ଓ କ୍ରୁଦ୍ଧ ହୋଇ କହିଲା, ସାର୍‌; ଆପଣ କ’ଣ ଭାବୁଛନ୍ତି ଏ ମୁହୂର୍ତ୍ତରେ ଭଗବାନ ଅଛନ୍ତି ? ଏବଂ ଯଦି ଅଛନ୍ତି ତେବେ କ’ଣ ବଞ୍ଚିଛନ୍ତି ? ଭଗବାନ ନିଃଶ୍ଵାସ ମାରୁଥିଲେ ମର୍ତ୍ତ୍ୟର କ’ଣ ଏ ଦଶା ହୁଅନ୍ତା ?

 

ମଣିଷ ପ୍ରକୃତି ଏମିତି ଯେ ଖୁବ୍ ବିରସ ମୁହୂର୍ତ୍ତରେବି ସେ ଟାଣି ଓଟାରି ଟିକିଏ ହେଲେ ସରସତା ଫୁଟାଇ ପାରେ । ଦୀପକର ଏ ବିଚିତ୍ର ପ୍ରଶ୍ନର ଉତ୍ତରରେ ମୁଁ କହିଲି, ଏ ସବୁ ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ । ତେବେ ତୁମ ଏ ପ୍ରଶ୍ନର ଉତ୍ତରରେ ମୁଁ ସ୍ଵର୍ଗର ଏକ କୌତୁକାବହ ଛବି ଆଙ୍କି ପାରୁଛି । ବୈକୁଣ୍ଠରେ ଭଗବାନ ଶୋଇଛନ୍ତି । ଲକ୍ଷ୍ମୀ ମୁଣ୍ଡପାଖରେ ବ୍ୟଜନ ସଞ୍ଚାଳନ କରୁଛନ୍ତି । ସରସ୍ଵତୀ ପାଦଦେଶରେ ରହି ପାଦସେବା କରୁଛନ୍ତି, ବ୍ରହ୍ମା ନାଭିଦେଶରେ ରହି ସ୍ତୁତିଗାନ କରୁଛନ୍ତି ।

 

ଫାଷ୍ଟବେଲ୍ । ହଠାତ୍ ନିଥର ଜମାଟବନ୍ଧା ନୀରବତା ଓ ଶୂନ୍ୟତାରେ ମୃଦୁ କମ୍ପନ ଅନୁଭୂତ ହେଲା । ଅ-ଉ-ମ ସ୍ଵର ପରିବର୍ତ୍ତରେ ଆସିଲା ସା-ରି-ଗା ଉପରୁ ତଳକୁ ନୁହେଁ, ତଳୁ ଉପରକୁ । ଅଧରୁ ଊର୍ଦ୍ଧ୍ୱକୁ । ପିଚୁଦିଆ ଉଷ୍ଣ ପ୍ଳାଟଫର୍ମରୁ ଧୂସର ଉତ୍ତପ୍ତ ଲୁହାର ଓଭରବ୍ରିଜ ଆଡ଼କୁ-। ଯିମିତି ଚାନ୍ଦିପୁରର କୁନି କୁନି ଢେଉ ଖେଳି ଖେଳି ଯାଏଁ ମୃତ ମୟୂରଭଞ୍ଜ କୋଠିର ସଂରକ୍ଷକ ଭଗ୍ନ କାନ୍ଥଗୁଡ଼ାକ ଆଡ଼କୁ । ଅଗର ବତିର ସୁଗନ୍ଧ ଉପରକୁ ଉଠି ଧୀରେ ଧୀରେ ବାୟୁମଣ୍ଡଳକୁ ସୁରଭିତ ଶୃଙ୍ଗାରସିକ୍ତ କଲାପରି ଅସ୍ପଷ୍ଟରୁ ସ୍ପଷ୍ଟତର ହୋଇ ସ୍ଵରଲହରୀ ଓ ମୂର୍ଚ୍ଛନା ପବନକୁ ସଞ୍ଜୀବନୀସୁରା ପିଆଇ ଦେଲା ଯେମିତି । ଗଗନପବନରେ ସେଇ ସୁର ଏମିତି ମିଶିଲା ଯେ, ତା’ର ସ୍ପନ୍ଦନ ସମସ୍ତଙ୍କ ଦେହରେ ପୁଲକ ସଞ୍ଚାର କଲା ।

 

ବିଚ୍ଛିନ୍ନ ଅସଂଲଗ୍ନ ଇତସ୍ତତଃ ଧାବମାନ ସ୍ଵରଗୁଡ଼ାକ ଯିମିତି ଏକତ୍ରିତ ଓ ସମନ୍ୱିତ ହେଲେ ଏବଂ ଆଗାମୀ ସଙ୍ଗୀତଟି ଯିମିତି ସ୍ଵର ନିବଦ୍ଧ ହେଲା, ଜଣାଗଲା ଦେବଦୂତଙ୍କ ତୁରୀନିନାଦ ଶୁଣି ମୃତ ମଣିଷ ସବୁ ସମାଧିରୁ ଉଠି ଭଗବାନଙ୍କ ସିଂହାସନ ଆଡ଼କୁ ଧାଇଁଛନ୍ତି । ଧୀରେ ଧୀରେ ମନ୍ତ୍ରମୁଗ୍‌ଧ ପରି ଆମେ ତଳକୁ ଓହ୍ଲାଇଲୁଁ, ଯିମିତି ହେମେଲିନ୍‌ ସହରର ମୂଷାପଲ ବଂଶୀବାଦକଙ୍କୁ ଅନୁସରଣ କରୁଛନ୍ତି । ପୋଖରୀର ଗାଧୁଆ ତୁଠରେ କେହି ଗୃହିଣୀ ଚାଉଳ ଧୋଇଲେ ଯେମିତି ସାରା ପୋଖରୀର ମହୁରାଳି ମାଛ ଏକତ୍ର ହୋଇ ମୁଣ୍ଡମାଳରେ ଘାଟଟାକୁ କଳା ହାଣ୍ଡିଆ କରି ଦିଅନ୍ତି ସିମିତି ପ୍ଳାଟଫର୍ମର ଗୋଟାଏ କଣରେ ସମସ୍ତ ଯାତ୍ରୀ ଏକତ୍ର ହେଲେ ।

 

ଧୀରେ ଧୀରେ ଖୁବ୍‌ ଜଣାଶୁଣା ଗୀତଟି ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ରୂପ ନେଲା, “ଆହେ ନୀଳ ଶଇଳ... ।” ଜଣାଗଲା ଯେମିତି ଜଗନ୍ନାଥ ନୀଳ ଶଇଳ ଛାଡ଼ି ଏ ଈଶ୍ଵର ପରିତ୍ୟକ୍ତ ରାଜ୍ୟକୁ ଅଭିଶପ୍ତ ଆସିଛନ୍ତି । କି ବିରାଟ ଭୁଜ ! କେଡେ ବଡ଼ ବଡ଼ ଚକାଡ଼ୋଳା । ଜାତୀୟସଙ୍ଗୀତ ବାଜିଲେ ଯେମିତି ସମସ୍ତେ ଏଟେନ୍‌ସନ ଭଙ୍ଗୀରେ ଛିଡ଼ା ହୁଅନ୍ତି, ସିମିତି ଭକ୍ତିପ୍ରାଣ ସମସ୍ତ ଯାତ୍ରୀ ହାତଯୋଡ଼ି ଛିଡ଼ା ହୋଇ ରହିଲେ ନୀରବ ନିସ୍ତବ୍ଧ ହୋଇ ।

 

ପୁଣି ରୁଁ ରୁଁ–ଅନ୍ୟ ଏକ ସଙ୍ଗୀତର ଆଳାପ । କ୍ରମେ ସୁର ନେଲା ସେହି ପ୍ରସିଦ୍ଧ ସଙ୍ଗୀତର “ମେ ଶାଏର ନେହିଁ ଯବ୍‌ ସେ ତୁହ୍ନେ ଦେଖା... (ଅନ୍ଧଟାଏ । ! ଯବ୍‌ସେ ତୁହ୍ନେ ଦେଖା ! କି ବିଡ଼ମ୍ବନା ।)

 

ଯେତେ ଯେତେ ଋଷିକପୁର ଥିଲେ ସମସ୍ତଙ୍କ ହାତ ଚାହୁଁ ଚାହୁଁ ଲମ୍ବି ଗଲା ଅଦୃଶ୍ୟା ଡିମ୍ପଲ ଆଡ଼କୁ । ‘ବବି’ ଚଳଚିତ୍ରର ନାୟକ ଋଷି କପୁର ଓ ନାୟିକା ଡିମ୍ପଲ । ଉଲ୍ଲାସରେ ବିହ୍ଵଳ ହୋଇ ‘ସାର୍ !’ ବୋଲି ଚିତ୍କାର କରି ଦୀପକ ହାତ ଲମ୍ବାଇଦେଲା ଅଦୂରର ଏକ ନୀଳବସନା ସୁନ୍ଦରୀ ଆଡ଼କୁ । ଭାବିଲା ନୀଳଗିରିର ସେହି ଝିଅଟା ଆସିଯାଇଛି ଆଲ୍ଲାଉଦ୍ଦିନର ମେଜିକ୍ ଲ୍ୟାମ୍ପଦ୍ଵାରା । ମୋର ସାନ୍ନିଧ୍ୟବି ସେ ବିଲକୁଲ ଭୁଲି ଯାଇଥିଲା । ତା’ ସାଙ୍ଗରେ ସମସ୍ତେ କବିତାମୟ ହେଲେ, ସବୁ ଯୁବକଙ୍କ ଶାଏରୀ ଆସିଗଲା ।

 

ସ୍ଵରଲହରୀ ଗଗନପବନରେ ତଥା ତରୁଣତରୁଣୀଙ୍କୁ ହୃଦତନ୍ତ୍ରୀରେ ମିଳାଉ ନ ମିଳାଉ କେନ୍ଦରାରେ ବାଜିଲା ପୁଣି ସେହି ଛବିର “ହାମ୍‌ ତୁମ୍‌ କମରେ ମେ ବନ୍ଦ୍‌ ହୋ’’ । ଏଥର ଯୁବକ ଯୁବତୀ କାହିଁକି ପ୍ରୌଢ଼ ପୌଢ଼ା ମଧ୍ୟ ଭାବି ନେଲେ ପ୍ଳାଟଫର୍ମଟା ଗୋଟାଏ ବନ୍ଦ ‘କମରେ’ ଏବଂ ସବୁ ପୁରୁଷଙ୍କ ମନ ଆଖି ହାତ ପ୍ରସାରିତ ହେଲା । ଭୟ ହେଲା ବେଶି ସମୟ ମୂର୍ଚ୍ଛନା ରହିଲେ ଲୋକଗୁଡ଼ାକ ଅଶ୍ଳୀଳ ହୋଇଯିବେ ଦିନ ଦିପହରଟାରେ ।

 

ଅନ୍ଧଟା ସବୁ ଶ୍ରେଣୀର ଶ୍ରୋତାଙ୍କ ମନ ବୁଝେ । ଏଥର ଖୁବ୍‌ ଲଘୁ ସ୍ଵରରେ ଦୁଇଟି ଧାଡ଼ି ‘ସାବି ସାବି ତୁ ତ ମୋର ଗନ୍ତାଘର ଚାବି’ ବଜାଇ ହଠାତ୍‌ ସମ୍ବଲପୁରୀ ‘ଜାଇ ଫୁଲରେ’ ଆଡ଼କୁ ଗଲା । ପିଲାଝିଲାଏ ଅସମ୍ଭାଳ ହୋଇ ତାଳଚାପୁଡ଼ି ଦେଇ ନାଚିବାକୁ ଆରମ୍ଭ କଲେ । ଦୁଇଟା ଯାକ ପ୍ଳାଟଫର୍ମ ନୃତ୍ୟଗୀତମୁଖର ହୋଇଗଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆବାଳବୃଦ୍ଧବନିତା ଉନ୍ମତ୍ତ ।

 

ସେକେଣ୍ଡ୍‌ ବେଲ୍‌ । ଦୁଇଟା ଯାକ ପ୍ଳାଟଫର୍ମରେ । ଏକାବେଳେ ।

 

କେନ୍ଦରାର ସ୍ଵର ହଠାତ୍ ବନ୍ଦ ହୋଇଗଲା । ଯାତ୍ରୀବର୍ଗ ପ୍ରକୃତିସ୍ଥ ହେଲେ । ପିଲା ଦୁଇଚାରିଟା ବେସୁରା ବେତାଳ ହୋଇ ନାଚି ଚାଲିଥାନ୍ତି । ତାଙ୍କୁ ଜଣାନାହିଁ ଗୀତ ବନ୍ଦ ହୋଇଗଲାଣି । ଅନ୍ଧ ବାଦକଟି ଏଥର ଥଳିରୁ ଏଲୁମିନିୟମ ବାଟିଟିଏ ବାହାର କରି ଅଣ୍ଟିରୁ କେତୁଟା ଦୁଇତିନିପଇସି ବାହାର କଲା ଏବଂ ସେଗୁଡ଼ାକ ନଚାଇ ନଚାଇ ଠଣ୍‌ ଠାଣ ଶବ୍ଦ ବାହାର କଲା । ଯାହାର ଅର୍ଥ ‘‘ଏଥର କିଛି ଦିଅ ।’’ ଲୋକଟା କ’ଣ ବୋବା କି ?

 

ହୁଡ଼ାଟାଏ ପଡ଼ିଲେ ପାକୁ ପାକୁ ହୋଇ ଚାଉଳଧୂଆ ପାଣିକୁ ଅମୃତ ପରି ପିଇଯାଉଥିବା ମହୁରାଳି ବା ଜାପାନୀ କଉ ଯେମିତି ଚମକି ଡେଇଁପଡ଼ି ଛିନ୍ନଛତ୍ର ହୋଇ ଘୁଞ୍ଚିଯାଆନ୍ତି । ସଙ୍ଗୀତର ମୂର୍ଚ୍ଛନା ଉପଭୋଗ କରୁଥିବା ଯାତ୍ରୀଦଳ ଛିଟିକି ଗଲେ ।

 

‘‘ସାର୍‌, ସାର୍‌, ଦେଖିଲେ ଲୋକଗୁଡ଼ାକ କେମିତି ନିମକହାରାମ, ନିର୍ଦ୍ଦୟ, ହୃଦୟହୀନ, ବିଚରାକୁ କିଛି କେହି ଦେଲେ ନାହିଁ ।”

 

‘‘ଦୀପକ ! ତୁମେ ଲୋକମାନଙ୍କ ମନ ଠିକ୍ ବୁଝିପାରିନ । ନିଶ୍ଚୟ ତୁମେ ଦେଖିଥିବ କେତେଜଣ ପକେଟରେ ହାତ ପୂରାଉଥିଲେ, କେହି କେହି ଲୁଗାକାନିରେ ଗଣ୍ଠି, ଆଉ କେହି ଭେନିଟିବେଗ୍ ଫିଟାଉଥିଲେ । ତୁମେ ଦବାକୁ ଚାହଁ ?”

 

‘‘ହଁ ସାର୍‌ ଦଶଟା ପଇସା ଦିଅନ୍ତି । ଆଉ ଖୁଚୁରା ନାହିଁ ।’’

 

‘‘ବେଶ୍‌ ଦିଟା ପାଞ୍ଚ ପଇସା ଅଛି ତ; ଭଲ ହେଲା । ନିଅ ଧର ମୋଠୁଁ ଏ ଦୁଇଟା ପାଞ୍ଚ ପଇସି ନିଅ । ଏମିତି ଭାବରେ ତା’ ବାଟିରେ ପକାଇବ ଯିମିତି ଜୋର୍ ଠଣ୍‌ ଠାଣ୍‌ ଶବ୍ଦ ହେବ । ପକାଇ ଦେଇ କାହାକୁ ନ ଚାହିଁ ଫେରି ଆସିବ ସିଧା ।”

 

ଦୀପକ ତାହା କଲା । ବୁଲିପଡ଼ି ମୋ ପାଖରେ ସେ ପହଞ୍ଚିଲାବେଳକୁ ଆଉ ଚାରି ଛଅଥର ଶବ୍ଦ ଶୁଣାଯାଇଥାଏ । ତା’ପରେ ପ୍ରତିଯୋଗୀତା ଚାଲିଲା । ଯାତ୍ରୀଙ୍କ ଭିତରେ କିଏ କେତେ ବେଶି, କେତେ ଜୋର୍ ଶବ୍ଦ କରିପାରେ । ଦୀପକ ବାଟିଆଡ଼କୁ ଥରେ, ମୋ ଆଡ଼କୁ ଥରେ ତାରିଫ କରିବା ଚାହାଣିରେ ଚାହୁଁଥାଏ ।

 

ଠଂ, ଠଂ, ଠଂ ହୋଇ ଥାର୍ଡ଼ ବେଲ୍‌ ବାଜିଲାବେଳକୁ ଚାରିଶ ଏକଶଠି ଅପ୍‌, ଆଉ ଅଠତିରିଶି ଡାଉନ ଭୈରବ ନିନାଦରେ ହୁଇସିଲ୍‌ ବଜାଇ ପ୍ଳାଟଫର୍ମର ସଙ୍ଗୀତ ଆସରର ପରିସମାପ୍ତି ଘୋଷଣା କଲେ । ସେତେବେଳକୁ ଅନ୍ଧର ପାତ୍ର ପୂର୍ଣ୍ଣ ହୋଇଯାଇଥାଏ ।

 

ଟ୍ରେନ୍‌ରେ ଥାର୍ଡ଼କ୍ଳାସ (ତିନିଟା ଗାରରୁ ଗୋଟାଏ ଲିଭାଇଦେଇ ଆମେ ଥାର୍ଡ଼କ୍ଳାସରେ ଯିବା ସଙ୍କୋଚରୁ ରକ୍ଷାପାଇଛୁ ଏବଂ ଭଦ୍ର ବୋଲାଉଛୁ) ଡବାରେ ପଶିଲାବେଳକୁ ଜଣାପଡ଼ିଲା ଯେମିତି ଗୋଟାଏ ମ୍ୟୁଜିକ ହଲ୍‌ରୁ ବାହାରି ଜନାକୀର୍ଣ୍ଣ ମାର୍କେଟରେ ପଶିଲୁଁ ।

 

ନୀଳଗିରି ଷ୍ଟେସନ ପହଞ୍ଚିଲାବେଳକୁ (ସେ ଝିଅଟି ଅଭିମାନରେ ବୋଧହୁଏ ଆଜି ଆସିନାହିଁ) ଅନ୍ୟାନ୍ୟ ସବୁ ଚିତ୍କାରକୁ ବୁଡ଼ାଇ ଆମ ଡବାର ଉଭୟଦ୍ଵାରରୁ ଶୁଭିଲା, ଜାମୁକୋଳି । ଜାମୁକୋଳି, ଜାମୁକୋଳି । ତିନିଜଣ ବିକାଳି ପଶିଆସିଲେ ତିନିଝୁଡ଼ି ଜାମୁକୋଳି ଧରି । ପୂରା ଭରତି ଝୁଡ଼ି ଦେଉଲିଆ ହୋଇ । କଳା ମଚମଚ । ଝୁଡ଼ିର ଗୋଟାଏ ପାଖରେ କିଛି ବରପତ୍ର, ପାଖକୁ ମାଟିଆ ମୋଟା ଲୁଣ, ପୁଣି ପାଖରେ ଲଙ୍କାମରିଚ ଗୁଣ୍ଡର ଡବା । ଡବାର ଏପାଖ ସେପାଖ ତିନିଜଣ ଜାମୁକୋଳି ଜାମୁକୋଳି ଡାକ ଗଳାଫଟାଇ ଦେଉଛନ୍ତି, କାନ କାଲାକରି ଦେଉଛନ୍ତି ଜଣେ ବୟସ୍କ । ଦୁଇଜଣ ପିଲା । ବୋଧହୁଏ ବାପ, ଦୁଇପୁଅ । ଏକା ଗଛ କୋଳି ଯାହାଠୁ ଖାଅ, ଏକାଘରକୁ ପଇସା ଯିବ । ୟାକୁଇ କହନ୍ତି ବେଉସା ।

 

ଖଟା ମିଠା କୋଳି । ମିଠା ଖଟା କୋଳି–ବିଜ୍ଞାପନ ।

 

ଖୁଦି [କ୍ଷୁଦ୍ର ଯଥା ଖୁଦିରାମ] କୋଳି । ବଡ଼ ଭଳି ନୁହେଁ–ମନ୍ତବ୍ୟ ।

 

କଷା ପଡ଼ିବ । –ସହଯୋଗୀ ମନ୍ତବ୍ୟ ।

 

ଭଲ ପାଚିନାହିଁ–ସ୍ଵଗତ ମନ୍ତବ୍ୟ ।

 

ପାଞ୍ଚ ପଇସାକୁ ପଣେ । ପାଞ୍ଚ ପଇସାକୁ ପାଚିଆଏ । ଭୋକ ଶୋଷ ମରିଯିବ–ପୁଣି ବିଜ୍ଞାପନ ପରସ୍ପର ପରିପୂରକ ।

 

ଲୁଗାରେ ପଡ଼ିଲେ କଷ ହେବ । ପେଟ ମୋଡ଼ିହେବ । ଭୀଷଣ ଅପରିଷ୍କାର, ପାଟି ଜିଭ ନୀଳ ହେଇଯିବ, ଧୋଇକରି ଖାଇବା କଥା–କଟୁତିକ୍ତ ମନ୍ତବ୍ୟମାଳା ବିଭିନ୍ନ ମୁଖନିଃସୃତ ।

 

ଏପାଖ ସେପାଖ ଧାଁ ଧପଡ଼ କରି ତିନିଥର ବୁଲି ଚିତ୍କାର କରି ତିନିଜଣଙ୍କ ତଣ୍ଟି ବସିଗଲାଣି । କେହି ଭଲା ପାଞ୍ଚପଇସାର କିଣୁ । ଭଲା ଜଣେ କେହି ଆରମ୍ଭ କରନ୍ତା ।

 

‘ଦୀପକ ! କୋଳି ଖାଇବ ?’

 

‘ନା...ନାଆଁ ଆ ହଁ ନା...।’

 

ବଡ଼ ପାଟିରେ ଡାକିଦେଲି, ‘ଏ ଜାମୁକୋଳି ! ପାଞ୍ଚପଇସାର ଦେଇଯା’ତ । ବିକାଳି ମୋ ପାଖରେ ପହଞ୍ଚିଗଲା । ବରପତ୍ର ଠୁଙ୍ଗାରେ କୋଳିଭରି ମୋତେ ଧରାଇଦେଲା । ଯାତ୍ରୀମାନେ ସମସ୍ତେ ମୋର ଆଚରଣ, କାର୍ଯ୍ୟକଳାପ ନଜର କରୁଥାନ୍ତି ।

 

ଠୁଙ୍ଗାକୁ ପାଟିପାଖକୁ ନେଇ ହାତେ ଜିଭ ବାହାର କରି ଗୋଟିଏ କୋଳି ପାଟି ଭିତରକୁ ନେଲି ଏବଂ ଚାକୁଚାକୁ କରି ଏପଟସେପଟ ଖେଳାଇ ମନ୍ତବ୍ୟ କଲି, ‘ମନ୍ଦ ଲାଗୁନି, ବେଶ୍ ଲାଗୁଛି ତ ।’ ମିଠାବି ଅଛି କହିଲି । ତଣ୍ଟି ଶୁଖା ପାଗରେ ଭଲ ଲାଗିବ । ଦୀପକ ଆଉ ପ୍ରତିବାଦ ନ କରି ଠୁଙ୍ଗାଏ କୋଳି ଆଣିଲା ଏବଂ ମୋତେ ଅନୁକରଣ କରି ଖାଇବାକୁ ଲାଗିଲା । ‘ଖୁବ୍‌ ବଢ଼ିଆ ଲାଗୁଛି ସାର୍‌ ।’ ପାଟିକରି ତାରି କଥାକୁ ରିଲେ କରିଦେଲି ଡବାଭିତରକୁ ‘ଖୁବ୍ ବଢ଼ିଆ ଲାଗୁଛି ନା-। ପାଞ୍ଚପଇସାରେ ତୁମେ ଆଉ କ’ଣ ଖୋଜୁଛ ? ଏକତ୍ର ଉଭୟ ଖାଦ୍ୟ ପାନୀୟ ।’

 

‘ଏ । ମୋତେ ପାଞ୍ଚପଇସାର ଦିଅ ।’ ‘ୟାଡ଼କୁ ଆଣ’ ୟାଡ଼କୁ । ୟାଡ଼କୁ, ୟାଡ଼କୁ, ଚିତ୍କାର ଡବାର ଚାରିଆଡ଼ୁ ଆସିଲା । ବିକାଳିଗୁଡ଼ାକର ହାତର ବିଶ୍ରାମ ନାହିଁ । ଖାଲି ଚାକୁ ଚାକୁ । କଚ୍‌ କଚ୍‌ ଠକ୍‌ ଠକ୍‌–ମଞ୍ଜି ପଡ଼ିବା ଶବ୍ଦ । ପିଲାମାନେ ଗଛରେ ଚଢ଼ି ଜାମୁକୋଳି ଖାଇବାସୁଖ ମଉଜ ଯାତ୍ରୀମାନେ ଟ୍ରେନରେ ପାଇଗଲେ ଯିମିତି । ଆଉ ଗୋଟାଏ ଷ୍ଟେସନ ଗାଡ଼ି ପାର ହୋଇଛି କି ନାହିଁ ସବୁ କୋଳି ଶେଷ ।

 

ବେସିନରେ ହାତମୁହଁ ଧୋଇ ପୁଣି ସେଇ ଫୁଲପକା [ସେଇ ଝିଅଟିର ହାତଅଙ୍କା ଫୁଲ-!] ରୁମାଲରେ ପୋଛାପୋଛି କରିବା ପରେ ଫେରିଆସି ଦେଖିଲା ମୋର ଚିନ୍ତାମଗ୍ନ ରୂପ । ସାର୍, ଆପଣ ଏମିତି ଗମ୍ଭୀର ହୋଇଗଲେ ଯେ, ଆପଣ ନିଶ୍ଚୟ ଭାବୁଥିବେ ଆଜିର ଏଇ ଦୁଇକଥା, ଜାମୁକୋଳିବିକାଳି ଆଉ ସେଇ ବଇଁଶୀଆ କଥା ।

 

ମୁଁ କହିଲି, ଦୁଇକଥା ନୁହେଁ ତିନିକଥା । ତିନି ନୁହେଁ ହଜାର ହଜାର କଥା । ତୁମକୁ ଆଶ୍ଚର୍ଯ୍ୟ ଲାଗୁନି ମଣିଷର ଏଇ ବିଚିତ୍ର ମାନସିକ ପ୍ରକୃତି ଓ ବ୍ୟବହାର ? ଆମେ ଦେବାକୁ ଚାହୁଁ ଦେଉନା, ଖାଇବାକୁ ଚାହୁଁ ଖାଉନା, ଯାହା ଦେଖିବାକୁ ଚାହୁଁ ଦେଖୁନା । ସଙ୍କୋଚ ଆସେ । ଆମେ ଚାହୁଁ ଆଉ କେହି ସେ କାମ କରୁ, ଆମର ସଙ୍କୋଚ ଭାଙ୍ଗିବ । ଯେତେ ବେଶି କାମ କରିବାକୁ ଆମର ସଙ୍କୋଚ, ସେତେ ବେଶି ଭଦ୍ର ଆମେ ।

 

ଆଖି ଢିମା ଓଲଟାଇ ଦେଇ ଦୀପକ ଶୁଣୁଥିଲା ଗୁରୁବଚନ । ଦଣ୍ଡେ ରହି ମୁଁ ପୁଣି କହିଲି, ‘କହି ପାରିବ ଦୀପକ ! ୧୯୩୪ ସାଲରେ କାଠଯୋଡ଼ି ନଈବାଲିରେ ଯେତେବେଳେ ସୂର୍ଯ୍ୟ ଲାଲ ହୋଇ ନରାଜ ପାହାଡ଼ ଉପରେ ସଭାର ଦୃଶ୍ୟ ଉପଭୋଗ କରୁଥିଲେ ସେତେବେଳେ ବୁଢ଼ାଟାଏ ସେଇ ସଭାରେ କି ଗୀତ ଗାଇଥିଲା, କି ଜାମୁକୋଳି ବିକୁଥିଲା ଯେ ଲୋକେ ସବୁ ସଙ୍କୋଚ ଛାଡ଼ି ଅଧଲା ପାହୁଲା ଛଦାମ ଏମିତି କି ଗହଣା ଗାଣ୍ଠି ଲୁଗାପଟା ଫୋପାଡ଼ି ଖାଲି ଦିହରେ ଘରକୁ ଫେରିବାରେ ଗର୍ବ ଅନୁଭବ କରୁଥିଲେ ? ଆଉ ସେଇ ଦ୍ଵାପରଯୁଗର ଗୋପୀଗୁଡ଼ାକ ଗଉଡ଼ ଟୋକାର ବଇଁଶୀସୁର ଶୁଣି ସଙ୍କୋଚ ଫୋପାଡ଼ି କଦମ୍ବମୂଳର ଯମୁନାଜଳରେ...ଆଚ୍ଛା, ଏତେ ତ ବକ୍ତୃତା ଶୁଣିଲ, ଏଥର କୁହ ତୁମ ହଳଦୀପଦାର ଜାମୁକୋଳି କଥା । କ’ଣ କରିବ ? ଖାଇବ ନା ଚାହିଁ ରହିଥିବ ?...

 

ଏଥର ନିଃସଙ୍କୋଚରେ ଆଗେଇଲି । ଆଗେଇଲି ସାର୍‌ । ଶାମ ଅପବାଦ ପଛେ ଲାଗିଥାଉ ଯେ ଯାହା ବୋଲିବ ପଛେ ବୋଲୁଥାଉ ।

Image

 

ବରା ଗୁଲୁଗୁଲା

 

‘‘ବାଆ ଲୋ !” –ଏଗାର ବାର ବର୍ଷର ହାଫ୍‌ପେଣ୍ଟ ଓ ଛୋଟ ଫ୍ରକ୍ ପିନ୍ଧିଥିବା ଝିଅଟି ଗୁମୁଟି ଭିତରୁ ଗେହ୍ଲେଇ ହୋଇ ଡାକିଲା ।

 

‘‘କ’ଣ କିଲୋ ?” ଗୁମୁଟି ପଛପଟ ନାଳଟାରେ ପ୍ରାୟ ଉଭା ଲଙ୍ଗଳା ହୋଇ ଗାଧୋଉଥିବା ତା’ ବାପା ଜବାବ ଦେଲା । ‘‘କ’ଣ ହେଲା କି ? ବରାଗୁଡ଼ାକ ଥାକ ଥାକ କରି ରଖି ସାଇଲୁ ? ଗୁଲୁଗୁଲାଗୁଡ଼ାକୁ ପତର ଢାଙ୍କି ଦେଇ ଚା’ କେଟଲି ବସାଇ ଦେ ।”

 

ରାମ ଭାଇର ଦୋକାନରେ ଏକ ଗୁରୁତ୍ଵପୂର୍ଣ୍ଣ ସକାଳ ଆରମ୍ଭ ହେଉଛି ।

 

‘‘ବାଆ ଲୋ !” ପୁଣି ପାଟିକରି ଝିଅ ଆରମ୍ଭ କଲା, “କ’ଣ କହୁଥିଲି କି କାଲି ସେଇ ବାସି ବରାଟା ବିକ୍ରି ହେଲାନି, ରହିଗଲା । ଖୁବ୍ ନରମ ଲାଳୁଆ ହୋଇ ଯାଇଛି । ଫିଙ୍ଗି ଦେବି ?

 

‘‘ନା ନା; ଗରମ ବରା ଭିତରେ ତାକୁ ସାଇତି ରଖି ଦେ । ତୁ ଦେଖୁଥା ନା ମା । ଶଳେ ଗୁହମୂତ ଖାଇଯିବେ । ଆଜି କଟିଯିବ । ବେଳକାଳ ଉଣ୍ଡି ଲୋକ ଦେଖି ଦେଇଦବୁ ।” –ଲୁଗାଟା ପୂରା ଫିଟାଇ, ପଖାଳି ଚିପୁଡ଼ାଚୁପୁଡ଼ି କରୁଁ କରୁଁ ରାମ ଭାଇ କହିଲା ।

 

ଦୋକାନୀ ନାଆଁ ହରିସାହୁ । ଲୋକେ ତାକୁ ରାମଭାଇ ଡାକନ୍ତି । ତା’ ପଣଗୋଷେଇଁ ବାପା ଗୋପୀ ସାହୁ ଥିଲା ବିରୂପା ନଈ କୂଳରେ ପେତାଶୁଣୀ ପଦାର ଦୋକାନୀ । ତା’ ବାପା ଏ ଛୋଟ ସହରକୁ ଉଠି ଆସିଛି ଦେଶ ସ୍ଵାଧୀନ ହେବା ପରେ । ଗାନ୍ଧୀବୁଢ଼ା ଥିଲାବେଳେ ଲୋକେ ‘ରାମରାଜ୍ୟ’ ‘ରାମରାଜ୍ୟ’ ଭଜୁଥିଲେ । ନେହରୁର ଅମଳ ଗଲା ‘ହିନ୍ଦୀ-ରୁଷୀ ଭାଇ ଭାଇ’ ଡାକରେ-। କ’ଣ ଖିଆଲ ହେଲା ବାପ ସନା ସାହୁ ଦୋକାନକୁ ‘ରାମ ଭାଇର ଦୋକାନ’ ନାଁ ଦେଇ ଅଚଞ୍ଛା କାଠ ଖଣ୍ଡିକରେ ଚୂନରେ ସାଇନବୋର୍ଡ଼ ଲେଖି ଟଙ୍ଗାଇ ଦେଇଛି । ଆମ ରାମଭାଇ ତା’ ତଳକୁ ତିନି ଉତ୍ତରାଧିକାରୀଙ୍କ ନାଆଁ ଲିଟୁ ମିଟୁ ଓ ଟୁଟୁ ଏମିତି ଭାବରେ ଲେଖିଛି, ପଢ଼ିଲେ ଜଣାଯିବ ଲିଝୁ ମିଝୁ ଝୁଝୁ ।

 

ପାଞ୍ଚନମ୍ବର ଆଉ ଛଅନମ୍ବର ଜାତୀୟରାଜପଥର ଏଇ ଦୋକାନଟି । ଛୋଟ ସହରରେ ପ୍ରବେଶ ପଥରେ । ବାରିକପୁର, ଅନନ୍ତପୁର, ମଙ୍ଗଳପୁର କେଦାରପୁର ଆଉ ହରିପୁର ଆଡ଼ୁ ଆସୁଥିବା ସବୁ ରାସ୍ତାର ସଙ୍ଗମ ସ୍ଥଳରେ ଏହାର ଅବସ୍ଥିତି । କେଉଁ ଓଭରସିଅର ବା ଇଞ୍ଜିନିୟର ବାବୁଙ୍କୁ ବରା ଗୁଲୁଗୁଲା ଆଉ ଚା’ ବରାବର ଖାଲି ଖୁଆଇ ଏ ଛକ ଜାଗାଟି ଦଖଲ କରି ରାମ ଭାଇ ବସି ଯାଇଛି, ମୂଳ ଜାଗାରୁ ଦୋକାନ ଉଠାଇ ଆଣି ।

 

ବିଚିତ୍ର ଏ ଦୋକାନର ନିର୍ମାଣ କୌଶଳ । ଗୁମୁଟି ଉପର ଚାଳ ଛପର ଏମିତି ଯେ ପୂର୍ବାଳି ପବନ ଟିକିଏ ଜୋର୍‌ରେ ବହିଲେ ତାହା ପଶ୍ଚିମକୁ ଉଡ଼ିଯାଏ, ପୁଣି ପଶ୍ଚିମା ପକାଇଲେ ପୂର୍ବକୁ ଅର୍ଥାତ୍ ଯଥାସ୍ଥାନକୁ ଚାଳଟି ଫେରିଆସେ ।

 

ରାମ ଭାଇ ବେଶ୍‌ ଜାଣିଛି ଜୀବନରେ ଚାରିପାଞ୍ଚବର୍ଷ ଛାଡ଼ି ଛାଡ଼ି ଏମିତି ଗୋଟାଏ ଚାନ୍‌ସ ଆସେ, ଏମିତି ଗୋଟାଏ ଦିନ ଆସେ । ମାରି ପାରିଲେ ବଞ୍ଚିଗଲ, ନ ହେଲେ ପୋଛି ହୋଇଗଲ ପୁଣି କେତେବର୍ଷ । ଆଜି ପରା ସକାଳରେ ଭାଇ ସେଥିପାଇଁ ଭାରି ତତ୍ପର । ସୂର୍ଯ୍ୟ ଦେବଙ୍କୁ ଚୁମ୍ବକ ନମସ୍କାରଟାଏ ମାରି ଦେଇ ଦୋକାନ ଉପରକୁ ଉଠି ଆସିଲା, ନଡ଼ିଆକତା ଧୂଆଁରେ ଧୂପ ଦେଇ ଅଗରବତିଟାଏ ଜାଳିଦେଲା । ଫଟୋମାନଙ୍କ ଆଗରେ–ଗାନ୍ଧୀ, ଜହରଲାଲ, ଶାସ୍ତ୍ରୀଜୀ, ଇନ୍ଦିରା, ହେମାମାଳିନୀ, ଜୟପ୍ରକାଶ, ସଞ୍ଜୟ ଓ ଆମଜାଦ୍‌ ଖାଁ । ସମସ୍ତେ ଏକା ସାଙ୍ଗରେ ଝୁଲୁଛନ୍ତି ।

 

ରାମ ଭାଇ ରାତି ତିନିଟାରୁ ଉଠି ଝିଅ ସାଙ୍ଗରେ ଲାଗିପଡ଼ି ବେଶି ବେଶି କରି ସବୁ ସରଞ୍ଜାମ ପ୍ରସ୍ତୁତ କରି ରଖିଛି । ରାତିରେ ଘରକୁ ଫେରି ପାରି ନାହିଁ । ଆଜି କେତେବେଳେ ପୁଣି ଭାତ ଖାଇବାକୁ ଯିବେ ଯଦି ଫୁରୁସତ୍ ମିଳେ, ବରା ଗୁଲୁଗୁଲା ବିକ୍ରି ଯଦି ସରେ ।

 

ପତଳା ମସିଆ ଲୁଗା ପିନ୍ଧି ଚକା ଆସନ ମାରି ପଇସା ବାକ୍‌ସରେ ପାଣି ଛିଞ୍ଚି ‘ଜୟ ସନ୍ତୋଷୀ’ ମାଆ କହି ଧୂପକାଠିଟାରେ ନୋଟ୍ ଓ ପଇସାଗୁଡ଼ାକୁ ବନ୍ଦାଇଲା ଏବଂ ପୂର୍ବ ପୁରୁଷଙ୍କୁ ସ୍ମରଣ କରି ଦିନଟି ଆରମ୍ଭ କଲା । ତା’ର ଦୁଇ ସାଙ୍ଗବି ଆସିଗଲେ ।

 

ପ୍ରଥମ ସାଙ୍ଗ ହେଲା ଗୋଟାଏ ଭିକାରି । ବିଚିତ୍ର ବେଶଭୂଷା ତା’ର । ଧୋତି, ଫତୁଆ ଜହରଲାଲି । ବୁକୁଚାଟାଏ ବାଡ଼ି ଖଣ୍ଡିକରେ କାନ୍ଧରେ ଝୁଲୁଥାଏ । କେତେବେଳେ ତାହା ଭୂଇଁ ଛୁଏଁ ନାହିଁ । ତା’ ଭିତରେ କ’ଣ ଥାଏ ଭଗବାନ ଜାଣନ୍ତି । କପାଳ ଉଞ୍ଚା । ଆଖି ଢିମା ଢିମା । ବୁଭୁକ୍ଷୁ ଚେହେରା । ବଣିପାଟି ପରି ପାଟି । ଆଖିରେ ମେଞ୍ଚାଏ ଲଞ୍ଜରା ।

 

ଦୋକାନ ଆଗରେ ବରଗଛ ଛାଇରେ ଭିକାରିଟା ବସିଗଲା । ଦୁଇନମ୍ବର ସାଙ୍ଗ ବୁଲା କୁତୀଟା ଭିକାରି ପାଖରେ ଖଣ୍ଡେ ଦୂର ଆଗକୁ ପେଟେଇ ଲାଞ୍ଜକୁ ଲମ୍ବାଇ ଦେଇ ଶୋଇଗଲା ଓ ଜିଭ କାଢ଼ି ଧକେଇଲା । ଆଖି ଦୁଇଟା ତା’ର ଭିକାରି ଉପରେ ଥାଏ ।

 

ଭିକାରି ଆରମ୍ଭ କଲା, “ରାମ ଭାଇ ! ଆଠ ଦଶ ପତାକା ଜାଗାରେ ଜମା ଚାରିଟା କ’ଣ ଖଞ୍ଜିଛୁ ? ତରା, ତୀରଧନୁ, ଚକଲଙ୍ଗଳ, ଅରଟ ଆହୁରି କେତେ କ’ଣ ଥିଲା । ସେ ସବୁ ଯାଇ ଦେଖୁଛି କେବଳ ଚାରିଟା, ଗାଈ ବାଛୁରୀ ତ ଅଛି, ଦାଆ ଧାନକେଣ୍ଡା, ଦାଆ ହାତୁଡ଼ି ଆଉ ଚକ ଲଙ୍ଗଳ ପରି ଦିଶୁଛି ସେଇଟା କ’ଣ ଗୋଟାଏ ନୂଆ ଚିହ୍ନ ?”

 

‘‘ଚକ୍ର ହଳଧର । ସେଇ ଗୋଟାକ ତ ଅସଲ ଚିହ୍ନ ।’’ ଗମ୍ଭୀର ହୋଇ ରାମଭାଇ କହିଲା-। ଆରେ ଭିଖା ! ମହୀ କ୍ଷଣ କ୍ଷଣକେ ଆନ । ତୁ ଖାଲି ଦେଖୁଥା, ଶୁଣୁଥା । ଦେଖୁନୁ, ଚାରିଦଳ ମିଶି ଏକ ହୋଇଗଲେ, ଦଳ କମିଗଲା, ମୋର ପତାକାବି କମିଗଲା’’

 

‘‘କ’ଣ ମେଣ୍ଟ । ଖେଚୁଡ଼ି ।’’

 

‘‘ମେଣ୍ଟ କାହିଁକି ହେବ, ଏ ଏକ ନୂଆଦଳ ।’’

 

‘‘ରାମ ଭାଇ ତୁ କେଉଁ ଦଳ ?’’

 

‘‘ପତାକାରୁ ଜାଣି ପାରୁନୁ ? ମୁଁ ସବୁ ଦଳ, ଯେଉଁ ଦଳ ଯେତେବେଳେ ଆସୁ । ବାଆକୁ ବତା ପାଣିକୁ ଛତା ।’’

 

‘‘ତୁ ଭାଇ ଭାରି ହୁସିଆର ଲୋକ ! ତୋତେ ସବୁ କଥା ଜଣା । ଜାଣିବୁ ନାହିଁ ବା କିମିତି-? ସବୁ ଖବରକାଗଜ ତ ତୋରି ଏଇ ଦୋକାନରୁ ବଣ୍ଟାଯାଏ । ଦୁନିଆ ଯାକ ଲୋକ ତୋ ଦୋକାନକୁ ଆସନ୍ତି । ତୁ ଯେମିତି ଜ୍ଞାନୀ ସିମିତି ଚାଲାକ ।’’

 

କୁତୀଟା ଭିଖାକୁ ସମର୍ଥନ ଜଣାଇ ଚାମଚାଗିରି କରି ଲାଞ୍ଜଟାକୁ ଧୀରେ ଧୀରେ ଭୂଇଁରେ ବାଡ଼େଇଲା ଏବଂ ମୁଣ୍ଡ ଉଠାଇ ଥରେ ରାମ ଭାଇକୁ ଆଉଥରେ ଭିଖା ଭାଇକୁ ଚାହିଁଲା ।

 

‘‘ଭାଇ । ବିଡ଼ି ଖଣ୍ଡିଏ ଦେ ।’’

 

‘‘ତୁ ଟା ବଡ଼ ଟାଉଟର ଅଛୁ ଦେଖୁଛି । ବଇନି ନ ହେଉଣୁ, ମାଗି ଦେଲା । ‘ବିଡ଼ି ଖଣ୍ଡେ ଦେ ।’’ ଏଡ଼ିକି ଚାଖଣ୍ଡେ ପଇସାକିଆ ଚା’ ଦୋକାନ । ତେଲ ଦର କାହିଁରେ କ’ଣ ହେଲାଣି ଯେ ବରା ଗୁଲୁଗୁଲା ଦୋକାନ ବନ୍ଦ ହେବା ଉପରେ । କେତେ ଲାଭ ଯେ ବିଡ଼ି ସିଗାରେଟ ଚା’ ପୋଲାରେ ତୋତେ ଯୋଗାଉଥିବି ? ତୁ ଏ ଭିକମଗା କେବେ ଛାଡ଼ିବୁ ? ଭୋଟ ଭିକାରିଙ୍କ ପରି ତୁ ବି ସବୁବେଳେ ମୋତେ ହଇରାଣ ହରକତ କଲୁ ଯେ । ତାଙ୍କର ତ ଦିନେ, ତୋର ଯେ ସବୁଦିନ-।’’

 

‘‘ଭାଇ ଆଜିର ଏ ପୁଣ୍ୟ ସକଳଟାରେ ମୋ ଉପରରେ ତୁ ଆଉ ଚିଡ଼୍‌ନା । ତୁ ତ ଜାଣି ନ ମାଗିଲେ ମୁଁ ବଞ୍ଚିପାରିବ ନାହିଁ । ମାଗିବାଟା ବଦଅଭ୍ୟାସ ହୋଇଯାଇଛି । ପୁଅ ସ୍ତ୍ରୀ ବହୁତ ଚିଡ଼ୁଛନ୍ତି । ମୋତେ ଦିନେ ଦିନେ ଘରେ ବାନ୍ଧିବି ରଖୁଛନ୍ତି । ଛାଡ଼ ସେ କଥା । ଭାଇ ! ବୁଢ଼ୀ କେତେବେଳେ ପହଞ୍ଚିବ ? ଲୋକେ ତ କାଲି ସଞ୍ଜରୁ ବୁଗୁଚାପତ୍ର ଧରି ପହୁଞ୍ଚି ଗଲେଣି ।’’

 

‘‘ଯେତେବେଳେ ଆସିବ ଆସୁ; ବିଜୁ ତା’ ଗୋଛି କାଟି ଦେଇ ଯାଇଛି, ଆଉ ଛିଡ଼ା ହେବାର ଜୁ ବି ନାହିଁ ବୁଢ଼ୀର । ସୋରିଷ ତେଲ କଥା ଯାହା କହିଲା ନା ! କହିଲା, ତେଲ ଚଉଦ ଟଙ୍କା ହେଲା ଖାଲି କେତେଜଣ ମାଲିଶ୍ କରି କରି ସବୁ ଷ୍ଟକ୍ ସାରିଦେଲେ ବୋଲି । ସତ କଥା ଭାଇ ! ତୁ କହନି ଗରାଖକୁ ଖାଣ୍ଟି ସୋରିଷ ତେଲର ବରା ଦିଟାବି ଦେଇ ପାରିଲି ନାହିଁ । ଏ ସରକାର ନ ରହିବା ଭଲ । ହ୍ଵାଇଟ୍ ଅଏଲରେ କେତେ ଦିନ ସରକାର ଚାଲିବ ? ବିଜୁ କହିଲା, “ବୁଢ଼ୀ ଏଇ ତେଲରେ ତେଲରେ ଭାସିଯିବ ।’’

 

ଭିଖା କହିଲା, ‘ଠିକ୍ କହୁଛୁ ଭାଇ ।’ କୁତୀଟା ଲାଞ୍ଜ ହଲାଇ ‘ହଁ’ ଭରିଲା ।’

 

ରାମ ଭାଇ ଦେଖିଲା ଯୋଡ଼ାଏ ଜିପ୍ ଦୋକାନ ଆଗରେ ଛିଡ଼ା ହୋଇଗଲା । ତରବର ହୋଇ ଗାଈବାଛୁରୀ ପଢ଼ାକାଟାକୁ ଉଠାଇ ଦେଲା ଚାଳ ଉପରକୁ । ଗୋଟାଏ ଛାତିରେବି ଲଗାଇ ଦେଲା ।

 

ଓହ୍ଲାଇଲେ ବ୍ରଜସୁନ୍ଦର ମହାପ୍ରାତ ଗଣେଶ୍ଵର ପ୍ରାତ, ଗୁରକିଆ ମାଝୀ, ରାସମଣି ଜେନା, ସୀତାବଲ୍ଲଭ ପଟ୍ଟନାୟକ, କାର୍ତ୍ତିକ ଆଚାର୍ଯ୍ୟ । ଦିବ୍ୟ ଖଦଡ଼ଧାରୀ, ଗାଈବାଛୁରୀ ସନ୍ତକ ସମସ୍ତଙ୍କ ଛାତିରେ । ପୁଣି ଆଉ ଏକ ଜିପ୍ ଓହ୍ଲାଇଲେ ମଦନ ଦାସ ଓ ଯୁବନେତାଙ୍କ ଦଳ ।

 

ରାମ ଭାଇ ଭିଖାକୁ ଲକ୍ଷ୍ୟ କରି ପାଟିକରି କହିଲା, ଭିଖା ଭାଇ ! ଗାଈବାଛୁରୀ ହାୱା ଯିମିତି ବହୁଛି ତୁ ଦେଖିବୁ ଚାରିଖୁଣ୍ଟିଆ ଦଳ କୁଆଡ଼େ ଉଡ଼ି ଯିବେ । ଆଜି ଦେଖିବୁ ସଭାରେ ପଚାଶ ହଜାର କି ଲକ୍ଷେ ଲୋକ ହେବେ । ଯେତେଦିନ ହେଲିକପ୍‌ଟର ଟ୍ରାଏଲ ଚାଲିଥିଲା । ପ୍ରତିଦିନ ପାଞ୍ଚ ପାଞ୍ଚ ହଜାର ଜମା ହେଉଥିଲେ । ଆଜି ଦେଖିବୁ ଜନସମୁଦ୍ର ।’’

 

‘‘ଠିକ୍ କହିଛୁ ରାମ ଭାଇ ! ଭିଖା କହିଲା କୁତୀଟା ଭୂଇଁରେ ଲାଞ୍ଜ ପିଟିଲା ।

 

ଗାଈବାଛୁରୀ ପ୍ରଶସ୍ତି ଶୁଣି ଦଳ ଦଳ ସ୍ତାବକ ପାଖକୁ ଯାଇ ପଚାରିଲେ ‘‘ଗରମ ବରା ଅଛି ? ଭାରି ଭୋକ । କାଲି ରାତିଯାକ ନିଦ ନାହିଁ । ଡିଷ୍ଟ୍ରିକ୍ଟ ମାଜିଷ୍ଟେଟଟାର ଟିକିଏ ହେଲେ ବୁଦ୍ଧି ନାହିଁ । ସବୁ ବିଶୃଙ୍ଖଳା । ଦିଅ ଦିଅ, ବରା ଦିଅ । ଗୁଲୁଗୁଲା ଅଛି ତ ପକାଅ ପୁଞ୍ଜାଏ ପୁଞ୍ଜାଏ । ଯାହା ଖାଇଥିଲୁ ଅଧଘଣ୍ଟାଏ ଆଗରୁ, ସବୁ କୁଆଡ଼େ ଜରିଗଲାଣି ।’’

 

ରାମଭାଇ ଝିଅକୁ ଆଖି ଠାରି ଦେଲା । ଥାକକୁ ଥାକ ବରା ଶାଳପତ୍ରରେ ଝିଅଟି ବଢ଼ାଇ ଦେଉଥାଏ । ସେମାନେ ଗୋଟାଏ ଲେଖାଏ ଖାଉଥାନ୍ତି ଓ ‘ଜୟ ଇନ୍ଦିରାଗାନ୍ଧୀ’ କହୁଥାନ୍ତି । ପାନଖିଆ ପାଟି ନରକ ପରି ଆଁ କରୁଥାଏ; ବରା ଗୁଲୁଗୁଲା ତା’ ଭିତରେ ଅଦୃଶ୍ୟ ହେଉଥାନ୍ତି ।

 

ସେମାନେ ଯିମିତି ଘର୍‌ଘର୍‌ କରୁଥିବା ଜିପ୍‌ଗୁଡ଼ାକରେ ଚଢ଼ି ବାହାରିଲେ ଭିକାରିଟା ଶାଳପତ୍ର ଠୁଙ୍ଗା ସବୁ ପୋଛିପୋଛି ଟୁକୁରା ସବୁ ଖାଇଗଲା । କୁତୀଟା ବାକି ଯାହା ଥିଲା ତାକୁ ଚାଟି ସଫା କରିଦେଲା ।

 

ଭିଖା କହିଲା, ‘‘ତୋ ପରି ଟାଉଟର କେହି ନାହିଁରେ ରାମ ଭାଇ !’’ କୁତୀ ଲାଞ୍ଜ ହଲାଇଲା ।

 

ଏଥର ରାମ ଭାଇ ଦେଖିଲା ଆସୁଛନ୍ତି ବରୁଣ ଦେ, ଭୀମ ସେଠି ଆଉ ଦିଗମ୍ବର ପଣ୍ଡା-। ‘ଜିନ୍ଦାବାଦ’ ‘ଜିନ୍ଦାବାଦ’ ଧ୍ୱନିରେ ଦିଗନ୍ତ ମୁଖରିତ ହେଉଛି । ଚାହୁଁ ଚାହୁଁ ରାମଭାଇ ଗାଈବାଛୁରୀ ପତାକା ସାଙ୍ଗରେ ଦାଆ ଧାନକେଣ୍ଡା ପତାକା ଯୋଡ଼ି ଦେଲା । ଶୁଣେଇ ଶୁଣେଇ କହିଲା, “ଟାଉଟର କାହାକୁ କହନ୍ତି ଜାଣୁ ? ବୁଝିଲୁ ଭିଖା, ଦେଶଟାକୁ ଟାଉଟର, ପୁଞ୍ଜିପତି, ଆମେରିକା ଦଲାଲ ଖାଇଗଲେ, ସବୁ ଫାସିଷ୍ଟ, ଆମେରିକା ଟଙ୍କାର କାରବାର । ଆରେ, ହିଟ୍‌ଲର ଚାଲିଗଲା; କାଳୁ କେଳୁ କେଉଟା ଦେଶ ଶାସନ କରିବେ ?’’

 

ଦିଗମ୍ବର ପଣ୍ଡା ଆଗୁଆ ହୋଇ ଥାକକୁ ଥାକ ବରା, ଗୋଟାକୁ ଗୋଟା ଗୁଲୁଗୁଲା ପାରାୟଣ କରିବାରେ ଲାଗିଗଲେ । ତାଙ୍କ ପଛକୁ ଖଟିଖିଆ ମଜୁରିଆଏଁବି ଗୋଟାଏ ଦୁଇଟା ଖାଇଗଲେ ଓ ବୋତଲରୁ କିଛି ପିଇଗଲେ ଏବଂ ଶେଷରେ ରାମଭାଇର ବରା ଗୁଲୁଗୁଲାର ତାରିଫ କରି ସଭା ଆଡ଼କୁ ମୁହେଁଇଲେ ।

 

ଭିଖା କହିଲା, “ରାମ ଭାଇ ! ତୋ ପରି ବୁଦ୍ଧିଆ ଚଲାକ କେହି ନାହିଁରେ ।” କୁତୀ ଲାଞ୍ଜ ହଲାଇଲା ।

 

ଏମିତି ଦଳକୁ ଦଳ ବିଭିନ୍ନ ରାଜନୈତିକ ମତବାଦର ଲୋକେ ରାମଭାଇର ଦୋକାନ ଦେଇ ଯାଉଥାନ୍ତି । ରାମଭାଇ ଲୁହା ଜାଣି ପାଣି ଦେଉଥାଏ । ‘ଦାଆହାତୁଡ଼ି ଦଳ ଯେତେବେଳେ ‘ଜବାବ ଦିଅ, ଜବାବ ଦିଅ’ ଚିତ୍କାର କରି ଆସିଲେ ରାମଭାଇ କହିଲା ‘‘ବୁଝିଲୁ ନା ଭିଖା ! ଏଇମାନେ ସବୁଠୁ ଶକ୍ତିଶାଳୀ ଦଳ, ୟାଙ୍କ ଆଗରେ କେହି ଟେକି ପାରିବେ ନାହିଁ, ଦାଆରେ କାଟି ଦେଇଯିବେ; ହାତୁଡ଼ିରେ ଛେଚି ଦେଇଯିବେ, ସବୁ ସମାନ ହୋଇଯିବେ ।” ଏ କଥା ଶୁଣି ସେମାନେବି ଛିଡ଼ା ହୋଇ ଗୋଟାଏ ଦୁଇଟା ବରା ଖାଇଲେ । ସେମାନେ ଚାଲିଗଲାରୁ ଭିଖା କହିଲା ‘‘ରାମଭାଇ ତୁ ଖଣ୍ଡେ ଅଛୁ ।’ କୁତୀ ଲାଞ୍ଜ ହଲାଇଲା । ଏମିତି ଗରାଖମାନେ ବରା ଗୁଲୁଗୁଲା ଖାଉଥାନ୍ତି । ଝିଅଟି ନାକରୁ ପାଣି ପୋଛିବାକୁ ସବୁର ପାଉ ନ ଥାଏ ।

 

ସବୁ ରାସ୍ତା ସଭାଆଡ଼କୁ । ସବୁରାସ୍ତା ରାମ ଭାଇର ଦୋକାନ ଦେଇ । ସମସ୍ତେ ବ୍ୟସ୍ତ । ପ୍ରଧାନମନ୍ତ୍ରୀ ଠିକ୍ ଟାଇମରେ ଆସିଯିବେ । ହଜାର ହଜାର ଆଖି ଆକାଶଟାକୁ ଖୋଜି ଯାଉଛନ୍ତି, ହେଇ ଯେ ହେଲିକପ୍‌ଟର ଦିଶିଲା । ଅନେକ ଦିନ ଧରି ଦିନରାତି ପ୍ରସ୍ତୁତି ଚାଲିଛି । ନଅ ମିନିଟ୍‌ ବକ୍ତୃତାପାଇଁ ହୁଏତ ନବେହଜାର । ଯେତିକି ଗଛ ବର୍ଷସାରା ଲଗା ଯାଇଛି ସେ ସବୁ ପଚାଶବର୍ଷ ପରେ ଯେଉଁ ସାଇଜ ହୋଇଥାନ୍ତେ ସେଇ ସାଇଜର ହଜାର ହଜାର ଗଛ ଜଙ୍ଗଲରୁ କଟାଯାଇ ରାତାରାତି ଟ୍ରକ୍‌ରେ ଅଣାହୋଇଛି ଆଉ ତିଆରି ହୋଇଛି ସଭାସ୍ଥଳୀ ! ପାଖରେ ହେଲିପେଡ଼ବି । ସେଇଠି ଓହ୍ଲାଇ ଜିପ୍‍ରେ ସଭାମଞ୍ଚ (ପକ୍କାର ମଞ୍ଚଟି କେତେ ସୁନ୍ଦର ଡିଜାଇନର) କୁ ଉଠିବେ । ତିନି ଚାରିଜଣ ଲୋକ ଦୁଇଜଣ ପୋଲିସ୍ ମଞ୍ଚ ଉପରେ ଘୂରାଫେରା କରୁଛନ୍ତି, ଆଉ ଜଣେ ଦି ଜଣ ସ୍ଵେଚ୍ଛାସେବକ ତାଙ୍କ ପଦଧୂଳି ସଫା କରିବାରେ ଲାଗିଛନ୍ତି । ଜଣକୁ ଜଣ ଲାଉଡ଼ସ୍ପିକର ଜରିଆରେ ଉପଦେଶ ଦେଉଛନ୍ତି । କେତେବେଳେ ‘ଜୟହିନ୍ଦ’ କହିବେ କେତେବେଳେ ‘ଜିନ୍ଦାବାଦ’ କହିବେ, କେତେବେଳେ ହାତ ଟେକିବେ, କେତେବେଳେ ଶଙ୍ଖ ବଜାଇବେ, କେତେବେଳେ ହୁଳହୁଳି ଦେବେ ତା’ର ବାରମ୍ବାର ପୂର୍ବାଭ୍ୟାସ ଚାଲିଛି । ରାମଭାଇ ଦୋକାନ ଆଗ ଦେଇ ଯାଆସ କରୁଥିବା ଲୋକଙ୍କ କଥାରୁ ସବୁ ଜଣାପଡ଼ୁଛି । ଲାଉଡ଼ସ୍ପିକରରୁ ପବନରେ ଭାସି ଆସୁଥିବା ଶବ୍ଦରୁବି ସବୁ ବୁଝା ପଡ଼ୁଛି ।

 

ଗାଉଁଲି ସହରଟି ଲୋକାରଣ୍ୟ । ସ୍ଵତନ୍ତ୍ର ବାସ୍, ସ୍ଵତନ୍ତ୍ର ଟ୍ରେନ୍‌ରେ ବିନା ଭଡାରେ ଲୋକେ ଦୂର ଦୂରାନ୍ତରୁ ଆସିଛନ୍ତି । ପଇସା ଲୋକଙ୍କ ହାତରେବି ପଡ଼ିଛି । ବରା ଗୁଲୁଗୁଲା କ’ଣ ପାଣିରବି ଅଭାବ ଦେଖାଗଲାଣି । ରାମ ଭାଇ ଭାବୁଛି ପାଣି ଦୋକାନ କରିଥିଲେ ବରା ଗୁଲୁଗୁଲା ଅପେକ୍ଷା ବେଶି ଲାଭ ହୋଇଥାନ୍ତା । ପାଟିକରି ‘ଥଣ୍ଡା ପାଣି, ଥଣ୍ଡା ପାଣି’ ଡାକିଥିଲେ ହୋଇଥାନ୍ତା-

 

ଦଶ ମିନିଟରେ ସବୁ ଶେଷ । କେତେବେଳେ ସଭା ଆରମ୍ଭ କେତେବେଳେ ଶେଷ ଜଣା ପଡ଼ିଲାନି । ହେଲିକପ୍‍ଟର ଚାଲିଗଲା । ଫେରିବା ଆରମ୍ଭ ହେଲା । ଦଳେ କହୁଥାନ୍ତି, ଯାହା ଜିତିଥାନ୍ତା ଆଜି ହାରିଗଲା । ଚାମଚାବାଲାଏ ବୁଢ଼ୀକୁ ଖାଇଗଲେ । ଆଜିର ଏ ପଚାଶ ହଜାରରୁ ପଚାଶବି ଭୋଟ ଦେବେନି ତାକୁ । ଅଧେ ଆସିଥିଲେ ହେଲିକପ୍‌ଟର ଦେଖିବାକୁ ଆଉ ଅଧେ ବୁଢ଼ୀକି । ବାକିତକ ସ୍କୁଲପିଲା । ଦେଖିଲନି ଖାଲି ପିଲାଏ ‘‘ଜିନ୍ଦାବାଦ କରୁଥିଲେ–ଆଉ ସମସ୍ତେ ଚୁପ୍‌ଚାପ୍‌ ।

 

ରାମ ଭାଇ ସେମାନଙ୍କ କଥାର ଖିଅ ଟାଣିନେଇ ସେତେବେଳେ କୁହେ ‘ଶଳେ ଟାଉଟର ପଶିଗଲେ ଦେଶରେ’ କେତେବେଳେ ପୁଣି କହେ ‘ଏ କର୍ମନଷ୍ଟୀ ଖାଇଗଲେ ଦେଶଟାକୁ’ ପୁଣି ଆଉ କେତେବେଳେ କୁହେ ‘ଫାସିଷ୍ଟଙ୍କୁ ନ ତଡ଼ିଲେ ରକ୍ଷା ନାହିଁ’ । କୁହେ ‘ପଇସା କି ଭୋଟ ଜିତାଏ ? ସବୁ ପଇସା ମାରିଦେଇ ଯେ ଯିମିତି ବସିଗଲେଣି । ବରା ଗୁଲୁଗୁଲା ଖାଉଛି କିଏ ? ଚଉଦ ଟଙ୍କିଆ ତେଲରେ ଛାଣିଛି, ନହେଲେ ବରାରୁ ଏମିତି ମହକ ବାହାରନ୍ତା ! ହେଲେ ଦୋକାନ ଚଳିବନି ।”

 

ଭିଖା କୁହେ ‘ଠିକ୍ କହିଛୁ ଭାଇ !’ କୁକୁର ଲାଞ୍ଜ ହଲାଏ ।

 

ଫେରୁଥିବା ଲୋକଙ୍କ ଶେଷରେ, ଆସୁଥିଲେ ରବି ଦାସ, ଗଣେଶ ରାଉତ, ଶିବପ୍ରସାଦ ମହାପାତ୍ର ଆଉ କେତେଜଣ । ଫୁଟାଣି ବାହାଦୁରି କିଛି ନାହିଁ ଚାଲିଚଳନରେ । ବକ୍‌ବକ୍‌ ହୁଅନ୍ତି ନାହିଁ । ଚୁପ୍‍ଚାପ୍ କାମ କରିଯାଆନ୍ତି । ସେମାନଙ୍କୁ ଦେଖିଦେଲାମାତ୍ରେ ରାମଭାଇ ଚକ୍ର ହଳଧର ଚିହ୍ନ ଥିବା ପତାକାଟାକୁ ତରବର କରି ଉଠେଇଦେଲା ଏବଂ ଅନ୍ୟ ପତାକାଗୁଡ଼ାକୁ ଭିତରକୁ ଟାଣି ଆଣିଲା । ଭିକାରିକୁ ଶୁଣାଇ କହିଲା, “ଏଥର ଜନତା ନ ଆସିବ ତ ମୁଁ ଦୋକାନ ଭାଙ୍ଗି ଦେବି । ଆମର ଏଠି ତେଲ ଅଭାବକୁ ଉତ୍ତରରେ ଖାମୁ ।”

 

ସେମାନେ ଦୋକାନପାଖକୁ ଆସିଲେ । ରାମଭାଇର ଏ ଭବିଷ୍ୟତ୍ ବାଣୀରେ ଉତ୍ସାହିତ ହେଲେ ନାହିଁ । କାଗଜର କେତେଗୁଡ଼ିଏ ପତାକା ମୁଣିରୁ ବାହାର କରି ଦୋକାନୀକି ଦେଲେ, ହାତ ପତାଇ ଦାନ ଆକାରରେ ଦଶଟି ପଇସା ଦେଲେ । ବରାଗୁଲୁଗୁଲା ପ୍ରତି ସେମାନେ କି ତାଙ୍କ ସାଥିରେ ଥିବା ସ୍କୁଲ କଲେଜ ପିଲାଏ ଆଗ୍ରହ ଦେଖାଇଲେ ନାହିଁ । ବରା ଗୁଲୁଗୁଲା ବି ଆଉ ନଥିଲା-

 

ସମସ୍ତେ ପ୍ରାୟ ଚାଲିଗଲେ । ରାସ୍ତା ଜନମାନବଶୂନ୍ୟ । ଉଦୁଉଦିଆ ଖରା ମାଡ଼ି ଆସୁଛି-। ରାତିଯାକ ରାମଭାଇ ଉଜାଗର । ଗେହ୍ଲିଟା ହାଲିଆ ହୋଇଗଲାଣି । ଦୋକାନପତ୍ର ବନ୍ଦବାନ୍ଦ କରି ତାଲା ଦେବାକୁ ରାମଭାଇ ପ୍ରସ୍ତୁତ ହେଉଛି ଝିଅ କହିଲା, “ବାଆଲୋ ସେ ବରାଟା ଅବିକ୍ରି ରହିଗଲା ।”

 

ରାମ ଭାଇ ସାମାନ୍ୟ ବିରକ୍ତ ହୋଇ କହିଲା, ତୁ ବିକି ଜାଣିଲୁନି ଲୋ ମାଆ ! ତୋ’ପରି ବୋକୀ ଝିଅ ଥିଲେ ଦୋକାନ ବୁଡ଼ିଯିବ । ଦୁଇଦୁଇଟା ଗରମ ବରା ଭିତରେ ରଖି ଧରାଇ ଦେଇଥିଲେ ଗରାଖ ଗୁହବି ଖାଇ ଯାଇଥାନ୍ତେ ।”

 

ଠିକ୍ କହିଲୁ ଶେଷରେ ଗୋଟାଏ କଥା ରାମଭାଇ” ଭିଖା କହିଲା । ‘‘ଗୁହ” ଶବ୍ଦର ଅର୍ଥ ବୁଝିପାରି କୁତୀଟାବି ଖୁବ୍ ଖୁସିରେ ଜୋର୍‍ରେ ଲାଞ୍ଜଟାକୁ ପିଟିଲା ।

 

ମୁମୂର୍ଷୁ ଗଳାରେ ଭିଖା କହିଲା, “ଭାଇ ! ସକାଳ ପହରୁ ଏଠି ଭୋକ ଉପାସେ ପଡ଼ିଛି, ମୋତେ କିଛି ଗଲାବେଳକୁ ମିଳୁ ! ଶଳେ ପତର ଚାଟି ଖାଇ ଦେଉଛନ୍ତି କୁକୁର ପାଉନି, ମୁଁ କ’ଣ ପାଇବି ।”

 

ଆଖି ଠାରି ରାମଭାଇ ଝିଅକୁ କହିଲା ‘‘ମାଲୋ ! ଗୋଟାଏ ବରା ଝୁଡ଼ିରୁ ଦେ ତ । ତୋ ଭିଖା କକା ଭାରି ବ୍ୟସ୍ତ କରୁଛି । ଦେ ମା ! ଶାଳ ପତର ଗୋଟାକରେ ଭଲ କରି ମୋଡ଼ିକରି ଦେ, ଏଲୁମିନିୟମ ଗିଲାସରେ ପାଣି ଗ୍ଳାସେ ବି ଦେ ।”

 

ଗେହ୍ଲି ପତର ଗୋଟାକରେ ଖୁବ୍ ସାବଧାନରେ ବରାଟାକୁ ଥୋଇ ଭିଖାକୁ ଧରାଇଦେଲା । ଭିଖା ଯିମିତି ତାକୁ ଆଙ୍ଗୁଳିରେ ଉଠାଉଛି ଖଣ୍ଡିଏ ଟୁକୁରା ଲତ୍ କରି ତଳେ ପଡ଼ିଗଲା । ପାଟିକି ଯେଉଁ ଫାଳକ ନେଇଥିଲା ତାକୁ ବାନ୍ତି କଲାପରି ବାହାର କରିଦେଇ କହିଲା ‘‘ରାମ ଭାଇ ! ତୋ’ଠୁ ବଳି ଟାଉଟର, କର୍ମନଷ୍ଟୀ, ଫାସିଷ୍ଟ ଆଉ ଏ ଖଣ୍ଡ ମଣ୍ଡଳରେ କେହି ନାହିଁରେ ! ତୁ ମୋତେବି ଏମିତି ଠକି ପାରିଲୁ ?’’

 

କୁତୀଟା ସେ ବାନ୍ତିଗୁଡ଼ାକ ଖାଇବାକୁ ଚେଷ୍ଟା କରୁଥିଲା–ଆଉ ଲାଞ୍ଜ ହଲାଉ ନଥିଲା ।

 

ରାମଭାଇ ତାଲା ଦେଉଥାଏ ଆଉ ଭିଖାକୁ କହୁଥାଏ “ଫୁଟାଣି ବାହାଦୁରି ଆଉ କେଉଁଠି ଦେଖାଇବୁ, ତୋ’ ଘରେ ତୁ ମାଜିଷ୍ଟ୍ରେଟର ବାପା । ମୋ’ ପାଖରେ ତୋର ନାବାଳକ କଟିନାହିଁ । ତୁ ଦେଖିବୁ ତୋ ଆଖି ଆଗରେ ଲୋକେ ଗୁହମୂତ ଖାଇଯିବେ । ଆଉ ଗୋଟେ ନିର୍ବାଚନ ଆସୁ, ପକ୍କା ଯଦି ଠୁଙ୍କି ନ ଦେଉଛି ! ବିରୂପା ନଈକୂଳର ଗୋପୀ ସାହୁ ଆଉ ନେସନାଲ ହାଇୱେର ରାମଭାଇର ଢେର ଫରକ୍ ।”

 

କୁତୀଟା ହସିଲା ପରି ମୁହଁ କରୁଥିଲା ।

Image

 

ପରିଶିଷ୍ଟି

ଏକ ସାକ୍ଷାତ୍‌କାର

 

[ସଂକ୍ଷିପ୍ତ ପରିଚୟ–ଶ୍ରୀଯୁକ୍ତ ବସନ୍ତ କୁମାର ଶତପଥୀ ଗାଳ୍ପିକ, ନାଟ୍ୟକାର ଓ ରମ୍ୟରଚନା ଲେଖକ ଭାବରେ ଏବର ଓଡ଼ିଶା ସାହିତ୍ୟ ଜଗତରେ ସୁପରିଚିତ । ମୟୂରଭଞ୍ଜ ଜିଲ୍ଲାର ପାନ୍ଧଡ଼ା ଗ୍ରାମର ୧୯୧୪ ମସିହା ଜାନୁଆରୀ ପନ୍ଦର ତାରିଖରେ ତାଙ୍କର ଜନ୍ମ । ଇଂରାଜୀରେ M. A. ପାଶ କଲାପରେ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପନା କାର୍ଯ୍ୟ । ସମ୍ପ୍ରତି ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋର, ବାଲେଶ୍ଵରରେ ଇଂରାଜୀ ବିଭାଗର ବିଭାଗୀୟ ‘ମୁଖ୍ୟ’ ଭାବରେ ଅବସ୍ଥାପିତ । ତାଙ୍କର ବିଭିନ୍ନ ସାହିତ୍ୟକୃତି ମଧ୍ୟରେ ‘ଏଣ୍ଟି ରୋମାଣ୍ଟିକ’ (ଗଳ୍ପଗୁଚ୍ଛ), ‘ଚମ୍ପା’ (ନାଟକ) ‘ନବ ନାଟିକା’ (ନଅଗୋଟି ଏକାଙ୍କିକାର ସମାରୋହ) ‘ଲେମ୍ବ୍‍ଙ୍କ ସେକସ୍‌ପିୟର କାହାଣୀମାଳା’ (ପନ୍ଦର ଗୋଟି ଗଳ୍ପ) ଏବଂ ବହୁ ପତ୍ରିକାରେ ରମ୍ୟରଚନା, ପ୍ରବନ୍ଧମାନ ପ୍ରକାଶିତ । କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପ୍ରକାଶିତ କବିତା ସଂକଳନ ‘ସଞ୍ଚୟନ’ର ସେ ସମ୍ପାଦାନ କରିଛନ୍ତି-। ବିଷୁବ ମିଳନରେ ଦୁଇଥର ସମ୍ମାନିତ ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ଦ୍ଵାରା ମଧ୍ୟ ପୁରସ୍କୃତ ଓ ସମ୍ମାନିତ । ‘ଉତ୍ତର ଓଡ଼ିଶା ସାହିତ୍ୟ, ସଂସ୍କୃତି ସମ୍ମେଳନ’ ଅବସରରେ ତାଙ୍କ କ୍ଵାଟରରେ ତା’ଙ୍କ ସହିତ ସାକ୍ଷାତ କରୁଛନ୍ତି ଡକ୍ଟର ମନୀନ୍ଦ୍ର ମହାନ୍ତି ଓ ସହଯୋଗୀ ଅଧ୍ୟାପକ କୀର୍ତ୍ତନ ବିହାରୀ ଦାସ ।]

 

ଆମର ପ୍ରଥମ ପ୍ରଶ୍ନ ଥିଲା–“ଆପଣ ଯାହା ରଚନା କରିବାକୁ ଚାହାନ୍ତି, ତାହା ହାସ୍ୟ-ବ୍ୟଙ୍ଗ ମାଧ୍ୟମରେ କାହିଁକି ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ?’’

 

ହାସ୍ୟରସସ୍ରଷ୍ଟା ଟିକେ ଚିନ୍ତାମଗ୍ନ ରହିଲେ । ହୁଏତ ସେ ଭାବୁଥିଲେ, ଆରେ ସତେତ, ଏ କଥା ତ କେବେ ଚିନ୍ତା କରି ନଥିଲି । ଟିକେ ରହି ସେ ପାଟି ଫିଟେଇଲେ–“ମଣିଷର ପ୍ରକୃତି/ଲେଖକର ପ୍ରକୃତି ତାହାର ଲେଖାରେ ପ୍ରକାଶ ପାଏ । ଯିଏ ଯେଉଁ କାମ ପ୍ରକୃତିରେ ଲୋକ ତାହାର ପ୍ରକାଶ ଘଟେ ତା’ର ରଚନା କୃତିରେ । ସେହିପରି ମୋର ପ୍ରକୃତି ପ୍ରକାଶ ଘଟେ ତା’ର ରଚନାଗୁଡ଼ିକରେ । ମଣିଷ ଯେତେବେଳେ ସେ ଛଳନା କରେ, ସେତେବେଳେ ହୁଏତ ନିଜର ଅସଲ ପ୍ରକୃତି ପ୍ରକାଶ ପାଇପାରେ ନାହିଁ ତା’ର ଲେଖାରେ । କିନ୍ତୁ ଯେତେବେଳେ ସେ ଛଳନା କରେ ନାହିଁ, ସେତେବେଳେ ତା’ର ଅଲକ୍ଷ୍ୟରେ ନିଜେ ସେ ପ୍ରକାଶ ପାଇଥାଏ ତା’ର ରଚନାକୃତି ଗୁଡ଼ିକରେ । ବୋଧହୁଏ, ଏଇଥିପାଇଁ ମୋ’ପରି ମୋର ରଚନାଗୁଡ଼ିକ ପାଠକମାନଙ୍କୁ ହସେଇ ରସେଇ ପାରୁଛି ।’’

 

ସେ ଟିକେ ଦମ୍‌ନେଇ କହିଲେ–‘‘ମୁଁ ଏପରି ରଚନା କରିବା ମୂଳରେ ଆଉ ଏକ କାରଣ ମଧ୍ୟ ଥାଇପାରେ । ହୁଏତ ଆମର ତିନି ପୁରୁଷର ଦାରିଦ୍ର୍ୟ ଓ ଦୁଃଖମୟ ଜୀବନହିଁ ଏଥିପାଇଁ ବହୁପରିମାଣରେ ଦାୟୀ । ଅଭାବ, ଅନାଟନ, ଦୁଃଖ ଓ ଯାନ୍ତ୍ରଣା ମଧ୍ୟରେ ହସିବାପାଇଁ ମଣିଷ ଯେଉଁ ଉପାୟ ଖୋଜୁଥାଏ, ସେଥିପାଇଁ ବୋଧହୁଏ ମୋ ଲେଖାର ସ୍ଵର ହାସ୍ୟଧର୍ମୀ ହୋଇଛି । ଏହି ହାସ୍ୟରସ ମଧ୍ୟରେ ଅନ୍ତଃସଲୀଳା ଫଲ୍‌ଗୁପରି ପ୍ରବାହିତ ହୋଇରହିଛି ଏକ କାରୁଣ୍ୟର ଧାରା-। ଦୁଃଖ, ଯାନ୍ତ୍ରଣ, ବେଦନାବୋଧ ଓ କାରୁଣ୍ୟକୁ ଅଧାରିତ କରି ଉଠିଛି ହାସ୍ୟରସର ଜୁଆର-।’’

 

ମୋର ଦ୍ଵିତୀୟ ପ୍ରଶ୍ନ–“ଆପଣଙ୍କର ପ୍ରଥମ ହାସ୍ୟବ୍ୟଙ୍ଗଧର୍ମୀ ରଚନାର ଶୀର୍ଷକ କ’ଣ-? ତାହା କେଉଁ ପତ୍ରିକାରେ ପ୍ରକାଶିତ ? ଏହାର କିପରି ପ୍ରତ୍ୟୁତ୍ତର ମିଳିଥିଲା ?’’

 

ଶ୍ରୀଯୁକ୍ତ ଶତପଥୀ ସ୍ମରଣ କରୁ କରୁ ଜବାବ ଦେଲେ–“ମୋର ପ୍ରଥମ ଗଳ୍ପଟି ବାରିପଦାରୁ ପ୍ରକାଶିତ ‘ଭଞ୍ଜ ପ୍ରଦୀପ’ରେ ୧୯୪୧ ମସିହାରେ ପ୍ରକାଶ ପାଇଥିଲା । ଏହି ଗଳ୍ପଟିରେ ଶୀର୍ଷକ ‘ଛାୟା-କାୟା’ ।

 

ତା’ପରେ ପ୍ରାୟ କୋଡ଼ିଏବର୍ଷ ମୁଁ କିଛି ଲେଖିନାହିଁ । ପୁଣି ୧୯୬୧ ମସିହାରେ ‘କାଣିଚିଆଁ’ ନାମରେ ଏକ ଗଳ୍ପ ଲେଖିଥିଲି । ଏହି ଗଳ୍ପଟି ପଢ଼ି ଝଙ୍କାରର ପୂର୍ବତନ ସମ୍ପାଦକ ଶ୍ରୀ ସତ୍ୟାନନ୍ଦ ଚମ୍ପତ୍ତିରାୟ ମୋ ପାଖକୁ ଲେଖିଥିଲେ, “ମୁଁ ହସ୍ପିଟାଲରେ ପଡ଼ିଥିଲି । ଆପଣଙ୍କ ଗଳ୍ପଟି ପଢ଼ି ମୋର ସବୁ ଯନ୍ତ୍ରଣା ଯେପରି ଚାଲିଗଲା ।”

 

ଘର ଭିତରୁ ଜଣେ ମହିଳା ଆମପାଇଁ ଚା’ ଦୁଇକପ୍ ନେଇ ପହଞ୍ଚିଲେ । ଚା’ କପଟିକୁ ଟି ପୟ ଉପରୁ ଉଠେଇ ନେଉଁ ନେଉଁ କହିଲି–“ଏହି ଧରଣର ରଚନାପାଇଁ ଆପଣ କାହାରିଠାରୁ ଉତ୍ସାହ ପାଇଥିଲେ କି ? କାହାରି ଲେଖନାଦର୍ଶଦ୍ଵାରା ଆପଣ ପ୍ରଭାବିତ କି ? ଯଦି ପ୍ରଭାବିତ, ତେବେ କାହିଁକି ?’’

 

ସେ ଟିକେ ଥମିଗଲେ । ଚିନ୍ତାମଗ୍ନଥାଇ କହିବାକୁ ଆରମ୍ଭ କଲେ–“ମୁଁ ଆଜି ଯଦି ଲେଖକ ଭାବରେ ପରିଚିତ, ସେଥିପାଇଁ ପୂର୍ଣ୍ଣତଃ ଦାୟୀ କବି ଶ୍ରୀଯୁଙ୍କ ଚିନ୍ତାମଣି ବେହେରା । ସେ ବିଭିନ୍ନ ଚିଠିରେ କେବଳ ବିରକ୍ତ ହୋଇ ନୁହେଁ ଗାଳି ଦେଇ ମୋତେ ଲେଖିବାକୁ ପ୍ରବର୍ତ୍ତାଇଛନ୍ତି । ମୋର ଲେଖକ ଜୀବନରେ ଯେଉଁ ଦ୍ଵିତୀୟ ପର୍ବ ୧୯୬୧ ମସିହା ଠାରୁ ଆରମ୍ଭ ହେଲା, ସେଥିପାଇଁ ଶ୍ରୀଯୁକ୍ତ ବେହେରାହିଁ ଏକମାତ୍ର ଦାୟୀ । ଆଉ ଆପଣ ଯେଉଁ ପ୍ରଭାବିତ କଥା କହୁଛନ୍ତି–ବୋଧହୁଏ ମୁଁ ଠିକ୍ କାହାରି ଜଣଙ୍କଦ୍ଵାରା ପ୍ରଭାବିତ ବୋଲି କହି ପାରିବି ନାହିଁ । ମୋ ଭିତରେ ଡିକେନ୍‌ସ, ଚାର୍ଲସ୍‌ ଲେମ୍ବ୍‌, ଚେଷ୍ଟରଟନ୍‌, ଆଉ ଫକୀରମୋହନ ପ୍ରଭୃତି ଯେମିତି ପଶିଯାଇଛନ୍ତି । ବୋଧହୁଏ ଏଇଥିପାଇଁ ପ୍ରଭାବିତ ହେଲି ଯେ ମୋର ‘ପ୍ରକୃତି’ ସହିତ ତାଙ୍କ ‘ଲେଖାର ଶୈଳୀ, ଖାପ ଖୁଆଇ ଯାଏଁ ।’’

 

ଚା’ରେ ଚୁମକ୍‌ ନେଉଁ ନେଉଁ ମୁଁ ପଚାରିଦେଲି–‘‘ସାର୍‌ ! ଆପଣଙ୍କ ମତରେ ହାସ୍ୟ-ବ୍ୟଙ୍ଗଧର୍ମୀ ରଚନାର ଜୀବନ ଓ ସମାଜ ପ୍ରତି ଉପଯୋଗିତା କ’ଣ ଅଛି ବୋଲି ଭାବୁଛନ୍ତି ?’’

 

ସେ ହଠାତ୍ କହିଉଠିଲେ–“ନିଛକ କରୁଣ ରସର ପୃଷ୍ଠଭୂମିରେ ଯଦି ହାସ୍ୟ-ବ୍ୟଙ୍ଗଧର୍ମୀ ରଚନା ରଚିତ ହୁଏ, ତେବେ ତାହା ଗାଳିଗୁଲଜରେ ପରିଣତ ହୋଇଯିବ । ବଙ୍କା ବଙ୍କା କଥା (ତିର୍ଯ୍ୟକ) କହିଲେ ତାହାକୁ ଲୋକେ ଅଧିକ ଭାବରେ ଗ୍ରହଣ କରିଥାନ୍ତି । କାରଣ, ଏପରି କଥା ସେମାନଙ୍କୁ ଆକର୍ଷଣ କରିଥାଏ । ସମାଜ ପ୍ରତି ସାହିତ୍ୟ ରଚିତ ହେଉ ବା ନହେଉ ଏହାର ଉପଯୋଗିତା ଆପେ ଆପେ ରହିଯିବ । କିନ୍ତୁ ସମାଜକୁ ଯେ ବଦଳାଇ ଦେବାପାଇଁ ସେଇ ଲକ୍ଷ୍ୟରେ ଲେଖକ ପ୍ରଥମରୁ ସଜାଗ ରହିବ, ଏଥିରେ ମୁଁ ଏକମତ ନୁହେଁ ।’’

 

ମୋର ପରବର୍ତ୍ତୀ ପ୍ରଶ୍ନ ଶୁଣାଇଲି–“ପଡ଼ୋଶୀ ସାହିତ୍ୟର ହାସ୍ୟ-ବ୍ୟଙ୍ଗଧର୍ମୀ ରଚନା ସହିତ ଆମ ଭାଷାର ରଚନାକୁ ତୁଳନା କଲେ ଆମର ସ୍ଥାନ କେଉଁଠି ?’’

 

ସେ’ତ ଏକବାର ନୀରବ ହୋଇ ଥପ୍‌କରି ବସିଗଲେ । ମୁଣ୍ଡ ହଲେଇ ହଲେଇ ‘ହୁଁ’–‘ନାଁ’–‘ହୁଁ’–‘ନା’ କରି କହିଲେ, ‘‘ନା ଉଭୟ ଗୁଣାତ୍ମକ ଓ ସଂଖ୍ୟାତ୍ମକ ଦିଗରୁ ବିଚାର କଲେ ଆମେ ପ୍ରତିବେଶୀ ସାହିତ୍ୟର ହାସ୍ୟ-ବ୍ୟଙ୍ଗାତ୍ମକ ରଚନାର ସମସ୍କନ୍ଧ ହୋଇ ପାରିନାହୁଁ । କାରଣ ଏହି ବିଭାଗଟି ପ୍ରତି ଥୋଡ଼ା ଲୋକ ମନ ଦେଇଛନ୍ତି/ଦେଉଛନ୍ତି ।’’

 

ସେତେବେଳକୁ କେତୋଟି ଚୁମକ୍‌ରେ ଚା’ ନିଃଶେଷ ହୋଇ ଯାଇଥିଲା । ସେ ତାଙ୍କର ପାଳକା କୁକୁରକୁ ଗେହ୍ଲା କରୁ କରୁ ଉତ୍ତର ଦେଉଥାନ୍ତି । ମୁଁ ପୁଣି ପ୍ରଶ୍ନବାଣ ଛାଡ଼ିଲି–‘‘ଆଚ୍ଛା ସାର୍‌, ସାହିତ୍ୟର ବିଭିନ୍ନ ବିଭାଗ ଯଥା–ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ ଓ ନାଟକ ଆଦି ମଧ୍ୟରୁ କେଉଁ ବିଭାଗରେ ହାସ୍ୟ-ବ୍ୟଙ୍ଗଧର୍ମୀ ରଚନା ପାଠକ ଏବଂ ଲେଖକକୁ ଅଧିକ ସ୍ପର୍ଶକରେ ?’’

 

କିଛି ସମୟ ସେ ପୁଣି ରହିଲେ । ମୁଣ୍ଡ ହଲେଇ କହିଲେ–‘‘ନା, ପ୍ରଥମେ ‘ନାଟକ’ ଓ ତା’ପରେ ‘ଗଳ୍ପ’ରେ ଏହା ଅଧିକ ହୃଦୟକୁ ସ୍ପର୍ଶ କରେ । ତା’ପରେ ଅନ୍ୟ ବିଭାଗଗୁଡ଼ିକୁ ମଧ୍ୟ ନିଆଯାଇ ପାରେ । କିନ୍ତୁ, ଏହି ଦୁଇଟି ବିଭାଗ ଅସଲ ।’’

 

ହଠାତ୍‌ ସେ କ’ଣ ଗୋଟାଏ ଚିନ୍ତାକରି ପକେଇ କହିଲେ–ବୁଝିଲେ କୀର୍ତ୍ତନବାବୁ, ଯିଏ ଏହି ପ୍ରଶ୍ନାବଳୀ ତୟାର କରିଛି, ଲୋକଟା ବଡ଼ ‘ବେଧା’ ଅଛି । ଦେଖୁ ନାହାନ୍ତି, ଲୋକଟା ମୋର ସବୁ ଗୁମର କଥାଗୁଡ଼ାକ କେମିତି କାଢ଼ି ନେଉଛି ! ଅସଲ ଅସଲ ଅତି ସୂକ୍ଷ୍ମ କଥାଗୁଡ଼ାକ ପଚାରି ବସିଛି ।’’

 

କୀର୍ତ୍ତନବାବୁ ହସି ହସି ମୋତେ ଚାହିଁଲେ । କଥାରେ ମୋଡ଼ ଭାଙ୍ଗି ମୋର ପୁଣି ପ୍ରଶ୍ନ–“ଆପଣଙ୍କର ହାସ୍ୟରସାତ୍ମକ ରଚନାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ କ’ଣ ? ଆପଣ ଆଙ୍ଗିକ (From) ଉପରେ ଅଧିକ ଗୁରୁତ୍ଵ ଦିଅନ୍ତି, ନା ଆତ୍ମିକ (contents) ଉପରେ ଅଧିକ ଗୁରୁତ୍ଵ ଦିଅନ୍ତି ?’’

 

‘‘ମୋର ହାସ୍ୟରସାତ୍ମକ ଗଳ୍ପର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଲା ପାଠକକୁ ଖେଞ୍ଚୁଥିବ, ଅଥଚ କୁତୁରୁ କୁତୁରୁ କରୁଥିବ । ହସୁଥିବ, ଅଥଚ ଦୁଇ ଆଖିରୁ, ଲୁହ ଗଡ଼ି ପଡ଼ୁଥିବ । ମୁଁ ମୋ ଜୀବନରେ ଯାହା ଲେଖିଛି, ମୁଁ ଏମିତି କିଛି ଲେଖିନାହିଁ ଯେଉଁଥିରେ ଏହି ତିନିଟି ଉପାଦାନ ନାହିଁ । ଏହି ତିନିଗୋଟି ଉପାଦାନ ହେଲା–ହାସ୍ୟ, ବ୍ୟଙ୍ଗ ଓ କରୁଣ’’ । ସେ ଟିକେ ଏକ ଭାବୋଦ୍ଦୀପକ ଭଙ୍ଗୀରେ କହିଉଠିଲେ ‘‘I am nothing if not these.’’ ଆଉ ଆପଣ ଯେଉଁ ଆଙ୍ଗିକ ଆତ୍ମିକ କଥା କହୁଛନ୍ତି–ମୋ ମତରେ ପ୍ରଥମେ ‘ଆତ୍ମିକ’ (contents) ଏବଂ ପରେ ‘ଆଙ୍ଗିକ’ (Form) ।

 

ମୋର ପୁଣି ପ୍ରଶ୍ନ–“ଆଜିର ହାସ୍ୟ–ବ୍ୟଙ୍ଗଧର୍ମୀ ଓଡ଼ିଆ ରଚନା ସମ୍ପର୍କରେ ଆପଣଙ୍କ ଅଭିମତ କ’ଣ ? ଏଥିରେ କିଛି ତ୍ରୁଟି ରହିଯାଉଛି କି ? ସମାଧାନର ଉପାୟ କ’ଣ ?”

 

ସେ କହି ଉଠିଲେ–“ଆରେ ବାପ୍‌ରେ ବାପ୍‌, ଏ ତ ବଡ଼ ବିଷମ ସମସ୍ୟା ।” ସେ ଟିକେ ରହି ବଡ଼ ଦୁଃଖରେ କହିଲେ, “ଅତି ଦୁଃଖର କଥା ଯେ ହାସ୍ୟ-ବ୍ୟଙ୍ଗଧର୍ମୀ ରଚନା ଏ ଜାତି ଓ ସମାଜକୁ ଉଦ୍‌ବୁଦ୍ଧ କରିପାରୁନାହିଁ । ଏହି ଧରଣର ରଚନା ଓଡ଼ିଆରେ ‘କମ୍‌’ ଅଛି । ଏହାର ବ୍ୟାପକ ରଚନା ଆବଶ୍ୟକ । ମଣିଷ ପକ୍ଷରେ ‘ଆନନ୍ଦ’ଟାହିଁ ତା’ର ସ୍ଵକୀୟ ଜିନିଷ । ସେ ଏକ ହସନ୍ତ ପ୍ରାଣୀ–Man is a Laughing Animal । ତେଣୁ ଆମେ ନ ହସିବା କାହିଁକି ? ଏହି ଧରଣର ରଚନା ଲେଖିବାପାଇଁ ଇଂରାଜୀ ସାହିତ୍ୟରୁ କିଛି କିଛି ଲେଖକ ପଢ଼ିବା ଉଚିତ୍ । କାରଣ ଏହି ଧରଣର ରଚନାପାଇଁ କି କି ଦୃଷ୍ଟିକୋଣ ଥିବା ଆବଶ୍ୟକ ଏବଂ କି ମାନସିକ ପୃଷ୍ଠଭୂମିରେ ଲେଖକ ଏହି ପ୍ରକାର ରଚନା ଲେଖେ ତାହା ଜାଣିବା ଆବଶ୍ୟକ । ଖାଲି ‘ଭଲ୍‌ଗାରିଟି’ ରହିଲେ ଯେ ତାହା ହାସ୍ୟ-ବ୍ୟଙ୍ଗଧର୍ମୀ ରଚନା ହୋଇଯିବ, ତାହା ନୁହେଁ; କଳିକଜିଆ ତା’ ହେଲେ ତ ଉଚ୍ଚକୋଟୀର ହାସ୍ୟ-ବ୍ୟଙ୍ଗଧର୍ମୀ ରଚନା ହୋଇ ପାରନ୍ତା ! ଅମାର୍ଜିତ ଶବ୍ଦ ବରଂ ରହୁ, କିନ୍ତୁ ଅଶ୍ଳୀଳ ଶବ୍ଦଗୁଡ଼ିକ ନ ରହୁ । ଏହାହିଁ ଆଜିର ଏହି ଧରଣର ରଚନାର ଏକ ତ୍ରୁଟି । ଉଭୟ–ପାଠକ ଓ ଲେଖକ ଏହି ଧରଣର ରଚନାର ଉପାଦେୟତାକୁ ଉପଲବ୍‌ଧି କରିବା ଆବଶ୍ୟକ । ଲେଖକର ଦାୟିତ୍ଵ ହେଲା–ପାଠକ ମନରେ ଏହିପରି ରଚନା ପାଠ ପାଇଁ ଆଗ୍ରହ/ରୁଚି ସୃଷ୍ଟି କରି ଜୀବନକୁ ଆନନ୍ଦମୟ କରି ତୋଳିବା ।’’

 

ସେ ଯେପରି ତାଙ୍କର ବହୁଦିନର ସଞ୍ଚିତ ଅନୁଭୂତିକୁ ଧ୍ଵନିରୂପ ଦେଉଥାନ୍ତି ।

 

ମୋର ଶେଷ ପ୍ରଶ୍ନ–“ଆଜିର ଯୁବ-ଲେଖକମାନଙ୍କୁ ଆପଣଙ୍କର କିଛି ବାର୍ତ୍ତା ଦେବେ କି-?’’

 

ସେ ଅନର୍ଗଳ କହି ଚାଲିଲେ–“ମୋର ଯୁବଲେଖକମାନଙ୍କୁ ବାର୍ତ୍ତା ହେଉଛି–ସେମାନେ ‘ସିରିୟସ୍’ ହୁଅନ୍ତୁ ନାହିଁ । ସବୁବେଳେ ଜୀବନ ଗୋଟେ ବୋଝପରି ଭାବନ୍ତୁ ନାହିଁ । ପୃଥିବୀଟା ଭାଙ୍ଗିପଡ଼ୁଛି ବୋଲି ଚିନ୍ତା କରନ୍ତୁ ନାହିଁ । ସେମାନଙ୍କ କଳ୍ପନାରେ ହତାଶା ଲାଖି ରହୁଛି । ଏହା ବିଲ୍‌କୁଲ୍‌ ଠିକ୍‌ କଥା ନୁହେଁ । ସେମାନେ ଟିକେ ‘ଲଘୁ’ ହୁଅନ୍ତୁ । ସେମାନେ ଭାବନ୍ତୁ ନାହିଁ ଯେ ଗ୍ରୀକ୍ ପୁରାଣ ସାହିତ୍ୟର Hyperion ପରି ସମସ୍ତେ ବୋଝକୁ ମୁଣ୍ଡେଇଛନ୍ତି । ଜୀବନର ଦୁଃଖ, ଯନ୍ତ୍ରଣା, କଷ୍ଟ, କାରୁଣ୍ୟପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ତାକୁ ସବୁ ଗୁଲୁରିମାରି ଉଡ଼େଇ ଦିଅନ୍ତୁ । ମଣିଷ ପରା ଏକମାତ୍ର ହସିପାରେ ! ତା’ହେଲେ ଏତେବଡ଼ ଅମୋଘ ଅସ୍ତ୍ର ପାଇ ତାକୁ ଆମେ ବ୍ୟବହାର ନ କରିବା କାହିଁକି ?’’

 

ସାକ୍ଷାତ ସମୟ ନିଃଶେଷ ହୋଇ ଆସୁଥିଲା । ବାହାରେ ଅନ୍ଧକାର କ୍ରମେ ଜମି ଆସୁଥିଲା । ବାଲେଶ୍ଵରସ୍ଥ ଷ୍ଟେଡ଼ିୟମ୍ ନିକଟ ଶ୍ରୀଯୁକ୍ତ ଶତପଥୀଙ୍କ କ୍ଵାଟର୍‌ର ଡ୍ରଇଂରୁମରେ ଆମର କଥୋପକଥନ ସରି ସରି ଆସୁଥିଲା ।

 

ମୁଁ ଅନୁଷ୍ଠାନ ପକ୍ଷରୁ ତା’ଙ୍କୁ ଯେତେବେଳେ ଧନ୍ୟବାଦ ଅର୍ପଣ କଲି, ସେ ହଠାତ୍ କହି ଉଠିଲେ–“ଆପଣ ଦୁହେଁ ମୋ ଠାରୁ ଶୁକ୍ରିୟା ପାଇବାପାଇଁ ହକ୍‌ଦାର । କାରଣ, ମୋ ‘ମୁଣ୍ଡ’ ଓ ‘ଛାତି’କୁ ମୁଁ ମଥେଇ ଦେଉଛି ।’’

 

ସେ ପୁଣି ଟିକେ ଗଭୀର ଭାବରେ ଚିନ୍ତାକରି କହିଉଠିଲେ–“ମୁଁ ଯାହାସବୁ କହିଲି, ସେ ସବୁ କଥା ମୁଁ କେବେ ଚିନ୍ତା କରି ନଥିଲି । ତେଣୁ, ମୁଁ ଯାହାସବୁ କହିଲି, ସେ ସବୁ କହି ସାରିବା ପରେ ମୁଁ ଟିକେ ଯେପରି ହାଲୁକା ହୋଇ ଉଠିଛି ।’’

 

‘‘ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ”ର ଦ୍ଵିତୀୟ ବାର୍ଷିକ ଅଧିବେଶନର ଉଦ୍‌ଯାପନ ଉତ୍ସବରେ ଶ୍ରୀଯୁକ୍ତ ଶତପଥୀ ଅନ୍ୟତମ ବକ୍ତା ଥିଲେ । ତେଣୁ ସମ୍ପାଦକ ତାଙ୍କୁ ପାଛୋଟି ନେବାକୁ ଆସିଯିବାରୁ ଆମ ଆସରର ପର୍ଦ୍ଦା ପଡ଼ିଗଲା । ସମସ୍ତେ ସମ୍ମେଳନ ଉଦ୍ଦେଶ୍ୟରେ ‘‘ହରିବୋଲ’’ ପକାଇ ଉଠିଲୁ ।

Image